Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ

ଖୋର୍ଦ୍ଧା: ଆଜି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂ ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟାଳୟ ପରିଦର୍ଶନ କରି ଜିଲ୍ଲାର ଅପରାଧିକ ସ୍ଥିତି ସମୀକ୍ଷା କରିଥିଲେ। ଦୀର୍ଘ ପାଞ୍ଚ ଘଣ୍ଟା ଧରି ଜାରି ରହିଥିବା ଉକ୍ତ ସମୀକ୍ଷା ବୈଠକରେ ଖୋର୍ଦ୍ଧା ଏସପି, ଦୁଇ ଏସଡିପିଓ ଏବଂ ସମସ୍ତ ଥାନାର ଆଇଆଇସି ମାନେ ଉପସ୍ଥିତ ଥିଲେ। ଆଇଆଇସି ମାନେ ନିଜ ନିଜ ଥାନା ଅଞ୍ଚଳର କ୍ରାଇମ ରିପୋର୍ଟ ଆଇଜିଙ୍କୁ ପ୍ରଦାନ କରିଥିଲେ।

ପୋଲିସ ବ୍ୟବସ୍ଥାରେ ଉନ୍ନତି ପାଇଁ ଏବଂ ମନିଟରିଂ ମେକାନିଜିମକୁ ସୁଦୃଢ କରିବା ସମ୍ବନ୍ଧରେ ଆଇଜି ଶ୍ରୀ ସିଂ ସମସ୍ତ ଅଧିକାରୀମାନଙ୍କୁ କିଛି ବହୁମୂଲ୍ୟ ଇନପୁଟ ପ୍ରଦାନ କରିଥିଲେ।  ଆଇଜି ଏନଡିପିଏସ୍, ସମ୍ପତ୍ତି ଅପରାଧ ଏବଂ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ମାମଲା ଉପରେ ଧ୍ୟାନ ଦେଇଥିଲେ। ଗତ ସମସ୍ତ ବର୍ଷର ସମାଧାନ ହୋଇପାରିନଥିବା ଗୁରୁତ୍ୱପୂର୍ଣ ମାମଲାଗୁଡିକ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।

ଖୋର୍ଦ୍ଧା ଜିଲ୍ଲାର ଅସାମାଜିକ ଅପରାଧୀ ତଥା ନିଶା ବେପାରୀଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ଉକ୍ତ ବୈଠକରେ ପ୍ରସ୍ତୁତ କରାଯାଇଥିଲା। ଅନୁରୂପ ଭାବେ ଜନଅଭିଯୋଗର ସମାଧାନ ଏବଂ ନାଗରିକମାନେ କିପରି ବିନା ବାଧାରେ ପୋଲିସ୍ ଅନୁଷ୍ଠାନଗୁଡ଼ିକର ନିକଟତର ହେବେ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା।

ସାଧାରଣ ଜନତାଙ୍କ ପୋଲିସ ପ୍ରତି ବିଶ୍ୱାସ ଓ ଭରଷା ବଜାୟ ରଖିବା ପାଇଁ ପୋଲିସ ବ୍ୟବସ୍ଥାକୁ ସୁଦୃଢ କରିବା ସହ ପ୍ରଭାବଶାଳୀ ପାଟ୍ରୋଲିଂ ଏବଂ ଅପରାଧ ରୋକିବା ପାଇଁ ଆଶୁ ପଦକ୍ଷେପ ନେବାକୁ ସମସ୍ତ ଅଧିକାରୀମାନଙ୍କୁ ଆଇଜି ଶ୍ରୀ ସିଂ ପରାମର୍ଶ ଦେଇଥିଲେ।