ଭୁବନେଶ୍ବର: ସାରା ଭାରତରେ ‘ପୁଷ୍ପା’ ଚଳଚିତ୍ରକୁ ନେଇ ବେଶ ଚହଳ ପକାଇଛି। ମୁଖ୍ୟତଃ ଏହି ଚଳଚିତ୍ରର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଭୂମିକା ବେଶ ଉଚ୍ଚକୋଟିର ହୋଇପାରିଛି। ଜଙ୍ଗଲ ମଧ୍ୟରୁ ରକ୍ତ ଚନ୍ଦନ କାଠ ଚୋରୀକୁ ନେଇ ଏହି ଚଳଚିତ୍ରଟି ନିର୍ମାଣ କରାଯାଇଛି। ଏଥିରେ ଏପରି ବାସ୍ତବତା ପ୍ରତିଫଳିତ କରାଯାଇଛି ଯେ କେହି ବି ଦେଖି ବିଭୋର ହୋଇପଡୁଛି। ପୁଷ୍ପା ଭୂମିକାରେ ଥିବା ଅର୍ଜ୍ଜୁନଙ୍କ ବାସ୍ତବ ଅଭିନୟ ସମସ୍ତଙ୍କୁ ଆକୃଷ୍ଟ କରିପାରିଛି।
ଏହି ଚଳଚିତ୍ରରେ ଚନ୍ଦନ ତସ୍କରଙ୍କ କାରନାମ ସହିତ ଜଙ୍ଗଲ ଅଧିକାରୀଙ୍କ ସୁରକ୍ଷାର ସଂଘର୍ଷ ବେଶ ଉଚ୍ଚ କୋଟିର ହୋଇପାରିଛି। ଫଳରେ ଚଳଚିତ୍ରଟି ବକ୍ସ ଅଫିସରେ ବେଶ ସଫଳତା ହାସଲ କରିଛି। ଏହି ଚଳଚିତ୍ରର ସଂଗୀତ ମଧ୍ୟ କୌଣସି ଗୁଣରେ କମ ନାହିଁ। ଏହି ସଂଗୀତକୁ ନେଇ ପିଲାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଅଭିନୟ କରିବାରେ ମଧ୍ୟ ଲାଗିଛନ୍ତି।
ତେବେ ଜଙ୍ଗଲ କାଠ ଚୋରୀ ଉପରେ ଆଧାରିତ ଏହି ଚଳଚିତ୍ରଟି ବର୍ତ୍ତମାନ ଓଡିଶା ପାଇଁ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ପୁଷ୍ପାଙ୍କୁ ନେଇ ଓଡିଶା ଜଙ୍ଗଲ ବିଭାଗ ତରଫରୁ ଏକ ଅଭିନବ ସଚେତନତା କରାଯାଇଛି। ତାହା ହେଲା ପୁଷ୍ପା ପରି ଯେତେ ଶକ୍ତିବାନ ହେଲେ କଣ ହେଲା ଜଙ୍ଗଲର ଶକ୍ତି ବୁଝାବା ପରେ ସମସ୍ତେ ମୁଣ୍ଡ ତଳକୁ କରିବେ। ଏହିପରି ଏକ ସ୍ଲୋଗାନ ନେଇ ପୁଷ୍ପା ଫଟୋର ବ୍ୟାନର ଲାଗିଛି।
ଏହି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ଉତ୍ତର ଘୁମୁସର ବନଖଣ୍ଡ। ଜଙ୍ଗଲ ସୁରକ୍ଷା ପାଇଁ ଏହି ବନଖଣ୍ଡ ତରଫରୁ ବିଭିନ୍ନ ସ୍ଥାନରେ ପୁଷ୍ପାର ଫଟୋ ସହିତ ବିଭିନ୍ନ ସ୍ଲୋଗାନ ଲେଖି ପ୍ରଦର୍ଶିତ କରାଯାଇଛି। ହିନ୍ଦିରେ ଲେଖାଯାଇଥିବା ଏହି ସ୍ଲୋଗାନ ହେଉଛି- ‘ପୁଷ୍ପା ହୋ ୟା ପୁଷ୍ପରାଜ୍ , ଜଙ୍ଗଲ କି ଆଗେ ବୁଝାନେ କେଲିୟେ, ସବକୋ ଝୁକାନା ଚାହିଏ।’
ସେହିପରି ଆଉ ଏକ ସଚେତନତା ପୋଷ୍ଟରରେ ପୁଷ୍ପାର ଫଟୋ ସହିତ ଭିନ୍ନ ଏକ ସ୍ଲୋଗାନ ଲେଖାଯାଇଛି। ସେଥିରେ ରହିଛି – ‘ଜଙ୍ଗଲ ମେଁ Fire ନେହିଁ, Flower ହୋନା ଚାହିଏ’। ଏହିପରି ପୋଷ୍ଟରକୁ ନେଇ ସେହି ଅଞ୍ଚଳରେ ବେଶ ଚର୍ଚ୍ଚା ଚାଲିଛି। କାରଣ ବର୍ତ୍ତମାନ ‘ପୁଷ୍ପା’ ଚଳଚିତ୍ରଟି ଯେପରି ପ୍ରଭାବ ବିସ୍ତାର କରିଛି, ସେଥିରେ ଏପରି ସଚେତନତା ବେଶ ପ୍ରଭାବ ପକାଇବ ବୋଲି ଜଙ୍ଗଲ ବିଭାଗ ଆଶା କରିଛି।