Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୁଣା ପେନ୍‌ସନ୍ ପାଇଁ ନଭେମ୍ବରରେ ମହାଆନ୍ଦୋଳନ ଡାକରା

ଭୁବନେଶ୍ବର: ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍ ଲାଗୁ କରିବା ନିମନ୍ତେ ଅଦ୍ୟ ତା୧୫.୧୦.୨୦୨୩ରିଖ ରବିବାର ଦିବା ୨ ଘଟିକା ସମୟରେ “ଉତ୍କଳ ମଣ୍ଡପ”ଭୁବନେଶ୍ୱର ଠାରେ “ପୁରୁଣା ପେନ୍‌ସନ୍ ପାଇଁ ଜାତୀୟ ଆନ୍ଦୋଳନ” (ଏନ୍‌.ଏମ୍‌.ଓ.ପି.ଏସ୍‌.), ଓଡ଼ିଶା ରାଜ୍ୟଶାଖା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରୁଣା ପେନସନ୍ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ କର୍ମଚାରୀ ନେତା ଶ୍ରୀ ପ୍ରଭାତ ମହାନ୍ତି, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ସମ୍ମାନୀୟ ଅତିଥି ଭାବେ ବାସୁଦେବ ଭଟ୍ଟ ଓ ପ୍ରସନ୍ନ ବିଶୋଇ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ସରକାର ପୁରୁଣା ପେନ୍‌ସନ୍ ତୁରନ୍ତ ଲାଗୁ କରନ୍ତୁ ବୋଲି ମତ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏନ୍‌.ଏମ୍‌.ଓ.ପି.ଏସ୍‌. ଓଡ଼ିଶାର ସମସ୍ତ କର୍ମକର୍ତ୍ତା ତଥା ରାଜ୍ୟର ସମସ୍ତ ସଂଗଠନର ସଭାପତି, ସମ୍ପାଦକ ତଥା ଜିଲ୍ଲା, ବ୍ଲକ ନେତୃତ୍ୱ ଓ ବିଭାଗର ମୁଖ୍ୟମାନେ ଯୋଗଦେଇ ସରକାରଙ୍କର ନୂତନ ପେନ୍‌ସନ୍ ବ୍ୟବସ୍ଥାକୁ ତୀବ୍ର ବିରୋଧ କରିଥିଲେ ଏବଂ ଏଠାରେ ସୂଚନାଯୋଗ୍ୟ ଯେ କର୍ମଚାରୀମାନଙ୍କର ଅଂଶଧନକୁ ସରକାର ଅସ୍ଥିର ସେୟାର ମାର୍କେଟ୍‌ରେ ବିନିଯୋଗ କରି କର୍ମଚାରୀଙ୍କ ଶେଷ ଜୀବନକୁ ଦୁର୍ବିସହ ଅବସ୍ଥାକୁ ଠେଲି ଦେଇଛନ୍ତି । ରାଜ୍ୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କୁ ଅବିକଳ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରେଇବା ପାଇଁ ସରକାରଙ୍କ ନିକଟରେ ଦାବିପତ୍ର ଉପସ୍ଥାପନ କରିଥିଲେ ।

କେନ୍ଦ୍ର ସରକାର ୧.୧.୨୦୦୪ ମସିହାରେ ଓ ରାଜ୍ୟ ସରକାର ୧.୧.୨୦୦୫ ମସିହାରେ ପୁରୁଣା ପେନ୍‌ସନ୍ ଉଚ୍ଛେଦ କରି ନୂତନ ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିଥିଲେ । ଫଳରେ ହଜାର ହଜାର ସରକାରୀ କର୍ମଚାରୀ ୨୫ ରୁ ୩୦ ବର୍ଷ ଚାକିରୀ କରି ଅବସର ପରେ ମାତ୍ର ୧୦୦୦ ଟଙ୍କା ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ୍ ପାଇ ଅତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଯେତେବେଳେ କି ବିଧାୟକ ଓ ସାଂସଦଙ୍କର ପୁରୁଣା ପେନ୍‌ସନ୍ ପୂର୍ବପରି ପାଉଛନ୍ତି ।

ସୂଚନାଯୋଗ୍ୟ କି କେନ୍ଦ୍ର ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇ ନୂତନ ପେନ୍‌ସନ୍ ଉପରେ ଅନୁଧ୍ୟାନ କରାଯାଉଛି, ଏହାକୁ ସଂଗଠନ ତରଫରୁ ଦୃଢ ବିରୋଧ କରିବା ସହ ନୂତନ ପେନ୍‌ସନ୍ ପରିବର୍ତ୍ତେ ଅବିକଳ ପୁରୁଣା ପେନ୍‌ସନ୍ ଲାଗୁ କରାଇବା ପାଇଁ ଦାବି ଉପସ୍ଥାପନ କରିଥିଲେ । ଏଥିମଧ୍ୟରେ ବିଭିନ୍ନ ରାଜ୍ୟ ଯଥା ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ ଓ ହିମାଚଳ ପ୍ରଦେଶ ରାଜ୍ୟ କର୍ମଚାରୀମାନଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୁରୁଣା ପେନ୍‌ସନ୍ ଲାଗୁ କରିଛନ୍ତି ।

ଏଠାରେ ସୂଚନାଯୋଗ ଯେ, ତା୧.୧.୨୦୦୪ରିଖରେ କେନ୍ଦ୍ର ସରକାର ପୁରୁଣା ପେନ୍‌ସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ଜାତୀୟ ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରାଇବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ପଶ୍ଚିମବଙ୍ଗ ସରକାର ଏହାକୁ ଭୃକ୍ଷେପ ନକରି ପୂର୍ବଭଳି ଏପର୍ଯ୍ୟନ୍ତ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଚାଲୁ ରଖିଛନ୍ତି ।

ଗତ ଅକ୍ଟୋବର ୧ରେ ଦିଲ୍ଲୀର ରାମଲୀଳା ମଇଦାନଠାରେ ସବୁ ରାଜ୍ୟର ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀମାନେ ଏକତ୍ର ହୋଇ କେନ୍ଦ୍ର ସରକାରଙ୍କୁ ପୁରୁଣା ପେନସନ୍ ଲାଗୁ କରିବାକୁ ଅନୁରୋଧ କରିଥିଲେ । ଏନ୍‌.ଏମ୍‌.ଓ.ପି.ଏସ୍‌. ଓଡ଼ିଶା ରାଜ୍ୟ ଶାଖା ତରଫରୁ ମୁଖ୍ୟମନ୍ତ୍ରୀ ଓ ୫-ଟି’ ସଚିବଙ୍କୁ ଚାରିଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ସର୍ବମୋଟ୍ ୪୦ଲକ୍ଷ ଲୋକଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ଅବିକଳ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିବାକୁ ସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ ଓ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ପ୍ରମୁଖ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଆଉ ୪ ଲକ୍ଷ ୧୩ ହଜାର ଜଣଙ୍କୁ ଦିଆଯିବ ପେନସନ

ଭୁବନେଶ୍ବର: ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବାଣ ମାରିଛନ୍ତି। ତାହା ହେଲା ରାଜ୍ୟରେ ଆଉ ନୂଆ ୪ ଲକ୍ଷ ୧୩ ହଜାର ଜଣଙ୍କୁ ମଧୁବାବୁ ପେନସନ ଦେବା ପାଇଁ ଘୋଷଣା କରିଛନ୍ତି। ସାମାଜିକ ସୁରକ୍ଷା ପେନ୍‌ସନ୍ ଅଧିନରେ ଏହି ଅତିରିକ୍ତ ସଂଖ୍ୟାକୁ ନବୀନ ଅନୁମୋଦନ କରିଛନ୍ତି।

ପୂର୍ବରୁ ଏହି ଯୋଜନା ଅଧିନରେ ୨୮ ଲକ୍ଷ ୬୧ ହଜାର ହିତାଧିକାରୀ ଲାଭ ପାଉଥିଲେ। ବର୍ତ୍ତମାନ ଏହା ବୃଦ୍ଧି ପାଇ ୩୨ ଲକ୍ଷ ୭୫ ହଜାର ହିତାଧିକାରୀ ହେଲେ।

ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୫ଟି ସଚିବ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ଅଭିଯୋଗ ଏବଂ ମୋ ସରକାରଙ୍କଠାରୁ ମିଳିଥିବା ମତାମତକୁ ବିଚାରକୁ ନେଇ ଏହି ଯୋଜନାରେ ଅଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ୫ ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଏବଂ ସିଏମଓର ଅନ୍ୟ ବରିଷ୍ଠ ଅଧିକାରୀମାନେ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଏବଂ ତୃଣମୂଳ ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଜିଲ୍ଲା ଗସ୍ତ କରୁଛନ୍ତି। ତାହାକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀ ଏହି ଅନୁମୋଦନ କରିଛନ୍ତି।

ସମସ୍ତ ନୂତନ ଅନୁମୋଦିତ ହିତାଧିକାରୀମାନେ ସେମାନଙ୍କର ପ୍ରଥମ ପେନସନ ରାଶି ଆସନ୍ତା ୧୫ ଅଗଷ୍ଟରେ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ କିମ୍ବା ୱାର୍ଡ ଅଫିସରେ ନିର୍ବାଚିତ ପ୍ରତିନିଧୀଙ୍କ ଉପସ୍ଥିତିରେ ପାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହିତାଧିକାରୀଙ୍କୁ ପେନ୍‌ସନ୍ ସୁଗମ ଏୂବଂ ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି।

ମଧୁ ବାବୁ ପେନ୍ସନ୍ ଯୋଜନା ଅଧୀନରେ ୨୮.୬୧ ଲକ୍ଷ ବା ୨୮,୬୧,୧୯୫ ଜଣ ହିତାଧିକାରୀଙ୍କୁ ଓଡ଼ିଶା ସରକାର ସାମାଜିକ ସୁରକ୍ଷା ପେନସନ ପ୍ରଦାନ କରୁଛନ୍ତି। ଏଥିରେ ମାସିକ ୫୦୦ ଟଙ୍କା, ୭୦୦ ଟଙ୍କା କିମ୍ବା  ୯୦୦ ଟଙ୍କା ପ୍ରଦାନ କରାଯାଉଛି।

ହିତାଧିକାରୀ ଯେପରିକି ବୟସ୍କ ବ୍ୟକ୍ତି, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, କୁଷ୍ଠରୋଗୀ, ଏଡସ୍ ରୋଗୀ, ଛାଡପତ୍ର / ଗରିବ, ଟ୍ରାନ୍ସଜେଣ୍ଡର ବ୍ୟକ୍ତି, କୋଭିଡ ପ୍ରଭାବିତ ପରିବାରର ଅନାଥ ପିଲା ଏବଂ ଅନ୍ୟାନ୍ୟ ଅସୁରକ୍ଷିତ ବ୍ୟକ୍ତି ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ମଧୁବାବୁ ପେନସନ ଯୋଜନାରେ ୦-୭୯ ବର୍ଷ ବୟସ ମଧ୍ୟରେ, ବିଭିନ୍ନ ବର୍ଗର ହିତାଧିକାରୀମାନେ ମାସକୁ  ୫୦୦ ଟଙ୍କା ପାଆନ୍ତି, ଯେତେବେଳେ ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀମାନେ ମାସକୁ ୭୦୦ ଟଙ୍କା ପାଇଥାନ୍ତି।

ସେହିଭଳି, ଏହି ଯୋଜନା ଅଧୀନରେ ୪୦-୫୯ ପ୍ରତିଶତ ଅକ୍ଷମତା ଥିବା ହିତାଧିକାରୀମାନେ ମାସକୁ ୫୦୦ ଟଙ୍କା ଏବଂ ୬୦ ପ୍ରତିଶତ  ତଦୁର୍ଦ୍ଧ୍ୱ ଅକ୍ଷମତା ଥିବା ହିତାଧିକାରୀମାନେ ମାସକୁ ୭୦୦ ଟଙ୍କା ପାଇଥାନ୍ତି। ତେବେ ଯେଉଁଠାରେ ୬୦ ପ୍ରତିଶତ କିମ୍ବା ତାହାଠାରୁ ତଦୁର୍ଦ୍ଧ୍ୱ ଅକ୍ଷମତା ଏବଂ ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀମାନେ ମାସିକ ୯୦୦ ଟଙ୍କା ପାଇଥାନ୍ତି।

ଏହି ୪ ଲକ୍ଷ ୧୩ ହଜାର ନୂତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାରେ ସହାୟକ ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର

ଭୁବନେଶ୍ୱର : ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଏ. ଜି ସମ୍ମିଳନୀ କକ୍ଷ ଠାରେ ଆଜି ଆୟୋଜିତ ହୋଇଯାଇଛି।

ଉପ -ମହାଲେଖାକାର ଶ୍ରୀରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ପ୍ରଧାନ ମହାଲେଖାକାର ଶ୍ରୀ ଅନନ୍ତ କିଶୋର ବେହେରା ଯୋଗଦେଇ ଏ. ଜି କାର୍ଯ୍ୟଳୟରେ ପେନସନ ଓ ଭବିଷ୍ୟନିଧି କାଗଜପତ୍ର ପହଞ୍ଚିବାର ୩୦ ଦିନ ମଧ୍ୟରେ ପେନସନ ମଞ୍ଜୁରୀପତ୍ର ତତ୍କାଳ ପେନସନରମାନଙ୍କ ନିକଟକୁ ପଠାଇବାକୁ ନିର୍ଦେଶ ଦିଆ ଯାଇଅଛି ବୋଲି ପ୍ରକାଶ କରିଥିଲେ।

ବହୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ କାଗଜ ଜିଲ୍ଲା ସ୍ତରରେ ଥିବା ପେନସନ ମଂଜୁରକର୍ତ୍ତା ମାନଙ୍କ ନିକଟରେ ପଡି ରହିବା ଯୋଗୁଁ ପେନସନ ମଂଜୁର ବିଳମ୍ବିତ ହେଉଥିବାରୁ ଆସନ୍ତା ମାସରୁ ଜିଲ୍ଲାସ୍ତରୀୟ ପେନସନ ଅଦାଲତମାନ ଆୟୋଜନ କରାଯିବା ସହ ସେହିଠାରେ ସେମାନଙ୍କର ମଞ୍ଜୁରୀପତ୍ର ପ୍ରଦାନ କରାଯିବ। ଏହା ପୂର୍ବରୁ ପରୀକ୍ଷା ମୂଳକଭାବେ ମୟୁରଭଞ୍ଜ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଦାଲତରେ ବହୁତ ପେନସନ ଅଭିଯୋଗ ଶୁଣାଣି କରାଯାଇ ସେହିଠାରେ ପେନସନ ମଂଜୁର କରାଯାଇଥିଲା।

ଉଭୟ ଜିଲ୍ଲାର ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗ ଯୋଗୁଁ ବହୁ ପେନସନର ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇ ପାରିଥିଲେ। ଏଥି ପାଇଁ ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗ, ଜିଲ୍ଲାସ୍ତରୀୟ ପେନସନ ମଞ୍ଜୁରକର୍ତ୍ତା ଓ ପେନସନରମାନଙ୍କ ସକ୍ରିୟ ସହଯୋଗ ରହିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ପେନସନ କାଗଜ ପତ୍ର ଅବସରର ୬ ମାସ ପୂର୍ବରୁ ଏ. ଜି କାର‌୍ୟ୍ୟାଳୟକୁ ପଠାଇବାକୁ ନିୟମଥିଲେ ମଧ୍ୟ ଏହି ସମୟ ମଧ୍ୟରେ କେହି ପଠାଉ ନାହାନ୍ତି ଯାହା ଫଳରେ ସରକାରୀଙ୍କ ଅବସର ପୁର୍ବରୁ ସେମାନେ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ଅବସର ପୁର୍ବରୁ ପାଇ ପାରୁନାହାନ୍ତି।

ଏହି ଅଦାଲତରେ ଉପ -ମହାଲେଖାକାର (ପ୍ରଶାସନ ) କିଶୋର ରେଡ୍ଡୀ ପୋଲୁ,ପ୍ରଧାନ ମହାଲେଖାକାରଙ୍କ ସଚିବ ସୁଚିତ୍ରା ଭଟ୍ଟ, ବରିଷ୍ଠ ଲେଖା ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ, ଚାର ଓରାମ, ଅକ୍ଷୟ ମହାନ୍ତି, ପ୍ରଦୀପ ସେଠୀ ଗୌର ଚନ୍ଦ୍ର ସାହୁ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।

ଏହି ଅଦାଲତରେ ୮୫ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ଆବେଦନ ଉପରେ ଶୁଣାଣି କରାଯାଇ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀପତ୍ର ପଠାଇବାକୁ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନ ମହାଲେଖାକାର ନିର୍ଦେଶ ଦେଇଥିଲେ। ଏହି କାର‌୍ୟ୍ୟକ୍ରମକୁ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପୁରୁଷୋତ୍ତମ ବଳ, ସହକାରୀ ଲେଖା ଅଧିକାରୀ କଲ୍ୟାଣ କୁମାର ପଣ୍ଡା, ଶରତ ନାୟକ, ବିଜୟ କୁମାର ନାୟକ, ଚନ୍ଦ୍ର ଶେଖର ବେହେରା ଓ ବବିତା ସେଠୀ ସଂଯୋଜନା କରିଥିଲେ।