Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ଏହାର ପ୍ରଭାବରେ ଜାରି ରହିଛି ବର୍ଷା

ଭୁବନେଶ୍ୱର: ସମଗ୍ର ପୂର୍ବ ଉପକୂଳରେ ଟ୍ରଫ୍ ଲାଇନ୍‌ର ପ୍ରଭାବ ଯୋଗୁଁ ଓଡ଼ିଶାର ବିଭିନ୍ନ ଅଂଚଳରେ ବର୍ଷା ଜାରି ରହିଥିବା ବେଳେ ବଙ୍ଗୋପସାଗରରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିବାରେ ଲାଗିଛି। ଯାହାର ପ୍ରଭାବରେ ଆସନ୍ତା ସପ୍ତାହରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ତାମିଲନାଡୁ ଉପକୂଳରୁ ପଶ୍ଚିମବଂଗ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଥିବା ବେଳେ ଏହା ଧୀରେ ଧୀରେ ଆଭ୍ୟନ୍ତରୀଣ ଓଡ଼ିଶା ଆଡକୁ ଗତି କରୁଛି ଯେଉଁଥି ପାଇଁ ରବିବାର ଠାରୁ ବର୍ଷାର ପରିମାଣ କମିପାରେ। ମାତ୍ର ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି।

ଆଜି ଥାଇଲାଣ୍ଡ ଏବଂ ଏହାର ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ନଭେମ୍ବର ୧୫ ତାରିଖ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହା ମୁଖ୍ୟତଃ ପଶ୍ଚିମ-ଉତର-ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗ ଆଡକୁ ମୁହାଁଇବା ସହ ଗଭୀର ଅବପାତର ରୂପ ନେଇ ନଭେମ୍ବର ୧୮ ତାରିଖ ଅପରାହ୍ଣ କିମ୍ବା ରାତ୍ରି ମଧ୍ୟରେ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି।

ଏହାର ପ୍ରଭାବରେ ନଭେମ୍ବର ୧୭ ତାରିଖରୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥି ସହିତ ରାତ୍ରି ତାପମାତ୍ରା ବୃଦ୍ଧି ପାଇବା ସହ ଏହି ସ୍ଥିତି ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସିଇସି ପକ୍ଷରୁ କୁହାଯାଇଛି।