Categories
ଆଜିର ଖବର ଆଞ୍ଚଳିକ

ବାଣପୁର: ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପ୍ରତାପ ସ୍ପୋର୍ଟ୍ସ କ୍ଲବ

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ଛତିଶଗଡର ବୀଜାପୁର ଠାରେ ନକ୍ସଲ ଆକ୍ରମଣରେ ଦେଶର ୨୨ ଜଣ ବୀର ଯବାନ ସହିଦ ହୋଇଛନ୍ତି। ଏହାକୁ ନେଇ ସାରା ଦେଶ ସ୍ତବ୍ଧ ଏବଂ ଦୁଃଖିତ ଅଛି।

ଏହି ପରିପ୍ରେକ୍ଷୀରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ନିରବ କ୍ୟାଣ୍ଡେଲ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂଧ୍ୟାରେ ବାଣପୁର ବ୍ଲକ ଅନ୍ତର୍ଗତ ପ୍ରତାପ ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠିତ ପ୍ରତାପ ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ଉକ୍ତ ଶ୍ରଦ୍ଧାଞ୍ଜଳି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ସଂଗଠନର ପ୍ରାୟ ଚାଳିଶରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା ମାନେ ପ୍ରଥମେ ପ୍ରତାପ ଗ୍ରାମର ମା’ ଶୁଳିଆ ଦେବି ଏବଂ ବୁଢ଼ୀ ଠାକୁରାଣୀଙ୍କ ପ୍ରାଙ୍ଗଣରେ ସହିଦ ହୋଇଥିବା ୨୨ ଜଣ ଯବାନ ମାନଙ୍କପାଇଁ ୨୨ ଗୋଟି ପ୍ରଦୀପ ପ୍ରଜ୍ବଳନ କରି ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ।

ଏହାପରେ କର୍ମକର୍ତ୍ତା ମାନେ ପ୍ରତାପ ଗ୍ରାମ ପରିକ୍ରମା କରି ବାଣପୁର ଅଭିମୁଖେ ବାହାରିଥିଲେ। ବାଣପୁର ଗୋବିନ୍ଦପୁର ଛକଠାରୁ ମା’ ଭଗବତୀ ମନ୍ଦିର ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ମାନେ ହାତରେ କ୍ୟାଣ୍ଡେଲ ଧରି ନୀରବ ଭାବେ ପଦଯାତ୍ରା କରିଥିଲେ। ପରିଶେଷରେ ମା’ ଭଗବତୀଙ୍କ ନିକଟରେ ଦୀପଦାନ କରି ସହିଦ ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ପ୍ରତାପ ସ୍ପୋର୍ଟିଙ୍ଗ କ୍ଲବର ସଭାପତି ଗୌରାଙ୍ଗ ଚରଣ ସ୍ୱାଇଁ, ଉପ ସଭାପତି ମିହିର ସ୍ୱାଇଁ, ସମ୍ପାଦକ ଦୀପକ ସ୍ୱାଇଁ, ସାଧାରଣ ସମ୍ପାଦକ ପିଣ୍ଟୁ ବଳିୟାରସିଂହ, ସଂଚାଳକ ସାନୁ ବେହେରା ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ।