ମୁମ୍ବାଇ: ମୁମ୍ବାଇ ବିଜେପିର ମହାରାଷ୍ଟ୍ରର ଦାୟିତ୍ୱରେ ଥିବା ସିଟି ରବି ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ଉଦ୍ଧବ ଠାକରେ ଜଣେ ପାର୍ଟ ଟାଇମ ମୁଖ୍ୟମନ୍ତ୍ରୀ ବୋଲି ସିଟି ରବି କହିଛନ୍ତି। ଏବଂ ଶିବସେନା ନେତୃତ୍ୱାଧୀନ ମହା ବିକାଶ ଅଘାଡି ସରକାରକୁ ବିଧାନସଭା ଭଙ୍ଗ କରିବାକୁ ସେ କହିଛନ୍ତି। ଏହା ସହ ନୂତନ ନିର୍ବାଚନ କରିବାକୁ ସିଟି ରବି ମହାରାଷ୍ଟ୍ର ସରକାରକୁ ଚ୍ୟାଲେଞ୍ଜ କରିଛନ୍ତି। ଏଥିରେ ବିଜେପିର ଶକ୍ତି ପ୍ରମାଣିତ ହେବ ବୋଲି ସେ କହିଛନ୍ତି। ରବି ଏଠାରେ ତାଙ୍କ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ଯେ, ଶିବସେନା କ୍ଷମତାକୁ ଆସିବା ପାଇଁ ଏନସିପି ଏବଂ କଂଗ୍ରେସ ସହ ହାତ ମିଳାଇ ଭାରତୀୟ ଜନତା ପାର୍ଟି ଏବଂ ମହାରାଷ୍ଟ୍ରର ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି।
