Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ପୋଲିସକୁ ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଲିସକୁ ଆକ୍ରମଣ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି।

ଅଭିଯୋଗ ମୁତାବକ ଆଜି ମାଘ ପୂର୍ଣ୍ଣିମା ଉପଲକ୍ଷେ ବାଣପୁର ଥାନା ଅଧିନସ୍ଥ ଦୀକ୍ଷିତପଡା ଠାରେ ଥିବା ବିରଞ୍ଚି ନାରାୟଣ ସୂର୍ଯ୍ୟ ମନ୍ଦିରରେ ପୂଜା ପାଇଁ ହଜାର ହାଜର ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥିଲା। ଏହି ଉପଲକ୍ଷେ ବାଣପୁର ପୋଲିସ ତରଫରୁ ଟ୍ରାଫିକ ନିୟନ୍ତ୍ରଣ ଜାରି ରହିଥିଲା।  ଏଏସଆଇ ସଞ୍ଜୟ କୁମାର ପାତ୍ର ଏବଂ ଅନ୍ୟ ପୋଲିସ ମାନେ ଭିଡ଼ ଭିତରକୁ କୌଣସି ଗାଡି ମଟର ଛାଡୁ ନଥିବା ବେଳେ ସୁବ୍ରତ ରଣସିଂହ (୨୧) ନାମକ ଜଣେ ଯୁବକ ଏକ ସ୍କୁଟି ନେଇ ଜୋର ଜବରଦସ୍ତ ଭିଡ଼ ଭିତରକୁ ଯିବାକୁ ଚାହିଁଥିଲେ।

ତେବେ ଟ୍ରାଫିକ ପରିଚାଳନା ଦାଇତ୍ୱରେ ଥିବା ଏଏସଆଇ ଶ୍ରୀ ପାତ୍ର ସୁବ୍ରତଙ୍କୁ ଏ ନେଇ ବାରଣ କରିବାରୁ ପୋଲିସ କଥା ନ ମାନି ବିଭିନ୍ନ ଅଶ୍ରବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଅଭିଯୁକ୍ତ ସୁବ୍ରତ ଏବଂ ସ୍କୁଟିକୁ ଜୋରଜବରଦସ୍ତି ଭିଡ଼ ଭିତରେ ନେବାକୁ ଉଦ୍ୟତ ହୋଇଥିଲେ। ତେବେ ଏଏସଆଇ ଶ୍ରୀ ପାତ୍ର ସ୍କୁଟିକୁ ଅଟକାଇବାରୁ ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ସୁବ୍ରତ ପୋଲିସ ଅଧିକାରୀଙ୍କୁ ଜୋରରେ ଧକ୍କା ମାରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଉପସ୍ଥିତ ଅନ୍ୟ ପୋଲିସ ସାଥିମାନେ ସୁବ୍ରତଙ୍କ କବଳରୁ ଏଏସଆଇ ଶ୍ରୀ ପାତ୍ରଙ୍କୁ ମୁକୁଳାଇଥିବା ବେଳେ ସୁବ୍ରତଙ୍କୁ କାବୁ କରିଥିଲେ।

ଉକ୍ତ ଘଟଣାକୁ ନେଇ ଏଏସଆଇ ଶ୍ରୀ ପାତ୍ର ବାଣପୁର ଥାନାରେ ଏତଲା ଦେବା ପରେ ଥାନାଧିକାରୀ ରମେଶ କୁମାର ଦେବତା ଏହାକୁ ଗମ୍ଭୀରତାର ସହ ନେଇ କେସ ନମ୍ବର ୩୮/୨୦୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛନ୍ତି। ଜାମିନ ନାମଂଜୁର ହେବାରୁ ଅଭିଯୁକ୍ତ ଜେଲ ଯାଇଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ମଦ ବେପାରୀଙ୍କୁ ଗିରଫ ବେଳେ ପୋଲିସକୁ ଆକ୍ରମଣ ଅଭିଯୋଗ, ବନ୍ଧା ହେଲେ ୭ ଅଭିଯୁକ୍ତ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦେଶୀ ମଦ ବିକ୍ରି ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଛି ପୋଲିସ।

ଆଇଆଇସି ରମେଶ କୁମାର ଦେବତାଙ୍କ ସୂଚନା ମୁତାବକ ଗତକାଲି ସକାଳେ ଦାଶରଥିପୁର ଗ୍ରାମର ଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ପାଇ ଏସଆଇ ସୁକାନ୍ତ ଦଳାଇ ଏବଂ ଟିମ ଉକ୍ତ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ଧୂନିଆ ନାୟକଙ୍କୁ ୩୦ ଲିଟର ଦେଶୀ ମଦ ସହ ଗିରଫ କରିଥିଲେ। ତେବେ ଗିରଫ କରି ଥାନାକୁ ନେବା ସମୟରେ ଧୂନିଆଙ୍କ ପତ୍ନୀ ରଜନୀ ନାୟକ, ପୁଅ ଦୟାନିଧି ନାୟକ ଏବଂ ଅନ୍ୟ ଗ୍ରାମବାସୀ ମାନେ ଠେଙ୍ଗା, ଲାଠି ସହ ପୋଲିସକୁ ଅଟକାଇଥିଲେ ଏବଂ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।  ଏପରିକି ଦୟାନିଧି କନଷ୍ଟେବଳ ସତ୍ୟ ନାରାୟଣ ପ୍ରଧାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯାହାଫଳରେ ସତ୍ୟଙ୍କ ହାତରେ ଗଭୀର କ୍ଷତ ହୋଇଥିଲା।

ତେବେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଧୂନିଆ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ। ଏ ନେଇ ଏସଆଇ ଶ୍ରୀ ଦଳେଇ ବାଣପୁର ଆଇଆଇସିଙ୍କୁ ଉକ୍ତ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ବାଣପୁର ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା। ଯାହାପରେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କ ତତ୍ୱାବଧାନରେ ଆଜି ସକାଳେ ପୋଲିସ ଫୋର୍ସର ଉପସ୍ଥିତିରେ ଉକ୍ତ ଗ୍ରାମରେ ଚଢ଼ାଉ କରାଯାଇ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଣପୁର ପୋଲିସ।

ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଧୂନିଆ ନାୟକ ଏବଂ କିଛି ଆକ୍ରମଣକାରି ଅଦ୍ୟାବଧି ଫେରାର ଥିବା ଆଇଆଇସି ଶ୍ରୀ ଦେବତା କହିଛନ୍ତି।