Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଶିଶୁ ମାନଙ୍କ ମଧ୍ୟରେ ନିଶା ସେବନ ରୋକିବା ଏବଂ ଆଇନତଃ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ସଚେତନତା ଶିବିର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ନେଇ ଶିଶୁ ମାନଙ୍କ ମଧ୍ୟରେ ଡ୍ରଗ୍ଧ ଏବଂ ନିଶା ସେବନ ରୋକିବା ଏବଂ ଆଇନତଃ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ସଚେତନ‌ତା ଶିବିର ଆଜି ଜିଲ୍ଲାପରିଷଦ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେବା ସହ ଜିଲ୍ଲାରେ କିପରି ବେନିୟମ ପୋଷ୍ୟ ସନ୍ତାନ ଗ୍ରହଣ ରୋକା ଯାଇପାରିବ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସମସ୍ତେ “କାରା’” ପୋର୍ଟାଲ ବ୍ୟବହାର କରିବା ଆବଶ୍ୟକ ବୋଲି ସମସ୍ତ ଅଧିକାରୀ ମାନଙ୍କୁ ସଚେତନ କରାଇଥିଲେ।

ସେହିପରି ଶିଶୁ ମାନଙ୍କ ମଧ୍ୟରେ ଡ୍ରଗ୍ମ ଏବଂ ନିଶା ସେବନ ରୋକିବା ପାଇଁ ମାନସିକ ରୋଗ ଚିକିତ୍ସକ ଡଃ ଆଲୋକ ଜ୍ୟୋତି ସାହୁ ପ୍ରାଞ୍ଜଳ ଭାବରେ ସମସ୍ତ ଅଧିକାରୀ ମାନଙ୍କୁ ସଚେତନ କରାଇଥିଲେ। ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ଯକ୍ଷା ରଞ୍ଜିତା ପଣ୍ଡା, ଅତିରିକ୍ତ ଶିଶୁ ମଙ୍ଗଳ ଅଧ୍ୟକ୍ଷ ସାନ୍ତୁନୁ କୁମାର ଦାଶ, ଜିଲ୍ଲା ପଞ୍ଚାଯତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ, ଡଃ ଇନ୍ଦ୍ରାଣୀ ରଥ, କିଶୋର ନ୍ୟାୟ ପରିଷଦ ‌ର ସଭ୍ୟ ସନ୍ତୋଷ କୁମାର ସାହୁ, ଶିଶୁ ମଙ୍ଗଳ ସମିତି ର ସଭ୍ୟ ବ୍ରଜ କିଶୋର ମହାପାତ୍ର, ସଭ୍ୟ/ ସୁମିତାରାଣୀ ଘୋସ ଏବଂ ସମସ୍ତ ସି ଡି ପି ଓ ପ୍ରମୁଖ ଅଂଶଗ୍ରହଣ କରି ଉପରୋକ୍ତ ବିଷୟ ଉପରେ ସଚେତନ କରାଇଥିଲେ।

ଏହି ଶିବିରକୁ ଜିଲା ଶିଶୁ ସୁରକ୍ଷା ୟୁନିଟ ର ପ୍ରୋବସନ ଅଧିକାରୀ ସୌମେନ୍ଦ୍ର ନାୟକ, ଅଶୋକ କୁମାର ସେଠୀ, ରଞ୍ଜନ କୁମାର ଗୋଛାୟତ, ମାନସ୍ପିନୀ ମହାପାତ୍ର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜାନୁଆରୀ ୩୧ ସୁଦ୍ଧା ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ଆଡପ୍ସନ୍ ଏଜେନ୍ସି!

ନୂଆଦିଲ୍ଲୀ: ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆଇନଗତଭାବେ ଉପଲବ୍ଧ ଶିଶୁଙ୍କ ସଂଖ୍ୟା ଏବଂ ପଞ୍ଜୀକୃତ ସମ୍ଭାବ୍ୟ ପୋଷ୍ୟ ପିତାମାତାଙ୍କ ସଂଖ୍ୟା ମଧ୍ୟରେ ଅସମାନତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ସୋମବାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଶିଶୁ ଯତ୍ନ ଅନୁଷ୍ଠାନରେ ପରିତ୍ୟକ୍ତ ଏବଂ ଆତ୍ମସମର୍ପଣ (ଓଏଏସ୍) ବର୍ଗର ପିଲାମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରତି ଦୁଇ ମାସରେ ଅଭିଯାନ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଡିସେମ୍ବର ୭ ତାରିଖ ସୁଦ୍ଧା ଏଭଳି ପ୍ରଥମ ପ୍ରକ୍ରିୟା କରାଯିବା ଉଚିତ ।

୨୦୨୪ ଜାନୁଆରି ୩୧ ସୁଦ୍ଧା ପ୍ରତ୍ୟେକ ଜିଲ୍ଲା ଭିତରେ ସ୍ୱତନ୍ତ୍ର ଆଡପ୍ସନ୍ ଏଜେନ୍ସି (ଏସ୍ଏଏ) ଗଠନ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଭେନାଇଲ ଜଷ୍ଟିସ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫କୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ନୋଡାଲ ବିଭାଗ ୨୦୨୪ ଜାନୁଆରୀ ୩୧ ସୁଦ୍ଧା କେନ୍ଦ୍ରୀୟ ପୋଷ୍ୟ ସମ୍ବଳ ପ୍ରାଧିକରଣ (କାରା)ର ନିର୍ଦ୍ଦେଶକ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ସଚିବଙ୍କୁ ସକାରାତ୍ମକ ଭାବେ ଅନୁପାଳନ ସମ୍ପର୍କରେ ଅବଗତ କରାଇବେ ବୋଲି ଖଣ୍ଡପୀଠ କହିଛନ୍ତି ।
୨୦୨୪ ଜାନୁଆରି ୩୧ ସୁଦ୍ଧା ହିନ୍ଦୁ ପୋଷ୍ୟ ଗ୍ରହଣ ଓ ରକ୍ଷଣାବେକ୍ଷଣ ଆଇନ (ହାମା) ଗ୍ରହଣ ସମ୍ପର୍କିତ ତଥ୍ୟ ସଂଗ୍ରହ କରି କାରା ନିର୍ଦେଶକଙ୍କ ନିକଟରେ ଦାଖଲ କରିବାକୁ ଖଣ୍ଡପୀଠ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ କହିଥିଲେ ଯେ ଭାରତରେ ଶିଶୁ ପୋଷ୍ୟ ଗ୍ରହଣ ପ୍ରକ୍ରିୟା ଅତ୍ୟନ୍ତ କଷ୍ଟକର ଏବଂ ଏହି ପ୍ରକ୍ରିୟାକୁ ‘ସୁବ୍ୟବସ୍ଥିତ’ କରିବାର ଜରୁରୀ ଆବଶ୍ୟକତା ରହିଛି ।

ଭାରତରେ ଶିଶୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆଇନଗତ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ‘ଦ ଟେମ୍ପଲ୍ ଅଫ୍ ହିଲିଂ’ର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଦେଶରେ ବାର୍ଷିକ ମାତ୍ର ୪,୦୦୦ ପୋଷ୍ୟ ସନ୍ତାନ ଗ୍ରହଣ କରାଯାଏ ।