Categories
ଆଜିର ଖବର ରାଜ୍ୟ ଖବର

ଖୁବ୍‌ଶୀଘ୍ର ଦଶପଲ୍ଲାରୁ ବାଣୀଗୋଛାକୁ ଗଡିବ ଟ୍ରେନ୍

ଭୁବନେଶ୍ଵର: ଖୁବ୍‌ଶୀଘ୍ର ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପର ଦଶପଲ୍ଲା ରୁ ବାଣୀଗୋଛା କୁ ଗଡିବ ଟ୍ରେନ୍। ନିକଟରେ ସରିଛି ୩ ନମ୍ୱର ଟନେଲର ସଫଳତାର ସହ ବ୍ରେକ୍ ଥ୍ରୁ ସରିଛି। ପୂର୍ବରୁ ଦଶପଲ୍ଲା ଷ୍ଟେସନ ନିକଟରେ ଥିବା ସୁଡ଼ଙ୍ଗ ପ୍ରଥମ ଟନେଲ ର ଖନନ ସରିଥିବା ବେଳେ, ନିକଟରେ ସୁଡ଼ଙ୍ଗ-ଟି୩ ଖନନ ସରିଛି। ଏହାସହ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ନୟାଗଡ଼ ଜିଲ୍ଲାର ବୁଗୁଡ଼ା ଓ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସବୁ ଠାରୁ ବଡ଼ ସୁଡ଼ଙ୍ଗ-ଟି ୩ ଖନନ କାର୍ଯ୍ୟ ଶେଷ ହୋଇଛି।

୨,୬୨୦ ମିଟର ଦୈର୍ଘ୍ୟ ଓ ୨-ଡିଗ୍ରି କର୍ଭ (ବକ୍ର) ବିଶିଷ୍ଟ ଏହି ସୁଡ଼ଙ୍ଗ ଖନନ କାର୍ଯ୍ୟ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ବାରା କାର୍ଯ୍ୟ କରାଯାଇଛି। ଗତ ମାସ ଜାନୁଆରି ୧୩ରେ ଏହି ସଫଳତମ ବ୍ରେକ ଥ୍ରୁ ହୋଇଛି। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପରେ ସୁଡ଼ଙ୍ଗ- ଟି୩ ହେଉଛି ନୟାଗଡ଼ ଜିଲ୍ଲାର ସବୁଠାରୁ ଲମ୍ବା ଏବଂ ପ୍ରକଳ୍ପର ଦ୍ବିତୀୟ ଲମ୍ବା ସୁଡ଼ଙ୍ଗ।

ଖନନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଓ ମେସିନ୍ ନିୟୋଜିତ ହୋଇଥିଲା। ଏହି ସଫଳତା ଓଡ଼ିଶାର ଉପକୂଳ ଅଞ୍ଚଳ ସହିତ ପଶ୍ଚିମାଞ୍ଚଳକୁ ସଂଯୋଗ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ପରିବହନ ଓ ଆର୍ଥିକ ସମ୍ଭାବନାକୁ ବୃଦ୍ଧି କରିବ। ୩୦୧ କିଲୋମିଟର ବିଶିଷ୍ଟ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପରେ ସୁଡ଼ଙ୍ଗ ନିର୍ମାଣରେ ଅନେକ ଇଞ୍ଜିନିୟରିଂ ଓ ଲଜିଷ୍ଟିକ୍ ଆହ୍ବାନର ସାମ୍ନା କରିବାକୁ ପଡ଼ିଛି। ଏହି ପ୍ରକଳ୍ପରେ ୭୫ କିମି ମଧ୍ୟରେ ୭ଟି ସୁଡ଼ଙ୍ଗ ରହିଛି। ଯାହାକି ଦଶପଲ୍ଲା ଓ ପୁରୁଣାକଟକ ମଧ୍ୟରେ ନିର୍ମାଣାଧୀନ ଥିବା ସାତଟି ସୁଡ଼ଙ୍ଗର ମୋଟ୍ ଲମ୍ବ ୧୨.୭୬ କିଲୋମିଟର। ଏପର୍ଯ୍ୟନ୍ତ ୭ଟି ସୁଡ଼ଙ୍ଗ ମଧ୍ୟରୁ ୪ଟିର ବ୍ରେକ୍ ଥ୍ରୁ ସରିଛି। ସେଥି ମଧ୍ୟରୁ ନୟାଗଡ଼ ଜିଲ୍ଲାରେ ରହିଛି ୨ଟି ସୁଡ଼ଙ୍ଗ , ଅନ୍ୟାନ୍ୟ ସୁଡ଼ଙ୍ଗ ଖନନ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ବିଭିନ୍ନ ମାଟି ଘନତା ଓ ପଥର ଗଠନ ସମେତ ଜଟିଳ ଭୌଗୋଳିକ ପରିସ୍ଥିତି ପରିଚାଳନା ପାଇଁ ନୂତନତମ କୌଶଳ ବ୍ୟବହାର କରି ସୁଡ଼ଙ୍ଗଗୁଡ଼ିକ ନିର୍ମାଣ ହେଉଛି। ଏହାକୁ ନେଇ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ କହିଛନ୍ତି \’ଏହା ନୟାଗଡ଼ ଜିଲ୍ଲା ପାଇଁ ଏକ ବଡ଼ ଡେଭଲପମେଣ୍ଟ ହୋଇଛି। ଜମି ଅଧିଗ୍ରହଣ ବହୁତ କ୍ଷୀପ୍ର ଗତିରେ ହେଉଛି। ତେଣୁ ମୁଁ ଆଶା କରୁଛି ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ କାମ ଶେଷ ହୋଇଯିବ।

ସୂଚନା ଯୋଗ୍ୟ ଯେ,ବଲାଙ୍ଗୀର ରେଳ ପ୍ରକଳ୍ପ କାମ ଆଉ ଦୁଇପାଦ ଆଗେଇଛି। ଦୀର୍ଘ ବର୍ଷର ସ୍ବପ୍ନ ଶୀଘ୍ର ପୂରଣ ହେବାକୁ ଯାଉଛି। ବର୍ତ୍ତମାନ ଖୋର୍ଦ୍ଧା ଠାରୁ ଦଶପଲ୍ଲା ୧୦୫ କିମି ଟ୍ରେନ ଲାଇନ କାମ ସରି ଯାଇଥିବା ବେଳେ, ନିୟମିତ ଭୁବନେଶ୍ୱର, ପୁରୀରୁ ଟ୍ରେନ ଚଳାଚଳ କରୁଛି। ଅନ୍ୟପଟେ ବଲାଙ୍ଗୀର ଠାରୁ ଆଡେନିଗଡ଼ ୧୪୦ କିମି ରେଳ ଲାଇନ୍ କାମ ସାରିଥିବା ବେଳେ, ଟ୍ରେନ ଇଞ୍ଜିନ ଟ୍ରାଏଲ ରେ ଆସି ସାରିଛି ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ ସମୁଦାୟ ୩୦୬ କିମି ରୁ ୨୪୫ କିମି ଟ୍ରେନ ପ୍ରକଳ୍ପ ସରି ସରିଛି ଡ଼ି-୩। ବୁଗୁଡ଼ାରୁ ବାଣୀଗୋଚ୍ଛା ମଧ୍ୟରେ ଥିବା ନୟାଗଡ଼ ଜିଲ୍ଲାର ସବୁ ଠାରୁ ବଡ଼ ଟନେଲ ଡ଼ି-୩ କାମ ଇତି ମଧ୍ୟରେ ସରି ଯାଇଛି। ଏହା ନୟାଗଡ଼ ଜିଲ୍ଲାର ସବୁଠାରୁ ବଡ଼ ଲମ୍ବା ଟର୍ନେଲ।

ପୂର୍ବତଟ ରେଳ ବିଭାଗ ତରଫରୁ ନିର୍ମାଣ ହେଇଥିବା ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ ପୂର୍ବ ଓଡ଼ିଶା ସହ ପଶ୍ଚିମ ଓଡ଼ିଶା ମଧ୍ୟରେ ଏକ ସେତୁ ଭଳି କାମ କରିବ। ଗମନାଗମନ କ୍ଷେତ୍ରରେ ବିକାଶ ହେବା ସହ ବାଣିଜ୍ୟ, ଶିକ୍ଷା, ସ୍ଵାସ୍ଥ୍ୟ ଭଳି ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ ବହୁ ବିକାଶ ହେବ। ଏଥିପାଇଁ ଭାରତ ସରକାରଙ୍କ ତରଫରୁ ସ୍ବତନ୍ତ୍ର ବଜେଟ ମଧ୍ୟ ପାସ ହୋଇଛି। ବ୍ରିଜ ନିର୍ମାଣ, ମାଟି କାମ ଚାଲୁ ରହିଛି। ଉନ୍ନତ ଜ୍ଞାନ କୌଶଳ ସହ ଓଡ଼ିଶା ଓ ଓଡ଼ିଶା ବାହାର କୁଶଳୀ ଶ୍ରମିକ ମାନେ ଟ୍ରେନ ପ୍ରକଳ୍ପରେ ନିୟୋଜିତ ଅଛନ୍ତି।

ବୌଦ୍ଧ ଜିଲ୍ଲାର ଆଡ଼େନିଗଡ଼ ଠାରୁ ଦଶପଲ୍ଲା ମଧ୍ୟରେ, ଚାରିଛକ , ମାଧପୁର, ବଦଲା, ବାଣୀଗୋଛା, ବୁଗୁଡ଼ା, ଟାକରା ପ୍ରଭୁତି ସ୍ଥାନ ଗୁଡିକରେ ଟର୍ନେଲ କାମ ଅଧାରୁ ଅଧିକ ସରି ଆସିଥିବା ବେଳେ, ମାଟି କାମ ଚାଲୁରହିଛି। ତେବେ ଆଶା କରାଯାଉଛି, ୨୦୨୯ ମସିହା ପୂର୍ବରୁ ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ ସରିବ ଓ ପୂର୍ବ ଓଡ଼ିଶା , ପଶ୍ଚିମ ଓଡ଼ିଶା ମଧ୍ୟରେ ଯୋଗାଯୋଗ ସୁଦୃଢ଼ ହୋଇ ପାରିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଦୁଇଟି ନୂଆ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ, ଖର୍ଚ୍ଚ ହେବ ୪ ହଜାର କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ମୋଟ ୬,୪୫୬ କୋଟି ଟଙ୍କା (ପ୍ରାୟ) ବ୍ୟୟ ଅଟକଳ ସହିତ  ରେଳ ମନ୍ତ୍ରଣାଳୟର ଦୁଇଟି ନୂଆ ରେଳ ଲାଇନ୍‌ ଓ ଗୋଟିଏ ମଲ୍ଟି ଟ୍ରାକିଂ ବା ଟ୍ରାକ୍‌ ସଂଖ୍ୟା ବୃଦ୍ଧି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।

କ୍ୟାବିନେଟ୍‌ ମଞ୍ଜୁରୀ ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଓଡ଼ିଶାର ଦୁଇଟି ପ୍ରକଳ୍ପ ସାମିଲ ରହିଛି। ଏଥିରେ ଥିବା ୩୭ କିଲୋମିଟର ଲମ୍ବ ସରଡେଗା-ଭାଲୁମୁଡ଼ା ଡବଲ୍‌ ରେଳ ଲାଇନ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସହ ଯୋଡ଼ିବ।

ସେହିପରି ବରଗଡ଼ ଜିଲ୍ଲାକୁ ନୂଆପଡ଼ା ସହ ଯୋଡ଼ୁଥିବା ୧୩୮ କିଲୋମିଟର ଲମ୍ବ ବରଗଡ଼ ରୋଡ୍‌ – ନୂଆପଡ଼ା ରୋଡ୍‌ ନୂଆ ଲାଇନକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି । ଦୁଇଟି ପ୍ରକଳ୍ପ ପାଇଁ ଯଥାକ୍ରମେ ୧,୩୬୦ କୋଟି ଏବଂ ୨,୯୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାବ୍ୟତୀତ ୨୧୭୦ କୋଟି ଟଙ୍କା ବ୍ୟୟରେ ୧୨୧ କି.ମି. ବିଶିଷ୍ଟ ଜାମସେଦପୁର-ପୁରୁଲିଆ-ଆସାନସୋଲ୍‌ ରେଳ ଲାଇନକୁ ମଞ୍ଜୁର କରାଯାଇଛି ।

ଅନୁମୋଦିତ ପ୍ରକଳ୍ପଗୁଡ଼ିକ ରେଳ ସଂଯୋଗ ବିହୀନ ଅଞ୍ଚଳକୁ ରେଳ ସେବା ପ୍ରଦାନ କରି ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବ, ବର୍ତ୍ତମାନର ରେଳ ଲାଇନ୍ କ୍ଷମତା ବୃଦ୍ଧି କରିବ ଏବଂ ପରିବହନ ନେଟୱର୍କ ବିସ୍ତାର କରିବ, ଯାହାଫଳରେ ଯୋଗାଣ ଶୃଙ୍ଖଳା ସୁବ୍ୟବସ୍ଥିତ ହେବ ଓ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ।

ନୂତନ ଲାଇନ୍ ପ୍ରସ୍ତାବଗୁଡ଼ିକ ସିଧାସଳଖ ଯୋଗାଯୋଗ ପ୍ରଦାନ କରିବ ଏବଂ ଗତିଶୀଳତାକୁ ଉନ୍ନତ କରିବ । ଏଥିସହିତ ଭାରତୀୟ ରେଳବାଇ ପାଇଁ ଦକ୍ଷତା ଏବଂ ସେବା କ୍ଷେତ୍ରରେ ବିଶ୍ୱସନୀୟତା ଆଣିବ । ରେଳ ଲାଇନ ମଲ୍ଟି ଟ୍ରାକିଂ ବା ଏକାଧିକ ଟ୍ରାକ୍‌ ନିର୍ମାଣ ପ୍ରସ୍ତାବ ଦ୍ୱାରା ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ବିକାଶ ସହିତ ଟ୍ରେନ ଚଳାଚଳକୁ ସହଜ କରାଯିବା ଦ୍ୱାରା ଭିଡ଼ ହ୍ରାସ ପାଇବ।

ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଏକ ନୂତନ ଭାରତର ସଂକଳ୍ପ ଅନୁରୂପ ଯାହା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ବିକାଶ ମାଧ୍ୟମରେ ଏସବୁ ଅଞ୍ଚଳର ଲୋକମାନଙ୍କୁ ‘‘ଆତ୍ମନିର୍ଭରଶୀଳ’’ କରିବ, ଫଳରେ ସେମାନଙ୍କ ନିଯୁକ୍ତି / ସ୍ୱରୋଜଗାର ସୁଯୋଗ ବୃଦ୍ଧି ହେବ । ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ସମୟରେ ପ୍ରାୟ ୧ କୋଟି ୧୪ ଲକ୍ଷ ମାନବ ଦିବସ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ ।

ଏହି ପ୍ରକଳ୍ପଗୁଡ଼ିକ ବହୁମୁଖି ଯୋଗାଯୋଗ ପାଇଁ ପିଏମ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ପରିଣାମ ଅଟେ ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି । ଏଗୁଡ଼ିକ ସାଧାରଣ ଯାତ୍ରୀ, ଦ୍ରବ୍ୟ ଏବଂ ସେବାଗୁଡିକର ପରିବହନ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରଦାନ କରିବେ ।

୪ଟି ରାଜ୍ୟ ଯଥା ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ  ଓ ଛତିଶଗଡ଼ର ୭ଟି ଜିଲ୍ଲାକୁ ସାମିଲ କରି ୩ଟି ରେଳ ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱର୍କକୁ ପ୍ରାୟ ୩୦୦ କିଲୋମିଟର ଅଧିକ ବୃଦ୍ଧି କରିବ।

ଏହି ପ୍ରକଳ୍ପଗୁଡ଼ିକ ସହିତ ୧୪ଟି ନୂତନ ଷ୍ଟେସନ ନିର୍ମାଣ କରାଯିବ, ଯାହା ୨ଟି ଆକାଂକ୍ଷୀ ଜିଲ୍ଲା (ନୂଆପଡ଼ା ଓ ପୂର୍ବ ସିଂହଭୂମ୍)କୁ  ଯୋଗାଯୋଗରେ ସୁଧାର ଆଣିବ। ନୂଆ ଲାଇନ୍ ପ୍ରକଳ୍ପ ଦ୍ୱାରା ପ୍ରାୟ ୧୩୦୦ ଗାଁ ଓ ପ୍ରାୟ ୧୧ ଲକ୍ଷ ଜନସଂଖ୍ୟାକୁ ରେଳ ସଂଯୋଗ ଯୋଗାଇ ଦିଆଯିବ। ସେହିପରି ଟ୍ରାକ୍‌ ସଂଖ୍ୟା ବୃଦ୍ଧି ପ୍ରକଳ୍ପ ଦ୍ୱାରା ପ୍ରାୟ ୧୩୦୦ ଗାଁ ଓ ପ୍ରାୟ ୧୯ ଲକ୍ଷ ଜନସଂଖ୍ୟାକୁ ଉନ୍ନତ ରେଳ ଯୋଗାଯୋଗ ସେବା ମିଳିପାରିବ ।

କୃଷିଜାତ ଦ୍ରବ୍ୟ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ଚୂନପଥର ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ବାର୍ଷିକ ୪୫  ନିୟୁତ ଟନ୍ (ଏମଟିପିଏ) ପରିମାଣର ଅତିରିକ୍ତ ମାଲ ପରିବହନ ସହଜ ହେବ। ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଦକ୍ଷ ପରିବହନ ମାଧ୍ୟମ ହୋଇଥିବାରୁ ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚ କୁ ହ୍ରାସ କରିବା, ତୈଳ ଆମଦାନୀ (୧୦ କୋଟି ଲିଟର) କମାଇବା ଏବଂ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ (୨୪୦ କୋଟି କିଲୋଗ୍ରାମ) ହ୍ରାସ କରିବାରେ ସାହାଯ୍ୟ କରିବ ଯାହା କି ୯.୭ କୋଟି ବୃକ୍ଷରୋପଣ ସହିତ ସମାନ ।

Categories
ଆଜିର ଖବର ଜାତୀୟ ଖବର

ଟ୍ରେନରେ ୫ ବର୍ଷରୁ କମ୍ ପିଲାଙ୍କ ମାଗଣା ଯାତ୍ରାରେ କୌଣସି ପରିବର୍ତ୍ତନ ହୋଇ ନାହିଁ, ରେଳ ବିଭାଗ

ନୂଆଦିଲ୍ଲୀ: ନିକଟରେ କିଛି ଗଣ ମାଧ୍ୟମ ରିପୋର୍ଟରେ ଦର୍ଶା ଯାଇଥିଲା ଯେ ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରି ଦେଇଛି। ଏହି ରିପୋର୍ଟ ଗୁଡିକରେ ଦାବି କରା ଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲା ମାନଙ୍କ ନିମନ୍ତେ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଟିକେଟ୍ କରିବାକୁ ପଡିବ।

ଏହି ଖବର ଗୁଡିକ ଏବଂ ଗଣ ମାଧ୍ୟମର ରିପୋର୍ଟ ଗୁଡିକ ବିଭ୍ରାନ୍ତିକର ଅଟେ। ଏହା ସୂଚିତ କରା ଯାଇଛି ଯେ, ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣି ନାହିଁ। ଯାତ୍ରୀ ମାନଙ୍କର ଚାହିଦା ଅନୁଯାୟୀ, ଟିକେଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲା ମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆ ଯାଇଛି। ଏବଂ ଯଦି ସେମାନେ ଏକ ପୃଥକ୍ ବର୍ଥ ଚାହୁଁ ନାହାନ୍ତି, ତେବେ ଏହା ମାଗଣା ରହିଛି, ଯେଉଁ ଭଳି ପୂର୍ବରୁ ରହି ଆସିଛି।

ରେଳ ମନ୍ତ୍ରଣାଳୟର ତା ୦୬.୦୩.୨୦୨୦ରିଖର ଏକ ବିଜ୍ଞପ୍ତିରେ ଦର୍ଶା ଯାଇଥିଲା ଯେ, ପାଂଚ ବର୍ଷରୁ କମ୍ ବୟସର ପିଲା ମାନଙ୍କୁ ମାଗଣାରେ ଟ୍ରେନ୍ ଯାତ୍ରା କରିବାକୁ ଦିଆଯିବ। କିନ୍ତୁ, ଅଲଗା ବର୍ଥ କିମ୍ବା ଆସନ (ଚେୟାର କାର୍‌) ଦିଆଯିବ ନାହିଁ। ତେଣୁ ପୃଥକ୍ ବର୍ଥ ଦାବି ନ ହେଲେ କୌଣସି ଟିକେଟ୍ କ୍ରୟ କରିବା ଆବଶ୍ୟକ ନାହିଁ। ଯଦି କେହି ୫ ବର୍ଷରୁ କମ୍ ବୟସର ପିଲା ମାନଙ୍କ ନିମନ୍ତେ ସ୍ୱେଚ୍ଛାକୃତ ଭାବରେ ବର୍ଥ ବା ସିଟ୍ ନେବାକୁ ଚାହାନ୍ତି, ତେବେ ପୂର୍ଣ୍ଣ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଭଡା ଆଦାୟ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସଂକ୍ରମଣକୁ ରୋକିବା ଲାଗି ପୂର୍ବତଟ ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦ ରହିବ ୫ ଯୋଡ଼ା ମେମୁ/ପାସେଞ୍ଜର ଟ୍ରେନ ସେବା

ଭୁବନେଶ୍ୱର: କମ୍ ଯାତ୍ରୀ ଓ କରୋନା ସଂକ୍ରମଣ ରୋକିବାକୁ ପୂର୍ବତଟ ରେଳ ବିଭାଗ ବଡ଼ ପଦକ୍ଷେପ ନେଇଛି। ମେ’ ୩୧ ଯାଏଁ ବନ୍ଦ ରହିବ ୫ ଯୋଡ଼ା ମେମୁ/ପାସେଞ୍ଜର ଟ୍ରେନ ସେବା। ଭୁବନେଶ୍ୱର-କେନ୍ଦୁଝରଗଡ଼, ଭୁବନେଶ୍ୱର-ଭଦ୍ରକ ଟ୍ରେନ ଉଭୟ ପଟୁ ବାତିଲ ହୋଇଛି। ସେହିପରି କଟକ-ଭଦ୍ରକ, କଟକ-ପାରାଦୀପ ସ୍ପେଶାଲ ଟ୍ରେନ୍‌ ଉଭୟ ପଟୁ ବାତିଲ ହୋଇଛି। ୨୨, ୨୩, ୨୬, ୨୯ ଓ ୩୦ ତାରିଖରେ ୩ ଯୋଡ଼ା ମେମୁ ଟ୍ରେନ୍‌ ବାତିଲ ହୋଇଛି। ସେହିପରି ପୁରୀ-ଅନୁଗୋଳ, ପୁରୀ-କଟକ, ଭୁବନେଶ୍ୱର-ପଲାସା ଉଭୟ ପଟୁ ବାତିଲ୍‌ କରିଛି ପୂର୍ବତଟ ରେଳ ବିଭାଗ।

ପୂର୍ବରୁ ୪ ଯୋଡ଼ା ସ୍ପେଶାଲ ଟ୍ରେନ ସାମୟିକ ଭାବେ ବାତିଲ କରିଥିଲେ ପୂର୍ବତଟ ରେଲୱେ। ମେ’ ୮ରୁ ୨୨ ତାରିଖ ଯାଏଁ ଭୁବନେଶ୍ୱର-ଜଗଦଲପୁର ସ୍ପେଶାଲ ବାତିଲ କରାଯାଇଥିଲା। ସେହିପରି ଆସନ୍ତା ୯ରୁ ୨୩ ତାରିଖ ଯାଏଁ ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ବାତିଲ୍‌, ୮ରୁ ୨୨ ତାରିଖ ଯାଏଁ କିରନ୍ଦୁଲ-ବିଶାଖାପାଟଣା ସ୍ପେଶାଲ ବାତିଲ୍ କରାଯାଇଥିଲା। ସେହିପରି ଗତ ୭ଠୁ ୩୦ ଯାଏଁ ତିରୁପତି-ବିଶାଖାପାଟଣା ସ୍ପେଶାଲ ଟ୍ରେନ ବାତିଲ୍‌ କରାଯାଇଥିଲା। ଗତ ୮ରୁ ୩୧ ତାରିଖ ଯାଏଁ ବିଶାଖାପାଟଣା-ତିରୁପତି ସ୍ପେଶାଲ ଟ୍ରେନ୍‌, ୮ରୁ ୨୯ ଯାଏଁ ସିକନ୍ଦରାବାଦ-ବିଶାଖାପାଟଣା ସ୍ପେଶାଲ ଟ୍ରେନ୍‌ ଓ ୯ରୁ ୩୦ ତାରିଖ ଯାଏଁ ବିଶାଖାପାଟଣା-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍‌ ବାତିଲ୍ କରାଯାଇଛି