Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଚଳିତ ରଥଯାତ୍ରାର ସୁପରିଚାଳନା ନେଇ ବୈଠକ

ଭୁବନେଶ୍ୱର: ଓଡ଼ିଆମାନଙ୍କର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାର କେନ୍ଦ୍ରବିନ୍ଦୁ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ରଥଯାତ୍ରା ହେଉଛି ଓଡ଼ିଆ ଜାତିର ସବୁଠାରୁ ଶ୍ରେଷ୍ଠ ପର୍ବ। ଦେଶବିଦେଶରୁ ଭକ୍ତମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଆସନ୍ତି। ଚଳିତ ରଥଯାତ୍ରାରେ ସୂଚନା ଓ ଲୋକସଂପର୍କ ବିଭାଗ ଉପରେ ନ୍ୟସ୍ତ ସମସ୍ତ କାର୍ଯ୍ୟକୁ ଅଧିକ ଆନ୍ତରିକତା ଓ ବ୍ୟବସ୍ଥିତ ଢଙ୍ଗରେ ନିର୍ବାହ କରି ରଥଯାତ୍ରାକୁ ଅଧିକ ସରସସୁନ୍ଦର କରିବା ପାଇଁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି।

ଆଜି ଲୋକସଂପର୍କ ଭବନସ୍ଥିତ ସମ୍ମିଳନୀ କକ୍ଷରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୩ ଉପଲକ୍ଷେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଅମାତ ବିଗତ ବର୍ଷମାନଙ୍କରେ ଦେଖଯାଇଥିବା ଅସୁବିଧାଗୁଡ଼ିକର ସମାଧାନ ଉପରେ ବିଶେଷ ଦୃଷ୍ଟି ଦେଇ ଚଳିତ ବର୍ଷର ରଥାଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ କହିଲେ ଯେ ରଥଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ପ୍ରତୀକ। ରଥଯାତ୍ରାରେ ନିର୍ଦ୍ଦିଷ୍ଟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ସୂଚନା ଓ ଲୋକସଂପର୍କ ବିଭାଗକୁ ସୁଯୋଗ ଦେଇଛନ୍ତି। ଏହା ବିଭାଗ ପାଇଁ ଗର୍ବ ଓ ଗୌରବର ବିଷୟ। ବିଭାଗ ଉପରେ ନ୍ୟସ୍ତ ଦାୟିତ୍ୱଗୁଡ଼ିକୁ ଗତବର୍ଷ ତୁଳନାରେ ଅଧିକ ସୁଚାରୁ ରୂପେ ସଂପାଦିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ରଥଯାତ୍ରା ବିଶେଷାଙ୍କ ତଥା ଜଗନ୍ନାଥ ଜଣାଣ ଆଦି ପୁସ୍ତିକାର ପ୍ରକାଶନ ଏବଂ ଭକ୍ତମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୁରୀଠାରେ ଏହାର ବିକ୍ରୟ ଉପରେ ମତ ରଖିଥିଲେ।
ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ଦେବା ସହ ଆଲୋଚନା ନିମେନ୍ତ ବିଭିନ୍ନ ବିଷୟ ଉପସ୍ଥାପନ କରିଥିଲେ। ଆଲୋଚନାରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ରଥଯାତ୍ରାର ସିଧା ପ୍ରସାରଣ କରାଯିବ ଓ ବିଭିନ୍ନ ବୈଦୁ୍ୟତିକ ଗଣମାଧ୍ୟମକୁ ଲାଇଭ୍‌ କମନ୍‌ ଫିଡ୍‌ ଯୋଗାଇ ଦିଆଯିବ। ଭକ୍ତମାନଙ୍କ ସୁବିଧା ନିମନ୍ତେ ପୁରୀର ୧୧ଟି ପ୍ରମୁଖ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ କରାଯିବ। ବିଭାଗ ପକ୍ଷରୁ ସମସ୍ତ ସୂଚନା କେନ୍ଦ୍ରରେ ପାଲା, ଦାସକାଠିଆ, ଘୋଡ଼ାନାଚ ଇତ୍ୟାଦି ଲୋକକଳା ଏବଂ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପ୍ରତ୍ୟେକ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ଭଜନ ସମାରୋହ ଆୟୋଜିତ ହେବ।

ମହାନ ଜଗନ୍ନାଥ ସଂସ୍କୃତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ଆଧାରିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ। ରଥଯାତ୍ରା ସଂପର୍କିତ ଖବର ସଂଗ୍ରହ ପାଇଁ ରାଜ୍ୟସ୍ତରୀୟ ସାମ୍ବାଦିକମାନଙ୍କ ପୁରୀ ଗସ୍ତ ଉପରେ ଆଲୋଚନା ହୋଇଥିଲା। ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ନେଇ ସାମାଜିକ ଗଣମାଧ୍ୟମ, ଖବରକାଗଜ, ରେଡ଼ିଓ ଜିଙ୍ଗିଲ୍‌ ଓ ବୈଦୁ୍ୟତିକ ଗଣମାଧ୍ୟମରେ ବିଜ୍ଞାପନ ପ୍ରସାରଣ କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କିତ ବିବରଣୀ ହୋଡିଙ୍ଗ୍‌ ମାଧ୍ୟମରେ ପ୍ରଦର୍ଶିତ ହେବ।

ଏହି ଅବସରରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ, ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ପଣ୍ୟାଗାର ନିଗମକୁ ବେଷ୍ଟ ଏମ୍ପ୍ଲୟର ବ୍ରାଣ୍ଡ ସମ୍ମାନ

ଭୁବନେଶ୍ୱର: ଓଡିଶା ରାଜ୍ୟ ପଣ୍ୟାଗାର ନିଗମକୁ ବେଷ୍ଟ ଏମ୍ପ୍ଲୟର ବ୍ରାଣ୍ଡ ସମ୍ମାନ-୨୦୨୩ରେ ପୁରସ୍କୃତ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ନିଗମର ପରିଚାଳନା ନିର୍ଦ୍ଦେର୍ଶକ ଗଣେଶ୍ୱର ଜେନାଙ୍କୁ ଏହି ଆୱାର୍ଡ ପ୍ରଦାନ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଣ୍ୟାଗାରଗୁଡିକର ସୁପରିଚାଳନା ପାଇଁୱେୟାରହାଉସ ମ୍ୟାନେଜମେଣ୍ଟ ସଲ୍ୟìସନର କାର୍ଯ୍ୟକାରିତା ନିମନ୍ତେ ନିଗମକୁ ସ୍କଚ୍‌ ଆୱାର୍ଡରେ ସମ୍ମାନିତ କରାଯାଇଛି। ନିଗମର ୪୪ଟି ପଣ୍ୟାଗାର ୱେୟାରହାଉସିଂ ଡେଭ୍‌ଲପ୍‌ମେଣ୍ଟ ଆଣ୍ଡ ରେଗୁଲେଟୋରୀ ଅଥରିଟି (ଡବ୍ଳୁ୍ୟଡିଆର୍‌ଏ) କର୍ତ୍ତୃପକ୍ଷଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବାରୁ କୃଷକ ଓ ଜମାକାରୀମାନେ ଗୋଦାମରେ ଗଚ୍ଛିତ ଶସ୍ୟ ପାଇଁ ହସ୍ତାନ୍ତର ଯୋଗ୍ୟ ପଣ୍ୟାଗାର ରସିଦ ମାଧ୍ୟମରେ ବ୍ୟାଙ୍କ ଋଣର ସୁବିଧା ପାଇପାରିବେ। ପଣ୍ୟାଗାରଗୁଡିକର ବ୍ୟବସାୟିକ ପରିଚାଳନାକୁ ମୂଲ୍ୟାୟନ କରାଯାଇ କର୍ମକ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ତତ୍ତ୍ୱାବଧାରକମାନଙ୍କୁ ପୁରସ୍କୃତ କରାଯିବା ପାଇଁ ନିଗମର ପରିଚାଳନା ମଣ୍ଡଳୀ ବୈଠକରେ ଅନୁମୋଦନ କରାଯାଇଛି।

ମାନବସମ୍ବଳ କ୍ଷେତ୍ରରେ ନିଗମକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିବାରୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଏସ୍‌. କେ. ଚଢା ଓ ନିଗମର ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢାଇ ନିଗମର କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଗୌରବମୟ ଅତୀତ ଓ ବର୍ତ୍ତମାନକୁ ଏକତି୍ରତ କରି ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟ, ପ୍ରତିଷ୍ଠା, କ୍ରମବିକାଶ ଓ ସମୃଦ୍ଧିର ବାର୍ତ୍ତାବହନ କରିଛି। ମନ୍ଦିରମାଳିନୀ ଭୁବନେଶ୍ୱର ଆଜି ଭାରତର ଏକ ଅତ୍ୟାଧୁନିକ ସହରରେ ପରିଣତ ହୋଇଛି। ଦୀର୍ଘ ୭୫ ବର୍ଷର ଇତିହାସକୁ ଏହି ପ୍ରଦର୍ଶନୀରେ ଯେଉଁଭଳି ସାବଲୀଳ ଢଙ୍ଗରେ ସ୍ଥାନିତ କରାଯାଇଛି ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି।

ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଅମାତ ଉଦ୍‌ଘାଟନ କରିବା ସହ ଏହାକୁ ବୁଲି ଦେଖିଥିଲେ।

ଉଦ୍‌ଘାଟନ ସମୟରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଉତ୍କଳ ପ୍ରସଙ୍ଗର ସଂପାଦିକା କସ୍ତୁରୀ ମହାପାତ୍ର, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର କର୍ମକର୍ତ୍ତାଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି ଫଟୋଚିତ୍ରଗୁଡ଼ିକ ସମ୍ବନ୍ଧରେ ଅତିଥିମାନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ଏହି ସ୍ୱତନ୍ତ୍ର ଓ ସୁନ୍ଦର ପ୍ରଦର୍ଶନୀଟି ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ ଘଟିକାରୁ ରାତି ୯ ଘଟିକା ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ, ବିଶେଷ ଆକର୍ଷଣ ମିଲେଟ୍‌ ମିଶନ

ଭୁବନେଶ୍ୱର: ଆଜି ଅପରାହ୍ନରେ ନୂଆଦିଲ୍ଲୀ ପ୍ରଗତି ମଇଦାନଠାରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନକୁ ପଂଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତର୍ନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଶୁଭ ଉଦଘାଟନ କରିଛନ୍ତି ।

ଏହି ଉଦଘାଟନୀ ଉତ୍ସବରେ ଆବାସିକ କମିଶନର ଶ୍ରୀ ରବିକାନ୍ତ, ସ୍ୱତନ୍ତ୍ର ଆବାସିକ କମିଶନର ଶ୍ରୀମତୀ ଦେବଜାନୀ ଚକ୍ରବର୍ତ୍ତୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ଉପସ୍ଥିତ ଥିଲେ । ଚଳିତ ୪୧ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶାର କଳାବାସ୍ତୁ ଓ କାରିଗରୀର ନିଖୁଣ ଅବତାରଣା କରାଯାଇ ଏଠାରେ ପ୍ରଦର୍ଶିତ କରାଯାଇଛି । ଏଥିରେ ମିଲେଟ୍‌ ମିଶନ ପ୍ରମୁଖତା ସହିତ ପ୍ରଦର୍ଶିତ ହୋଇଛି ।

ସର୍ବମୋଟ ୨୪ଗୋଟି ଷ୍ଟଲରେ ମିଲେଟ୍‌ ମିଶନ ସମେତ ଓରମାସ, ମିଶନ ଶକ୍ତି, ବୟନିକା, ଉତ୍କଳିକା, କୋରାପୁଟ କଫି, ଟସର ଶିଳ୍ପ, ଜନଜାତି ଅଳଙ୍କାର, କଟକ ତାରକସି କାମ ଏବଂ ନୂତନ ପିଢିର ଉଦ୍ୟୋଗୀଙ୍କ ଦ୍ୱାରା ନିର୍ମିତ ଷ୍ଟାର୍ଟ ଅପ ପ୍ରଭୃତି ସ୍ଥାନୀତ ହୋଇଛି ।
ମେଳାର ଉଦଘାଟନୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ଯେ ଓଡିଶା ବର୍ତ୍ତମାନ ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ପ୍ରମୁଖତା ହାସଲ କରିଛି ।

ଆମେ କୋଭିଡର ଦ୍ୱିତୀୟ ଲହର ସମୟରେ ସମଗ୍ର ଦେଶରେ ଅମ୍ଳଜାନ ଯୋଗାଇ ଜନତାଙ୍କ ସହିତ ଦୃଢ ଭାବେ ଛିଡା ହୋଇଛୁ ଏବଂ ବର୍ତ୍ତର୍ମାନ ଆମେ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନେତୃତ୍ୱ ନେଉଛୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଭିଡିଓ ବାର୍ତ୍ତା ଜରିଆରେ ପ୍ରବାସୀ ଓଡିଆମାନଙ୍କୁ ମେଳାର ସଫଳତା ପାଇଁ ଆହ୍ୱାନ ଜଣାଇଛନ୍ତି ।

ଅନୁରୂପ ଭାବେ ଉଦଘାଟନୀ ଅବସରରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ଯେ ଓଡିଶା ଆଂଚଳିକ ସ୍ତରରେ ହେଉଥିବା ପ୍ରତ୍ୟେକଟି ସୂକ୍ଷ୍ମ ଓ କାରିଗରୀପୂର୍ଣ୍ଣ ମୂଲ୍ୟବାନ ସାମଗ୍ରୀକୁ ବିଶ୍ୱସ୍ତରରେ ପହଂଚାଇବା ପାଇଁ ଏହା ମେଳା ହେଉଛି ଏକ ପ୍ରକୃଷ୍ଟ ମଂଚ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତୃଣମୂଳସ୍ତରରୁ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟରେ କାର୍ଯ୍ୟକାରୀ କରାଯାଉଥିବା ଯୋଜନାଗୁଡିକର ସଫଳତା ଏହି ମେଳାରେ ପ୍ରତିଫଳିିତ ହୋଇଛି ।

ପୁଷ୍ଟିସାଧନ ଓ କର୍ମନିଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇଥିବା ଓଡିଶା ମିଲେଟ୍‌ ମିଶନ, ପୁରୁଷ ହକି ବିଶ୍ୱକପ୍‌ ଆୟୋଜନର ଏଠାରେ ସ୍ୱତନ୍ତ୍ର ପ୍ରଚାର କରାଯାଇଛି । ଏଥି ସହିତ ଆଗାମୀ ୩ୟ ମେକ ଇନ୍‌ ଓଡିଶା କନକ୍ଲେଭକୁ ଏଠାରେ ବିଜ୍ଞାପିତ କରାଯାଇଛି । ଏହି ମେଳା ମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଗ୍ରାହକମାନେ ଓଡିଶାର ଉପିାଦ ପ୍ରତି ଆକୃଷ୍ଟ ହେବେ ବୋଲି ମନ୍ତ୍ରୀ ଶ୍ରୀ ଅମାତ ଆଶାପ୍ରକଟ କରିଥିଲେ ।

ନଭେମ୍ବର ୧୪ରୁ ୨୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ବାଣିଜ୍ୟ ମେଳାରେ ନଭେମ୍ବର ୨୪ତାରିଖ ଦିନ ସ୍ୱତନ୍ତ୍ର ଭାବେ ଓଡିଶା ରାଜ୍ୟ ଦିବସ ପାଳନ କରାଯିବ । ଅପରାହ୍ନ ଘ୨.୩୦ମି ରୁ ଘ୪.୦୦ମି ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡିଶାରୁ ନିମନ୍ତ୍ରିତ ହୋଇଥିବା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନଗୁଡିକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିବା ସ୍ଥିରୀକୃତ ହୋଇଛି ।

ସମ୍ପୂର୍ଣ୍ଣ ଟେରାକୋଟା ଢାଂଚାରେ ନିର୍ମିତ ଏହି ମଣ୍ଡପ ଅଧିକ ଆକର୍ଷଣୀୟ ହେବା ସହ ଲୋକଙ୍କର ବେଶ୍‌ ପସନ୍ଦ ହୋଇଥିବା ପରିଲକ୍ଷିତ ହୋଇଛି । ଏହି ମଣ୍ଡପ ଢାଂଚାର ପରିକଳ୍ପନା ଭର୍ଚୁ କମୁ୍ୟନିକେଶନ, ଭୁବନେଶ୍ୱର କରିଥିବାବେଳେ ଏହାର ନିର୍ମାଣ ଭାରତୀ ଚିତ୍ରାଳୟ, କଟକ ଦ୍ୱାରା ସମ୍ପାଦିତ ହୋଇଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର କ୍ଲବରେ ପାଳିତ ହେଲା ପ୍ରଶାସକ ଓ ପଦାଧିକାରୀମାନଙ୍କ ନୂଆଖାଇ ଭେଟ୍‌ଘାଟ୍‌

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ନୂଆଖାଇ ଗଣପର୍ବରେ ପରିଣତ ହୋଇଛି। ଏକତା, ଭ୍ରାତୃତ୍ୱ ଓ ସଂପ୍ରୀତିର ଏହି ପର୍ବ ଅଧିକ ଆଦୃତ ହୋଇଛି ଏବଂ ଏହି ପର୍ବର ସନ୍ଦେଶ ଏବେ ବିଶ୍ୱ ପ୍ରସାରିତ ହୋଇଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ
କରିଛନ୍ତି।

ଗତକାଲି ସନ୍ଧ୍ୟାରେ ରାଜଧାନୀରେ କାର୍ଯ୍ୟରତ ପ୍ରଶାସକ ତଥା ପଦାଧିକାରୀମାନଙ୍କ ପକ୍ଷରୁ ଭୁବନେଶ୍ୱର କ୍ଲବ୍‌ରେ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ ଗଣପର୍ବ ନୂଆଖାଇ ଓଡ଼ିଶାର ସାଂସ୍କୃତିକ ସ୍ୱାଭିମାନର ବାର୍ତ୍ତାବହ ବୋଲି ଉଲ୍ଲେଖ କରିଛନ୍ତି।

ଭେଟ୍‌ଘାଟ୍‌ରେ ପୌରୋହିତ୍ୟ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତି୍ରପାଠୀ କହିଥିଲେ ଯେ ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ପର୍ବ ଭାବରେ ଅର୍ଜନ କରିଥିବା ଆଦୃତି ଓ ତା’ର ଆଭିମୁଖ୍ୟ ବଳରେ ଓଡ଼ିଶା ବାହାରେ ଏବଂ ବିଦେଶରେ ଥିବା ଓଡ଼ିଆମାନଙ୍କୁ ପରସ୍ପରର ନିକଟବର୍ତ୍ତୀ କରାଇପାରିଛି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢ଼ୋଲକିଆ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, କୃଷି ଓ କୃଷକ ସଶକ୍ତିକରଣ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପ୍ରମୁଖ ନୂଆଖାଇ ପର୍ବର ସ୍ୱାତନ୍ତ୍ର୍ୟ, ନବାନ୍ନ ଅର୍ପଣ ବିଧି, ସନ୍ଦେଶ ଓ ପାଳନର ବ୍ୟାପକତା ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।

ଶ୍ରୀ ଅରବିନ୍ଦ ଅଗ୍ରୱାଲ୍‌ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରୀ ବିମଳେନ୍ଦୁ ରାୟ ଓ ଶ୍ରୀ ମନୀଷ ଅଗ୍ରୱାଲ ସହଯୋଗ କରିଥିଲେ। ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ଶ୍ରୀ ଅନୁପମ ସାହା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସ୍ପିରିଟ୍‌ଜା ଏକାଡେମୀ ଅଫ୍‌ ପରଫର୍ମିଂ ଆର୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରଶାସନିକ ସେବାରେ କାର୍ଯ୍ୟରତ ଓ ଅନ୍ୟାନ୍ୟ ବିଭାଗରେ ଅବସ୍ଥାପିତ ପଶ୍ଚିମ ଓଡ଼ିଶାର ପ୍ରଶାସକ ଓ କର୍ମଚାରୀମାନେ ସପରିବାର ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।