Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଭୁବନେଶ୍ଵର: ବରିଷ୍ଠ ବିଜେଡ଼ି ନେତା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି। ଆଜି ସନ୍ଧ୍ୟା ୭ଟା ୩୧ ମିନିଟରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ବିଭିନ୍ନ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ଦେହ ଗୁରୁତର ହୋଇପଡିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ଆଜି ସଂଧ୍ୟାରେ ପରଲୋକ ହୋଇଯାଇଛି।

ବର୍ତ୍ତମାନ ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ବିଧାୟକ ଭାବେ କାର୍ଯ୍ୟକରୁଥିଲେ। ସେ ଓଡିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜଣେ ସହଯୋଗୀ ଭାବେ ବେଶ ଜଣାଶୁଣା।

ସୂର୍ଯ୍ୟ ନାରାୟଣ ପାତ୍ର ଗଂଜାମ ଜିଲ୍ଲା ଦିଗପହଣ୍ଡି ଓ ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନରୁ ୭ ଥର ବିଧାୟକ ହୋଇଥିଲେ। ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ହୋଇଥିଲେ। ସେ ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ଯୋଗ ଦେଲେ ପଞ୍ଜାବର ପୂର୍ବତନ ବାଚସ୍ପତି ଚରଣଜିତ ସିଂ ଅଟୱାଲ

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭାର ପୂର୍ବତନ ବାଚସ୍ପତି ଚରଣଜିତ ସିଂ ଅଟୱାଲ ଶିରୋମଣୀ ଅକାଳୀ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀଯୁକ୍ତ ଅଟୱାଲଙ୍କୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ବିଜେପିରେ ସାମିଲ କରିଛନ୍ତି। ଚରଣଜିତ ସିଂଙ୍କ ପୁଅ ଇନ୍ଦର ଇକବାଲ ସିଂ ଅଟୱାଲ ବିଜେପି ଟିକେଟରେ ଜଲନ୍ଧର ଲୋକସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। କିଛି ସମୟ ପୂର୍ବରୁ, ଚରଣଜିତ ସିଂ ଅଟୱାଲ ଶିରୋମଣୀ ଅକାଳୀ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଦୀର୍ଘ ଦିନ ଧରି ସେ ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଚାଲିଥିଲା। ସେ ୨୦୦୪-୨୦୦୯ ରୁ ଲୋକସଭାର ଉପ ବାଚସ୍ପତି ଭାବରେ କାର୍ଯ୍ୟ କରିଛନ୍ତି। ସେ ଦୁଇଥର ପଞ୍ଜାବ ବିଧାନସଭାର ବାଚସ୍ପତି ହୋଇଛନ୍ତି।

ବାରିଷ୍ଠ ନେତା ତଥା ପଞ୍ଜାବ ବିଧାନସଭାର ପୂର୍ବତନ ବାଚସ୍ପତି ଚରଣଜିତ ସିଂ ଅଟୱାଲ ତାଙ୍କ ପୁଅ ଇନ୍ଦର ଇକବାଲ ଅଟୱାଲ ବିଜେପିରେ ଯୋଗଦେବାର କିଛି ଦିନ ପରେ ଶିରୋମଣୀ ଅକାଳୀ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଭାରତୀୟ ଜନତା ପାର୍ଟି ପଞ୍ଜାବର ଜଲନ୍ଧର ଆସନ ପାଇଁ ଲୋକସଭା ଉପ-ନିର୍ବାଚନରେ ​​ପ୍ରାର୍ଥୀ ଭାବରେ ଇନ୍ଦର ଇକବାଲ ସିଂ ଅଟୱାଲଙ୍କୁ ମନୋନୀତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତୀକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରଜରାଜନଗର ଠାରେ ବିଧାନ ସଭାର ପୂର୍ବତନ ବାଚସ୍ପତି ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କିଶୋର ବାବୁଙ୍କ ସରଳତା ତାଙ୍କର ବଡ ପରିଚୟ ଥିଲା। ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭ କରି ସେ ସରକାରୀ ମୁଖ୍ୟ ସଚେତକ, ସାଂସଦ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ରାଜ୍ୟ ବିଧାନ ସଭାର ବାଚସ୍ପତି ମଧ୍ୟ ହୋଇଥିଲେ। ବିଜୁ ଜନତା ଦଳର ସେ ଜଣେ ଦକ୍ଷ ସଂଗଠକ ଓ ନେତା ଥିଲେ। ଦଳକୁ ମଜବୁତ କରିବାରେ ତାଙ୍କର ବହୁତ ଅବଦାନ ଥିଲା।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗ ଦେଇ କହିଲେ ଯେ ସ୍ବର୍ଗତ କିଶୋର ବାବୁଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିଲା। ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ସେ ଅନେକ ଉନ୍ନୟନ କାମ କରିଯାଇଛନ୍ତି।

ବିଧାୟକ ତଥା ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଶ୍ରୀମତୀ ଅଳକା ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରି କହିଲେ ଯେ ସ୍ବର୍ଗତ କିଶୋର ମହାନ୍ତି ବ୍ରଜରାଜନଗର ତଥା ସମଗ୍ର ପଶ୍ଚିମ ଓଡିଶାର ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ଅମର ହୋଇ ରହିବେ।

ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।