Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ସକାଳୁ ସକାଳୁ ପୁରୀ ବେଳାଭୂମିରେ ଚାଲିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତାପରେ ସେ କଣ କହିଲେ ଜାଣନ୍ତି?

ପୁରୀ: ଆଜି ସକାଳୁ ପୁରୀ ବେଳାଭୂମିରେ ମର୍ଣ୍ଣିଂୱାକ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜର ସୁରକ୍ଷା କର୍ମୀଙ୍କ ଗହଣରେ ସେ ବେଳାଭୂମିରେ ବେଶ କିଛି ସମୟ ଚାଲିଥିଲେ। ହଠାତ ରାଷ୍ଟ୍ରପତି ବେଳାଭୂମିରେ ଚାଲୁଥିବାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ରାଷ୍ଟ୍ରପତି ରଥଯାତ୍ରା ଦେଖିବା ପାଇଁ ଗତକାଲିଠାରୁ ପୁରୀ ଗସ୍ତରେ ଅଛନ୍ତି। ରଥଯାତ୍ରା ପରେ ସେ ରାତ୍ରୀରେ ପୁରୀ ରାଜଭବନରେ ଅବସ୍ଥାନ କରିଥିଲେ। ତେବେ ରାଷ୍ଟ୍ରପତି ବେଳଭୂମିରେ ଚାଲିବା ପରେ ସେ ତାଙ୍କର ସାମାଜିକ ଗଣମାଧ୍ୟମରେ ପରିବେଶ ବାର୍ତ୍ତା ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, ‘ ଭୂପୃଷ୍ଠର 70 ପ୍ରତିଶତରୁ ଅଧିକ ହେଉଛି ମହାସମୁଦ୍ର ଏବଂ ପୃଥିବୀବ୍ୟାପୀ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ପତ୍ତନ କ୍ରମାଗତ ବୃଦ୍ଧି ପାଉଛି। ଏହା ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଜଳମଗ୍ନ କରିବାର ଆଶଙ୍କା ସୃଷ୍ଟି କରିଛି। ଅପରପକ୍ଷେ, ବିଭିନ୍ନ ପ୍ରକାର ପ୍ରଦୂଷଣ ଯୋଗୁଁ ସମୁଦ୍ର ଓ ସେଥିରେ ଥିବା ନାନା ପ୍ରଜାତିର ଉଦ୍ଭିଦ ଓ ଜୀବଜନ୍ତୁ ବହୁ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି। ତେବେ ପ୍ରକୃତି କୋଳରେ ବସବାସ କରୁଥିବା ଲୋକମାନଙ୍କ ଦ୍ୱାରା ଅନୁସୃତ ପରମ୍ପରା ଏ କ୍ଷେତ୍ରରେ ଆମ ପାଇଁ ପଥ-ପ୍ରଦର୍ଶକ ହୋଇପାରିବ।

ଉଦାହରଣ ସ୍ୱରୂପ, ସମୁଦ୍ର-କୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ସାମୁଦ୍ରିକ ପବନ ଓ ସମୁଦ୍ର ଲହରୀର ଭାଷା ବୁଝିପାରନ୍ତି। ପୂର୍ବପୁରୁଷଙ୍କ ପଦାଙ୍କ ଅନୁସରଣ କରି ସେମାନେ ସମୁଦ୍ରକୁ ଦେବତା ଭାବରେ ପୂଜା କରନ୍ତି। ପରିବେଶ ସୁରକ୍ଷା ଓ ପରିବେଶ ସଂରକ୍ଷଣ ଜନିତ ଆହ୍ୱାନର ମୁକାବିଲା ପାଇଁ ଆମ ପାଖରେ ଦୁଇଟି ଉପାୟ ଅଛି ବୋଲି ମୁଁ ବିଶ୍ୱାସ କରେ। ପ୍ରଥମତଃ, ସରକାର ଏବଂ ଆନ୍ତର୍ଜାତିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏ ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଇପାରିବ ଏବଂ ଦ୍ୱିତୀୟତଃ, ନାଗରିକ ଭାବରେ ଆମେ ସ୍ଥାନୀୟ ସ୍ତରରେ ଛୋଟ ଛୋଟ ପଦକ୍ଷେପ ମଧ୍ୟ ନେଇପାରିବା।

ଅବଶ୍ୟ ଏହି ଦୁଇଟି ଯାକ ପଦକ୍ଷେପ ପରସ୍ପର ପରିପୂରକ। ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଆମେ ବ୍ୟକ୍ତିଗତ ଭାବରେ, ସ୍ଥାନୀୟ ସ୍ତରରେ ଯଥାସାଧ୍ୟ ଉଦ୍ୟମ କରିବା ପାଇଁ ଆସନ୍ତୁ ଶପଥ ନେବା। ଉତ୍ତରପିଢ଼ି ପାଇଁ ଆମକୁ ଏହା ଅବଶ୍ୟ କରିବାକୁ ହେବ।