Categories
ବିଶେଷ ଖବର ରାଜ୍ୟ ଖବର

ଜାତୀୟ ସ୍ତରରେ ପ୍ରଶଂସିତ ହେଲା ଓଡ଼ିଶାର ପୂର୍ତ୍ତ ବିଭାଗ, ମିଳିଲା ବିଶ୍ବକର୍ମା ପୁରସ୍କାର

ଭୁବନେଶ୍ବର: ଗତ ଏପ୍ରିଲ ୧୧ ତାରିଖ ଦିନ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ନୂଆଦିଲ୍ଲୀ ଠାରେ ସମ୍ମାନଜନକ ବିଶ୍ୱକର୍ମା ପୁରସ୍କାର-୨୦୨୫ରେ ସମ୍ମାନିତ ହୋଇଛି ।ନୂଆଦିଲ୍ଲୀର ଡ. ବି.ଆର୍. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏକ ସମାରୋହରେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଏହି ପୁରସ୍କାର ଗ୍ରହଣ କରିଥିଲେ।

ଓଡିଶାର ପୂର୍ତ୍ତ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ଚାରୋଟି ଉଲ୍ଲେଖନୀୟ କୋଠା ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ କର୍ପୋରେଟ କାର୍ଯ୍ୟ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହର୍ଷ ମଲହୋତ୍ରା ପୁରସ୍କାର ପ୍ରଦାନ କରିବା ସହିତ ପୂର୍ତ୍ତ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ବିଶ୍ୱକର୍ମା ପୁରସ୍କାର ନିର୍ମାଣ କ୍ଷେତ୍ରରେ ସର୍ବୋଚ୍ଚ ବେସାମରିକ ପୁରସ୍କାର ଅଟେ, ଯାହା ପ୍ରତିବର୍ଷ ନୀତି ଆୟୋଗ ଦ୍ୱାରା ଅଗ୍ରଣୀ ଏବଂ ଅଭିନବ ଢାଞ୍ଚା ଏବଂ ବ୍ୟକ୍ତିତ୍ୱଙ୍କୁ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ହାସଲ କରିଥିବା ଏହି କୋଠାଗୁଡ଼ିକ ମଧ୍ୟରେ ଆନୁଷଙ୍ଗିକ ସୁବିଧା ଥିବା ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ୧୦୦୦ କ୍ଷମତା ବିଶିଷ୍ଟ ଓଡ଼ିଶାର ସର୍ବବୃହତ ବକ୍ତୃତା ଥିଏଟର ।

ସେହିପରି ପାଣିକୋଇଲିସ୍ଥିତ ଟ୍ରମା କେୟାର ହସ୍ପିଟାଲ ପୂର୍ବ ଭାରତର ସର୍ବବୃହତ ଟ୍ରମା କେୟାର କେନ୍ଦ୍ର, ଯେଉଁଠାରେ ଦୁର୍ଘଟଣା ଓ ପୋଡ଼ି ଯାଇଥିବା ଆଘାତର ବ୍ୟାପକ ଚିକିତ୍ସା ସୁବିଧା ପ୍ରଦାନ କରିଥାଏ । ସେହିଭଳି ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ସବୁଠାରୁ ବଡ଼ ଆବାସ କେନ୍ଦ୍ର ହେଉଛି ପୁରୀ ସ୍ଥିତ ହାବିସ୍ୟାଳି ଭବନ, ଯେଉଁଥିରେ ପବିତ୍ର କାର୍ତ୍ତିକ ମାସରେ ପ୍ରାୟ ୧୭୦୦ ହବିଷ୍ୟାଳି ରହିବା ପାଇଁ ନିର୍ମାଣ କରାଯାଇଛି ।

ବରଗଡ଼ରେ ଥିବା କର୍କଟ ଚିକିତ୍ସାଳୟ ରେଡିଏସନ୍ ବଙ୍କର ଏବଂ ନ୍ୟୁକ୍ଲିୟର ମେଡିସିନ୍ ବିଭାଗ ଭଳି ବ୍ୟାପକ କର୍କଟ ଚିକିତ୍ସା ସୁବିଧା ଥିବା ଏକ ଅଭିନବ କମ୍ପ୍ୟାକ୍ଟ୍ ନିର୍ମାଣ ଶୈଳୀ । ରାଜ୍ୟରେ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ବ୍ୟାପକ ତଥା ଉନ୍ନତ ଭିତ୍ତିଭୂମି ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସକୁ ସିଆଇଡିସି ଏବଂ ନୀତି ଆୟୋଗ ପ୍ରଶଂସା କରିଛନ୍ତି ।

ନିର୍ମାଣ କ୍ଷେତ୍ରରେ ପୂର୍ତ୍ତ ବିଭାଗକୁ ଏହି ସର୍ବୋଚ୍ଚ ବେସାମରିକ ସମ୍ମାନଜନକ ବିଶ୍ୱକର୍ମା ପୁରସ୍କାର-୨୦୨୫ ରେ ପୁରସ୍କୃତ ହୋଇଥିବାରୁ ବିଭାଗର ସମସ୍ତ ଅଧିକାରୀ ମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱରର ଟ୍ରାଫିକ୍ ଭିଡ ହ୍ରାସ ପାଇଁ ଖର୍ଚ୍ଚ ହେବ ୭,୦୦୦ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପୂର୍ତ୍ତ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ରାଜ୍ୟ ସରକାରଙ୍କ ପକ୍ଷରୁ ପରିକଳ୍ପିତ ବିଭିନ୍ନ ନୂତନ ପ୍ରକଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ବଜେଟ ପରିମାଣର ୭୨ ପ୍ରତିଶତ ଖର୍ଚ୍ଚ ହୋଇଥିବା ବେଳେ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଶତ ପ୍ରତିଶତ ଖର୍ଚ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ (Decongestion Plan) ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଆଲୋଚନାରୁ ଜଣା ଯାଇଛି ଯେ, ଏଥିପାଇଁ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗ ମୌଜା ପର୍ଯ୍ୟନ୍ତ ଦୟା ୱେଷ୍ଟ କେନାଲ ରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ, ଏବଂ କଳ୍ପନା ଛକ, ମ୍ୟୁଜିଅମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏ ଉଭର୍ ସହିତ ଏଜି ଛକରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଯୋଜନା ରଖାଯାଇଛି ।

ସେହିପରି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥ୍‌ମେଟିକସ୍ ରୁ ପଥର ଗାଡିଆ- ଉତ୍କଳ ହସ୍ପିଟାଲ- ରେଲ୍ ବିହାର ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ଲେଫ୍ଟ ପାରାଲେଲ୍ ରୋଡ୍ କାମ ମଧ୍ୟ ଜାରି ରହିଛି । ଏହା ସହିତ ଡମଣାରୁ ପ୍ରେସ୍ ଛକ, କଳା ରାହାଙ୍ଗରୁ ବାରିମୁଣ୍ଡ ଓ କେଳୁଚରଣ ପାର୍କରୁ ବାରିମୁଣ୍ଡ ପର୍ଯ୍ୟନ୍ତ ୩ଟି ରାଇଟ୍ ଆକ୍‌ସେସ୍ ରୋଡ୍ ନିର୍ମାଣର ଯୋଜନା ରଖାଯାଇଛି । ଏହା ସହିତ ଏକ ଇନର୍ ରିଙ୍ଗ୍ ରୋଡ୍ ମଧ୍ୟ ନିର୍ମାଣ କରାଯିବ। ସମ୍ପୂର୍ଣ୍ଣ Decongestion Plan ପାଇଁ ପ୍ରାୟ ୭ ହଜାର କୋଟି ଟଙ୍କା ବିନିଯୋଗ କରାଯିବ।

ଏଥି ମଧ୍ୟରୁ ଡମଣା ଛକରୁ ପ୍ରେସ୍ ଛକ ରାସ୍ତା କାମ ସରିଥିବା ବେଳେ ସୁନ୍ଦରପଦା-ଜଟଣୀ ରୋଡ୍ ଓ ଲେଫ୍ଟ ପାରାଲେଲ୍ ରୋଡ୍ କାମ ଜାରି ରହିଛି। ବାକି ସବୁ କାମର ତୁରନ୍ତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ତୁରନ୍ତ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରୁ ଜଣା ଯାଇଛି ଯେ, ଭୁବନେଶ୍ୱର ପାଇଁ ୬୪ କିଲୋମିଟର ବିଶିଷ୍ଟ ଏକ ଇନର୍ ରିଙ୍ଗ୍ ରୋଡ୍ କରାଯିବ। ଏଥିରେ ତମାଣ୍ଡୋରୁ ପାଇକରାପୁର ଏବଂ ଧଉଳିରୁ ତମାଣ୍ଡୋ ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ।

ଏହା ସହିତ ଭୁବନେଶ୍ୱରର ସଂପ୍ରସାରଣ ପାଇଁ ଏକ ଆଉଟର୍ ରିଙ୍ଗ୍ ରୋଡ୍ ର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ୧୪୮ କିଲୋମିଟର ବିଶିଷ୍ଟ ଏହି ରିଙ୍ଗ୍ ରୋଡ୍, ୬ ଲେନ୍ ହେବା ସହିତ ୨ଟି ସର୍ଭିସ୍ ରୋଡ୍ ମଧ୍ୟ ରହିବ। ଏଥିପାଇଁ ସମୁଦାୟ ୬,୧୫୨ କୋଟି ଟଙ୍କା ବିନିଯୋଗ କରାଯିବ। ଏହା ଦ୍ୱାରା ସହରର ସଂପ୍ରସାରଣ ହେବା ସହିତ ଯୋଗାଯୋଗର ସୁବିଧା ବଢିବ। ଅର୍ଥନୈତିକ ଅଭିବୃଦ୍ଧି ସହିତ ପର୍ଯ୍ୟଟନ ବୃଦ୍ଧି ହେବ ଓ ଉତ୍ତମ ପରିବେଶ ମଧ୍ୟ ସୃଷ୍ଟି ହେବ।

ବୈଠକର ଆଲୋଚନାରୁ ଜଣାଯାଇଥିଲା ଯେ, ରାଜ୍ୟର ଚାରିପାର୍ଶ୍ୱକୁ ଏକ ଗ୍ରାଣ୍ଡ ରିଙ୍ଗ୍ ରୋଡ୍ ମାଧ୍ୟମରେ ଯୋଡିବା ପାଇଁ ଯେଉଁ ଲକ୍ଷ୍ୟ ରଖା ଯାଇଛି, ତାହାର ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ୨୮୭ କିଲୋମିଟର ଏକ ସଡକ ନିର୍ମାଣ କରାଯିବ । ଏଥିରେ ୪ଟି ଟନେଲ୍ ରହିବ ।

କେନ୍ଦୁଝର ମା’ ତାରିଣୀଙ୍କ ମନ୍ଦିରର ବିକାଶ ଓ ଚାରିପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ୨୧୪ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକର ଆଲୋଚନାରୁ ଜଣା ଯାଇଛି । ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ କରି ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ବଡବିଲ୍ ରିଙ୍ଗ୍ ରୋଡ୍, ଭୁବନେଶ୍ୱର ୟୁନିଟ୍-୨ ଅଞ୍ଚଳର ବିକାଶ ଓ ଅନ୍ୟାନ୍ୟ ପ୍ରକଳ୍ପ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

ଚୌକିକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ କଳି, ସରକାରୀ କାର୍ଯ୍ୟରେ ବିଶୃଙ୍ଖଳା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଦିଗପହଣ୍ଡି ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୌକି କଳି ଲାଗିଥିବା ଖବର ଦାଣ୍ଡରେ ପଡି ହାଟରେ ଗଡୁଛି।

ଖବରରୁ ପ୍ରକାଶ ଯେ, ଦିଗପହଣ୍ଡି ପୁର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀ ନାରାୟଣ ବେହେରାଙ୍କ ଗତ ଜୁନ ୩ ତାରିଖରୁ ବଦଳି ହୋଇଛି ଓ ତାଙ୍କରି ସ୍ଥାନରେ କାର୍ତ୍ତିକେଶ୍ଵର ପ୍ରଧାନଙ୍କୁ ଯୋଗଦାନ ଅନୁମତି ମିଳିଛି। କିନ୍ତୁ ନାରାୟଣ ବେହେରା ଏକ ସ୍ଥଗିତ ଆଦେଶ ଆଣି ପଦବୀ ରୁ ଅନ୍ତର ହୋଇନାହାନ୍ତି। ଯାହାର ଅବଧି ମାତ୍ର ୨୮ ଦିନ ଥିଲା। ଏହା ସତ୍ତ୍ୱେ ସେ ଅସୁସ୍ଥତା ଦେଖାଇ ଛୁଟି ଦରଖାସ୍ତ ଦେଇ ଅଫିସକୁ ଆସୁନାହାନ୍ତି। ଯାହା ଫଳରେ କାର୍ତ୍ତିକେଶ୍ଵର ପ୍ରଧାନ ଏଠି ଖାଲିରେ ପଡି ରହିଛନ୍ତି। ଯାହାକୁ ନେଇ ସରକାରୀ କାର୍ଯ୍ୟକ୍ରମରେ ବିଶ୍ରୁଙ୍ଖଳା ସ୍ରୁଷ୍ଟି ହେଉଛି।