Categories
ବିଶେଷ ଖବର ରାଜ୍ୟ ଖବର

୨୭ରେ ଭୁବନେଶ୍ୱର ଓ ଜାନୁୟାରୀ ୨୪ରେ ଦିଲ୍ଲୀରେ ରାଜ୍ୟସ୍ତରୀୟ ବିଶାଳ ପାଇକ ଜନଗର୍ଜନ ସମାବେଶ

ଭୁବନେଶ୍ୱର: ୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବିରେ ଓ ଖୋର୍ଦ୍ଧାରେ ପ୍ରସ୍ତାବିତ ପାଇକ ସ୍ମୃତିସ୍ତମ୍ଭ ନିର୍ମାଣ ଜାଗାକୁ ବିନା ମୂଲ୍ୟରେ ପ୍ରଦାନ କରିବା ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱରସ୍ଥ ହୋଟେଲ କେଶରୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି ଓ ସଂଯୋଜକ ଗଣେଶ ସାମନ୍ତ ଯୋଗଦାନ କରିଥିଲେ।

ବୀର ମହାସଂଘର ସଭାପତି ଡଃ ପ୍ରକଶ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି ଯେ, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବିରେ ଓ ଖୋର୍ଦ୍ଧାରେ ପାଇକ ସ୍ମୃତିସ୍ତମ୍ଭ ପାଇଁ ପ୍ରସ୍ତାବିତ ସ୍ଥାନକୁ ବିନା ମୂଲ୍ୟରେ ପ୍ରଦାନ ଦାବିରେ ଆସନ୍ତା ୨୭ରେ ଆଉ ଏକ ରାଜ୍ୟସ୍ତରୀୟ ବିଶାଳ ଜନଗର୍ଜନ ପାଇକ ସମାବେଶ ଓ ଶୋଭାଯାତ୍ରା ଦିବା ୧୨ ଘଟିକା ସମୟରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ରାମ ମନ୍ଦିର ଛକ ଦେଇ ଏକାମ୍ର ହାଟ ନିକଟରେ ପହଞ୍ଚିବେ। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ଯେପର୍ଯ୍ୟନ୍ତ ଏହି ଦାବିଗୁଡ଼ିକ ପୂରଣ ନହୋଇଛି, ସେପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିବ।

ସେହିପରି ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କର ଶ୍ରାଦ୍ଧ ଉତ୍ସବ ଜାନୁୟାରୀ ୨୪ ତାରିଖ ଦିନ ଦେଶର ରାଜଧାନୀ ଦିଲ୍ଲୀର ଲାଲ୍ଲକିଲାରେ ପାଳନ କରାଯିବ।

ଏହି ଉତ୍ସବକୁ ବିଜେଡ଼ି ଦଳର ସମସ୍ତ ସାଂସଦ, ବିଜେପି ଦଳର ସମସ୍ତ ସାଂସଦ ଏବଂ କଂଗ୍ରେସ ଦଳର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରାଯିବ। ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଯଦି ଏହା ସତ୍ତ୍ୱେ ଦାବି ପୂରଣ ନ ହୁଏ, ତେବେ ପ୍ରୟୋଜନ ହେଲେ ପାର୍ଲାମେଣ୍ଟ ଘେରାଉ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିରେ ଯୋଗଦାନ କରିବାକୁ ଚାହୁଁଥିବା ପାଇକ ଦଳମାନେ ଫୋନ୍ ନମ୍ବର ୯୪୩୭୨୮୭୮୦୬ ସହ ଯୋଗାଯୋଗ କରିବାକୁ ସଂଘ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ୨୭ରେ ଆଉ ଏକ ରାଜ୍ୟସ୍ତରୀୟ ବିଶାଳ ଜନଗର୍ଜନ ପାଇକ ସମାବେଶ

ଭୁବନେଶ୍ୱର: ୧୮୧୭ ମସିହାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆଜି ମହାମହୀମ ରାଜ୍ୟପାଳଙ୍କ ମାଧ୍ୟମରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ଓଡ଼ିଶା ବୀର ମହାସଂଘର ସାଧାରଣ ସମ୍ପାଦକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, କାର୍ଯ୍ୟକ୍ରମ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ବିଶିଷ୍ଟ ଐତିହାସିକ ରବୀନ୍ଦ୍ରନାଥ ପରିଡ଼ା, ସମାଜସେବୀ ଗଣେଶ ସାମନ୍ତ ପ୍ରମୁଖ ଏକ ପ୍ରତିନିଧି ଦଳ ମହାସଂଘ ପକ୍ଷରୁ ରାଜଭବନ ଯାଇ, ପାଇକ ବିଦ୍ରୋହ କିପରି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ସେ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। କାରଣ ୧୮୧୭ ମସିହାରେ ପାଇକ ବିଦ୍ରୋହ ଖୋର୍ଦ୍ଧାରୁ ଆରମ୍ଭ ହୋଇଥିବା ବେଳେ ୧୮୫୭ ମସିହାରେ ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା। ତେଣୁ ଐତିହାସିକ ତଥ୍ୟ ଦୃଷ୍ଟିକୋଣରୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବୋଲି ଘୋଷଣା କରିବାକୁ ରାଜ୍ୟପାଳଙ୍କ ମାଧ୍ୟମରେ ଦେଶର ମହାମହୀମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହାସଂଘର ପ୍ରତିନିଧିମାନେ ଦାବିପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ଆଉ ଏକ ରାଜ୍ୟସ୍ତରୀୟ ବିରାଟ ଜନଗର୍ଜନ ସମାବେଶ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ବୋଲି ମହାସଂଘ ତରଫରୁ ଘୋଷଣା କରାଯାଇଛି । ଯଦି ସରକାର ଏହା ସତ୍ତ୍ୱେ ଦାବି ପୂରଣ ନ କରନ୍ତି, ତେବେ ଆସନ୍ତା ଜାନୁୟାରୀ ମାସ ୨୪ ତାରିଖ ପାଇକ ବିଦ୍ରୋହର ମହାନ୍ ସେନାପତି ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଉତ୍ସବ ଦିଲ୍ଲୀର ଲାଲକିଲ୍ଲାରେ ପାଳନ କରାଯିବ।

ଏହି ଉତ୍ସବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ଦଳର ସମସ୍ତ ସାଂସଦ, ବିଜେଡ଼ି ଦଳର ସମସ୍ତ ସାଂସଦ ଓ କଂଗ୍ରେସ ଦଳର ସାଂସଦଙ୍କୁ ନିମନ୍ତ୍ରଣ କରାଯିବ। ଏହା ସହ ପାଇକ ଆଖଡ଼ା ସେଠାରେ ପ୍ରଦର୍ଶନ କରାଯିବ ଓ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ପାଇଁ ବୋଲି ମହାସଂଘ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି।

ଏହି ରାଜ୍ୟସ୍ତରୀୟ ପାଇକ ସମାବେଶରେ ଯୋଗଦାନ କରିବା ପାଇଁ ଯେଉଁ ପାଇକ ଦଳମାନେ ଚାହୁଁଛନ୍ତି, ସେମାନେ ଫୋନ୍ ନଂ-୯୪୩୭୨୮୭୮୦୬ ସହ ଯୋଗାଯୋଗ କରିବାକୁ ମହାସଂଘ ତରଫରୁ ନିବେଦନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ନାଗରିକ ସମାଜର ଦାବି: ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପାଉ

ଭୁବନେଶ୍ୱର: ଓଡ଼ିଶା ନାଗରିକ ସମାଜର ୧୨ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ’ ଶୀର୍ଷକ ଆଲୋଚନା ଚକ୍ରରେ ରାଜ୍ୟର ବହୁ ବୁଦ୍ଧିଜୀବୀ, ଐତିହାସିକ, ଗବେଷକ, ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ଯୋଗଦେଇ ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ।

ଓଡ଼ିଶା ନାଗରିକ ସମଜାର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଐତିହାସିକ ପ୍ରଫେସର ନାରାୟଣ ରାଓ ମତବ୍ୟକ୍ତ କରି କହିଥିଲେ ଯେ, ଓଡ଼ିଶା ପାଇକ ବିଦ୍ରୋହ ଯେ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ, ଏ ନେଇ ଅନେକ ଗବେଷଣାତ୍ମକ ତଥ୍ୟ ରହିଛି ଏବଂ ଏହାକୁ ଗବେଷଣା ପରିଷଦରେ ସଠିକ୍ ଭାବରେ ଉପସ୍ଥାପନ କରି ପ୍ରମାଣିତ କରିବାର ଆବଶ୍ୟକତା ରହିଛି। ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ମାନ୍ୟତା ଦେବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ଓଡ଼ିଆ ଏକବଦ୍ଧ ହୋଇ ଆଗେଇ ଆସିବା ଉଚିତ୍ ବୋଲି ମୁଖ୍ୟ ଅତିଥି ଖଣ୍ଡପଡ଼ା ବିଧାୟକ ଓ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ।

ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନେତା ପ୍ରସାଦ ହରିଚନ୍ଦନ ଓଡ଼ିଆ ଜାତିର ବୀରତ୍ୱ ଓ ଐତିହ୍ୟର ସ୍ମୃତି ରୋମନ୍ଥନ କରିଥିଲେ। ଲଢୁଆ ଓଡ଼ିଆ ଜାତି କେବେ ଶୋଇନାହିଁ କି ଶୋଇବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ।

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପାଇକ ବିଦ୍ରୋହ ଯେ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଗଣବିଦ୍ରୋହ ଏହା ଦୃଢ ଭାବେ କହିଥିଲେ।

ପୂର୍ବତନ ସାଂସଦ ବ୍ରଜକିଶୋର ତ୍ରିପାଠୀ ଓ ଓଡ଼ିଶା ନାଗରିକ ସମାଜର ମୁଖ୍ୟ ଉପଦେଷ୍ଟା ଡଃ ଭଗବାନ ପ୍ରକାଶଙ୍କ ସୁଚିନ୍ତିତ ମାର୍ଗ ଦର୍ଶନରେ ଏହି ଦାବୀ ପୂରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ଏବଂ ଆବଶ୍ୟକସ୍ଥଳେ ଏହା ଏକ ଆନ୍ଦୋଳନରେ ପରିଣତ କରାଯିବାର ପ୍ରସ୍ତାବ ମଧ୍ୟ ଦେଇଥିଲେ।

ଏହି ଅବସରରେ ଐତିହାସିକ ପ୍ରଫେସର ନାରାୟଣ ରାଓ, ରିକ୍ସାଚାଳକଙ୍କୁ ସମସ୍ତ ସମ୍ପତ୍ତି ଦାନ କରି ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଥିବା ଶ୍ରୀମତୀ ମିନତୀ ପଟ୍ଟନାୟକ ଓ ନାଲ୍‌କୋର ପୂର୍ବତନ ନିର୍ଦ୍ଦେଶକ ଶଶୀଭୂଷଣ ନାୟକଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଶୋଭନୀୟ ଶିକ୍ଷାଶ୍ରମର କୁନି କୁନି ଝିଅମାନେ ନୃତ୍ୟ ପରିବେଷଣ କରିଥିଲେ।

ଓଡ଼ିଶା ନାଗରିକ ସମାଜର ଉପସଭାପତି ଡଃ ରୀନା ରାଉତରାୟଙ୍କ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମ ପ୍ରରମ୍ଭରେ ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରତିଷ୍ଠାତା ସମ୍ପାଦକ ମଜୋନ ଜେନା ଓଡ଼ିଶା ନାଗରିକ ସମାଜର ଦୀର୍ଘ ବାରବର୍ଷର ଯାତ୍ରା, ସଂଘର୍ଷ ଓ ସଫଳତା ଉପରେ ଆଲୋକପାତ କରିଥିଲେ। ଲିଲି ଜେନାମଣି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଓ ଶେଷରେ ଭକ୍ତଚରଣ ଧନ୍ୟବାଦ ଅର୍ପଣ କରିଥିଲେ। ଅପର୍ଣ୍ଣା ନାୟକ, ଡଃ ଅରୁନ୍ଧତୀ ଦେବୀ, ଆଇନଜୀବୀ ବୀର କିଶୋର ନାୟକ, ଦିଲ୍ଲୀପ ହରିଚନ୍ଦନ, ମାନସ ଜେନା, ସଞ୍ଜୟ ପଟ୍ଟନାୟକ, ପ୍ରମୋଦ ସାମନ୍ତରାୟ, ଜ୍ୟୋତ୍ସ୍ନା ଦାସ, ବାସୁଦେବ ଭଟ୍ଟ ପ୍ରମୁଖଙ୍କ ପରିଚାଳନାରେ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ସେମାନଙ୍କର ସୁଚିନ୍ତିତ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ: ଓଡ଼ିଶା ନାଗରିକ ସମାଜ

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ମନା କରିଦେବା ପରେ ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ରାଜ୍ୟର କୌଣସିସ୍ତରରେ ଏହାକୁ ଗ୍ରହଣ କରାଯାଉ ନଥିବାରୁ ଓଡ଼ିଶା ନାଗରିକ ସମାଜ ଏହି ଘଟଣାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଛି। ଆବଶ୍ୟକ ହେଲେ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାର ବହୁସଂଖ୍ୟକ ପାଇକ ଧାରଣା ଦେବେ।

ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ଆଲୋଚନା କରିବା ପାଇଁ ଓଡ଼ିଶା ନାଗରିକ ସମାଜ ତାର ପ୍ରତିଷ୍ଠା ଦିବସରେ ଏକ ଆଲୋଚନାଚକ୍ରର ଆୟୋଜନ କରିଛି। ଏହି ଆଲୋଚନାଚକ୍ର ଡ଼ିସେମ୍ବର ୧୮ ତାରିଖ ୧୦.୩୦ମିନିଟ୍ ସମୟରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହେବ।

ଏହି ଉତ୍ସବରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେପିର ପୃଥ୍ୱୀରାଜ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ପ୍ରସାଦ ରହିଚନ୍ଦନ, ପ୍ରଫେସର ନାରାୟଣ ରାଓ ଅତିଥି ଭାବେ ଯୋଗ ଦେବେ। ଏହି ଉତ୍ସବରେ କଟକର ବଦାନ୍ୟ ମହିୟସୀ ମହିଳା ମୀନତି ପଟ୍ଟନାୟକ, ଇଞ୍ଜିନିୟର ଶଶୀଭୂଷଣ ନାଏକ ଐତିହାସିକ ପ୍ରଫେସର ନାରାୟଣ ରାଓଙ୍କୁ ସମ୍ମାନିତ କରାଯିବ ବୋଲି ସଭାପତି ଲଳିତ ମୋହନ ପଟ୍ଟନାୟକ, ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ପ୍ରତିଷ୍ଠାତା ସମ୍ପାଦକ ମନୋଜ ଜେନା ଜଣାଇଛନ୍ତି।