Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ପାଇଁ ଏକ ଉତ୍ସବ ଭେଟି: ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ

ଭୁବନେଶ୍ଵର: ଓଡ଼ିଶା ପାଇଁ ଏହି ପାର୍ବଣ ଅବସରରେ ପୁରୀ – ରାଉରକେଲା – ପୁରୀ ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରାଯିବ।

ପ୍ରଧାନମନ୍ତ୍ରୀ ପୁରୀ – ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସକୁ ଆସନ୍ତା 24 ସେପ୍ଟେମ୍ବର, 2023 ରେ ସମଗ୍ର ଦେଶରେ ଅନ୍ୟାନ ଆଠଟି ବନ୍ଦେ ଭରତ ଏକ୍ସପ୍ରେସ ସହ ଏହି ଟ୍ରେନର ଶୁଭାରମ୍ଭ କରିବେ।

ପ୍ରଗତିଶୀଳ ତଥା ଆତ୍ମନିର୍ଭରଶୀଳ ଭାରତର ପ୍ରତୀକ ଏହି ବନ୍ଦେ ଭାରତ ଏକ୍ସପ୍ରେସ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ “ଆତ୍ମନିର୍ଭାରଭାରତ” ଉଦ୍ୟମର ସଫଳତାର ପ୍ରମାଣ ଅଟେ। ଏହି ବନ୍ଦେ ଭାରତ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସେମି ହାଇ ସ୍ପିଡ୍ ଟ୍ରେନ୍ ଏବଂ ଏହା ଯାତ୍ରୀମାନଙ୍କୁ ଏକ ନୂତନ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଗତି, ନିରାପତ୍ତା ଏବଂ ସେବା ଏହି ଟ୍ରେନର ହଲମାର୍କ ଅଟେ।

ବନ୍ଦେ ଭାରତ ଏକ୍ସପ୍ରେସ ଉନ୍ନତ ମାନର ଵିଶେଶ୍ୱତଃ ସହ ଆରାମଦାୟକ ଯାତ୍ରାର ଅନୁଭୁତି ପ୍ରଦାନ କରିଥାଏ। ଓଡିଶାର କେତେକ ପ୍ରମୁଖ ସହର ଯଥା ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର କୁ ସଂଯୋଗ କରିବା ସହିତ ଏହି ଟ୍ରେନ୍ଟି ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ କୁ ଯଥେଷ୍ଟ ଭାବରେ ହ୍ରାସ କରିବ ଏବଂ ଏହା ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବିଶେଷ ଭାବରେ ଉପକୃତ କରିବ।

ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀର ପବିତ୍ର ସହର ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନକୁ ଇସ୍ପାତ ନଗରୀ ରାଉରକେଲା (ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ୍ ରାଜଧାନୀ) ସହିତ ସଂଯୋଗ କରିବ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଅନଗୁଳ ଠାରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆ ଏବଂ ଝାରସୁଗୁଡା ସହିତ ସଂଯୋଗ କରିବ। ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ ପ୍ରଦାନ କରିବ ଏବଂ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ।

ଏହି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ 7 ଘଣ୍ଟା 45 ମିନିଟରେ 505 କିଲୋମିଟର ଦୂରତା ଅତିକ୍ରମ କରିବ। ଟ୍ରେନ୍ ସଂଖ୍ୟା 20836 ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ 05.00 ଘଣ୍ଟାରେ ଯାତ୍ରା ଆରମ୍ଭ କରିବ ଏବଂ ସେହି ଦିନ 12: 45 ରେ ରାଉରକେଲାରେ ପହଞ୍ଚିବ। ପ୍ରତ୍ୟାବର୍ତ୍ତନ ଦିଗରେ, 20835 ରାଉରକେଲା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ 14:10 ଘଣ୍ଟାରେ ରାଉରକେଲା ଛାଡି ସେହି ଦିନ 21.40 ଘଣ୍ଟାରେ ପୁରୀରେ ପହଞ୍ଚିବ। ଏହି ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନ ମାନଙ୍କରେ ରହିବ।

ଏହି ବନ୍ଦେ ଭାରତ ସେବା ପୁରୀ-ରାଉରକେଲା ମଧ୍ୟରେ ଚାଲୁଥିବା ଅନ୍ୟାନ ଟ୍ରେନ ମାନଙ୍କ ତୁଳନାରେ ହାରାହାରି ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ। ପୁରୀ-ଯୋଗ ନାଗରୀ ଋଷିକେଶ ଏକ୍ସପ୍ରେସ 11.50 ଘଣ୍ଟା ନେଇଥାଏ ଏବଂ ପୁରୀ-ହାଟିଆ ତପସ୍ୱିନି ଏକ୍ସପ୍ରେସ 10.25 ଘଣ୍ଟା ନେଇଥାଏ ଯାହାକି ଏହି ମାର୍ଗରେ ଦ୍ରୁତତମ ଟ୍ରେନ୍ ଅଟେ।

ଏହି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀମାନଙ୍କ ଆରାମ ପାଇଁ ଅଧିକ ଉନ୍ନତ ତଥା ଆରାମଦାୟକ ସୁବିଧା ଵିଶେଶ୍ୱତଃ ରହିଛି। ଯାତ୍ରୀମାନଙ୍କଠାରୁ ନିଆଯାଇଥିବା ମତାମତକୁ ଆଧାର କରି ଏହି ଵିଶେଶ୍ୱତଃ ଗୁଡିକ ନୂତନ ଭାବରେ ଏହି ଟ୍ରେନରେ ପ୍ରାବଧାନ କରାଯାଇଛି।

ଏହା ଉପକୂଳ, ମଧ୍ୟ ଏବଂ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକୁ ସଂଯୋଗ କରିବା ସହ ଉପକୂଳ ଏବଂ ପଶ୍ଚିମ ଓଡିଶା ଅଞ୍ଚଳର ଲୋକଙ୍କ ବିଳାସପୂର୍ଣ୍ଣ, ଆରାମଦାୟକ, ସୁଗମ, ନିରାପଦ ଟ୍ରେନ୍ ଯାତ୍ରା କରିବାର ସ୍ୱପ୍ନକୁ ପୂରଣ କରିବ। ଏହି ଟ୍ରେନ୍ ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବାସହ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବହୁଳ ଭାବରେ ଉପକୃତ କରିବ।

Categories
ବିଶେଷ ଖବର

ପୋର୍ଟବ୍ଲେୟାର ବୀର ସଭରକର ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ୱିତ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଆଭାସୀ ମାଧ୍ୟମରେ ପୋର୍ଟବ୍ଲେୟାର ଠାରେ ବୀର ସଭରକର ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ୱିତ ରହଣି ସ୍ଥଳ ଭବନର ଉଦଘାଟନ କରିଛନ୍ତି। ୭୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ରହଣି ସ୍ଥଳ ଭବନର ବାର୍ଷିକ ୫୦ ଲକ୍ଷ ଯାତ୍ରୀ ପରିବହନ କ୍ଷମତା ରହିଛି।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯଦିଓ କାର୍ଯ୍ୟକ୍ରମ ପୋର୍ଟପ୍ଲେୟାରରେ ହେଉଛି, ତଥାପି ସମଗ୍ର ଦେଶ ବୀର ସଭରକର ଆନ୍ତର୍ଜାତିକ ବିମାନବନ୍ଦରର ଯାତ୍ରୀ ପରିବହନ ସାମର୍ଥ୍ୟ ବୃଦ୍ଧି ଘଟଣାକୁ ଖୁବ୍ ଉତ୍ସୁକତାର ସହ ଦେଖୁଛି ଯାହା ଆଜି ସଫଳ ହୋଇଛି।

ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ସ୍ୱୟଂ ଉପସ୍ଥିତ ରହିବାର ଇଚ୍ଛା ପ୍ରକଟ କରିଥିଲେ। ସେ ଏହି ସୁଖଦ ମୁହୂର୍ତ୍ତର ଅଭିଜ୍ଞତା ଅର୍ଜନ କରିବା ସହ ନାଗରିକମାନଙ୍କ ଖୁସୀର ମୁହଁ ଦେଖିଥାନ୍ତେ ବୋଲି କହିଥିଲେ। “ଆଣ୍ଡାମାନ ପରିଦର୍ଶନରେ ଆସିବାକୁ ଉତ୍ସୁକ ବ୍ୟକ୍ତିମାନେ ମଧ୍ୟ ଏକ ଅଧିକ ସାମର୍ଥ୍ୟଯୁକ୍ତ ବିମାନବନ୍ଦର ପାଇଁ ଦାବି କରୁଥିଲେ” ବୋଲି ସେ କହିଥିଲେ।

ପୋର୍ଟବ୍ଲେୟାରରେ ବିମାନବନ୍ଦର ସମ୍ପ୍ରସାରଣ ସୁବିଧା ନେଇ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଟର୍ମିନାଲର ସାମର୍ଥ୍ୟ ୪୦୦୦ ପର୍ଯ୍ୟଟକ ପରିବହନ ଥିବାବେଳେ ନୂତନ ଟର୍ମିନାଲରେ ୧୧ ହଜାର ପର୍ଯ୍ୟନ୍ତ ପର୍ଯ୍ୟଟନ ପରିବହନ ହେବା ସହ ଯେକୌଣି ସମୟରେ ଦଶଟି ପର୍ଯ୍ୟନ୍ତ ବିମାନ ରହଣି ସୁବିଧା ହେବ। ଅଧିକ ବିମାନ ଓ ପର୍ଯ୍ୟଟନ ଆଗମନ ଯୋଗୁ ଏହି ଅଞ୍ଚଳରେ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ପୋର୍ଟ ବ୍ଲେୟାରର ନୂତନ ଟର୍ମିନାଲ ଭବନ ଭ୍ରମଣ, ବ୍ୟବସାୟ ଓ ସଂଯୋଗର ସୁଗମତା ବୃଦ୍ଧି କରିବ ବୋଲି ସେ କହିଥିଲେ।

ଭାରତରେ ଦୀର୍ଘଦିନ ଧରି ବଡ଼ ବଡ଼ ନଗରୀ ଗୁଡ଼ିକରେ ବିକାଶର ପରିସର ସୀମିତ ଥିଲା ବୋଲି କହିବା ସହ ଆଦିବାସୀ ଓ ଦ୍ୱୀପାଞ୍ଚଳ ଗୁଡ଼ିକର ବିକାଶ କିପରି ଦୀର୍ଘଦିନ ଧରି ବାଧିତ ଥିଲା ତା’ ଉପରେ ଆଲୋକପାତ କରିଥିଲେ। ଗତ ନଅ ବର୍ଷ ମଧ୍ୟରେ ବର୍ତ୍ତମାନର ସରକାର ପୂର୍ବତନ ସରକାରଙ୍କ କେବଳ ତ୍ରୁଟି ବିଚ୍ୟୁତିର ସଂଶୋଧନ କରିନାହାନ୍ତି ବରଂ ଅତ୍ୟନ୍ତ ସମ୍ବେଦନଶୀଳ ହୋଇ ନୂତନ ପଦ୍ଧତି ମଧ୍ୟ ଆପଣାଇଛନ୍ତି। ବିକାଶର ଅନ୍ତର୍ଭୁକ୍ତୀକରଣ ପାଇଁ ଏକ ମଡେଲ ମଧ୍ୟ ବିକଶିତ ହୋଇଛି ଓ ତାହା ହେଲା ‘ସବକା ସାଥ, ସବକା ବିକାଶ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ବୁଝାଇ କହିଥିଲେ ଯେ ଏହି ବିକାଶ ମଡେଲ ହେଉଛି ଖୁବ୍ ବ୍ୟାପକ। ଏଥିରେ ପ୍ରତ୍ୟେକ ଅଞ୍ଚଳ, ସମାଜର ପ୍ରତ୍ୟେକ ବର୍ଗ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସଂଯୋଗୀକରଣ ଭଳି ଜୀବନର ସମସ୍ତ କ୍ଷେତ୍ର ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ନଅ ବର୍ଷ ମଧ୍ୟରେ ଆଣ୍ଡାମାନରେ ବିକାଶର ନୂତନ କାହାଣୀ ଲେଖାହୋଇଛି। ଏଇ ନଅ ବର୍ଷ ପୂର୍ବ ସରକାରଗଣ ଆଣ୍ଡାମାନ ଓ ନିକୋବରକୁ ବଜେଟରେ ୨୩ ହଜାର କୋଟି ଟଙ୍କା ଦେଇଥିବା ବେଳେ, ବର୍ତ୍ତମାନର ସରକାର ଗତ ନଅ ବର୍ଷ ମଧ୍ୟରେ ୪୮ ହଜାର କୋଟି ଟଙ୍କା ବଜେଟ୍ ମାଧ୍ୟମରେ ପ୍ରଦାନ କରିଛନ୍ତି। ନଅ ବର୍ଷ ପୂର୍ବେ ସରକାରଙ୍କ ଅମଳରେ ୨୮ ହଜାର ଘରକୁ ପାଇପ ଜଳ ଯୋଗାଯାଇଥିବା ବେଳେ ବର୍ତ୍ତମାନର ସରକାର ଗତ ନଅ ବର୍ଷରେ ୫୦ ହଜାର ଘରକୁ ଏହା ଯୋଗାଇ ଦେଇଛନ୍ତି। ଆଜି ଆଣ୍ଡାମାନ ଓ ନିକୋବରରେ ସମସ୍ତଙ୍କ ପାଖରେ ବ୍ୟାଙ୍କ ଖାତା ଥିବାବେଳେ ଗୋଟିଏ ଦେଶ ଗୋଟିଏ ରାସନକାର୍ଡ ସୁବିଧା ରହିଛି। ବର୍ତ୍ତମାନର ସରକାର ପୋର୍ଟବ୍ଲେୟାରରେ ଗୋଟିଏ ଭେଷଜ ମହାବିଦ୍ୟାଳୟ ଖୋଲିଥିବା ବେଳେ ପୂର୍ବରୁ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ଏହା ନ ଥିଲା। ପୂର୍ବରୁ ଇଣ୍ଟରନେଟ୍ କେବଳ ଉପଗ୍ରହ ଉପରେ ନିର୍ଭରଶୀଳ ଥିବାବେଳେ, ବର୍ତ୍ତମାନର ସରକାର ଶହ ଶହ କିଲୋମିଟର ସମୁଦ୍ର ଭିତରେ ଅପ୍ଟିକାଲ ଫାଇବର ବିଛାଇବା ପାଇଁ ପଦକ୍ଷେପ ନେଇଛନ୍ତି।

“ବିକାଶ ଓ ଐତିହ୍ୟ ଏକାଠି ଯାତ୍ରା କରୁଥିବା ଆଣ୍ଡାମାନ ବର୍ତ୍ତମାନ ବିକାଶର ଏକ ମହାମନ୍ତ୍ରର ଉଦାହରଣ ପାଲଟିଛି” ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ିବାର ବହୁ ପୂର୍ବରୁ ଆଣ୍ଡାମାନରେ ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇଥିଲା ତଥାପି ଯେକୌଣସି ବ୍ୟକ୍ତି ଦ୍ୱୀପରେ କେବଳ ଦାସତ୍ୱର ଛାପ ଦେଖିବାକୁ ପାଇବ। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଯେଉଁ ସ୍ଥାନରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ ଠିକ୍ ସେହି ସ୍ଥାନରୁ ପତାକା ଉତ୍ତୋଳନ କରିବାର ସୁଯୋଗ ପାଇଥିବା ଶ୍ରୀ ମୋଦୀ ସେଥିପାଇଁ କୃତଜ୍ଞତା ଜଣାଇଥିଲେ। ବର୍ତ୍ତମାନର ସରକାର ରସ୍ ଦ୍ୱୀପକୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ କରିଥିଲେ। ଆବଲକ, ସ୍ୱରାଜ ଓ ନୀଲ ଦ୍ୱୀପକୁ ଶହୀଦ ଦୀପର ନାଁ ଦେଇଥିଲେ। ୨୧ଟି ଦ୍ୱୀପର ନାମକରଣ ପରମବୀର ଚକ୍ର ସମ୍ମାନ ବିଜେତାଙ୍କ ନାମରେ ନାମିତ ହୋଇଥିବା ମଧ୍ୟ ସେ ପ୍ରକାଶ କରିଥିଲେ। “ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିକାଶ ଦେଶର ଯୁବଗୋଷ୍ଠୀ ନିମନ୍ତେ ପ୍ରେରଣାର ସ୍ରୋତ” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୭୫ ବର୍ଷ ମଧ୍ୟରେ ଭାରତ ନିଶ୍ଚିତ ଭାବେ ନୂତନ ଶିଖର ଛୁଇଁ ପାରିଥାନ୍ତା କାରଣ ଭାରତୀୟମାନଙ୍କ ସାମର୍ଥ୍ୟ ଉପରେ କାହାର ସଂଦେହ ନାହିଁ । ମାତ୍ର ଦୁର୍ନୀତି ଓ ବଂଶଗତ ରାଜନୀତି ସବୁବେଳେ ସାଧାରଣ ନାଗରିକଙ୍କ ଶକ୍ତି ପ୍ରତି ଅନ୍ୟାୟ କଲା । କେତେକ ଦଳର ସୁବିଧାବାଦୀ ରାଜନୀତି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ମଧ୍ୟ ଜାତିବାଦ ଓ ଦୁର୍ନୀତି ରାଜନୀତିର ସମାଲୋଚନା କରିଥିଲେ । ଦୁର୍ନୀତିର ବାହୁଛାୟା ତଳେ ଥିବା ଓ କେତେକ କ୍ଷେତ୍ରରେ ଜାମିନରେ ଆସିଥିବା ଅଭିଯୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ରାଜନୀତିରେ ଗ୍ରହଣକୁ ମଧ୍ୟ ସେ ସମାଲୋଚନା କରିଥିଲେ । ସେ ସମ୍ବିଧାନକୁ ପଣବନ୍ଦୀ ଭଳି ରଖିବାର ମାନସିକତାକୁ ମଧ୍ୟ ନିନ୍ଦା କରିଥିଲେ । ସେଭଳି ବ୍ୟକ୍ତିମାନେ କେବଳ ସ୍ୱାର୍ଥପର ପାରିବାରିକ ଲାଭ ଉପରେ ନଜର ରଖିଥାନ୍ତି, ସାଧାରଣ ନାଗରିକମାନଙ୍କ ବିକାଶ ପ୍ରତି ନୁହେଁ, ପ୍ରତିରକ୍ଷା ଓ ଷ୍ଟାର୍ଟଅପ କ୍ଷେତ୍ରରେ ଭାରତୀୟ ଯୁବପିଢ଼ି ଶକ୍ତିର ପ୍ରଶଂସା କରିବା ସହ ଯୁବଶକ୍ତିର ଏହି ଦିଗ ପ୍ରତି ନ୍ୟାୟ ହୋଇ ନ ଥିବାରୁ ସେ ଏହାର ସମାଲୋଚନା କରିଥିଲେ ।

ଦେଶର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିବା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିଶ୍ୱରେ ଅନେକ ତଟବର୍ତ୍ତୀ ଦେଶ ଓ ଦ୍ୱୀପର ଉଦାହରଣ ରହିଛି ଯେଉଁମାନେ ଅସ୍ୱାଭାବିକ ପ୍ରଗତି ହାସଲ କରିଛନ୍ତି । ପ୍ରଗତିର ପଥରେ ଅନେକ ଆହ୍ୱାନ ରହିଥିଲେ ମଧ୍ୟ ଯେତେବେଳେ ବିକାଶ ହୁଏ, ତାହା ସବୁର ସମାଧାନ କରିଥାଏ । ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ହେଉଥିବା ବିକାଶମୂଳକ କାର୍ଯ୍ୟ ସମଗ୍ର ଅଞ୍ଚଳର ଆହୁରି ଶକ୍ତି ବୃଦ୍ଧି କରିବ ।

ପୃଷ୍ଠଭୂମି-

ସଂଯୋଗୀକରଣ ଭିତ୍ତିଭୂମି ବୃଦ୍ଧି ସରକାରଙ୍କ ଏକ ମୁଖ୍ୟ କାର୍ଯ୍ୟ ହୋଇଛି । ୭୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ସମନ୍ୱିତ ଟର୍ମିନାଲ କେନ୍ଦ୍ରଶାସିତ ଅଞ୍ଚଳର ଏହି ଦ୍ୱୀପକୁ ସଂଯୋଗୀକରଣ ବୃଦ୍ଧି କରିବ । ୪୮,୦୦୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ନିର୍ମିତ ଏହି ଟର୍ମିନାଲ ବାର୍ଷିକ ପ୍ରାୟ ୫୦ ଲକ୍ଷ ଯାତ୍ରୀ ପରିବହନ କରିପାରିବ । ୮୦ କୋଟି ଟଙ୍କାରେ ପୋର୍ଟବ୍ଲେୟାର ବିମାନ ବନ୍ଦରରେ ଦୁଇଟି ବୋଇଂ ଓ ଦୁଇଟି ଏୟାର ବସ୍ ନିମନ୍ତେ ଏକ ଅପ୍ରୋନ ତିଆରି ହୋଇଛି ଯାହାଫଳରେ ସେଠାରେ ଦଶଟି ଏୟାରକ୍ରାଫ୍ଟ ପାର୍କିଂ କରିପାରିବେ ।

ସମୁଦ୍ର ଓ ଦ୍ୱୀପର ଚିତ୍ରଣ କରି ବିମାନବନ୍ଦର ଟର୍ମିନାଲ ଗୋଟିଏ ଶାମୁକାର ପରିପାଟୀ ଭଳି ହୋଇଛି । ଏହି ନୂତନ ବିମାନବନ୍ଦର ଟର୍ମିନାଲରେ ଗରମ କମାଇବା ପାଇଁ ଡବଲ ଇନସୁଲେଟେଡ ରୁଫିଂ ସିଷ୍ଟମ, କୃତ୍ରିମ ଆଲୋକ ହ୍ରାସ କରି ପର୍ଯ୍ୟାପ୍ତ ସୂର୍ଯ୍ୟକିରଣ ଉପଯୋଗ ଏଲଇଡି ବ୍ୟବସ୍ଥା ଇତ୍ୟାଦି ରହିଛି ।

ବର୍ଷାଜଳ ସଂରକ୍ଷଣ ନିମନ୍ତେ ଉନ୍ନତ ଟ୍ୟାଙ୍କ, ବର୍ଜ୍ୟ ଜଳର ଶତପ୍ରତିଶତ ଉପଯୋଗ ବ୍ୟବସ୍ଥା, ୫୦୦ କିଲୋୱାଟ ସୌର ଶକ୍ତି ପ୍ଲାଣ୍ଟ ଓ ଅନ୍ୟାନ୍ୟ ବୈଶିଷ୍ଟ୍ୟ ଏହି ଟର୍ମିନାଲର ପ୍ରମୁଖ ଆକର୍ଷଣ ହୋଇଥିôବା ବେଳେ ଯେପରି ଦ୍ୱୀପର ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ନ ପଡ଼ିବ ତା’ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି ।

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ମୌଳିକ ଓ ଅକ୍ଷୁଣ୍ଣ ପ୍ରବେଶ ଦ୍ୱାର ପୋର୍ଟବ୍ଲେୟାର ହେଉଛି ପର୍ଯ୍ୟଟକମାନଙ୍କ ଏକ ଲୋକପ୍ରିୟ ଲକ୍ଷ୍ୟସ୍ଥଳ । ପର୍ଯ୍ୟାପ୍ତ ସ୍ଥାନ ବିଶିଷ୍ଟ ଏହି ନୂତନ ଟର୍ମିନାଲ ସେ ଅଞ୍ଚଳର ପର୍ଯ୍ୟଟନ ବୃଦ୍ଧିରେ ସହାୟକ ହେବ । ଏହା ମଧ୍ୟ ସ୍ଥାନୀୟ ଅଧିବାସୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସହ ଆଞ୍ଚଳିକ ଆର୍ଥିକ ବିକାଶ ଘଟାଇବ ।

Categories
ଆଜିର ଖବର ଜାତୀୟ ଖବର

ମୋଗଲଙ୍କୁ ପ୍ରତିରୋଧ କରିଥିବା ଆସାମର ବୀର ଲଛିତ ବରଫୁକନ’ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ନୂଆଦିଲ୍ଲୀ: ଲଛିତ ବରଫୁକନଙ୍କ ୪ଠଠ ତମ ଜୟନ୍ତୀର ଏକ ବର୍ଷବ୍ୟାପୀ ଉଦଯାପନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (୨୫-୧୧-୨ଠ୨୨) ନୂଆଦିଲ୍ଲୀ ଠାରେ ଉଦବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ‘ମୋଗଲଙ୍କୁ ପ୍ରତିରୋଧ କରିଥିବା ଆସାମର ବୀର ଲଛିତ ବରଫୁକନଙ୍କ’ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ କରିଛନ୍ତି।

ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ଦେଶର ବୀରମାନଙ୍କୁ ଯଥାର୍ଥ ସମ୍ମାନ ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ପରିପ୍ରେକ୍ଷୀରେ ଆଜି ଅହମ ସାମ୍ରାଜ୍ୟର ପ୍ରସିଦ୍ଧ ସେନାପତି ଲଛିତ ବରଫୁକନଙ୍କ ୪ଠଠ ତମ ଜୟନ୍ତୀ ଆଜି ପାଳନ କରାଯାଇଛି। ସେ ମୋଗଲମାନଙ୍କୁ ସଫଳତାର ସହ ମୁକାବିଲା କରି ଔରଙ୍ଗଜେବଙ୍କ ନେତୃତ୍ବାଧୀନ ମୋଗଲମାନଙ୍କୁ ସେମାନଙ୍କ ସମ୍ପ୍ରସାରଣ ଅଭିପ୍ରାୟକୁ ରୋକି ପାରିଥିଲେ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବୀର ଲଛିତଙ୍କ ଭଳି ସାହସୀ ପୁଅଙ୍କୁ ଜନ୍ମ ଦେଇଥିବା ଆସାମ ମାଟିକୁ ପ୍ରଥମେ ପ୍ରଣିପାତ କରିଥିଲେ। “ଆମେ ଲଛିତ ବରଫୁକନଙ୍କ ୪ଠଠ ତମ ଜୟନ୍ତୀରେ ତାଙ୍କ ପ୍ରତି ନତମସ୍ତକ ହେବା ସମୟରେ ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ।” ବୀର ଲଛିତଙ୍କୁ ଆସାମର ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ମୁଁ ଏହି ମହାନ ପରମ୍ପରାକୁ ଭାରତର ଚିରନ୍ତନ ସଂସ୍କୃତି, ପରାକ୍ରମ ଓ ଅସ୍ତିତ୍ୱ ନିମନ୍ତେ ଅଭିବାଦନ ଜଣାଉଛି।’’ ନିଜର ପରମ୍ପରା ଦ୍ୱାରା ଗୌରବାନ୍ୱିତ ହୋଇ ଦାସତ୍ୱ ମାନସିକତା ପରିହାର କରିବା ନେଇ ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ କେବଳ ଏହାର ସାଂସ୍କୃତିକ ବିବିଧତାର ଉତ୍ସବ ପାଳନ କରୁନାହୁଁ, ବରଂ ଏହାର ବୀର ପୁରୁଷ ଓ ନାରୀମାନଙ୍କୁ ସ୍ୱୀକୃତି ଦେଇଛି।

“ଲଛିତ ବରଫୁକନଙ୍କ ଭଳି ମାଆ ଭାରତୀଙ୍କ ଅମର ସନ୍ତାନ ଅମୃତ କାଳରେ  ସଂକଳ୍ପ ପୂରଣ ପାଇଁ ପ୍ରେରଣାର ଉତ୍ସ। ସେମାନେ ଆମକୁ ଆମର ଇତିହାସର ଗୌରବ ସହ ପରିଚିତ କରାଇବା ସହ ଦେଶ ପାଇଁ ଉତ୍ସର୍ଗ କରିବାକୁ ଆମକୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

“ମାନବ ସ୍ଥିତିର ହଜାର ବର୍ଷ ପ୍ରାଚୀନ ଇତିହାସ”ରେ ଅନେକ ସଭ୍ୟତା ପୃଥିବୀ ବକ୍ଷରେ ବିକଶିତ ହେବା ସହ ଅନେକ ଅକ୍ଷୟ ହେବା ଭଳି ଲାଗିଲେ ମଧ୍ୟ ସମୟର ଚକ୍ର ସେମାନଙ୍କୁ ନିଜ ପାଦ ତଳେ ଚାପି ଦେଇଛି। ଅନ୍ୟାନ୍ୟ ସଭ୍ୟତା ଓ ଭାରତ ମଧ୍ୟରେ ପାର୍ଥକ୍ୟକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱ ଆଜି ସେ ସବୁ ସଭ୍ୟତାର ଧ୍ୱଂସାବଶେଷକୁ ଆକଳନ କରି ଇତିହାସକୁ ଅବଲୋକନ କରୁଥିବା ବେଳେ ଭାରତ ଇତିହାସରେ ଅନେକ ଅପ୍ରତ୍ୟାଶିତ ଝଡ଼ଝଞ୍ଜାର ଅକଳ୍ପନୀୟ ବୈଦେଶିକ ଅନୁପ୍ରବେଶକାରୀଙ୍କ ଆତଙ୍କର ସମ୍ମୁଖୀନ ହୋଇ ମଧ୍ୟ ପୂର୍ବ ଶକ୍ତି ଓ ଚେତନାର ସହ ଅଜେୟ ଅମର ହୋଇ ଦଣ୍ଡାୟମାନ ରହିଛି। ଏହାର କାରଣ ହେଉଛି ଯେତେବେଳେ କୌଣସି ଜଟିଳ ପରିସ୍ଥିତି ଉପୁଜିଛି ସେତେବେଳେ କେହି ନା କେହି ମହାନ ବ୍ୟକ୍ତି ବାହାରି ତା’ର ମୁକାବିଲା କରିଛନ୍ତି। ଯୁଗାରମ୍ଭରେ ମୁନିଋଷି ଓ ବିଦ୍ୱାନମାନେ ଆଗେଇ ଆସି ଭାରତରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟକୁ ସୁରକ୍ଷା ଦେଇଥିଲେ। ଲଛିତ ବରଫୁକନଙ୍କ ଭଳି ପରାକ୍ରମୀ ଦେଖାଇ ଦେଇଛନ୍ତି ଯେ ଧର୍ମାନ୍ଧ ଓ ଆତଙ୍କୀ ଶକ୍ତି ଧ୍ୱଂସ ହୁଅନ୍ତି କିନ୍ତୁ ଭାରତୀୟ ଜୀବନର ଅନନ୍ତ ଆଲୋକ ଚିରନ୍ତନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆସାମର ଇତିହାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସାଂସ୍କୃତିକ ଯାତ୍ରାର ଏହା ବହୁମୂଲ୍ୟ ଐତିହ୍ୟର ବସ୍ତୁ। ଏହା ସମାଜ, ଆଦର୍ଶ, ବିଶ୍ୱାସ ଓ ପରମ୍ପରା ଏବଂ ସଂସ୍କୃତିର ସମ୍ମିଶ୍ରଣ। ଆସାମ ଓ ଉତ୍ତର ପୂର୍ବର ଅତୁଳନୀୟ ଧୈର୍ଯ୍ୟ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ମାଟି ତୁର୍କୀ, ଆଫଗାନ ଓ ମୋଗଲମାନଙ୍କୁ ଅନେକବାର ତଡ଼ି ଦେଇଛି। ମୋଗଲମାନେ ଗୌହାଟୀ ଅଧିକାର କରିଥିଲେ ମଧ୍ୟ ଲଛିତ ବରଫୁକନଙ୍କ ଭଳି ପରାକ୍ରମୀ ସ୍ୱେଚ୍ଛାଚାରୀ ମୋଗଲ ସାମ୍ରାଜ୍ୟ ହାତକୁ ନିଜର ସ୍ୱାଧୀନତା ଛଡ଼ାଇ ଆଣିଥିଲେ। ସରାଇ ଘାଟ ଠାରେ ବୀର ଲଛିତ ବରଫୁକନ ଦେଖାଇଥିବା ଶୌର୍ଯ୍ୟ କେବଳ ମାତୃଭୂମି ପ୍ରତି ମମତାର ଅନାବିଳ ପ୍ରେମ ନୁହେଁ ବରଂ ସମଗ୍ର ଆସାମକୁ ଏକାଠି ରଖିବା ପାଇଁ ତାଙ୍କର କ୍ଷମତା ଥିଲା ଯାହା ପ୍ରତ୍ୟେକ ନାଗରିକ ଆବଶ୍ୟକ ସ୍ଥଳେ ଦେଶ ମାତୃକାର ରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ ରହୁଥିଲେ। “ଲଛିତ ବରଫୁକନଙ୍କ ସାହସ ଓ ନିର୍ଭୀକତା ହେଉଛି ଆସାମର ପରିଚୟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତର ଇତିହାସ କେବଳ ମାତ୍ର ଦାସତ୍ୱର କାଳଖଣ୍ଡ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଭାରତର ଇତିହାସରେ ଅନେକ ବିଜୟଗାଥା ଏବଂ ଅଗଣିତ ମହାନ ବ୍ୟକ୍ତିଙ୍କ ପରାକ୍ରମ ଲିପିବଦ୍ଧ ହୋଇ ରହିଛି। ସ୍ୱେଚ୍ଛାଚାର ବିରୁଦ୍ଧରେ ଅସ୍ୱାଭାବିକ ପରାକ୍ରମୀ ଓ ସାହସ ପ୍ରଦର୍ଶନ କରି ଛିଡ଼ା ହେବା ହେଉଛି ଭାରତ ଇତିହାସ। ଦୁର୍ଭାଗ୍ୟବଶତଃ ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ଦାସତ୍ୱ କାଳରେ ଷଡ଼ଯନ୍ତ୍ରକୁ କେନ୍ଦ୍ର କରି ଲିଖିତ ଇତିହାସ ଆମକୁ ପଢ଼ାଗଲା। ବିଦେଶୀମାନଙ୍କ ଆଭିମୁଖ୍ୟ ଯେଉଁମାନେ ଆମକୁ ଦାସ କରି ରଖିଲେ ତାକୁ ପରିବର୍ତ୍ତନ କରି ଆମକୁ ପଢ଼ା ହେବାର ଥିଲେ ମଧ୍ୟ ତାହା ହେଲା ନାହିଁ। ଦେଶରେ ସବୁଆଡ଼େ ସ୍ୱେଚ୍ଛାଚାରର ପ୍ରତିବାଦର ସ୍ୱରକୁ ଚପାଇ ଦିଆଯାଇଥିଲା। ଦୀର୍ଘଦିନର ଅତ୍ୟାଚାର ମଧ୍ୟରେ ସ୍ୱେଚ୍ଛାଚାର ବିରୁଦ୍ଧରେ ବିଜୟର ଅନେକ କାରଣ ରହଛି। ସମାଜର ମୁଖ୍ୟ ସ୍ରୋତରେ ସାମିଲ ନ ଥିବା ସେବାକୁ ଘଟଣାକୁ ଏବେ ସଂଶୋଧନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦିଲ୍ଲୀରେ ହେଉଥିବା ଏହି ସମାରୋହରେ ପରିବର୍ତ୍ତନର ପ୍ରତିଫଳନ ରହିଛି।

ବୀରମାନଙ୍କ ଗାଥାକୁ ନେଇ ଉତ୍ସବ ପାଳନ ପାଇଁ ପ୍ରଧାନମନ୍ତ୍ରୀ ଆସାମ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ବୀରମାନଙ୍କୁ ସମ୍ମାନ ଦେଖାଇବା ପାଇଁ ଆସାମରେ ସ୍ମାରକୀ ଓ ସଂଗ୍ରହାଳୟମାନେ ନିର୍ମାଣ ପାଇଁ ସେ ପରାମର୍ଶ ଦେଇଥିଲେ। ଏହା ଯୁବପିଢ଼ିଙ୍କୁ ଉତ୍ସର୍ଗ ଓ ଶୌର୍ଯ୍ୟର ଇତିହାସ ଜାଣିବାକୁ ସାହାଯ୍ୟ କରିବ। ଲଛିତ ବରଫୁକନଙ୍କ ଜୀବନ ଆମକୁ “ଦେଶ ପ୍ରଥମ” ମନ୍ତ୍ରରେ ଅନୁପ୍ରାଣିତ କରିବ। ତାଙ୍କର ଜୀବନ ଆମକୁ ‘ମୁଁ’ର ଊଦ୍ଧ୍ୱର୍କୁ ଉଠି ଦେଶର ସ୍ୱାର୍ଥକୁ ପ୍ରାଥମିକତା ଦେବା ପାଇଁ ଉତ୍ସାହିତ କରିବ। ତାଙ୍କ ଜୀବନୀ ଆମକୁ ଶିକ୍ଷାଦିଏ ଯେ “ପ୍ରିୟାପ୍ରୀତି ଓ ବଂଶ ପରିବର୍ତ୍ତେ ଦେଶ ସର୍ବୋଚ୍ଚ ହେବା ଉଚିତ”। ଲଛିତ ବରଫୁକନଙ୍କ ଜୀବନାଦର୍ଶର ଦୃଷ୍ଟାନ୍ତ ଦେଇ “କୌଣସି ବ୍ୟକ୍ତି ବା ସମ୍ପର୍କୀୟ ଦେଶ ଠାରୁ ବଡ଼ ନୁହେଁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଯେତେବେଳେ ଦେଶ ଏହାର ପ୍ରକୃତ ଅତୀତ କ’ଣ ଜାଣିବ, ସେତେବେଳେ ଯାଇ ଏହାର ଅଭିଜ୍ଞତାରୁ ଶିଖି ଭବିଷ୍ୟତ ନିମନ୍ତେ ଉଚିତ ନିର୍ଦ୍ଦେଶ ଦେବ। “ଏହା ଆମର ଜାଣିବା ଦରକାର ଯେ ଆମର ଇତିହାସ ଜ୍ଞାନ କେବଳ ଗତ କିଛି ଦଶନ୍ଧି ଓ ଶତାବ୍ଦୀ ମଧ୍ୟ ସୀମିତ ନୁହେଁ ବୋଲି ସେ କହିଥିଲେ। ଭାରତ ରତ୍ନ ଭୂପେନ ହଜାରିକାଙ୍କ ଉକ୍ତିରୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାରମ୍ବାର ମନେରଖି ଆମେ ଆଗାମୀ ପିଢ଼ିକୁ ଇତିହାସର ପ୍ରକୃତ ଛବି ନେଇ ଅବଗତ କରାଇପାରିବା।

ଛତ୍ରପତି ଶିବାଜୀ ମହାରାଜଙ୍କ ଢାଞ୍ଚାରେ ଏକ ଭବ୍ୟ ନାଟକ ଲଛିତ ବରଫୁକନଙ୍କ ଉପରେ ନିର୍ମାଣ କରି ଦେଶର କୋଣ ଅନୁକୋଣେ ଏହା ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ  ପ୍ରସ୍ତାବ ଦେଇଥିଲେ। ଏହା ଏକ ଭାରତ ଶ୍ରେଷ୍ଠ ଭାରତ ସଂକଳ୍ପକୁ ଏକ ବଡ଼ ପ୍ରୋତ୍ସାହନ ଦେବ। “ଆମକୁ ଭାରତକୁ ଉନ୍ନତ କରିବାକୁ ପଡ଼ିବ ଓ ଉତ୍ତର ପୂର୍ବାଞ୍ଚଳକୁ ଭାରତ ଅବିଭୃଦ୍ଧିର କେନ୍ଦ୍ର କରିବାକୁ ପଡ଼ିବ। ମୁଁ ନିଶ୍ଚିତ ଯେ ବୀର ଲଛିତ ବରଫୁକନଙ୍କ ୪ଠଠ ତମ ଜୟନ୍ତୀ ଆମର ସଂକଳ୍ପକୁ ଆହୁରି ମଜବୁତ କରିବା ସହ ଦେଶ ତା’ର ଲକ୍ଷ୍ୟ ହାସଲ କରିବ,” ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷରେ କହିଥିଲେ।

ସମାରୋହ ସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ବିଜ୍ଞାନ ଭବନ ପଶ୍ଚିମ ପ୍ରାଙ୍ଗଣରେ ପ୍ରଦର୍ଶିତ ଗ୍ରାମୀଣ ଆସାମର ପରିପାଟୀ ଓ ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ପ୍ରଦର୍ଶନୀ ବୁଲି ଦେଖିଥିଲେ। ପରେ ପ୍ରଧାନମନ୍ତ୍ରୀ ପ୍ରଦୀପ ପ୍ରଜ୍ୱଳନ କରି ଲଛିତ ବରଫୁକନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଆସାମ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ, ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ସାଂସଦ ତଥା ଅବସରପ୍ରାପ୍ତ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ତପନ କୁମାର ଗୋଗଇ, ଆସାମ ସରକାରଙ୍କ ସଦସ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି:

ଦେଶର ଅପରିଚିତ ନାୟକମାନଙ୍କ ଗାଥା ତଥା ସେମାନଙ୍କୁ ସମ୍ମାନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ରହିଆସିଛି। ଏହି ପରିପ୍ରେକ୍ଷୀରେ ଦେଶ ଲଛିତ ବରଫୁକନଙ୍କ ୪ଠଠ ତମ ଜୟନ୍ତୀ ପାଳନ କରୁଛି। ଗୌହାଟୀ ଠାରେ ତକ୍ରାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତବର୍ଷ ଫେବ୍ରୁଆରୀରେ ଉତ୍ସବକୁ ଉଦଘାଟନ କରିଥିଲେ।

ଲଛିତ ବରଫୁକନ (୨୪ ନଭେମ୍ବର ୧୯୨୨-୨୫ ଏପ୍ରିଲ ୧୬୭୨) ଆସାମ ଅହମ ସାମ୍ରାଜ୍ୟର ପ୍ରସିଦ୍ଧ ସେନାପତି ଥାଇ ଔରଙ୍ଗଜେବଙ୍କ ନିର୍ଦେଶରେ ମୋଗଲ ଆକ୍ରମଣକାରୀଙ୍କ ପରାସ୍ତ କରି ତାଙ୍କର ସାମ୍ରାଜ୍ୟ ବିସ୍ତାରବାଦୀ ମହତ୍ବାକାଂକ୍ଷାର ପତନ ଘଟାଇଥିଲେ। ୧୬୭୧ରେ ସଂଗଠିତ ସରାଇ ଘାଟ ଯୁଦ୍ଧରେ ଲଛିତ ବରଫୁକନ ଆସାମୀ ସୈନ୍ୟମାନଙ୍କୁ ନେଇ ମୋଗଲମାନଙ୍କୁ ଶୋଚନୀୟ ଭାବେ ପରାସ୍ତ କରିବା ସହିତ ଅପମାନିତ କରି ବିତାଡ଼ିତ କରି ଦେଇଥିଲେ। ଆମ ଦେଶରେ ଲଛିତ ବରଫୁକନଙ୍କ ଅଦମ୍ୟ ସାହସ ସାମରିକ ପ୍ରତିରୋଧରେ ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ହୋଇ ରହିଛି।