Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆବାସ ଯୋଜନା କାହା ପାଇଁ? ତାଳବରଡା ଓ ପଲିଥିନ୍‌ ତଳେ ବିତୁଛି କୁନ୍ଦେଇଜୋରୀ ଗ୍ରାମର ବହୁ ଅଧିବାସୀଙ୍କ ଜୀବନ 

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଗରୀବ ଲୋକମାନଙ୍କ ପାଇଁ ବହୁ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି। ଯାହାର ଘର ନାହିଁ ତାକୁ ବିଜ୍ଜୁପକ୍କାଘର ହେଉ ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି। ସରକାରଙ୍କ ଏହି ଯୋଜନା ଏକ ଲୋକାଭିମୁଖୀ ଯୋଜନା ହେଲେ ମଧ୍ୟ ପଂଚାୟତର ସରପଂଚ ହେଉ ବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ପ୍ରକୃତ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇବାରେ ବଂଚିତ ହେଉଥିବା ଭଳି ଘଟଣା ଘଟିଛି ନାକଟିଦେଉଳ ବ୍ଲକ୍ ର ସାଲେଭଟା ଗ୍ରାମପଂଚାୟତରେ।

ଅନୁସନ୍ଧାନରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ର ସାଲେଭଟା ପଂଚାୟତର କୁନ୍ଦେଇଜୋରୀ ଗାଁ। ସମ୍ବଲପୁର ଜିଲ୍ଲାର ଶେଷ ସୀମା। ଜିଲ୍ଲା ମୁଖ୍ୟାଳୟଠାରୁ ୧୫୦ କିମି ଦୂର। ଏହି ଗାଁ ପାହାଡତଳୀ ଗାଁ। କୁନ୍ଦେଇଜୋରୀ ଗାଁ ର ରୁକ୍ମିଣୀ ଦେହୁରୀ, କାର୍ତିକା ସାହୁ , ଶ୍ରୀରାମ ସାହୁ, ହୃଷିକେଶ ସାହୁ, ରଶ୍ମିତା ବିଶି ଓ ଦଶରଥ ନାଏକ। ଏମାନେ ସମସ୍ତେ କିଏ ତାଳ ବରଡା ତଳେ ରହୁଛି ତ ଆଉ କିଏ ପୋଲିଥିନ୍ ତଳେ ଜୀବନ ବିତାଉଛନ୍ତି। ଏମିତିକି ସେମାନେ ପାହାଡକୁ ଲାଗି ରହୁଛନ୍ତି। ସରକାରଙ୍କ ବାସଗୃହ ଯୋଜନା କଣ ଏମାନେ ଜାଣି ନାହାନ୍ତି ବୋଲି ଆମ ପ୍ରତିନିଧିଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି। ସେଇ ଗାଁ କୁ ଏ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଙ୍କର ପାଦ ପଡି ନାହିଁ ବୋଲି ପ୍ରକାଶ କରିଛନ୍ତି ଏଇ ଅସହାୟ ଲୋକମାନେ।

ବର୍ଷାଦିନେ ଘର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଦିନରେ ସୂର୍ଯ୍ୟ ଓ ରାତିରେ ଜହ୍ନର ଲୁଚକାଳୀ ଖେଳ ଘର ଭିତରୁ ସ୍ପଷ୍ଟ ବାରିହୋଇପଡେ। ସତେ ଯେମିତି ଗାଁ ର ଏହି ଲୋକମାନେ ଅନ୍ୟଏକ ପୃଥିବୀରେ ବାସ କରୁଥିବା ଅନୁମାନ କରାଯାଏ। ଘଂଚ ଅରଣ୍ୟ ଆଚ୍ଛାଦିତ ତଥା ପାହାଡ ତଳିଆ ଏହି ଗାଁର ଏହି ହିତାଧୀକାରୀ ମାନଙ୍କୁ ସରକାରଙ୍କ କୌଣସି ବାସଗୃହ ଯୋଜନାରେ ସାମିଲ୍ କରା ନଯିବା ଭଳି ଘଟଣା ସରକାରଙ୍କ କାନକୁ ବାଜିନି। ଏହି ଲୋକମାନେ କିପରି ଘର ଖଣ୍ଡିଏ ଲେଖାଏଁ ପାଇବେ ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବୀ କରିଛନ୍ତି ଏହି ହିତାଧୀକାରୀମାନେ।

Categories
ଆଞ୍ଚଳିକ

ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଦ୍ଵାରା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଚେକ୍ ବଣ୍ଟନ ଓ ଏରସମା ଜେ.ଏମ୍.ଏଫ୍.ସି କୋର୍ଟର ଅସ୍ଥାୟୀ ଗୃହ ପରିଦର୍ଶନ

ରମେଶ ମହାନ୍ତି

ଜଗତସିଂହପୁର: ବାଲିକୁଦା -ଏରସମା ବିଧାୟକ ତଥା ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଦ୍ଵାରା ମଙ୍ଗଳବାର ଦିନ ଏରସମା ବ୍ଲକ ସମ୍ମିଳନୀ କକ୍ଷରେ ଢିଙ୍କିଆ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚେକ୍ ବଣ୍ଟନ କରାଯାଇଛି। ସୂଚନା ମୁତାବକ ଢିଙ୍କିଆ ପଞ୍ଚାୟତରେ ୨୦୧୫-୧୬ ମସିହା ପାଇଁ ୨୩ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ ନାମ ଫଳକ ଲେଖିବା ପାଇଁ ୧ହଜାର ଟଙ୍କା ଲେଖାଏଁ ଓ ୩ଜଣ ହିତାଧିକାରୀଙ୍କୁ ଫାଇନାଲ ବିଲ୍ ବାବଦ ୧୦ହଜାର ଟଙ୍କା ଲେଖାଏଁ ମନ୍ତ୍ରୀ ଶ୍ରୀ ଦାସ ଚେକ୍ ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା, ସାଂସଦଙ୍କ ପ୍ରତିନିଧି ପୀତବାସ ଗଚ୍ଛାୟତ ,ବ୍ଲକ୍ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟା ଇତିଶ୍ରୀ ଭୂୟାଁ, ସ୍ବର୍ଣ୍ଣଲତା ସେନାପତି, ଗୀତାଞ୍ଜଳି ସ୍ୱାଇଁଙ୍କ ସମେତ ବ୍ଲକର କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏଥିସହିତ ଜିଲ୍ଲାପାଳ ଓ ମନ୍ତ୍ରୀ ଶ୍ରୀ ଦାସ ଏରସମା ବିଡିଓଙ୍କ ସହିତ ବ୍ଲକ୍ ଅଞ୍ଚଳରେ ଲଗାଣ ବର୍ଷାରେ ବୁଡିରହିଥିବା କେତେକ ଅଞ୍ଚଳ ବୁଲି ଦେଖିବା ସହ ବର୍ଷା ଜନିତ ଜଳ ନିଷ୍କାସନ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରି ଯଥାଶୀଘ୍ର ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲ୍ଲାପାଳଙ୍କ ସହିତ ମନ୍ତ୍ରୀ ଶ୍ରୀ ଦାସ ଏରସମାରେ ପ୍ରତିଷ୍ଠା ହେବାକୁ ଥିବା ସିଭିଲ୍ ଜଜ୍ ଜୁନିୟର୍ ଡିଭିଜନ- ଜେ.ଏମ୍.ଏଫ୍.ସି କୋର୍ଟର ଅସ୍ଥାୟୀ ଗୃହକୁ ପରିଦର୍ଶନ କରି ଜିଲ୍ଲାପାଳଙ୍କ ସହିତ ଏବାବଦରେ ଆଲୋଚନା କରିଥିଲେ।

Categories
ଆଞ୍ଚଳିକ ରାଜ୍ୟ ଖବର

ସରକାରୀ ଯୋଜନା କାହା ପାଇଁ: ଆଜି ବି ପଲିଥିନ୍‌ ତଳେ ବିତୁଛି ଜୀବନ

କନ୍ଦର୍ପ ବେହେରା

ରେଢାଖୋଲ: ବାସହୀନଙ୍କ ପାଇଁ ରାଜ୍ୟସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ବହୁ ପ୍ରକାର ଯୋଜନା କରିଛନ୍ତି। ଗରିବଙ୍କୁ ଘରଟିଏ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ଆରମ୍ଭ କରି ବିଜୁ ପକ୍କାଘର ଯୋଜନା ଆଦି ରହିଛି। ଗରିବଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଜନହିତକର କାର୍ଯ୍ୟ ତଥା ସହାୟତାମୂଳକ ପଦକ୍ଷେପ ନେଉଥିବାବେଳେ ଏହାର ଲାଭ କିଏ ପାଉଛି ? ସତରେ କ’ଣ ଜଣେ ହିତାଧିକାରୀ ଏହି ସମସ୍ତ ସୁବିଧା ପାଇପାରୁଛି। ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ।

ସମ୍ବଲପୁର ଜିଲ୍ଲାର ନାକ୍‌ଟିଦେଉଳ ବ୍ଲକ୍‌ ଅନ୍ତର୍ଗତ ଡଇଁଚା ଗ୍ରାମର ନିବାସୀ ହେଉଛନ୍ତି ଶେଷଦେବ ପଧାନ। ଆଜି ବି ସେ ପଲିଥିନ୍‌ ତଳେ ଜୀବନ ବିତାଉଛନ୍ତି। ୬ ପ୍ରାଣୀ କୁଟୁମ୍ବକୁ ନେଇ ତାଙ୍କ ସଂସାର। ଗରିବ ଖଟିଖିଆଙ୍କ ପାଇଁ ସରକାରଙ୍କ ତରଫରୁ ପୁଞ୍ଜା ପୁଞ୍ଜା ଯୋଜନା ରହିଥିବାବେଳେ ଶେଷଦେବଙ୍କ ପାଇଁ ଏସବୁ ସ୍ବପ୍ନ ପାଲଟିଛି। ପକ୍କା ଘରଟିଏ ପାଇବା ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ ଓ ଜିଲ୍ଲାପାଳଙ୍କୁ ବହୁବାର ଅନୁରୋଧ କରି ଚିଠି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ସୁଫଳ ମିଳିପାରିନାହିଁ। ତାଙ୍କ କହିବାନୁସାରେ ୪ରୁ ୫ ବର୍ଷ ହେବ ତାଙ୍କ ନାମ ଘର ହେବା ପାଇଁ ଅର୍ଡର ଆସୁଥିବାବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ପାଖରେ ଏହା ପହଞ୍ଚିପାରୁନାହିଁ। ଅସହାୟ ଭାବରେ ଜୀବନ ବିତାଉଥିବା ଶେଷଦେବ ଦିନରେ ଖରା, ରାତ୍ରିରେ ଜହ୍ନ ଏପରିକି ବର୍ଷାରେ ଜଳ ଭିତରେ ବୁଡି ରହୁଥିବାବେଳେ ସରକାରୀ ଯୋଜନାର ବଞ୍ଚିତ ଶେଷଦେବଙ୍କୁ ନ୍ୟାୟ ମିଳିବ କେବେ? ଜିଲ୍ଲା ପ୍ରଶାସନ ତଥା ରାଜନୈତିକ ନେତାମାନଙ୍କର ଏନେଇ କୌଣସି ନିଘା ନାହିଁ। ଘର ପାଇବାରୁ ବଞ୍ଚିତ ହୋଇ କ୍ଷୋଭ ପ୍ରକାଶ କରି ଶେଷଦେବ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏନେଇ ଚିଠି ଲେଖିବି।  ଯଦି ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଦୁଃଖ ନ ଶୁଣନ୍ତି ତେବେ ସେ ଜିଲ୍ଲାପାଳଙ୍କ ଘର ସମ୍ମୁଖରେ ଅନଶନ କରିବେ।

ସରକାର ଯୋଜନାଗୁଡ଼ିକ ପ୍ରଣୟନ କରିଦେଉଛନ୍ତି ସତ, କିନ୍ତୁ ଏହା ସତରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତା’ର ତଦାରଖ କରିବା ମଧ୍ୟ ସରକାରଙ୍କର। ଏଦିଗରେ ସରକାର ଟିକେ ଦୃଷ୍ଟି ଦେଲେ ଶେଷଦେବଙ୍କ ପରି ବହୁ ଖଟିଖିଆ ଗରିବ ଲୋକମାନେ ସରକାରୀ ଯୋଜନାର ସୁଫଳ ପାଇପାରନ୍ତେ।