Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦ୍ୱିତୀୟ ଲହରରେ ସ୍ଥିତି ସଙ୍ଗୀନ ହେଉଛି: ହସ୍ପିଟାଲରେ ପର୍ଯ୍ୟାପ୍ତ ଅମ୍ଳଜାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନାର ଦ୍ୱିତୀୟ ଲହର ଚିନ୍ତା ବଢ଼ାଇ ଚାଲିଛି। ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର କରିଥିବା ବେଳେ ଓଡ଼ିଶାରେ ଏହା ପାଖାପାଖି ୯ ହଜାରରେ ପହଞ୍ଚିଲାଣି। ଏହାକୁ ନଜରରେ ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ବାର୍ତ୍ତା ରଖିଛନ୍ତି। ସେ କହିଛନ୍ତି ଯେ, ଦ୍ବିତୀୟ ଲହରରେ କୋରୋନା ଏତେ ମାରାତ୍ମାକ ହେବ ବୋଲି ଆଶା କରିନଥିଲୁ। ଦେଶରେ ଦୈନିକ ସଂକ୍ରମଣ ୫ ଲକ୍ଷ ଡେଇଁବ ଏବଂ ଏହାର ପ୍ରଭାବ ରାଜ୍ୟ ଉପରେ ବି ପଡିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେଥିପାଇଁ କୋଭିଡ ନିୟମ ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ଏସିଏସ ପ୍ରଦୀପ୍ତ ମହାପାତ୍ର ଅନୁରୋଧ କରିଛନ୍ତି।

ଏହାସହିତ ରାଜ୍ୟରେ ଟେଷ୍ଟିଙ୍ଗ କ୍ଷମତାକୁ ବଢାଯାଇଛି। ଦୈନିକ ୫୦ ହଜାର ଉପରେ ରାପିଡ ଆଣ୍ଟିଜେନ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ମେ’ ପହିଲାରୁ ୧୮ରୁ ୪୪ ବୟସର ବ୍ୟକ୍ତିଙ୍କୁ ଟିକାକରଣ ହେବ ବୋଲି ଯେଉଁ ଘୋଷଣା ହୋଇଥିଲା ତାହା ଏବେ ହେବ ନାହିଁ। ଦ୍ବିତୀୟ ଡୋଜକୁ ଏବେ ପ୍ରାଥମୟକତା ଦିଆଯିବ। ଟିକା ଆସିଲେ ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି ସେ କହିଛନ୍ତି।

ଶନି ଓ ରବି ସଟ୍‌ଡାଉନ୍‌ରେ ରାଜ୍ୟରେ ଟିକାଦାନ ହେବ ନାହିଁ। ଏହି ଦୁଇ ଦିନ ଟିକାଦାନ କେନ୍ଦ୍ରର ସାନିଟାଇଜେସନ୍‌ ହେବ। ମେ’ ୩ ପରେ ଟିକାକରଣ ଆରମ୍ଭ ହେବ, କିନ୍ତୁ ୧୮ ବର୍ଷରୁ ୪୪ ବର୍ଷ ପାଇଁ ଟିକାଦାନ କେବେ ହେବ ଟିକା ପହଞ୍ଚିଲା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ଏବେ ହସ୍ପିଟାଲ ବ୍ୟବସ୍ଥା ଠିକ୍‌ ରହିଛି। ଆଗକୁ ସ୍ଥିତି କଣ ହେବ ତାହା ଆକଳନ କରିହେଉନାହିଁ। ଏବେ ୩୩% ସାଧାରଣ ବେଡ୍‌, ୬୯% ଆଇସିୟୁ, ୩୫% ଭେଣ୍ଟିଲେଟର ବ୍ୟବହୃତ ହେଉଛି। ରାଜ୍ୟରେ ଅକ୍ସିଜେନର କୌଣସି ଅଭାବ ନାହିଁ। କୌଣସି ହସ୍ପିଟାଲରେ ଯେପରି ସିଲିଣ୍ଡର ଖାଲି ରହିବ ନାହିଁ ସେଥିପାଇଁ ନିର୍ଦ୍ଦେଶ ହୋଇଥିବା ସଚିବ ମଧ୍ୟ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ: କୋଭିଡ୍ ସ୍ଥିତିକୁ ନେଇ କଲେ ସମୀକ୍ଷା

ରାଉରକେଲା: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର, ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ ସହିତ ଆସି ରାଉରକେଲା ସହର ଏବଂ ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ସ୍ଥିତି ଓ ଏହାର ପରିଚାଳନା ପାଇଁ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ରାଉରକେଲାରେ ପହଞ୍ଚି ଜେ ପି କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିବା ସହିତ ହାଇଟେକ୍ କୋଭିଡ୍ ହସ୍ପିଟାଲ, ଶାନ୍ତି ମେମୋରିଆଲ କୋଭିଡ୍ ହସ୍ପିଟାଲ, ଏନଟିପିସି କୋଭିଡ୍ ସେଣ୍ଟରରେ ଉପଲବ୍ଧ ଚିକିତ୍ସା ସୁବିଧା, ଉପକରଣ ଓ ଔଷଧପତ୍ର ଆଦି ବିଷୟରେ ସମୀକ୍ଷା କରିଥିଲେ। ରାଉରକେଲା ମହାନଗର ନିଗମର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ କୋଭିଡ୍ ସମ୍ପର୍କିତ କ୍ଷେତ୍ର ସ୍ତରୀୟ ସ୍ଥିତି ଓ ତଥ୍ୟ ଉପାସ୍ଥାପନ କରିଥିଲେ।

ସମୀକ୍ଷା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ କୋଭିଡ୍ ହସ୍ପିଟାଲରେ ଆବଶ୍ୟକ ବେଡ୍‌, ଆଇସିୟୁ ଏବଂ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି। ରାଉରକେଲାରେ ଥିବା ଜେ ପି ହସ୍ପିଟାଲରେ ୨୫୦ଟି ବେଡ୍ କୋଭିଡ୍ ଚିକିତ୍ସା ପାଇଁ ରଖାଯାଇଛି। ସୁନ୍ଦରଗଡ଼ସ୍ଥିତ ଏନଟିପିସି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ପାଇଁ ୪୦୦ ଶଯ୍ୟା ରହିଛି। ସେହିପରି ରାଉରକେଲାସ୍ଥିତ ହାଇଟେକ କୋଭିଡ୍ ହସ୍ପିଟାଲକୁ ଖୁବଶୀଘ୍ର କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଖୋଲାଯିବ । ଏହାଛଡ଼ା ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ କେୟାର ସେଂଟରଗୁଡ଼ିକରେ ୧ ହଜାରରୁ ଅଧିକ ବେଡର ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ କୋଭିଡ୍ ସଂକ୍ରମଣର ପ୍ରତିରୋଧ ନିମନ୍ତେ କୋଭିଡ୍ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପ୍ରବର୍ତ୍ତନ କରାଯିବ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାଛଡ଼ା ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଅଧିକ ବ୍ୟାପକ କରାଯିବ। ଆବଶ୍ୟକସ୍ଥଳେ ଜିଲ୍ଲା ପ୍ରଶାସନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ମଧ୍ୟ କରିପାରିବେ।

ଏହି ଗସ୍ତ ଓ ସମୀକ୍ଷା ସମୟରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ, ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା, ରାଉରକେଲା ଏସପି ମୁକେଶ ଭାମୋ, ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ଆରଏସପି ସିଇଓ ଦୀପକ ଚଟ୍ଟରାଜଙ୍କ ସହିତ ଆରଜିଏଚ, ଆଇଜିଏଚ, ଶାନ୍ତି ମେମୋରିଆଲ ହସ୍ପିଟାଲ, ହାଇଟେକ୍ ହସ୍ପିଟାଲ, ଆରଏସପିର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।