Categories
ଆଞ୍ଚଳିକ

ଟାଙ୍ଗୀ: ପ୍ରତିଶ୍ରୁତି ପୂରଣ କଲେ ପୁରାତନ ବିଦ୍ୟାର୍ଥୀ, ମେଧାବୀ ଛାତ୍ରଙ୍କୁ ମିଳିଲା ସମ୍ମାନ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି। ତେବେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି। ସରକାରୀ ବିଦ୍ୟାଳୟରେ ଶିକ୍ଷାର ବିକାଶ ନିମନ୍ତେ ମୋ ବିଦ୍ୟାଳୟ ଠାରୁ ଆରମ୍ଭ କରି ଫାଇଭ-ଟି ଅନ୍ତର୍ଗତ ସ୍ମାର୍ଟ ବିଦ୍ୟାଳୟ ଦ୍ଵାରା ରାଜ୍ୟ ସରକାର ଅନେକ ପଦକ୍ଷେପ ହାତ ମୁଠାକୁ ନେଇଛନ୍ତି। ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମିବା ଓ ବେସରକାରୀ ବିଦ୍ୟାଳୟ ପ୍ରତି ଆଗ୍ରହ ବଢିବାକୁ ଦ୍ରୁଷ୍ଟିରେ ରଖି ରାଜ୍ୟ ସରକାର ଚିନ୍ତିତ ଅଛନ୍ତି। ତେଣୁ ସେଥିପାଇଁ ସରକାରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଉନ୍ନତମାନ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି।

କିନ୍ତୁ ଏହା ଭିତରେ ସରକାରୀ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିବା କିଛି ପୁରାତନ ଛାତ୍ରଛାତ୍ରୀମାନେ ଏକ ଅଭିନବ ପ୍ରୟାସ ହାତକୁ ନେଇଛନ୍ତି। ନିଜ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଏବଂ ସେହି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ କିପରି ପ୍ରତିଯୋଗୀତା ମନୋଭାବ ବୃଦ୍ଧି ପାଇବ, ତାହା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମଦେବ ବିଦ୍ୟାପୀଠ ୧୯୯୭ ବ୍ୟାଚର ଛାତ୍ରଛାତ୍ରୀମାନେ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଖବର ମୁତାବକ ଆଜି ଉକ୍ତ ବିଦ୍ୟାଳୟର ୧୯୯୭ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ପ୍ରରିପ୍ରେକ୍ଷୀରେ ଉକ୍ତ ବିଦ୍ୟାଳୟର ଛାତ୍ର ତଥା ନୃସିଂହନାଥ ସାବତଙ୍କ ସୁପୁତ୍ର ଧର୍ମ ରଞ୍ଜନ ସାବତଙ୍କୁ ୯ ହଜାର ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଧର୍ମ ରଞ୍ଜନ ୨୦୨୧-୨୨ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟର ସର୍ବାଧିକ ୫୬୭ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଧର୍ମ ରଞ୍ଜନଙ୍କୁ ଏହି ରାଶି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟର ୧୯୭୮ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ର ପୁରାତନ ଛାତ୍ର ରମେଶ କୁମାର ବଳବନ୍ତରାୟଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।

ଏତଦ୍ ବ୍ୟତୀତ, ଉକ୍ତ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପରୀକ୍ଷାରେ ଓଡ଼ିଶାର ପ୍ରଥମ ୫୦ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା ଛାତ୍ର ବା ଛାତ୍ରୀଙ୍କୁ ଅନ୍ୟୁନ ୭ ହଜାର ଟଙ୍କା, ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା ଛାତ୍ର ବା ଛାତ୍ରୀଙ୍କୁ ଅନ୍ୟୁନ ୧୦ ହଜାର ଟଙ୍କା ଏବଂ ଓଡ଼ିଶାରେ ପ୍ରଥମସ୍ଥାନ ହାସଲ କରି ପାରିଲେ ସେ ଛାତ୍ର ବା ଛାତ୍ରୀଙ୍କୁ ଅନ୍ୟୁନ ୧୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବାକୁ ବ୍ୟାଚ୍ ତରଫରୁ ଘୋଷଣା କରାଯାଇଛି। ଆହୁରି ମଧ୍ୟ ବିଦ୍ୟାଳୟର ସୃଜନଶୀଳ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସେମାନଙ୍କ ପାଇଁ ବିଭିନ୍ନ ପୁରସ୍କାର ସହିତ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ଯଥା ସମ୍ଭବ ସହାୟତା କରିବାର ଘୋଷଣା କରାଯାଇଛି।

ଉଲ୍ଲେଖ ଥାଉ କି ଗତ ମାସ ୪ ତାରିଖରେ ୧୯୯୭ ବ୍ୟାଚ୍ ର ୨୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବ୍ୟାଚ୍ ତରଫରୁ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାରେ ଉତ୍ସାହିତ କରିବା ପାଇଁ ଏଭଳି ପ୍ରୋତ୍ସାହନ ରାଶିର ଘୋଷଣା କରାଯାଇଥିଲା। ତେଣୁ ୧୯୯୭ ବ୍ୟାଚ୍ ଦ୍ଵାରା ଦିଆଯାଇଥିବା ପ୍ରତିଶ୍ରୁତିକୁ ଆଜି ରକ୍ଷା କରାଯାଇଛି।

ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱଜିତ୍ ପଲେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ, ଚଳିତ ଶିକ୍ଷା ବର୍ଷର ଦଶମ ଶ୍ରେଣୀର ସମସ୍ତ ଛାତ୍ର ଛାତ୍ରୀମାନେ, ୧୯୯୭ ବ୍ୟାଚ୍ ତରଫରୁ ଜାନକୀ ବଲ୍ଲଭ ମହାପାତ୍ର, ଭାଗବାନ ସାହୁ, ଲକ୍ଷ୍ମୀକାନ୍ତ ପାତ୍ର, ଶରତ ମହନ୍ତ, ରମେଶ ବେହେରା, ୧୯୭୮ ବ୍ୟାଚର ପୁରାତନ ଛାତ୍ର ରାମଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Categories
ଆଞ୍ଚଳିକ

ବଳରାମଦେବ ବିଦ୍ୟାପୀଠର ପୁରାତନ ବିଦ୍ୟାର୍ଥୀଙ୍କ ବଡ ଘୋଷଣା, ମେଧାବୀ ଛାତ୍ରଛାତ୍ରୀଙ୍କୁ ଯୋଗାଇବେ ସହାୟତା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମଦେବ ବିଦ୍ୟାପୀଠର ୧୯୯୭ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇଯାଇଛି। ୨୫ ବର୍ଷ ପୂର୍ତ୍ତି ଅବସରରେ ଉକ୍ତ ଉତ୍ସବ ଗତ ୪ ତାରିଖ ରବିବାର ଦିନ ଟାଙ୍ଗୀସ୍ଥିତ ବଳଭଦ୍ର କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରରିପ୍ରେକ୍ଷୀରେ ଗତ ଶିକ୍ଷାବର୍ଷରେ ବଳରାମଦେବ ବିଦ୍ୟାପୀଠରୁ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଷଷ୍ଠ ଶ୍ରେଣୀର ତୃଷ୍ଣା ଦାସ, ସପ୍ତମ ଶ୍ରେଣୀର ରାଜେଶ ମହାପାତ୍ର, ଅଷ୍ଟମ ଶ୍ରେଣୀର ସୌମ୍ୟ ପ୍ରକାଶ ମହାପାତ୍ର, ନବମ ଶ୍ରେଣୀର ଶୁଭମ୍ ସ୍ୱରୁପ ପାତ୍ର ଓ ଦଶମ ଶ୍ରେଣୀର ଧର୍ମ ରଞ୍ଜନ ସାବତଙ୍କୁ ୧୯୯୭ ବ୍ୟାଚ ତରଫରୁ ଶିକ୍ଷକମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

ତେବେ ବନ୍ଧୁ ମିଳନ ଅବସରରେ ୧୯୯୭ ବ୍ୟାଚର ବିଦ୍ୟାର୍ଥୀ ଏକ ବଡ ଘୋଷଣା କରିଛନ୍ତି। ପ୍ରତିବର୍ଷ ୧୯୯୭ ବ୍ୟାଚ ପକ୍ଷରୁ ବାଳରାମଦେବ ବିଦ୍ୟାପୀଠର ଦଶମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର କିମ୍ବା ଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ଯେଉଁଥିରେ ଜାନକୀ ବଲ୍ଲଭ ମହାପାତ୍ରଙ୍କ ଅନ୍ୟୁନ ୫୦୦୦ (ପାଞ୍ଚ ହଜାର) ଟଙ୍କା ସହିତ ୧୯୯୭ ବ୍ୟାଚର ଅନ୍ୟ ବିଦ୍ୟାର୍ଥୀମାନଙ୍କ ସହଯୋଗ ରହିବ। ଏହା ସହିତ ୧୯୯୭ ବ୍ୟାଚ ପକ୍ଷରୁ ଆହୁରି ଏକ ବଡ ଘୋଷଣା କରିଯାଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆର୍ଥିକ ରୂପେ ଦୁର୍ବଳ ଥିବା ମେଧାବୀ ଛାତ୍ର ବା ଛାତ୍ରୀଙ୍କୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପାଇଁ ସମସ୍ତ ସହାୟତା ଯୋଗାଇଦେବେ ବୋଲି ଘୋଷଣା କରାଯାଇଛି। ସେହିଭଳି ବ୍ୟାଚ ତରଫରୁ ଶଶାଙ୍କ ଶେଖର ସାହୁ ବିଦ୍ୟାଳୟକୁ ଦୁଇଟି କମ୍ପ୍ୟୁଟର ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ୧୯୯୭ ବ୍ୟାଚର ଏଭଳି ପ୍ରୟାସକୁ ଦେଖି ବୁଦ୍ଧିଜୀବି ମହଲରୁ ପ୍ରଶଂସାର ଶୁଅ ଛୁଟିଛି। ଏଭଳି ଉଦ୍ୟମ ଯୋଗୁଁ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହେବା ସହିତ ପାଠ ପଢା ପ୍ରତି ଆଗ୍ରହ ପ୍ରକାଶ ପାଇବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ଏହି ଉତ୍ସବରେ ବଳରାମଦେବ ବିଦ୍ୟାପୀଠର ପୂର୍ବତନ ଶିକ୍ଷକ ନିତ୍ୟାନନ୍ଦ ସୁବୁଦ୍ଧି, ଶଙ୍କର ଜେନା, କୃଷ୍ଣଚନ୍ଦ୍ର ବେହେରା, ସୀତାଂଶୁ ଭୂଷଣ ଚକ୍ରବର୍ତ୍ତୀ, ମହେଶ୍ୱର ପ୍ରଧାନ ଓ ଶିକ୍ଷୟତ୍ରୀ ପ୍ରମିଳା ଦେଇ, ବାସନ୍ତୀ ମଲ୍ଲିକ ଓ ଶର୍ମିଳା ବେହେରା, ତତ୍କାଳୀନ ପ୍ରଧାନ ଶିକ୍ଷକ ବୁଦ୍ଧିମାନ ପ୍ରଧାନ ଓ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିଶ୍ୱଜିତ ପଲାଇ ପ୍ରମୁଖଙ୍କ ସମେତ ଆଞ୍ଚଳିକ ସାମ୍ବାଦିକ ସଂଘର ସମ୍ପାଦକ ମନୋଜ ପଟ୍ଟନାୟକ ଯୋଗ ଦେଇ ଇହଲୀଳା ସମ୍ବରଣ କରିଥିବା ପୂର୍ବତନ ଶିକ୍ଷକ ପଦ୍ମଚରଣ ଦାସ, ସୁବାଷଚନ୍ଦ୍ର ମହାପାତ୍ର, ବିଭୁପ୍ରସାଦ ଶତ୍ରୁଶଲ୍ୟ ଓ ବ୍ୟାଚ୍ ର ଅନ୍ୟତମ ଛାତ୍ର ଅଜିତ୍ କୁମାର ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ସହିତ ଵ୍ୟାଚ ତରଫରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ସହିତ ମନୋଜ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ତେବେ ଉକ୍ତ ଉତ୍ସବ ଲକ୍ଷ୍ମୀକାନ୍ତ ପାତ୍ର, ଭଗବାନ ସାହୁ, ରାମଚନ୍ଦ୍ର ବେହେରା, କେଶବ ଚନ୍ଦ୍ର ସାହୁ, ଜାନକୀ ବଲ୍ଲଭ ମହାପାତ୍ର, ତପନ କୁମାର ରାଉତରାୟ, ସୂର୍ଯ୍ୟକାନ୍ତ ପ୍ରଧାନ, ଅଶୋକ ମହାପାତ୍ର, ଅଜିତ କୁମାର ପୃଷ୍ଟି, ଅଜିତ କୁମାର ମହାପାତ୍ର ଓ ପ୍ରକାଶ କୁମାର ପ୍ରଧାନ ପ୍ରମୁଖଙ୍କ ସହଯୋଗରେ ପରିଚାଳିତ ହୋଇଥିଲା।