Categories
ବିଶେଷ ଖବର

ପୁରୁଣା ପେନ୍ସନ୍ ଯୋଜନା, ୧୦୦ ୟୁନିଟ୍ ମାଗଣା ବିଦ୍ୟୁତ୍: ବେସରକାରୀ କମ୍ପାନୀରେ ମିଳିବ ୭୫ ପ୍ରତିଶତ ନିଯୁକ୍ତି

ରାଞ୍ଚି: ପୁରାତନ ପେନ୍‌ସନ୍‌ ଯୋଜନାକୁ କେତେକ ସର୍ତ୍ତରେ କାର୍ଯ୍ୟକାରୀ କରିବା ଏବଂ ଗରିବ ଲୋକଙ୍କୁ ପ୍ରତି ମାସରେ ୧୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି। ଝାଡଖଣ୍ଡ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି। ଜଣେ ଅଧିକାରୀ କହିଛନ୍ତି ଯେ, ପୁରୁଣା ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବିକାଶ ଆୟୋଗଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରାଯିବ।

କ୍ୟାବିନେଟ ସଚିବ ବନ୍ଦନା ଦାଦେଲେ ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ, କମିଟି ଦ୍ଵାରା ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିସର୍ (SOP) ପ୍ରସ୍ତୁତ କରାଯିବ। ଏହାକୁ ଅନୁମୋଦନ ପାଇଁ କ୍ୟାବିନେଟକୁ ପଠାଯିବ। “ପୁରୁଣା ପେନସନ୍ ଯୋଜନା ଏପ୍ରିଲ ୧ ତାରିଖ ୨୦୦୪ ରେ ବନ୍ଦ ହୋଇଯାଇଥିଲା ଏବଂ ଏହାକୁ ଜାତୀୟ ପେନସନ୍ ସିଷ୍ଟମ (NPS) ଦ୍ୱାରା ବଦଳାଯାଇଥିଲା।

ଏହା ବ୍ୟତୀତ ଗରିବଙ୍କ ପାଇଁ ୧୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରସ୍ତାବକୁ କ୍ୟାବିନେଟ୍ ମଧ୍ୟ ଅନୁମୋଦନ କରିଛି। ୨୦୨୨-୨୩ ବଜେଟରେ ସରକାର ଏହା ଘୋଷଣା କରିଥିଲେ। ଦାଦଲେ କହିଛନ୍ତି ଯେ, ୧୦ ୟୁନିଟ୍ ବିଦ୍ୟୁତ୍ ବ୍ୟବହାରକାରୀଙ୍କ ପାଇଁ ଏହାର ଲାଭ ପ୍ରଯୁଜ୍ୟ ହେବ। ଏହା ଉପରେ ବିଭିନ୍ନ ପ୍ରକାର ସ୍ଲାବ ଲାଗୁ ହେବ।

ସୂଚନାଯୋଗ୍ୟ ଯେ କ୍ୟାବିନେଟ ଦ୍ୱାରା ମୋଟ ୫୫ ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ପ୍ରତ୍ୟେକ ପରିବାରକୁ ମାସକୁ ୧ ଟଙ୍କା ମୂଲ୍ୟରେ ଏକ କିଲୋଗ୍ରାମ ଚଣା ଡାଲି ପ୍ରଦାନ କରିବାକୁ ଏକ ପ୍ରସ୍ତାବ ଅନ୍ତର୍ଭୁକ୍ତ ଥିଲା। ଏହା ସହିତ କ୍ୟାବିନେଟ୍ ମଧ୍ୟ MNREGA ମଜୁରୀ ଅଧୀନରେ ୨୭ ଟଙ୍କା ଅତିରିକ୍ତ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହା ସହିତ ଝାଡଖଣ୍ଡର ଜଣେ MNREGA କର୍ମଚାରୀ ସର୍ବନିମ୍ନ ମଜୁରୀ ୨୩୭ ଟଙ୍କା ପାଇବେ।

ବେସରକାରୀ କ୍ଷେତ୍ରରେ ସ୍ଥାନୀୟ ପ୍ରାର୍ଥୀଙ୍କ ନିଯୁକ୍ତି ନିୟମ ମଧ୍ୟ ରାଜ୍ୟ ଅନୁମୋଦନ କରିଛି। ନିୟମ ଅନୁଯାୟୀ, ବେସରକାରୀ କମ୍ପାନୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ୭୫ ପ୍ରତିଶତ ସଂରକ୍ଷଣ ଦେବାକୁ ପଡିବ। ଉଲ୍ଲେଖନୀୟ ଯେ, ପୁରୁଣା ପେନସନ୍ ଯୋଜନାର କାର୍ଯ୍ୟକାରିତା ଘୋଷଣା କରିବା ପାଇଁ ଝାଡଖଣ୍ଡ ଦେଶର ତୃତୀୟ ରାଜ୍ୟ ହୋଇପାରିଛି। ଏହାପୂର୍ବରୁ ରାଜସ୍ଥାନ ଏବଂ ଛତିଶଗଡ ପୁରୁଣା ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି।