Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ଶରଧାବାଲିରେ ଦଳଚକଟା ଏବଂ ୩ ଭକ୍ତଙ୍କ ମୃତ୍ୟୁକୁ ନେଇ ତୀବ୍ର ନିନ୍ଦା କଲେ ନବୀନ

ଭୁବନେଶ୍ବର:  ପୁରୀ ଶରଧାବାଲିରେ ଘଟିଯାଇଥିବା ଦଳଚକଟା ଘଟଣାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ନିଜ ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି ଯେ, “ ପୁରୀ ଶରଧାବାଲିରେ ମହାପ୍ରଭୁଙ୍କ ସକାଳ ଦର୍ଶନ ସମୟରେ ଭୀଷଣ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ୩ ଜଣ ଭକ୍ତଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଏହି ଦୁଃଖଦାୟକ ଘଟଣାରେ ଆହତ ହୋଇଥିବା ସମସ୍ତ ଭକ୍ତଙ୍କ ଆଶୁଆରୋଗ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।”

ସେ ଆହୁରି କହିଛନ୍ତି ଯେ, “ରଥଯାତ୍ରାରେ ଅଭାବନୀୟ ଭିଡ଼ ପରିଚାଳନା ପାଇଁ ଅନେକ ଭକ୍ତ ଆହତ ହୋଇଥିବା ବେଳେ ଏହାର ମାତ୍ର ଦିନକ ପରେ ପୁଣି ଆଜିର ଅଘଟଣ ଦର୍ଶାଉଛି, ଶ୍ରଦ୍ଧାଳୁଙ୍କ ପାଇଁ ଏକ ଶାନ୍ତି ତଥା ଭାବପୂର୍ଣ୍ଣ ରଥଯାତ୍ରା ସୁନିଶ୍ଚିତ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।”

ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି, ଏହି ଭୟାବହ ଅଘଟଣ ଘଟିବା ସମୟରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ସେଠାରେ ନଥିଲା; ଯାହା ଦାୟିତ୍ୱରେ ଚରମ ଅବହେଳାକୁ ଦର୍ଶାଉଛି।

ରଥଯାତ୍ରା ଦିନ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟାଣିବାରେ ଅହେତୁକ ବିଳମ୍ବ ହେଲା, ହେଲେ ସରକାର ଅତି ସହଜରେ ଏହାକୁ ‘ମହାପ୍ରଭୁଙ୍କ ଇଚ୍ଛା’ ବୋଲି କହି ଦାୟିତ୍ୱରୁ ମୁହଁ ଫେରାଇ ନେଲେ। ଏପରି ଅଭାବନୀୟ ଉକ୍ତି ପ୍ରଶାସନର ଦାୟିତ୍ବହୀନତାକୁ ଢାଙ୍କିବା ବ୍ୟତୀତ ଆଉ କିଛି ବି ନୁହେଁ।

ଏହାକୁ ସରକାରଙ୍କ ଚରମ ଅପରାଧିକ ଅବହେଳା ବୋଲି ମୁଁ କହୁ ନ ‘ଥିଲେ ବି, ସରକାରଙ୍କ ବେଖାତିର ମନୋଭାବ ତଥା ସମ୍ବେଦନହୀନ ଆଚରଣ ହିଁ ଏପରି ଅଘଟଣର କାରଣ।

ମୁଁ ସରକାରଙ୍କୁ ଅନୁରୋଧ କରୁଛି, ଆଡ଼ପ ବିଜେ, ବାହୁଡ଼ା, ସୁନାବେଶ ତଥା ରଥଯାତ୍ରା ସମ୍ବନ୍ଧିତ ଅନ୍ୟାନ୍ୟ ରୀତିନୀତି ଯେପରି ସୁରୁଖୁରୁରେ ସମାପନ ହେବ ସେଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମ୍ବେଦନଶୀଳ ଭାବେ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ।