Categories
ଆଜିର ଖବର ଜାତୀୟ ଖବର

ପାକିସ୍ତାନ ଏବଂ ଚୀନ୍‌ ସହ ବିବାଦ ମଧ୍ୟରେ ପ୍ରତିରକ୍ଷା ବଜେଟ୍ ବୃଦ୍ଧି କଲେ ଭାରତ ସରକାର, ଏହା ଯଥେଷ୍ଟ କି?

ନୂଆଦିଲ୍ଲୀ: ଚୀନ୍ ଏବଂ ପାକିସ୍ଥାନ ସହ ତିକ୍ତତା ମଧ୍ୟରେ ଭାରତ ସରକାର ପ୍ରତିରକ୍ଷା ବଜେଟକୁ ପ୍ରାୟ ୭୦ ହଜାର କୋଟି ଟଙ୍କା ବୃଦ୍ଧି କରିଛନ୍ତି। ୨୦୨୩-୨୪ ପାଇଁ ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୫.୯୪ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅଧିକାଂଶ ବଜେଟ୍ ଯବାନମାନଙ୍କ ପାଇଁ ଆବଶ୍ୟକ ମୌଳିକ ଉନ୍ନତି ପାଇଁ ବ୍ୟବହୃତ ହେବ।

୨୦୨୨-୨୩ ରେ ପ୍ରତିରକ୍ଷା ବଜେଟ୍ କ’ଣ ଥିଲା?:

୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ସରକାର ସୁରକ୍ଷା ବଜେଟକୁ ୯.୮୬ ପ୍ରତିଶତ ବୃଦ୍ଧି କରିଛନ୍ତି। ୨୦୨୨ ର ବଜେଟରେ ସେନା କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି ପାଇଁ ସରକାର ୪୭ ହଜାର କୋଟି ଟଙ୍କା ବୃଦ୍ଧି କରିଥିଲେ। ୨୦୨୨-୨୩ ରେ ପ୍ରତିରକ୍ଷା ବଜେଟ୍ ଥିଲା ୫.୨୫ ଲକ୍ଷ କୋଟି ଟଙ୍କା।

୫ ବର୍ଷରେ ପ୍ରତିରକ୍ଷା ବଜେଟ୍ କେବେ ଏବଂ କେତେ ବୃଦ୍ଧି ପାଇଲା?:

୨୦୧୯- ୨୦ ରେ ୪.୩୧ ଲକ୍ଷ କୋଟି ଟଙ୍କା।

୨୦୨୦-୨୧ ରେ ୪.୭୧ ଲକ୍ଷ କୋଟି ଟଙ୍କା।

୨୦୨୧-୨୨ ରେ ୪.୭୮ ଲକ୍ଷ କୋଟି ଟଙ୍କା।

୨୦୨୨-୨୩ ରେ ୫.୨୫ ଲକ୍ଷ କୋଟି ଟଙ୍କା।

ବଜେଟ୍ କାଟକୁ ତାଗିଦ୍ କଲା ସଂସଦୀୟ କମିଟି:

ମେ ୨୦୨୨ ରେ ସଂସଦର ପ୍ରତିରକ୍ଷା କମିଟି ଏକ ରିପୋର୍ଟ ଜାରି କରିଥିଲା। ରିପୋର୍ଟରେ କୁହାଯାଇଛି ଯେ, ୧୯୬୨ ପରେ ସରକାର ୨୦୨୨ ମସିହାରେ ସର୍ବନିମ୍ନ ପ୍ରତିରକ୍ଷା ବଜେଟ୍ ବଜାୟ ରଖିଛନ୍ତି।

ଚିନ୍ତା ପ୍ରକଟ କରି କମିଟି କହିଛି ଯେ, ଭାରତୀୟ ସେନା ଦୁଇଟି ମୋର୍ଚ୍ଚାରେ ଯୁଦ୍ଧ କରୁଛି। ଏଭଳି ପରିସ୍ଥିତିରେ ବଜେଟ୍ କାଟିବା ବୁଝିବା ବାହାରେ।

ସାମରିକ ଗବେଷଣା ପାଇଁ ଭାରତ ୧% ରୁ କମ୍ ଖର୍ଚ୍ଚ:

ସଂସଦର ପ୍ରତିରକ୍ଷା କମିଟି ଅନୁଯାୟୀ ମୋଟ ବଜେଟର ୧ ପ୍ରତିଶତରୁ କମ୍ ଭାରତରେ ସାମରିକ ତଥା ଆନୁଷଙ୍ଗିକ ଅନୁସନ୍ଧାନ କାର୍ଯ୍ୟରେ ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷରେ, ଶତ୍ରୁ ଦେଶ ଚୀନ୍ ସୁରକ୍ଷା ସମ୍ବନ୍ଧୀୟ ଅନୁସନ୍ଧାନ ପାଇଁ ମୋଟ ପ୍ରତିରକ୍ଷା ବଜେଟର ୨୦% ଖର୍ଚ୍ଚ କରିଥାଏ।