Categories
ଆଜିର ଖବର ରାଜ୍ୟ ଖବର

୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ ନିମନ୍ତେ ରାଜ୍ୟ କ୍ୟାବିନେଟ୍‌ରେ ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର ପି.ଏମ୍‌.ଜି. ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ଷୋଡ଼ଶ ଦିବସରେ ଉପନୀତ ହୋଇ ପ୍ରତୀକାତ୍ମକ ଭାବରେ ଚାଲୁ ରହିଛି। ସରକାର ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ବସାଇ ସପ୍ତମ ବେତନରୁ ବାଦ୍ ପଡ଼ିଥିବା ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛନ୍ତି କିନ୍ତୁ ନ୍ୟାୟୋଚିତ ଭାବେ ଯିଏ ଯେଉଁଦିନଠୁ ପାଇବା କଥା ତାହା ନକରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଏହାର ସଂଶୋଧନ ପାଇଁ ଓଷ୍ଟା ପକ୍ଷରୁ ଦାବୀ କରାଯାଇଛି।

ସୂଚନାଥାଉକି, ୧୬ ଦିନ ଧରି ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଦାବୀ ହାସଲ ପାଇଁ ଅହୋରାତ୍ର ଧାରଣାରେ ଶାନ୍ତିପୂର୍ଣ୍ଣ ଭାବରେ ବସି ରହିଛନ୍ତି। ଶିକ୍ଷକମାନେ ଶାନ୍ତି ପ୍ରିୟ। ଏମାନଙ୍କର ଦାବୀ ସହିତ ସାଢ଼େ ତିନିହଜାର ଶିକ୍ଷାନୁଷ୍ଠାନର ସୁରକ୍ଷା ଜଡ଼ିତ ଏବଂ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମଧ୍ୟ ଏମାନଙ୍କ ଉପରେ ନିର୍ଭରଶୀଳ। ଉକ୍ତ ଦାବିଗୁଡ଼ିକ ମଧ୍ୟରେ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଇଥିବା ଓ କାର୍ଯ୍ୟରତ ଶିକ୍ଷକ କର୍ମଚାରୀଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଏବଂ ଅବସରକାଳୀନ ସୁବିଧା ପ୍ରଦାନ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ, ଦୁଇଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟକୁ ଆଣ୍ଟିଡେସନ, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୪୮ ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କ କ୍ଷେତ୍ରରେ କୋର୍ଟର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଟି.ଜି. ମାନ୍ୟତା ପ୍ରଦାନ, ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା, ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ଇତ୍ୟାଦି ଦାବୀ ସାମିଲ ରହିଛି। ଆଜି ସରକାର ଏହି ଦାବିଗୁଡ଼ିକ ମଧ୍ୟରୁ ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେଦନ ପ୍ରଦାନ ନିମନ୍ତେ କ୍ୟାବିନେଟ୍ ମଞ୍ଜୁରୀ କରିଛନ୍ତି। କିନ୍ତୁ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୦୧.୦୧.୨୦୨୪ ରୁ ଏହା ଲାଗୁ ନକରି ଯିଏ ଯେଉଁଦିନଠାରୁ ଶତପ୍ରତିଶତ ଦରମା ପାଉଛନ୍ତି ସେହିଦିନଠାରୁ ସପ୍ତମ ବେତନ କମିଶନ ପ୍ରଦାନ କରାଯାଉ ବୋଲି ଓଷ୍ଟା ପକ୍ଷରୁ ଦାବୀ କରାଯାଇଛି। ସେହିପରି ଅନ୍ୟ ଦାବୀଗୁଡ଼ିକ ପ୍ରତି ସମ୍ବେଦନଶୀଳ ହୋଇ ସମାଧାନ ନିମନ୍ତେ ସଂଗଠନ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି।

ଜିଲ୍ଲାୱାରୀ ପାଳିରେ ଆଜି ଅନୁଗୋଳ, ନବରଙ୍ଗପୁର, ଭଦ୍ରକ, ବୌଦ୍ଧ, କେନ୍ଦୁଝର, ମାଲକାନଗିରି ଜିଲ୍ଲାଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଜିଲ୍ଲାମାନଙ୍କ ତରଫରୁ ଭଦ୍ରକ ଜିଲ୍ଲା ସଂପାଦକ ପ୍ରଦୀପ୍ତ କୁମାର ଦାସ, ଅନୁଗୁଳ ଜିଲ୍ଲା ସଂପାଦକ ତ୍ରିଲୋଚନ ଦାସଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ପ୍ରମୁଖ ଧାରଣାରେ ଉପସ୍ଥିତ ଥିଲେ। ସରକାର ତୁରନ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ଅନ୍ୟାନ୍ୟ ସମସ୍ୟାଗୁଡ଼ିକୁ ତୁରନ୍ତ ସମାଧାନ କରନ୍ତୁ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ଓଷ୍ଟାର ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଅନୁରୋଧ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ୨ ଲକ୍ଷ ରୁ ୫ ଲକ୍ଷ, ପେନସନ୍, ସୁରକ୍ଷା ଆଇନ୍ ଦାବୀ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ସ୍ଥାନୀୟ ପଞ୍ଚାୟତ ସମିତି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଆଜି ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ୟୁନିୟନର ଜିଲ୍ଲା ସଭାପତି ପ୍ରଭାତ ବେହେରାଙ୍କ ସଭାପତିତ୍ବ ଏବଂ ରମାକାନ୍ତ ମହାନନ୍ଦଙ୍କ ସଂଯୋଜନାରେ ରେ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ ଯୋଗ ଦେଇ ସାମ୍ବାଦିକ ମାନଙ୍କର ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରାଶିକୁ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା ସହ ପିତାମାତା ଙ୍କୁ ଏହି ବୀମା ରେ ସାମିଲ କରିବା। ସାମ୍ବାଦିକ ମାନଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ ରାଶି ପ୍ରଦାନ ଏବଂ ସାମ୍ବାଦିକ ମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରିବାକୁ ସରକାର ଧ୍ୟାନ ଦେବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ଦିନର କାର୍ଯ୍ୟକ୍ରମ, ସଭ୍ୟ ସଂଗ୍ରହ ,ସରକାର ସାମ୍ବାଦିକ ମାନଙ୍କର ଦାବୀ ନ ମାନିଲେ ଆନ୍ଦୋଳନ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ୟୁନିୟନ ପକ୍ଷରୁ ଏକ ତାଲିମ ଶିବିର ଅନୁଷ୍ଠିତ କରିବାକୁ ବୈଠକରେ ସ୍ଥିର ହୋଇଥିଲା। ଏଥିରେ ରାଜ୍ୟ କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ, ଜିଲ୍ଲା ସାଧାରଣ ସମ୍ପାଦକ କନ୍ଦର୍ପ ବେହେରା, ଜିଲ୍ଲା ଉପ ସଭାପତି ଜୟନ୍ତ ଖଡିରତ୍ନ, ଜିଲ୍ଲା ଉପ ସଭାପତି ହେମନ୍ତ ରାଉତ, ସଂଗଠନ ସମ୍ପାଦକ ରାଜେନ୍ଦ୍ର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମିଶ୍ର, ସଚ୍ଚିକାନ୍ତ ସାହୁ, ରେଢ଼ାଖୋଲ ୟୁନିଟ ସଭାପତି ଶରତ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି କାର୍ଯ୍ୟକାରିଣୀ ବୈଠକରେ ରେଢ଼ାଖୋଲରୁ ୫ ଜଣ ନୃତନ ସଭ୍ୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା। ରେଢ଼ାଖୋଲ ୟୁନିଟ ର ସମ୍ପାଦକ ଶଙ୍କର ପୃଷ୍ଟି, ଉପ ସଭାପତି, ରେଢ଼ାଖୋଲ ୟୁନିଟ ର ସମ୍ପାଦକ ଶଙ୍କର ପୃଷ୍ଟି, ଉପ ସଭାପତି ତପନ କୁମାର ବିଶ୍ବାଳ, ରୋହିତ ଭୋଇ,  ସରୋଜ କୁମାର ସାହୁ, ସୁଶାନ୍ତ ନାଗ, ଅନିଲ କୁମାର ପୃଷ୍ଟି, ଅରୁଣ କୁମାର ପ୍ରଧାନ, ମମତା ସାହୁ, ସରୋଜ ରାଉତ, ବିନୋଦ ସେଠୀ, ମଦନ ବେହେରା, ସୁଧୀର ସୁନା, ବିଦ୍ୟାଧର ମାଝୀ, ଲିଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ।

ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସଂବଳିତ ୩ ଦଫା ଦାବୀ କୁ ନେଇ ଜିଲ୍ଲାର ଏକ ସାମ୍ବାଦିକ ଟିମ୍ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଶେଷରେ ରଶ୍ମିତା ରାଉତ୍ ଧନ୍ୟବାଦ ଅର୍ପଣ କରିଥିଲେ।