Categories
ଆଞ୍ଚଳିକ

ବାଲୁଗାଁ କଲେଜରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ତଥା ଦେଶରେ ଦିନକୁ ଦିନ ସାଇବର ଅପରାଧୀ ମାନେ ସକ୍ରିୟ ହେବା ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାବ୍ୟାପୀ ଅନୁଷ୍ଠିତ ହେଉଛି। ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଙ୍କୁ ମହାବିଦ୍ୟାଳୟର ଏନସିସି କ୍ୟାଡେଟ ମାନେ ପ୍ୟାରେଡ ମାଧ୍ୟମରେ ପାଛୋଟି ଆଣିବା ପରେ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ। ଏହାପରେ ମହାବିଦ୍ୟାଳୟର ସଭାଗୃହରେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଅତିରିକ୍ତ ଏସପି ଶ୍ରୀ ମୁର୍ମୁ ଉଦଘାଟନ କରିଥିଲେ।

ଏହାପରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ପରେ ଶ୍ରୀ ମୁର୍ମୁ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରୀ ଦୀପ୍ତି ସାହୁ ଓ ପ୍ରଜ୍ଞାସ୍ମିତା ସାହୁଙ୍କ ସ୍ୱାଗତ ସଂଗୀତ ଓ ପୋଲିସ ସବ ଇନ୍ସପେକ୍ଟର ଦିଲ୍ଲୀପ କୁମାର ସାହୁଙ୍କ ସଂଗୀତ ପରିବେଷଣ ପରେ ସଂଯୋଜକ ତଥା ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ବାଲୁଗାଁ ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ମିଶ୍ର ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ଏହାପରେ କେ. ଦିନେଶ ସାଇବର ଠକେଇର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇବା ସହ ସାଇବର ସୁରକ୍ଷାର ସାଧାରଣ ସୂତ୍ର ଓ ମୋବାଇଲର ଯାନ୍ତ୍ରିକ କୌଶଳ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ଏହାପରେ ସମ୍ମାନିତ ଅତିଥି ତଥା ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ପ୍ରବାସ କୁମାର ସୁନ୍ଦରାୟ ସାଇବର ଠକେଇରୁ ଦୁରେଇ ରହିବା,ନିଜର ଓଟିପିକୁ ହସ୍ତାନ୍ତର ନ କରିବା,ଅଜଣା ଫୋନ କଲ ଦ୍ୱାରା ଅର୍ଥ ଲୋଭରେ ବ୍ୟାଙ୍କ ବିବରଣୀ ନ ଦେବା ସମ୍ପର୍କରେ ଛାତ୍ର ଛାତ୍ରୀ ଓ ଯୁବବର୍ଗଙ୍କୁ ପରାମର୍ଶ ଦେଇଥିଲେ।

ପ୍ରାଧ୍ୟାପକ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି ଦେଶର ବିଭିନ୍ନ ସାଇବର ଏନ୍ତୁଡ଼ିଶାଳ ବିଷୟରେ ସୂଚନା ଦେବା ସହ ସାମ୍ପ୍ରତିକ ସମୟର ଏହା ବଡ଼ ଅପରାଧ ବୋଲି ସୂଚନା ଦେଇଥିଲେ। ଏହାପରେ ମୁଖ୍ୟ ଅତିଥି ଶ୍ରୀ ମୁର୍ମୁ ଜିଲ୍ଲା ବ୍ୟାପୀ ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତଙ୍କର ସମ୍ପୃକ୍ତି ଓ ଗ୍ରହଣଶୀଳତା କାମନା କରିଥିଲେ। ସଭାପତି ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ସାଇବର ସୁରକ୍ଷାକୁ ଜୀବନ ସୁରକ୍ଷା ବୋଲି ନାମିତ କରିବା ସହ ମହାବିଦ୍ୟାଳୟର ବିଭିନ୍ନ ଶ୍ରେଣୀରେ ଏହି ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଶିକ୍ଷାର୍ଥୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ।

ଏହି ପରିପ୍ରେକ୍ଷୀରେ ଏନସିସି,ଏନଏସଏସ ଓ ଯୁବ ରେଡ଼କ୍ରସର ସ୍ବେଛାସେବୀମାନେ କ୍ଷୁଦ୍ର ଏକାଙ୍କିକା ମାଧ୍ୟମରେ ଏଟିଏମ ଠକେଇ,ଛଦ୍ମ ନାମରେ ପଇସା ଠକେଇ, ସାଧାରଣ ବ୍ୟକ୍ତିଙ୍କୁ ବ୍ୟାଙ୍କ ଠକେଇ ,ବିଭିନ୍ନ କମ୍ପାନୀ ନାମରେ ଚାକିରି ପ୍ରଲୋଭନ, ନାମଲେଖା ଠକେଇ ଆଦି ବିଭିନ୍ନ ସାଇବର ଅପରାଧର ଦୃଶ୍ୟ ଅଭିନୟ କରି ପ୍ରଶଂସିତ ହୋଇଥିଲେ। ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଶ୍ରେଷ୍ଠ ସ୍ଵେଚ୍ଛାସେବୀ ଓ ପୋଲିସ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ସ୍ୱାତୀ ସ୍ଵାଗତିକା ସାହୁ,କୀର୍ତ୍ତି ମୟୀ ବାରିକ, ଡଃ ସନ୍ତୋଷ କୁମାର ରଥ ସହାୟତା କରିଥିଲେ। ଛାତ୍ର ଛାତ୍ରୀଙ୍କ ସମେତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱଚ୍ଚସାଥୀ ଏଥିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡ଼ା ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ମଶାନ ଜମିକୁ ନେଇ ବିବାଦ: ପୋଲିସ ପ୍ରଶାସନ ଉପସ୍ଥିତରେ ହେଲା ଶବଶତ୍କାର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନସ୍ଥ ଝାନସିପାଟଣାରେ ଥିବା ଶ୍ମଶାନ ଜମିକୁ ନେଇ ବିବାଦ ଦେଖାଯାଇଛି। ଦୀର୍ଘ ୫ବର୍ଷ ଧରି ଏହି ବିବାଦ ଲାଗିରହିଥିବା ବେଳେ ଗତକାଲିଠାରୁ ଏହା ଉଗ୍ରରୂପ ନେଇଛି। କିଛି ଲୋକ ଶ୍ମଶାନ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ପ୍ରଶାସନ ଏହାକୁ ସମାଧାନ ନକରି ମୃତକଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ଦେଇ ଶବଦାହ ପାଇଁ ପୁରୀ ପଠାଇ ଚୁପଚାପ ବସିରହୁଥିବା ଅଭିଯୋଗ ହେଉଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଝାନସିପାଟଣା ଗ୍ରାମର ଜଣେ ବୃଦ୍ଧା ମୃତ୍ୟୁ ବରଣ କରିବାପରେ ଶବଶତ୍କାର ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଯାହା ଫଳରେ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଶବ ବାସିମଡା ହୋଇ ପଡିରହିଥିଲା। ସେହି ପୁରୁଣା ଶ୍ମଶାନରେ ଝାନସିପାଟଣାର ଲୋକେ ଆଜି ଶବ ଶତ୍କାର କରାଇଛନ୍ତି। ଶ୍ମଶାନ ଜମିରେ ଘରକରି ରହିଥିବା ସ୍ଥାନୀୟ ବାସିନ୍ଦା ଶବଶତ୍କାର ନକରିବା ପାଇଁ ପ୍ରତିରୋଧ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ଓ ଠେଲାପେଲା ହୋଇଥିଲା। ପୋଲିସ ପ୍ରଶାସନ ଉପସ୍ଥିତରେ ବିବାଦୀୟ ଜମି ଉପରେ ଝାନସିପାଟଣା ଗ୍ରାମବାସୀ ଶବଶତ୍କାର କରିଛନ୍ତି।

ସେପଟେ ଝାନସିପାଟଣାର ଲୋକଙ୍କୁ ପଚାରିବାରେ ସେ ତହସିଲଦାରଙ୍କ ପୂର୍ବ ନିର୍ଦ୍ଦେଶ ମତେ ଶ୍ମଶାନ ଜମିରେ ଶବଶତ୍କାର କରିବା କଥା କହିଛନ୍ତି। ପରିସ୍ଥିତି ଅଣାୟତ ହେବାରୁ ଘଟଣା ସ୍ଥଳରେ ଟାଙ୍ଗୀ ତହସିଲଦାର, ଡେପୁଟି କଲେକ୍ଟର ଖୋର୍ଦ୍ଧା, ଆଇଆଇସି ଟାଙ୍ଗୀ ସହିତ ସଦଳବଳ ଉପସ୍ଥିତ ରହିଛନ୍ତି। ପରିସ୍ଥିତି ଉତ୍ତେଜନା ଥିବା ଡେପୁଟି କଲେକ୍ଟର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁ: ଟ୍ରାଫିକ ବ୍ୟବସ୍ଥା ସୁଧାରିବାପାଇଁ ଅଣ୍ଟା ଭିଡିଲା ପୋଲିସ ପ୍ରଶାସନ, ଆଜିଠୁ ଲାଗୁ ହେଉଛି ଏହିସବୁ ନିୟମ

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହରର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁଧାରିବା ପାଇଁ ଅଣ୍ଟା ଭିଡିଛନ୍ତି ବାଲୁଗାଁ ଏସ୍‌ଡିପିଓ ସୁରେଶ ଦାସ। ଏହି ପରିପ୍ରେକ୍ଷୀରେ ଗତକାଲି ମଧ୍ୟାହ୍ନରେ ବାଲୁଗାଁ  ଥାନା ପରିସରରେ ଏସ.ଡ଼ି.ପି.ଓ ଶ୍ରୀ ଦାସ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବାଲୁଗାଁ ଆଇ.ଆଇ.ସି, ଏନ.ଏ.ସି କାର୍ଯ୍ଯନିର୍ବହୀ ଅଧିକାରୀଣି, ଅଗ୍ନିଶମ ଅଧିକାରୀ  ଏବଂ ବାଲୁଗାଁର ସମସ୍ତ ବ୍ୟବସାୟୀ ସଂଗଠନର  କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଉକ୍ତ ବୈଠକରେ  ଟ୍ରାଫିକ ନିୟନ୍ତ୍ରଣ  ଉପରେ ବିସ୍ତୃତ ଆଲୋଚନା ସହ  ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଥିଲା। ଆଲୋଚନା କରାଯାଇ ପୋଲିସ ପ୍ରଶାସନ ତରଫରୁ ଏନେଇ ନିଷ୍ପତ୍ତି ସବୁ ନିଆଯାଇଅଛି ଯାହା ଆଜିଠାରୁ ବାଲୁଗାଁ ସହରରେ ଲାଗୁ ହେବ।

-ମୁଖ୍ୟ ରାସ୍ତାରେ ଥିବା ସମସ୍ତ ଦୋକାନୀ ସେମାନଙ୍କ ଦୋକାନ ଘରର ସିମେଣ୍ଟ ଷ୍ଟ୍ରକ୍ଚର ମଧ୍ୟରେ ଜିନିଷପତ୍ର ରଖିବାକୁ ନିର୍ଦ୍ଦେଶ ରହିଛି। ରାସ୍ତାକୁ ମଡାଇ କିଛି ରଖିବେ ନାହିଁ ବୋଲି କୁହାଯାଇଛି।

-ସେହିପରି ଚିଲିକାରୋଡର ଦୋକାନୀ ମାନେ ଏନ.ଏ.ସି ଡ୍ରେନ ଉପରେ କୌଣସି ଜିନିଷ ରଖିବେ ନାହିଁ।

-କୌଣସି ଦୋକନୀ ତାଙ୍କ ଦୋକାନ ସମ୍ମୁଖରେ କୌଣସି ଉଠା ଦୋକାନୀଙ୍କୁ ବସିବା କିମ୍ବା ଠେଲା ଗାଡି ରଖିବା ପାଇଁ ପ୍ରଶୟ ଦେବେ ନାହିଁ।

-ଦୋକାନ ଆଗରେ ନିଜର, ନିଜ ଷ୍ଟାଫଙ୍କର କିମ୍ବା ଗ୍ରାହକଙ୍କର ଗାଡି ପାର୍କିଂ କରିବେ ନାହିଁ।

-ନିଜର ଜିନିଷପତ୍ର ଲୋଡିଂ ବା ଅନଲୋଡିଂ କେବଳ ରାତ୍ର ୯ ଘଟିକା ଠାରୁ ସକାଳ ୮ ଘଟିକା ମଧ୍ୟରେ  ଏବଂ ଅପରାହ୍ନ ୧ ଘଟିକା ଠାରୁ ୩ ଘଟିକା ମଧ୍ୟରେ କରିବା ପାଇଁ ସମୟ ଧାର୍ଯ୍ଯ କରାଯାଇଅଛି।

ସେହିପରି ଏନ୍‌ଏସିକୁ ମଧ୍ୟ କିଛି ଦାୟିତ୍ବ ଦିଆଯାଇଛି। ତାହା ନିମ୍ନରେ ପ୍ରଦତ୍ତ:

୧) ବଜାର ମଧ୍ୟରେ ବୁଲୁଥିବା ଗାଈ ଗୋରୁ ମାନଙ୍କୁ ହଟାଇବେ।

୨) ଉଠା ଦୋକନୀ ତଥା ଠେଲା ଗାଡି ବ୍ୟବସାୟୀ ମାନଙ୍କୁ ବଜାରର ଉଭୟ ପାର୍ଶ୍ବ ଯଥା ଏନ.ଏ.ସି ଅଡିଟୋରିୟମ ହଲ ନିକଟରେ ଏବଂ ପେଟ୍ରୋଲ ପମ୍ପଠାରୁ ବାଲୁଗାଁ ଥାନା ରୋଡ଼ ମଧ୍ୟରେ  ସେମାନଙ୍କ ବ୍ଯବସାୟ କରିବା ପାଇଁ ସୁବିଧା କରାଇବେ।

୩) ସେହିପରି ଗ୍ରାହକମାନଙ୍କ ମୋଟର ସାଇକେଲ ଓ ଅଟୋ ଗୁଡିକୁ ମଧ୍ଯ ବଜାରର ଉଭୟ ପାର୍ଶ୍ବରେ ପାର୍କିଂ କରିବାର ବ୍ୟବସ୍ଥା କରିବେ।

ଉପରୋକ୍ତ ନିୟମରେ  ଖିଲାପ କଲେ ପ୍ରଶାସନ ଜିନଷ ପତ୍ର ତଥା ଗାଡି ଇତ୍ଯାଦିକୁ ସିଜ୍ କରିପାରିବେ ଏବଂ  ଆବଶ୍ୟକ ସ୍ଥଳେ କେସ  ମଧ୍ୟ ଦେଇପାରିବେ।

ବାଲୁଗାଁ ସହରରେ ଏହି ସମସ୍ତ ନିୟମ ଆଜିଠାରୁ ଲାଗୁ କରାଯାଇଛି, ତେବେ ନିୟମ ସମ୍ପର୍କରେ ଜନସଚେତନତା ପାଇଁ ଏହି ନିୟମରେ ସାତଦିନ କୋହଳ କରାଯାଇଛି। ତେବେ ଧାର୍ଯ୍ୟ କୋହଳ ସମୟ ବାଦ୍‌ ଏହି ନିୟମକୁ କଡାକଡି କାର୍ଯ୍ୟକାରୀ ହେବା ନେଇ ସୂଚନା ରହିଛି। ଏହି ନିୟମ ସମ୍ପର୍କରେ ବାଲୁଗାଁ ଆଇ.ଆଇ.ସି ରମାକାନ୍ତ ମାହାଲିକ ସୂଚନା ଦେବା ସହ  ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସହଯୋଗ ଲୋଡିଛନ୍ତି। ଟ୍ରାଫିକକୁ ନିୟନ୍ତ୍ରଣ କରିବାପାଇଁ ବାଲୁଗାଁ ପୋଲିସର ଏହା ଏକ  ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ ପଦକ୍ଷେପ ତେବେ ଏହା କେତେ ଫଳପ୍ରଦ ହେବ ଆଗାମୀ ଦିନରେ ଜଣାପଡିବ।