Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଖବରର ପଡିଲା ସକାରାତ୍ମକ ପ୍ରଭାବ: ବାଣପୁରର ମୁଖ୍ୟ ରାସ୍ତାରୁ ଜଳ ନିଷ୍କାସନ ପାଇଁ ଅଣ୍ଟା ଭିଡିଲା ପୂର୍ତ୍ତବିଭାଗ

ସୀତାରାମ ଅଗ୍ରୱାଲ

ବାଣପୁର: ଖବରର ସକାରାତ୍ମକ ପ୍ରଭାବ ପଡିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ବିଧାରପୁର ଛକରୁ ବର୍ଷା ଜଳ ନିଷ୍କାସନ ପାଇଁ ପରିଶେଷରେ ପୂର୍ତ୍ତବିଭାଗ ଅଣ୍ଟା ଭିଡିଛି।

ବିଧାରପୁର ଛକରେ ଜଳବନ୍ଦୀ ସମସ୍ୟାକୁ ନେଇ ବାରମ୍ବାର ‘ସମୀକ୍ଷା’ ରେ ଖବର ପ୍ରସାରଣ କରାଯାଇଥିଲା। ଯାହାଦ୍ୱାରା ପ୍ରଶାସନକୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା।

ତେବେ ଗତକାଲି ମଧ୍ୟାହ୍ନରେ ପୂର୍ତ୍ତବିଭାଗ ଖୋର୍ଦ୍ଧା ଜିଲ୍ଲା ନିର୍ବାହୀ ଯନ୍ତ୍ରୀ ଦୀପକ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ଵେତା ଦାସ ଏବଂ ସହକାରୀ ଯନ୍ତ୍ରୀ ପ୍ରଭାକର ଚୌଧୁରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସ୍ଥାନୀୟ ବାସିନ୍ଦା ତଥା ବୁଦ୍ଧିଜୀବୀମାନଙ୍କ ସହ ବହୁସମୟ ଧରି ଆଲୋଚନା କରିଥିଲେ। ପରିଶେଷରେ ଉକ୍ତ ସମସ୍ୟାର ଅସ୍ଥାୟୀ ସମାଧାନର ବାଟ କାଢ଼ିଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ଵେତା ଦାସ।

ଏହି ପରିପ୍ରେକ୍ଷୀରେ ପୂର୍ତ୍ତବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟାରେ ବିଧାରପୁର ଛକ ଠାରୁ ସାରଳା ବିହାର କେନାଲ ପର୍ଯ୍ୟନ୍ତ ଏକ ଅସ୍ଥାୟୀ ଡ୍ରେନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହାଦ୍ୱାରା ସହରବାସୀ ସାମୟିକ ଭାବେ ଜଳବନ୍ଦୀରୁ ମୁକ୍ତି ପାଇବେ। ତେବେ ଏହାର ସ୍ଥାୟୀ ସମାଧାନ ଦିଗରେ ପୂର୍ତ୍ତବିଭାଗର କଣ ପଦକ୍ଷେପ ରହିବ ବୋଲି ଆମ ଚିଲିକା ପ୍ରତିନିଧି ନିର୍ବାହୀ ଯନ୍ତ୍ରୀ ଦୀପକ ପାଣିଗ୍ରାହୀଙ୍କୁ ପଚାରିବାରୁ ଯେତେ ଶୀଘ୍ର ସ୍ଥାନୀୟ ପ୍ରଶାସନ ଦ୍ୱାରା ବେଆଇନ ଭାବେ ଅଧିକୃତ ହୋଇଥିବା ସରକାରୀ ଜାଗାଗୁଡିକୁ ଖାଲି କରାଯିବ ସେତେଶୀଘ୍ର ବାଣପୁର ଏନଏସିରେ ପୂର୍ତ୍ତବିଭାଗ ଡ୍ରେନେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।

ତେବେ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ବାଣପୁର ତହସିଲଦାରଙ୍କୁ ସହରବାସି ଅନୁରୋଧ କରିଛନ୍ତି। ଅନୁରୂପଭାବେ ଜଳବନ୍ଦୀ ସମସ୍ୟାର ଅସ୍ଥାୟୀ ସମାଧାନ ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ପୂର୍ତ୍ତବିଭାଗକୁ ସ୍ଥାନୀୟ ଲୋକେ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅସରାଏ ବର୍ଷାରେ ସହରରେ ବନ୍ୟା: ବ୍ରହ୍ମପୁର ମହାନଗର ନିଗମ ଏବଂ ପୂର୍ତ୍ତବିଭାଗ ଆଖି ଥାଇ ଅନ୍ଧ…!

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବ୍ରହ୍ମପୁର ସହରର ମୁଖ୍ୟ ସମସ୍ୟାଗୁଡ଼ିକ ହେଲା ରାସ୍ତାଘାଟ, ଡ଼୍ରେନେଜ ଏବଂ ପାଣି ସମସ୍ୟା। ଯାହାକି ଏହି ତିନୋଟି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ମଂଜୁର କରନ୍ତି। ଯାହାକି କିଛି ଅସାଧୁ ଅଫିସର ଏବଂ କଣ୍ଟ୍ରାକ୍ଟରମାନଙ୍କର ମଧୁଚନ୍ଦ୍ରିକାରେ ଅତି ନିମ୍ନମାନର କାର୍ଯ୍ୟ ଦେଖିବାକୁ ମିଳୁଛି।

ଦୀର୍ଘ ୨୦ ବର୍ଷରୁ ଅଧିକ ହେଲା ନା’ ପାଣି ସମସ୍ୟାର ସମାଧାନ ହେଲା ନା’ ଡ଼୍ରେନେଜ। ସାମାନ୍ୟ ବର୍ଷା ହେଲେ ବ୍ରହ୍ମପୁର ସହରର ପ୍ରତ୍ୟେକ ୱାର୍ଡ଼ରେ ପାଣି ଉବୁଟୁବୁ। ଅନେକ ଜାଗାରେ ଦେଖିବାକୁ ମିଳୁଛି ରାସ୍ତାର ପାଣି ଘର ଭିତରେ ମଧ୍ୟ ପ୍ରବେଶ କଲାଣି। ସହରବାସୀ ଅଭିଯୋଗ କରିବେ କାହାକୁ? କାରଣ ବର୍ତ୍ତମାନ କୌଣସି ଲୋକପ୍ରତିନିଧି ନାହାନ୍ତି। ପୌର ନିର୍ବାଚନ କେବେ ହେବ ତାହାର ମଧ୍ୟ ସଠିକ୍ ଉତ୍ତର କାହା ପାଖରେ ନାହିଁ। ଅଫିସରଙ୍କ ପାଖରେ ଲୋକଙ୍କର ଅସୁବିଧା ଶୁଣିବାକୁ ସମୟ ହିଁ ନାହିଁ।

ବର୍ତ୍ତମାନ ଏକ ମେଗା ଟେଣ୍ଡର ଜରିଆରେ ପୂର୍ତ୍ତବିଭାଗକୁ ଡ଼୍ରେନେଜ ସିଷ୍ଟମ୍ ହସ୍ତାନ୍ତରିତ କରିବା ଦେଖିବାକୁ ମିଳିଛି। କିନ୍ତୁ ଦୁଃଖର ବିଷୟ ଏହି ଡ଼୍ରେନେଜ ପାଇଁ କେତେ ଟଙ୍କା ବ୍ୟୟ ଅଟକଳ ହୋଇଛି, ତାହାର ସୂଚନା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସଠିକ୍ ଉତ୍ତର ମିଳୁନାହିଁ। ମୁଖ୍ୟତଃ ସହରର ରେଡ଼ିଓ ଷ୍ଟେସନଠାରୁ ଲୋଚାପଡ଼ା ରାସ୍ତା ଦେଇ ଯାଇଥିବା ଡ଼୍ରେନେଜ ସିଷ୍ଟମ ଧର୍ମକୁ ଆଖିଠାର ନୀତିରେ ଚାଲିବାକୁ ଥିବା ଦେଖିବାକୁ ମିଳିଛି। ସଂକୀର୍ଣ୍ଣ ରାସ୍ତାରେ ଡ଼୍ରେନେଜ ନାମରେ ରାସ୍ତା ଖୋଳା ହୋଇ ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି। ଆଜିର ଏହି ବର୍ଷାରେ ଖାସ୍ କରି ଏହି ଅଂଚଳରେ ଡ଼୍ରେନର ପାଣି ରାସ୍ତାରେ ଭାସୁଥିବା ଦେଖିବାକୁ ମିଳିଛି। ଯାହାଫଳରେ କିଛି ଦୋକାନ ଘରେ ମଧ୍ୟ ମଧ୍ୟ ଏହି ଡ଼୍ରେନେଜ ପାଣି ପଶିଥିବାର ଦୃଶ୍ୟ ଦୃଷ୍ଟିମାନ ହୋଇଛି। ସହରର ଗାନ୍ଧିନଗର, ଗଜପତି ନଗର, ତୁଳସୀ ନଗର, ବ୍ୟାଙ୍କ କଲୋନୀ, ଶକ୍ତିନଗର, ଶ୍ରୀରମନଗର, ଅଶୋକ ନଗର, ବିଜିପୁର ଆଦି ଅଂଚଳରେ ଆଜିର ଏହି ଲଗାଣ ବର୍ଷାରେ ଆଣ୍ଠୁଏ ଲେଖାଏଁ ପାଣି ଦେଖିବାକୁ ମିଳିଛି। ବ୍ରହ୍ମପୁରର ଯେଉଁ ଡ଼୍ରେନଜ ହୋଇଥିଲା ସେ ଡ଼୍ରେନେଜ୍ ସିଷ୍ଟମ କିଭଳି ହୋଇଥିଲା, ଏବଂ କେଉଁଠି ହୋଇଥିଲା ତାହା ମଧ୍ୟ ଦେଖାଯାଉନାହିଁ।

ପ୍ରତ୍ୟେକ ଦିନ ନାଳ ଏବଂ ରାସ୍ତା ମରାମତି ଚାଲିଛି ବୋଲି ଖୋଦ୍ ବିଏମ୍‌ସି କମିଶନର ଏବଂ ପୂର୍ତ୍ତବିଭାଗର ମୁଖ୍ୟଯନ୍ତ୍ରୀ ସୂଚନା ଦେଉଛନ୍ତି। କାମ ବି ଚାଲୁଛି, କିନ୍ତୁ ସାମାନ୍ୟ ବର୍ଷା ହେଲେ, ରାସ୍ତାରୁ ପିଚୁ ଉଠିଯାଉଛି ଏବଂ ନାଳରେ ପାଣି ରାସ୍ତାରେ ଭାସୁଛି। ଏହା ହିଁ ବ୍ରହ୍ମପୁରର ନଗ୍ନ ଚିତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ।