Categories
ଆଜିର ଖବର ରାଜ୍ୟ ଖବର

ଆଇନ ମାନୁନଥିବା ବିଏମ୍‌ସି, ବିଡ଼ିଏ,ପୋଲିସ୍‌ର ଅସାଧୁ କର୍ମଚାରୀଙ୍କୁ ବହିସ୍କୃତ କରାଯାଉ: ପ୍ରତାପ ସାହୁ

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ ପାଚେରୀ କଡ଼ରେ ସୁବାସ ପାଣ୍ଡେ ନାମକ ଜଣେ ଉଠାଦୋକାନୀ ଦୀର୍ଘ ୨୦ବର୍ଷ ଧରି ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଥିଲେ। ସୁବାସ ଲୋନ କରି ଏବଂ କିଛି ହାତ ଉଧାର ଆଣି ସେଠାରେ ବେଲ୍‌ଟ, ପ୍ଲାଷ୍ଟିକ ସାମଗ୍ରୀ, ରୁମାଲ, ଗ୍ଲୋବସ୍‌, ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆଦି ବ୍ୟବସାୟ କରୁଥିଲେ। କିନ୍ତୁ ଉଠାଦୋକାନୀ ଆଇନ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମାନୁନଥିବା ବିଏମ୍‌ସି, ପୋଲିସ୍ ଓ ବିଡ଼ିଏର କିଛି ଅସାଧୁ କର୍ମଚାରୀ ଗତ କିଛିଦି ଧରି ସୁବାସଙ୍କ ଦୋକାନକୁ ବାରମ୍ବାର ଭାଙ୍ଗିଦେବା ଫଳରେ ସେ ମାନସିକ ଚାପରେ ରହୁଥିଲେ। କାରଣ ପାଖରେ ପ୍ରଦର୍ଶନୀ ପଡ଼ିଆ ଥିବାରୁ ଏବଂ ପ୍ରତ୍ୟେକ ସମୟରେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଥିବାରୁ ସେଠାରେ ଲୋକଙ୍କ ଗହଳି ଲାଗି ରହୁଥିଲା ଏବଂ ସୁବାସଙ୍କର ଭଲ ରୋଜଗାର ମଧ୍ୟ ହେଉଥିଲା।

ଭଲ ବେପାର ହେଉଥିବାରୁ ସେ କରିଥିବା ଲୋନ ଏବଂ ହାତ ଉଧାର ଶୁଝିବାକୁ ମଧ୍ୟ ସକ୍ଷମ ହୋଇଥିଲେ। ହେଲେ ହଠାତ୍ ଦୁଇବର୍ଷ ଧରି ମହାମାରୀ କରୋନା ଦେଖାଦେବା ଫଳରେ ସୁବାସଙ୍କ ବେପାରରେ ବାଧା ଉପୁଜିଥିଲା ଏବଂ ପୁନର୍ବାର ହାତଉଧାର କରି ନିଜର ବେପାର ସୁଧାରିବାକୁ ଚେଷ୍ଟା କରୁଥିବା ବେଳେ କ୍ରମାଗତ ଭାବେ ବିଏମ୍‌ସି, ବିଡ଼ିଏ ଏବଂ ପୋଲିସ୍‌ଙ୍କ ମଳିତ ଉଦ୍ୟମରେ ସୁବାସଙ୍କ ଦେକାନକୁ ବାରମ୍ବାର ଭାଙ୍ଗିବାରୁ ସେ ଏକ ପ୍ରକାର ଭାରସାମ୍ୟ ହରାଇ ବସିଥିଲେ। ଫଳରେ ବିଏମ୍‌ସର ଅତ୍ୟାଚାର ସହି ନପାରି ସୁବାସ ରହୁଥିବା ବରଗଡ଼ ବ୍ରିଟ କଲୋନୀ ଭଡ଼ାଘରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ।

ତାଙ୍କ ଆତ୍ମହତ୍ୟା ଖବର ଜଣାପଡ଼ିବା ପରେ ଉଠାଦୋକାନୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଉଠାଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ନିୟମ ଥିବାବେଳେ ଓ ମୁଖ୍ୟମନ୍ତ୍ରୀଙ୍କ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିବା ବେଳେ ବିଏମ୍‌ସିର ଅସାଧୁ କର୍ମଚାରୀମାନେ କିଭଳି ସୁବାସଙ୍କ ଦୋକାନକୁ ଉଚ୍ଛେଦ କରିଥିଲେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ପ୍ରକାଶଥାଉକି, ଗତ ୧୨ ଦିନ ତଳେ ମାର୍କେଟ ବିଲ୍‌ଡ଼ିଙ୍ଗରେ ଜଣେ ବ୍ୟବସାୟୀ ତାଙ୍କର ଦୋକାନକୁ ବିଏମ୍‌ସି ଭାଙ୍ଗିଦେବା ଫଳରେ ସେ ମଧ୍ୟ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ।

ଏଠାରେ ଉଲ୍ଲେଖଥାଉ କି, ଉଠାଦୋକାନୀ ସର୍ଭେରେ ସୁବାସଙ୍କ ନମା ରହିଛି ଏବଂ ସେ ଫନୀ ଓ କୋଭିଡ଼ ସହାୟତା ମଧ୍ୟ ପାଇଛନ୍ତି। ଏଲ୍‌.ଓ.ଆର. ଜରିଆରେ ସେ ବ୍ୟାଙ୍କରୁ ମଧ୍ୟ ଋଣ କରିଛନ୍ତି। ଆଜି ସୁବାସଙ୍କ ଏକାଦଶାହରେ ଉଠାଦୋକାନୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ଯୋଗଦେଇ ଅମର ଆତ୍ମାର ସଦ୍‌ଗତ କାମନା କରିବା ସହିତ ସୁବାସଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ, ସୁବାସଙ୍କ ଦୁଇଝିଅଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବା ପାଇଁ ଶ୍ରୀଯୁକ୍ତ ସାହୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ଅନ୍ୟ ପକ୍ଷରେ ମା ତାରିଣୀ କ୍ଷୁଦ୍ର ବ୍ୟବସାୟୀ ସଂଘର ସେ ଜଣେ ସଦସ୍ୟ ଥିଲେ। ସଂଘର ପ୍ରତିଷ୍ଠାତା ସଭାନେତ୍ରୀ ଗୀତା ବିଶ୍ୱାସ କହିଲେ ଯେ, କିଛି ଅସାଧୁ କର୍ମଚାରୀ, ଅସାଧୁ ବ୍ୟକ୍ତିମାନଙ୍କ ପାଇଁ ଆଜି ସୁବାସ ମୃତ୍ୟୁବରଣ କରିଛନ୍ତି। ସୁବାସଙ୍କୁ ରାଜ୍ୟ ସରକାର ସ୍ମାର୍ଟସିଟିରେ ତିଆରି କରାଯାଉଥିବା ଦୋକାନଟିଏ ତାଙ୍କ ପରିବାରକୁ ପ୍ରଦାନ କରାଯାଉ ଏବଂ ସୁବାସଙ୍କ ସମେତ ମାର୍କେିଟ ବିଲ୍‌ଡ଼ିଙ୍ଗରେ ମୃତ୍ୟୁବରଣ କରିଥିବା ଉଠାଦୋକାନୀଙ୍କ ମୃତ୍ୟୁ ପାଇଁ ଦାୟୀ ବିଏମ୍‌ସି କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜେଲ୍‌ରୁ ବ୍ଲୁ ପ୍ରିଣ୍ଟ: ଶିବଶଙ୍କରକୁ ମାରିବା ଉଦ୍ଦେଶ୍ୟରେ ୩ ସୁପାରି କିଲରକୁ ଗିରଫ କଲା ପୋଲିସ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସହରରେ ଦିନକୁ ଦିନ ଅସାମାଜିକ ତତ୍ତ୍ୱ ବୃଦ୍ଧି ପାଉଥିବାବେଳେ ଏଥିରେ କିଛି ମହିଳା ସଂପୃକ୍ତ ରହିବା ପୋଲିସ୍ ପାଇଁ ଚିନ୍ତା ବଢ଼ାଇ ଦେଇଛି। ବଡ଼ବଡ଼ ସହରରେ ଯେଭଳି ପ୍ଲାନିଂ କରି ହତ୍ୟା କରାଯାଏ କିମ୍ବା ସାକ୍ଷୀ ପ୍ରମାଣ ନଷ୍ଟ କରିବାକୁ ହତ୍ୟା କରିବା ଭଳି ଷଡ଼ଯନ୍ତ୍ର ଭିଆଯାଏ ସେଭଳି ସ୍ଥିତି ବର୍ତ୍ତମାନ ବ୍ରହ୍ମପୁର ସହରରେ ସାମାନ୍ୟ ହୋଇଗଲାଣି। ଏଭଳି ଏକ ଘଟଣାର ପର୍ଦ୍ଦାଫାସ କରିଛି ଆଜି ବଡ଼ବଜାର ଥାନା ପୋଲିସ୍।

ଘଟଣାରୁ ପ୍ରକାଶ ଯେ ଗତ ୨୭.୨.୨୦୨୧ ତାରିଖରେ ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ଚତୁର୍ଥ ଗଳିର ଶିବ ଶଙ୍କର ପାତ୍ରଙ୍କ ଘର ଉପରେ କିଛି ଦୁବୃର୍ତ୍ତ ଭୟଭୀତ କରିବା ପାଇଁ ଏକ ବୋମା ଫିଙ୍ଗିଥିଲେ। ସୌଭାଗ୍ୟବଶତଃ ବୋମାଟି ଫୁଟି ନଥିଲା। କିନ୍ତୁ ଶିବଶଙ୍କର ପାଇଁ ଏହା ଧମକ ଥିଲା। ଏହି ଘଟଣାରେ ବଡ଼ବଜାର ଥାନା ପୋଲିସ୍ ତତ୍ପରତା ଦେଖାଇ ଥାନା କେସ ନଂ ୫୧/୨୦୨୧ ୟୁ/ଏସ୍ ୪ ଓ ୫ ବିସ୍ଫୋରକ ଆକ୍ଟ ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଥିଲା।

ଅନୁସନ୍ଧାନ ପରେ ପୋଲିସ୍ ଜାଣିବାକୁ ପାଇଲା ଯେ ବ୍ରହ୍ମପୁର ସର୍କଲ ଜେଲ୍‌ରେ ଥିବା ପ୍ରଦୀପ ସାହୁ ହାଡ଼ର୍କୋର ମୋଷ୍ଟ ୱାଣ୍ଟେଡ଼ ଅପରାଧୀ ଶକ୍ତିନଗର ଦ୍ୱିତୀୟ ଗଳିର ରାଣି ପଣ୍ଡା ଓରଫ୍ ରାଜେଶ ପାଣିଗ୍ରାହୀଙ୍କୁ କଣ୍ଟ୍ରାକ୍ଟ ଦେଇ ଏହି ଘଟଣା ଭିଆଇଛି।

ସୂଚନାଯୋଗ୍ୟ ଶିବଶଙ୍କର ପାତ୍ରଙ୍କ ଅଭିଯୋଗ ଯୋଗୁଁ ପ୍ରଦୀପ ସାହୁ ବର୍ତ୍ତମାନ ଜେଲ୍‌ରେ ଅଛି। ଯାହାଫଳରେ ମାମଲାକୁ ରଫାଦଫା କରିବା ପାଇଁ ପ୍ରଦୀପ ଶିବଶଙ୍କରଙ୍କୁ ଧମକ ଦେବା ସହ ଅଭିଯୋଗ ଫେରସ୍ତ ନ ନେଲେ ଜୀବନରେ ମାରିଦେବାକୁ ଧମକ ଦେଉଥିଲା। କିନ୍ତୁ ଶିବଶଙ୍କର ଏହା ନ ଶୁଣିବାରୁ ଧମକକୁ କାର୍ଯ୍ୟକାରୀ କରିବାକୁ ରାଣି ପଣ୍ଡା ସହ ଯୋଗାଯୋଗ କରି କିଛି ବ୍ୟକ୍ତିଙ୍କୁ ନେଇ ଉକ୍ତ ଦିନ ଶିବଙ୍କ ଘର ଆଗରେ ବୋମା ଫିଙ୍ଗିଥିଲା। ପୋଲିସ୍ ଘଟଣାର ଅନୁସନ୍ଧାନ କରି ଏହି ଘଟଣାରେ ସାମିଲ ଥିବା ୩ ଜଣକୁ ଗିରଫ କରିଛି।

ଗିରଫ ମାନେ ହେଲେ ବଡ଼ବଜାର ଥାନା ଲକ୍ଷ୍ମୀନୃସିଂହ ସାହିର ମିସ୍ ଲିଜା ମହାରଣା (ଛଦ୍ମନାମ), ଲକ୍ଷ୍ମୀନୃସିଂହ ସାହି ୭ମ ଲେନ୍‌ର ମନୋଜ କୁମାର ସାହୁ (୨୪) ଏବଂ ଲକ୍ଷ୍ମୀନୃସିଂହ ସାହି ୪ମ ଲେନ୍‌ର ଅଜୟ ମହାରଣା। ଏହିମାନେ ରାଣୀ ପଣ୍ଡାର କହିବା ପ୍ରକାରେ ବୋମା ଫିଙ୍ଗିଥିଲେ।

ତେବେ ରାଣୀ ପଣ୍ଡା ବର୍ତ୍ତମାନ ଫେରାର୍ ଥିବାବେଳେ ସେ ପୋଲିସ୍‌ର କବ୍‌ଜାକୁ ଆସିଥିବା ବିଶେଷ ସୂତ୍ରରୁ ପ୍ରକାଶ। ଘଟଣାରୁ ପ୍ରକାଶ ଯେ ରାଣି ପଣ୍ଡା ଯିଏକି ବର୍ତ୍ତମାନ ମୁମ୍ବାଇରେ ରୁହେ ସେ ଏବଂ ତାଙ୍କ ମା’ ଏହି ଘଟଣା ପାଇଁ ମୁମ୍ବାଇରେ ପ୍ଲାନିଂ କରି ୨୩.୨.୨୦୨୧ ତାରିଖରେ ବ୍ରହ୍ମପୁରକୁ ଆସିଥିଲେ। ୨୭.୨.୨୦୨୧ ରାତ୍ର ୭.୪୫ ସମୟରେ ଶିବଶଙ୍କରକୁ ଜୀବନରେ ମାରିଦେବା ପାଇଁ ଘର ଉପରକୁ ଫିଙ୍ଗିଥିଲେ।

ପୋଲିସ୍ ଅଭିଯୁକ୍ତମାନଙ୍କ ଟେଲିଫୋନ୍ ବିବରଣୀ ଯାଞ୍ଚ କରି ଘଟଣାର ପର୍ଦ୍ଦାଫାଶ କରିଛି। ସମସ୍ତ ଅଭିଯୁକ୍ତକୁ ଆଜି କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ଥାନାଧିକାରୀ ଶ୍ରୀ ଭୂପତିଙ୍କ ବଳିଷ୍ଠ ନେତୃତ୍ୱରେ ଏକ ବଡ଼ଧରଣର ଅପରାଧକୁ ରୋକାଯିବା ସହ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା ପାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପୋଲିସ୍ କବ୍‌ଜାରେ ଆଇପିଏଲ୍ ବେଟିଂର କିଙ୍ଗପିନ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଚଳିତବର୍ଷର ଆଇପିଏଲ୍ ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆଇପିଏଲ୍ ବେଟିଂ ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି। କୋଟି କୋଟି ଟଙ୍କାର କାରବାରରେ କିଛିବ୍ୟକ୍ତି ମଧ୍ୟସ୍ଥି ସାଜି ନିଜକୁ କୋଟିପତି କରୁଥିବାବେଳେ ନିରୀହ ଛାତ୍ର, ଯୁବକ ଟଙ୍କା ହାରି ସ୍ୱର୍ବସ୍ୱାନ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ବ୍ରହ୍ମପୁର ସହରରେ ଗତ କିଛିଦିନ ହେଲା ଆଇପିଏଲ୍ ବେଟିଂ ଆଶାତୀତ ଭାବେ ବୃଦ୍ଧି ପାଇବାକୁ ଲାଗିଥିଲା।

ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ତତ୍ପର ହୋଇ ଖୋଦ୍ ନିଜେ ଏହି ମାମଲାରେ ଅନୁସନ୍ଧାନ ଜାରି ରଖିଛନ୍ତି। ତେବେ ଦକ୍ଷିଣ ଓଡ଼ିଶା ତଥା ରାଜ୍ୟର ସବୁଠାରୁ ବଡ଼ ତଥା ଆଇପିଏଲ୍ ବେଟିଂର ବେତାଜ ବାଦଶାହା ବ୍ରହ୍ମପୁର ଅଂଚଳ ଜନୈକ କିଙ୍ଗପିନ୍‌କୁ ବ୍ରହ୍ମପୁର ପୋଲିସ୍ ଅଟକ ରଖିଥିବା ଜଣାପଡ଼ିଛି। କିଙ୍ଗପନ ସହ ତା’ର ୪ ରୁ ୫ ସହଯୋଗୀକୁ ପୋଲିସ୍ ଅଟକ ରଖିଛି। ତେବେ କିଙ୍ଗପିନ୍‌ର ସହଯୋଗୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କୁ ଖୋଜା ଚାଲିଛି। ବୁଧବାର ଦିନରୁ ଏହି ଧରପଗଡ଼ ଚାଲିଥିବାବେଳେ କିଏ କିଏ ଏଥିରେ ସଂପୃକ୍ତ ଅଛି ଏନେଇ ପୋଲିସ୍ ପକ୍ଷରୁ କୌଣସି ତଥ୍ୟ ମିଳିନାହିଁ। ବିପୁଳ ପରିମାଣରେ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଲିସ୍ ଜବତ କରିଛି।

ପୋଲିସ୍ କିଙ୍ଗପିନ୍‌ର ଘର ସହିତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରିଥିବାବେଳେ ଗୋଷାଣିନୂଆଗାଁ ଥାନା ଏହି ମାମଲାରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିଛି। ସହରର ବଡ଼ବଡ଼ ବ୍ୟବସାୟୀ, ପ୍ରତିଷ୍ଠିତ ଲୋକେ ମଧ୍ୟ ଏହି ସଟ୍ଟାବାଜିରେ ସାମିଲ ଥିବା ସଂଦେହ କରାଯାଉଛି। ସଟ୍ଟାବାଜିମାନେ ସହରର ବଡ଼ ବଡ଼ ହୋଟେଲ୍‌, ଭଡ଼ାଘରେ ରହି ବେଟିଂକୁ ପରିଚାଳନା କରୁଛନ୍ତି। କମିଶନ ବାବଦରେ ଏମାନେ କୋଟି କୋଟି ଟଙ୍କା ପାଉଥିବା ଜଣାପଡ଼ିଛି। କିଙ୍ଗପିନ୍‌ର ମାସକୁ କମିଶନର ବାବଦରେ କୋଟିଏ ଟଙ୍କାରୁ ଅଧିକ ଆଦାୟ ହେଉଥିବା ଜାଣିବାକୁ ମିଳିଛି। ତେବେ ବହୁବର୍ଷ ହେଲା ଏହି କିଙ୍ଗପିନ୍ ନିଜର ସାମ୍ରାଜ୍ୟ ବିସ୍ତାର କରିଥିବାବେଳେ କିଭଳି ପୋଲିସ୍‌ର କବ୍‌ଜାକୁ ଆସୁନଥିବା ସେ ନେଇ ସହରରେ ବୁଦ୍ଧିଜୀବୀ ଚର୍ଚ୍ଚା କରୁଛନ୍ତି।

କରୋନା ସମୟରେ ଲୋକଙ୍କ ପାଖରେ ଟଙ୍କାର ଅଭାବ ଥିବାବେଳେ କିଛି ଯୁବକ, ଛାତ୍ର ଏଥିରେ ମାତି ନିଜର ସ୍ୱର୍ବସ୍ୱ ହରାଉଛନ୍ତି। ଗଂଜାମ ଜିଲ୍ଲାରେ କେବଳ ବ୍ରହ୍ମପୁର ନୁହେଁ ପ୍ରତି ବ୍ଲକ୍‌ରେ ବିଶେଷ କରି ସାନଖେମୁଣ୍ଡି, ଦିଗପହଣ୍ଡି ଅଂଚଳରେ ବ୍ୟାପକ ଭାବେ ହେଉଥିବା ଜଣାପଡ଼ିଛି। ତଳ ଦିନେ ଏହି ଅଂଚଳର କିଛି ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ଡ଼େରିରେ ହେଲେ ମଧ୍ୟ ବ୍ରହ୍ମପୁର ଏସ୍‌ପିଙ୍କ ଏହି ତତ୍ପରତାକୁ ସହରବାସୀ ସ୍ୱାଗତ କରିଛନ୍ତି। ରିପୋର୍ଟ ଲେଖାହେବା ସୁଦ୍ଧା ପୋଲିସ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ।