Categories
ଆଜିର ଖବର ଆଞ୍ଚଳିକ

କରୋନା ଭାଇରସ ସଂକ୍ରମଣ ମୁକାବିଲା ନିମନ୍ତେ ଜଗତସିଂହପୁର ପୌର ପରିଷଦର ପଦକ୍ଷେପ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ପୌରପରିଷଦ ପକ୍ଷରୁ କରୋନା ଭାଇରସ ସଂକ୍ରମଣର ପ୍ରତିଷେଧକ ବ୍ୟବସ୍ଥା ଓ ଜନସାଧାରଣଙ୍କ ସଚେତନତା ନିମନ୍ତେ ସହରର ୨୧ଟି ୱାର୍ଡରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି। ୨୧ଟି ଫ୍ଲେକ୍‌ସ ବ୍ୟାନର, ଏକ ହଜାର ପୋଷ୍ଟର ସମସ୍ତ ୱାର୍ଡରେ ଲଗାଯାଇଥିବା ବେଳେ ୪ ହଜାର ଲିଫଲେଟ୍ ବଂଟନ କରାଯାଇଛି। ମ୍ୟୁନିସିପାଲଟି କାର୍ଯ୍ୟାଳୟ ସମ୍ମୁଖରେ ଏକ ସଚେତନତା ଷ୍ଟଲ ଖୋଲାଯାଇ ଜନସାଧାରଣଙ୍କୁ ସଚେତନ କରାଯାଉଛି।

ସମସ୍ତ ସ୍ୱଚ୍ଛସାଥୀ ଓ ସୁପରଭାଇଜର ମାନେ ଘରକୁ ଘର ବୁଲି ଲୋକମାନଙ୍କୁ ସଚେତନ କରୁଛନ୍ତି। ସମସ୍ତ ସ୍ୱଚ୍ଛସାଥୀ, ସୁପରଭାଇଜର ଓ ୱାର୍ଡ ଅଧିକାରୀମାନେ ବାହାରୁ ଆସୁଥିବା ଲୋକମାନଙ୍କ ସଂପର୍କରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୦ନମ୍ବର କେନାଲକୁ ପରିଷ୍କାର କରାଯାଇ ଜୀବାଣୁ ନାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସରଳାଦେବୀ କଲ୍ୟାଣ ମଣ୍ଡପ ଷ୍ଟେଟ ବ୍ୟାଙ୍କ ସମ୍ମୁଖ କଲ୍ୟାଣ ମଣ୍ଡପକୁ ଉତ୍ସର୍ଗୀକୃତ ଭାବେ ଅସ୍ଥାୟୀ ସଂଘରୋଧ ଆଶ୍ରୟସ୍ଥଳୀ ଭାବେ ପରିଣତ କରାଯାଇଛି।

ସହରରେ ଥିବା ସପିଙ୍ଗ ମଲ, ଜିମନାସିୟମ୍‌, ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରିବାପାଇଁ ନୋଟିସ୍ ଦିଆଯାଇଛି। ହୋମିଓପ୍ୟାଥିକ ମେଡିକାଲ ଅଫିସରଙ୍କୁ ନେଇ ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି। ସାନିଟେସନ ଟିମ୍ ଗଠନ କରାଯଇ ସମସ୍ତ ପ୍ରତିଷେଧକାତ୍ମକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପୌରପରିଷଦ କାର୍ଯ୍ୟାଳୟ ୨୪ ଘଂଟା ଖୋଲା ରଖାଯାଇ ସମସ୍ତ କର୍ମଚାରୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବିମଳ କୁମାର ଲେଙ୍କା ସୂଚନା ଦେଇଛନ୍ତି।