Categories
ଆଜିର ଖବର ରାଜ୍ୟ ଖବର

ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ଆଠ ରେଳ କର୍ମଚାରୀ ପୁରସ୍କୃତ

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଆଠ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରୁଥିବାବେଳେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ସତର୍କତା ପାଇଁ ପୁରସ୍କୃତ କରିଛନ୍ତି। ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବାବେଳେ ସତର୍କତା ହେତୁ ପ୍ରମୁଖ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। ଉଭୟ ମାନବ ଜୀବନ ଏବଂ ଟ୍ରେନ୍ ଚଳାଚଳ କରାଇବା ସେମାନଙ୍କ ଦ୍ୱାରା ସୁନିଶ୍ଚିତ କରାଯାଇଥିଲା। ଏହି ଅବସରରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉପରୋକ୍ତ କର୍ମଚାରୀ ମାନଙ୍କୁ ସମ୍ମାନିତ କରି ମନୋଜ ଶର୍ମା କହିଛନ୍ତି ଯେ, ଗ୍ୟାଙ୍ଗମେନ, ଟ୍ରଲିମେନ, ଗେଟମେନ, ଓଏଚଇ ଖଲାସି ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କ୍ୟାଡର କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ସତର୍କତା, ଯେଉଁମାନେ ନିରାପଦରେ ଟ୍ରେନ ଚଳାଚଳ ପାଇଁ ପୂର୍ବ ତଟ ରେଳପଥରେ ଦିନରାତି କଠିନ ପରିଶ୍ରମ କରୁଛନ୍ତି ସେମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ଉଚିତ୍। ସେ ମଧ୍ୟ ରେଳବାଇ କର୍ମଚାରୀଙ୍କୁ ନିବେଦନ କରିଛନ୍ତି ଯେ କାର୍ଯ୍ୟରତ ଥିବା ସମୟରେ ସତର୍କ ରୁହନ୍ତୁ ଯାହା ଦ୍ୱାରା ଯାତ୍ରୀ ଏବଂ ଟ୍ରେନ୍ ନିରାପତ୍ତା ସମ୍ଭବ ହୋଇପାରିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନୀଳକଣ୍ଠନଗର ଶିଶୁବିଦ୍ୟାମନ୍ଦିର କ୍ରମାଗତ ତୃତୀୟ ଥର ଶ୍ରେଷ୍ଠ ବିଦ୍ୟାଳୟ ରୂପେ ପୁରସ୍କୃତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାର ଫଳାଫଳରେ ରାଜ୍ୟରେ ଅଭୂତପୂର୍ବ କୃତିତ୍ୱର ଅଧିକାରୀ ହୋଇଥିବାରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୀଳକଣ୍ଠନଗର ତୃତୀୟ ଥର ପାଇଁ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ହୋଇଅଛି। ପୂର୍ବରୁ ଏଭଳି ପୁରସ୍କାର ବ୍ୟବସ୍ଥା ସମ୍ବନ୍ଧରେ ଶିକ୍ଷାବର୍ଷ ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରକାରେ ଚଳିତବର୍ଷ ନୂତନ ଉତ୍ସାହ ଉଦ୍ଦୀପନା ସହ ଛାତ୍ରଛାତ୍ରୀ ତଥା ଗୁରୁଜୀ, ଗୁରୁମା ଏକ ପ୍ରତିଯୋଗିତାମୂଳକ ମନୋଭାବ ନେଇ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ।

ପୁରସ୍କାର ସ୍ୱରୂପ ବିଦ୍ୟାଳୟ ଏକଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇବା ସକାଶେ ଯୋଗ୍ୟ ବିବେଚିତ ହୋଇଥିବାରୁ ପରିଚାଳନା ସମିତି ସଦସ୍ୟମାନେ ପ୍ରଧାନାଚାର୍ଯ୍ୟ ଏସ୍‌.ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି ତଥା ଗୁରୁଜୀ ଗୁରୁମାମାନଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନା ଥାଉ କି ଦୀର୍ଘ ୨୯ (ଅଣତିରିଶି) ବର୍ଷ କାଳ ଏହି ଅନୁଷ୍ଠାନ ଶତପ୍ରତିଶତ ଫଳାଫଳ ପ୍ରାପ୍ତ ହୋଇ ଓଡ଼ିଶା ତଥା ସମଗ୍ର ଭାରତବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇପାରିଛି। ଏହିଭଳି ସ୍ୱତନ୍ତ୍ର ପୁରସ୍କାର ହାସଲ କରିଥିବାରୁ ପରିଚାଳନା ସମିତିର ସଭାପତି ଡଃ ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡଃ. ହରିକୃଷ୍ଣ ନାୟକ, ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦିକା ଇଂ. ଶ୍ରୀମତୀ ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶ୍ରୀ ରବୀନ୍ଦ୍ରନାଥ ଜେନା, ସଦସ୍ୟ ନୀଳକଣ୍ଠ ସାହୁ, ସଦସ୍ୟା ଶ୍ରୀମତୀ ବାସନ୍ତି ବେହେରା, ଉପଦେଷ୍ଟା ଶ୍ରୀ ଧର୍ମରାଜ ସାହୁ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶ୍ରୀ ନରସିଂହ ଚୌଧୁରୀ, ଶ୍ରୀ ହରିକୃଷ୍ଣ ପାଢ଼ୀ, ଶ୍ରୀ ସୁଦର୍ଶନ ପାଢ଼ୀ, ଶ୍ରୀ ବି. ଗଜପତି ରାଓ ସମସ୍ତ ଛାତ୍ରଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି, ଏତଦ୍‌ବ୍ୟତୀତ ଆଗାମୀ ଦିନରେ ଏହି ସଫଳତାକୁ ବଜାୟ ରଖିବା ପାଇଁ ଉତ୍ସାହିତ କରିଛନ୍ତି।

ସମସ୍ତ ଅଭିଭାବକ, ଆଚାର୍ଯ୍ୟ ଆଚାର୍ଯ୍ୟା, ପରିଚାଳନା ସମିତିର ସମସ୍ତ ସଦସ୍ୟ-ସଦସ୍ୟା ଏହାକୁ ସର୍ବଶ୍ରେଷ୍ଠ ବିଦ୍ୟାଳୟ ରୂପେ ଘୋଷଣା କରିଥିବାରୁ ଓଡ଼ିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।