Categories
ଆଜିର ଖବର ରାଜ୍ୟ ଖବର

୩୦ଟି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା

କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସବୁବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି ବୋଲି ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି। ଏଥିରେ ସମସ୍ତ ଜିଲ୍ଲାର ଜିଲ୍ଲା ସଂପାଦକ ନିଜ ନିଜ ଜିଲ୍ଲାର ପଦାଧିକାରୀମାନଙ୍କ ସହ ପଟୁଆରରେ ଆସି ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସୂଚନାଥାଉକି, ବିଭିନ୍ନ ସମସ୍ୟା ନେଇ ସବୁବର୍ଗର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଦୀର୍ଘ ଦିନ ହେବ ସରକାରଙ୍କୁ ନିଜର ଦାବି ଜଣାଇ ଆସୁଛନ୍ତି। ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନ କ୍ରମେ ସମଗ୍ର ତିରିଶଟି ଜିଲ୍ଲାରେ ସବୁବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଶାଳ ପଟୁଆରରେ ଆସି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧରଣାରେ ବସିରହିଥିଲେ। ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଥିଲା।

ଏଥିରେ ଜିଲ୍ଲା ପଦାଧିକାରୀ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ, ରାଜ୍ୟ ପଦାଧିକାରୀବୃନ୍ଦ ନିଜ ନିଜ ଜିଲ୍ଲାରେ ଉପସ୍ଥିତ ଥିଲେ। ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ ଏବଂ ଗଣଶିକ୍ଷା ସଚିବଙ୍କ ନିକଟକୁ ଦାବିପତ୍ର ପ୍ରେରଣ କରାଯାଇଛି। ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ଏବଂ ଚାକିରୀ ସର୍ତ୍ତାବଳୀ ପ୍ରଦାନ, ୨୯୯ ଓ ୩୨୬ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ଆର.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରିବା, ୬୧୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ୧୧୦ ବାଳିକା ବିଦ୍ୟାଳୟକୁ ସରକାରୀ କରଣ,  ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦବୀ ପୂରଣ,  ୨୮୦୦, ୨୨୦୦, ୧୯୦୦ ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨ଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ମାନ୍ୟତା ପ୍ରଦାନ କରିବା ଓ ଉଚ୍ଚନ୍ୟାୟାଳୟର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା, ଆଲେଜେଡ଼୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ.ସି.ପି. କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା ଇତ୍ୟାଦି ଦାବି ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ରାଜ୍ୟର କାର୍ଯ୍ୟକାରୀ କମିଟି ଓ ପଦାଧିକାରୀ ଓ ଅନ୍ୟ ନେତୃତ୍ୱକାରୀ ସାଥୀମାନେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଯଦି ସରକାର ଏହି ବିଷୟରେ ଆସନ୍ତା ୬ ତାରିଖ ସୁଦ୍ଧା କୌଣସି ନିଷ୍ପତ୍ତି ଗ୍ରହଣ ନକରନ୍ତି ଆଗମୀ ଫେବୃୟାରୀ ୭ ତାରିଖରେ ରାଜଧାନୀର ରାଜରାସ୍ତାରେ ଓଷ୍ଟାର ଅହୋରାତ୍ର ଧାରଣା ଜାରି ରହିବ ଓ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଶିକ୍ଷକମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗଣମାଧ୍ୟମ ଉପରେ ଆକ୍ରମଣର ପ୍ରତିବାଦରେ ସି ପି ଆଇ (ଏମ୍), କଂଗ୍ରେସର ପ୍ରତିବାଦ ସଭା

ରଣପୁର: କେନ୍ଦ୍ର ମୋଦୀ ସରକାର ମନ୍ଦ ଉଦ୍ଦେଶ୍ୟ ରଖି ଇଡି ଲଗାଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଉପରେ ଗତ ୩ ତାରିଖ ଦିନ ଦିଲ୍ଲୀରେ କରିଥିବା ଆକ୍ରମଣର ତୀବ୍ର ବିରୋଧ କରି ଆଜି ଅପରାହ୍ନ ୪ ଟାରେ ରଣପୁର ପଞ୍ଚୁଦୋଳ ପଡିଆ ସହିଦ ରଘୁ ଦିବାକର ମଣ୍ଡପ ଠାରେ ସି ପି ଆଇ (ଏମ), ଜାତୀୟ କଂଗ୍ରେସ ଓ ନାଗରିକ ସମାଜ ତରଫରୁ ଏକ ଗଣପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି।

ନିତ୍ୟାନନ୍ଦ ପରିଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ ବିଜେପି ନେତୃତ୍ବାଧୀନ ମୋଦୀ ସରକାର ଓ ରାଜ୍ୟ ବିଜେଡି ସରକାରଙ୍କର ଗଣମାଧ୍ୟମ ସଂସ୍ଥା ଓ ତାର ସାମ୍ବାଦିକ ମାନଙ୍କ ଉପରେ କରିଥିବା ଲଗ୍ନ ଆକ୍ରମଣ ର ନିନ୍ଦା କରିବା ସହ ତୀବ୍ର ସମାଲୋଚନା କରିଥିଲେ। ମଣିପୁରରେ ମହିଳା ଉପରେ, ଚାଷୀ ଶ୍ରମିକ ଶ୍ରେଣୀ ଉପରେ କେନ୍ଦ୍ର ସରକାରଙ୍କ ଆକ୍ରମଣକୁ ଚପେଇ ଦେବାର ଉଦ୍ୟମ ଏବଂ ଭାରତ ବର୍ଷର ଗଣତନ୍ତ୍ର,ସମ୍ବିଧାନ ଓ ସ୍ୱାଧୀନ ବ୍ୟବସ୍ଥା ଗୁଡିକ ଉପରେ ଆକ୍ରମଣର ପର୍ଦ୍ଦାଫାସ କରୁଥିବା ଦିଲ୍ଲୀର ନିଉଜୁ କ୍ଲିକ ସମେତ ଅନ୍ୟ ସଂସ୍ଥାର ସାମ୍ବାଦିକଙ୍କ ଉପରେ ଇଡି ଚଢ଼ାଉ କରିବା ସହ ପ୍ରାୟ ୮୦ ଟି ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ସହ ଲାପଟପ ମଧ୍ୟ ସିଜି କରି ଭୟଭୀତ କରିବା ଓ ଗିରଫ କରି ଜେଲ ନେବା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି ବକ୍ତା ମାନେ କହିଥିଲେ।

ଗଣମାଧ୍ୟମ ଭଳି ସ୍ୱାଧୀନ ସଂସ୍ଥା ଗୁଡିକ ବହୁ ଲୁକାୟିତ ଘଟଣା କୁ ଲୋକ ଲୋଚନ କୁ ଆଣିବା ସହ ସମାଜରେ ଜାଗ୍ରତ ପ୍ରହରିଭାବେ କାମ କରୁଛନ୍ତି। ଏଭଳି ସ୍ୱାଧୀନ ସଂସ୍ଥା ଗୁଡିକର କଣ୍ଠ ରୋଧ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗଣତନ୍ତ୍ର କୁ ହତ୍ୟା କରିବାର ପ୍ରୟାସ ବିରୋଧରେ ଜନତା ଜନାର୍ଦ୍ଦନ ଜାଗି ଉଠିବାକୁ ବକ୍ତା ମାନେ ଆହ୍ବାନ ଦେଇଥିଲେ।

ଆଜିର ପ୍ରତୀକାତ୍ମକ ଆନ୍ଦୋଳନ ଭବିଷ୍ୟତରେ ଦୁର୍ବାର ଆନ୍ଦୋଳନରେ ପରିଣତ ହେବ ଏଥିପାଇଁ ଉଭୟ ସରକାର ଉଚିତ ଦଣ୍ଡ ପାଇବେ ବୋଲି ବକ୍ତା ମାନେ ଚେତାବନୀ ଦେଇଥିଲେ।

ଏହି ପ୍ରତିବାଦ ସଭାରେ ବରିଷ୍ଠ ବାମପନ୍ଥୀ ନେତା ହରିଶ୍ଚନ୍ଦ୍ର ମିଶ୍ର ,ନିତ୍ୟାନନ୍ଦ ପରିଡା, କଂଗ୍ରେସ ନେତା ସତ୍ୟବ୍ରତ ନାୟକ, ଶ୍ରମିକ ନେତା ସୁରେଶ ସ୍ବାଇଁ, ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ, ଦୁଃଶାସନ ଜେନା, ଶତ୍ରୁଘ୍ନ ବରାଡ଼, ଆଇନଜୀବୀ ସତ୍ୟରଞ୍ଜନ ମତା, ସଂଯୁକ୍ତା ସେଠୀ, ସୁଶୀଲ ମହାନ୍ତି, କୁଳମଣି ପଲେଇ, ସବ୍ୟସାଚୀ ସେନାପତି, ପ୍ରଭାତ ଦଳେଇ, କୃଷ୍ଣ ସେଠୀ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।