Categories
ଆଜିର ଖବର ଜାତୀୟ ଖବର

ଜାତୀୟ ସ୍ତରର ଜନସମ୍ପର୍କ ଅଭିଯାନ ‘‘ଜଳ ବିଭାଜିକା ଯାତ୍ରା’’ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଭାସୀ ମାଧ୍ୟମ ଏକ ଜାତୀୟ ସ୍ତରର ଜନସମ୍ପର୍କ ଅଭିଯାନ ‘‘ଜଳ ବିଭାଜିକା ଯାତ୍ରା’’ର ଶୁଭାରମ୍ଭ କରିଛନ୍ତି। ଏହା ଲୋକଙ୍କ ଅଂଶଗ୍ରହଣ ସୃଷ୍ଟି କରିବା ଏବଂ ପ୍ରକଳ୍ପ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନାର ଜଳ ଛାୟା ବିକାଶ ଉପାଦାନ (ଡବ୍ଲୁଡିସି – ପିଏମକେଏସୱାଇ) ଅଧୀନରେ କରାଯାଉଥିବା ଜଳ ବିଭାଜିକା ବିକାଶ କାର୍ଯ୍ୟକଳାପ ବିଷୟରେ ସଚେତନତା ସୃଷ୍ଟି କରିବ। ଏହି ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଚନ୍ଦ୍ର ଶେଖର ପେମ୍ମାସାନୀ ଏବଂ ଶ୍ରୀ କମଲେଶ ପାଶ୍ୱାନ ମଧ୍ୟ ଉପସ୍ଥିତ ଥିଲେ ଏବଂ ଜଳ ବିଭାଜିକା ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସମାବେଶକୁ ସମ୍ବୋଧିତ କରିଥିଲେ। ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବିଭାଗୀୟ ମନ୍ତ୍ରୀ, ଡବ୍ଲ୍ୟୁଡିସି- ପିଏମକେଏସୱାଇର କାର୍ଯ୍ୟାନ୍ୱୟନ ସହ ଜଡ଼ିତ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ନିଜ ନିଜ ରାଜ୍ୟରେ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ଏକକାଳୀନ ଯାତ୍ରାର ଶୁଭାରମ୍ଭ କରିଥିଲେ। ଜଳ ବିଭାଜିକା ଯାତ୍ରା ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୋଟ 800 ଗ୍ରାମ ପଞ୍ଚାୟତ ଏବଂ ଏକ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଲୋକଙ୍କ ବର୍ତ୍ତମାନର ଓ ଭବିଷ୍ୟତର ଆବଶ୍ୟକତା ପାଇଁ ମୃତ୍ତିକା ଓ ଜଳ ସଂରକ୍ଷଣର ଗୁରୁତ୍ୱ ଏବଂ ସାରା ଦେଶରେ ଡବ୍ଲ୍ୟୁଡିସି- ପିଏମକେଏସୱାଇ ପ୍ରକଳ୍ପର ପ୍ରଭାବଶାଳୀ ଏବଂ ସଫଳ କାର୍ଯ୍ୟକାରିତାରେ ଜନସମାଜର ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଯାତ୍ରାରେ ଆଗ୍ରହର ସହିତ ଅଂଶଗ୍ରହଣ କରିବା ଏବଂ ଡବ୍ଲ୍ୟୁଡିସି- ପିଏମକେଏସୱାଇର ସଫଳତାକୁ ସୁନିଶ୍ଚିତ କରିବା ଲାଗି ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଏହି ଯାତ୍ରା ଏକ ‘‘ଗୋଷ୍ଠୀ ପରିଚାଳିତ ଆଭିମୁଖ୍ୟ’’ ହାସଲ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ । କ୍ଷେତ୍ର ସ୍ତରରେ କାର୍ଯ୍ୟକାରିତା କଳକୁ ଉତ୍ସାହିତ କରିବ ଏବଂ କୃଷି ଉତ୍ପାଦକତା, ଜୀବିକା ଓ ପରିବେଶରେ ଉନ୍ନତି ପାଇଁ ପ୍ରାକୃତିକ ସମ୍ବଳର ସ୍ଥାୟୀ ପରିଚାଳନାର ଗୁରୁତ୍ୱ ଉପରେ ଆଲୋକପାତ କରିବ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଜଳବିଭାଜିକା ଯାତ୍ରା ସମୟରେ ନୂତନ କାର୍ଯ୍ୟର ଭୂମି ପୂଜନ, ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟର ଉତ୍ସର୍ଗ, ଜଳବିଭାଜିକା ଉତ୍ସବ, ଜଳବିଭାଜିକା ପଞ୍ଚାୟତ, ପ୍ରକଳ୍ପ କ୍ଷେତ୍ରରେ ଜଳବିଭାଜିକା ଗାଇଡମାନଙ୍କୁ ପୁରସ୍କାର ଏବଂ ସ୍ୱୀକୃତି, ଭୂମି-ଜଳ ପିଚ୍ ଏବଂ ଶ୍ରମଦାନ ଆଦି ଭଳି କାର୍ଯ୍ୟକଳାପଗୁଡ଼ିକ ସାଧାରଣ ଜନତାଙ୍କୁ ସ୍ଥାୟୀ ସମ୍ବଳ ପରିଚାଳନାର ବାର୍ତ୍ତା ପ୍ରଦାନ କରିବ।

ଯାତ୍ରାର ଶୁଭାରମ୍ଭ ଅବସରରେ ଶ୍ରୀ ଚୌହାନ 2025 ଏବଂ 2026 ବର୍ଷ ପାଇଁ ଡବ୍ଲ୍ୟୁଡିସି- ପିଏମକେଏସୱାଇ 2.0 ଅଧୀନରେ ‘ୱାଟରଶେଡ୍ ବା ଜଳବିଭାଜିକା-ଜନ ଭାଗିଦାରୀ ପ୍ରତିଯୋଗିତା’ ମଧ୍ୟ ଘୋଷଣା କରିଥିଲେ। ସେ ଏହା ମଧ୍ୟ ସୂଚନା ଦେଇଥିଲେ ଯେ ‘ପବ୍ଲିକ୍-ପ୍ରାଇଭେଟ୍-ପିପୁଲ୍ ପାର୍ଟନରସିପ୍ (4ପି)’ କୁ ଅନ୍ତର୍ଭୁକ୍ତ କରି ଗୋଷ୍ଠୀ ନେତୃତ୍ୱାଧୀନ ଜଳବିଭାଜିକା ପରିଚାଳନାର ନୀତି ଉପରେ ଆଧାରିତ ଏହା ଏକ ଅନନ୍ୟ ମଡେଲ। ଏହା ଅଧୀନରେ ପ୍ରକଳ୍ପ କ୍ଷେତ୍ରରେ ସରକାରୀ ପାଣ୍ଠି ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ଦ୍ୱାରା କରାଯାଇଥିବା କାର୍ଯ୍ୟର ରାଜ୍ୟ ସ୍ତରରେ ମୂଲ୍ୟାଙ୍କନ କରାଯିବ ଏବଂ ଉତ୍କୃଷ୍ଟ ତଥା ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ପ୍ରକଳ୍ପଗୁଡ଼ିକୁ ପ୍ରତି ପ୍ରକଳ୍ପ ପାଇଁ ଅତିରିକ୍ତ 20 ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ମୋଟ 70.80 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଯାହା ପ୍ରତିବର୍ଷ 177ଟି ପ୍ରକଳ୍ପକୁ ଲାଭାନ୍ୱିତ କରିବ। ଚଳିତ ବର୍ଷର ପ୍ରତିଯୋଗିତା ପାଇଁ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ଏପ୍ରିଲ ମାସରେ କରାଯିବ।

କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହି ପ୍ରତିଯୋଗିତା କେବଳ ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ନାହିଁ, ବରଂ ସାଧାରଣ ଜନତା ମଧ୍ୟ ଶ୍ରମଦାନ ଇତ୍ୟାଦି ମାଧ୍ୟମରେ ସେମାନଙ୍କର କ୍ଷମତା ଅନୁଯାୟୀ ଜଳ ଅମଳ ଢାଞ୍ଚାର ନିର୍ମାଣ ଏବଂ ରକ୍ଷଣାବେକ୍ଷଣରେ ଯୋଗଦାନ କରିବେ। ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୃତ୍ତିକା ଓ ଜଳ ସଂରକ୍ଷଣ ପାଇଁ ସୁସ୍ଥ ପ୍ରତିଯୋଗିତା, ଜନ ସଚେତନତା, ଜନ ଭାଗିଦାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଆପଣାର ଭାବନା ସୃଷ୍ଟି କରିବା, ଯାହା ଦ୍ୱାରା ଭବିଷ୍ୟତରେ ମଧ୍ୟ ଗ୍ରାମବାସୀମାନେ ଏହି ଢାଞ୍ଚାଗୁଡ଼ିକର ଯତ୍ନ ନେବେ ଏବଂ ସେଗୁଡ଼ିକୁ ସଠିକ୍ ଭାବରେ ପରିଚାଳନା କରିବେ।

ଏହି ଜଳବିଭାଜିକା ଯାତ୍ରାରେ 805ଟି ପ୍ରକଳ୍ପରେ ପାଖାପାଖି 1 ଦିନ ପର୍ଯ୍ୟନ୍ତ ବାହନ ଚଳାଚଳ ହେବ, ଯେଉଁଥିରେ 26ଟି ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳର 6673ଟି ଗ୍ରାମ ପଞ୍ଚାୟତ (13587ଟି ଗ୍ରାମ) ସାମିଲ ରହିଛି। ‘ୱାଟରଶେଡ୍ କୀ ପଞ୍ଚାୟତ’ କାର୍ଯ୍ୟକ୍ରମ ଅଧୀନରେ, ସ୍ଥାୟୀ ମୃତ୍ତିକା ଓ ଜଳ ପରିଚାଳନା ଅଭ୍ୟାସ ବିଷୟରେ ବିଶେଷଜ୍ଞଙ୍କ ଦ୍ୱାରା ଆଲୋଚନା ଆୟୋଜନ କରାଯିବ । ବିଭିନ୍ନ ପ୍ରକଳ୍ପ କ୍ଷେତ୍ରରେ ଡବ୍ଲ୍ୟୁଡିସି- ପିଏମକେଏସୱାଇ କାର୍ଯ୍ୟର କାର୍ଯ୍ୟକାରିତାରେ ଯୋଗଦାନ କରିଥିବା ପ୍ରାୟ 8,000 ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ, ଯାହା ଜଳବିଭାଜିକା ସମୁଦାୟକୁ ଆହୁରି ଉତ୍ସାହିତ କରିବ।

ବିଭାଗ ଜଳ ବିଭାଜିକା ବିକାଶ ଉପରେ ଏକ ଲର୍ଣ୍ଣିଂ ମ୍ୟାନେଜମେଣ୍ଟ ସିଷ୍ଟମ (ଏଲଏମଏସ) ବିକଶିତ କରିଛି ଏବଂ ଡିଓଏଲଆରର ୱେବସାଇଟରେ ହୋଷ୍ଟ କରିଛି, ଯାହାକୁ ଯୁବବର୍ଗଙ୍କ ଅଧିକ ଯୋଗଦାନ ପାଇଁ ମାଇ ଭାରତ ପୋର୍ଟାଲ ସହିତ ମଧ୍ୟ ଲିଙ୍କ୍ କରାଯାଇଛି। ଅଂଶଗ୍ରହଣକାରୀ ଯୁବବର୍ଗଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ, ଯାହା ସେମାନଙ୍କୁ ଶ୍ରମଦାନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ପ୍ରେରଣା ଦେବ।

ସାରା ଦେଶର ଯୁବବର୍ଗଙ୍କ ସହିତ ଯୋଡ଼ି ହେବା ଏବଂ ସେମାନଙ୍କୁ ସାମିଲ କରିବା ପାଇଁ ‘ମାଇଁ ଭାରତ ପୋର୍ଟାଲ’ରେ ‘ଜଳ ବିଭାଜିକା ଯାତ୍ରା’ ପାଇଁ ଏକ ବିଶାଳ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏହା ଶ୍ରମଦାନ ଭଳି କାର୍ଯ୍ୟକଳାପ ପାଇଁ ଯୁବ ସ୍ୱେଚ୍ଛାସେବୀମାନଙ୍କୁ ଏକତ୍ରିତ କରିବାରେ ସାହାଯ୍ୟ କରିବ, ଜଳବିଭାଜିକା ପ୍ରକଳ୍ପରେ ଗୋଷ୍ଠୀ ଅଂଶଗ୍ରହଣକୁ ମଜବୁତ କରିବ ଏବଂ ଡବ୍ଲୁଡିସି-ପିଏମକେଏସୱାଇ 2.0 ଯୋଜନାର ଉନ୍ନତ କାର୍ଯ୍ୟକାରିତାରେ ସାହାଯ୍ୟ କରିବ। ଏହା ଜଳବିଭାଜିକା କର୍ମୀ ଏବଂ ନେତାମାନଙ୍କର ଏକ ଗୋଷ୍ଠୀ କ୍ୟାଡର ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶାକୁ ମିଳିଛି ୧୨୦୮.୮୬ କୋଟି: କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶା ଆଠଟି ତ୍ୱରାନ୍ୱିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ (ଏଆଇବିପି) ପ୍ରକଳ୍ପ ମଧ୍ୟରୁ ପାଞ୍ଚଟି ଯଥା ଉପର ଇନ୍ଦ୍ରାବତୀ, ରୁକୁଡା, ରେତ, ତେଲଙ୍ଗିର ଓ ନିମ୍ନ ଇନ୍ଦ୍ରାବତୀର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହାଛଡା ସୁବର୍ଣ୍ଣରେଖା, ସମନ୍ୱିତ ଆନନ୍ଦପୁର ବ୍ୟାରେଜ ଓ କାନୁପୁର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏସବୁ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଏପ୍ରିଲ ୨୦୧୬ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ୧୨୦୮.୮୬ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଆକାରରେ ଯୋଗାଇ ଦେଇଛନ୍ତି ବୋଲି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି।

ମନ୍ତ୍ରୀ ଶ୍ରୀ ଟୁଡୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶାରେ ଚାଲୁଥିବା କାର୍ଯ୍ୟର ତଥ୍ୟ ପ୍ରଦାନ କରିଛନ୍ତି।

ଶ୍ରୀ ଟୁଡୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶାରେ ଆଠଟି ପ୍ରକଳ୍ପ ମାଧ୍ୟମରେ ୨୪୯.୫୩ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା କରାଯାଇଛି। ସେହିଭଳି କମାଣ୍ଡ ଏରିଆ ବିକାଶ ଓ ଜଳ ପରିଚାଳନା ପାଇଁ କେନ୍ଦ୍ର ସରକାର ୨୦୨୨ ମାର୍ଚ୍ଚ ସୁଦ୍ଧା ୧୩୧.୯୬ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହାଫଳରେ ୭୧.୫୯ ହଜାର ହେକ୍ଟର ଜମିକୁ ଚାଷ ଉପଯୋଗୀ କରାଯାଇପାରିଛି।

ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ ଜଳ ଉତ୍ସଗୁଡିକର ମରାମତି ଓ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ୨୦୨୨ ମାର୍ଚ୍ଚ ସୁଦ୍ଧା ଓଡିଶାକୁ ୧୪୫.୧୯ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏଥିରେ ଦୁଇଟି କ୍ଲଷ୍ଟରର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି ଏବଂ ୪୭.୯୬ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାକୁ କାମ ଚାଲିଛି।

ସେ ଆହୁରି କହିଛନ୍ତି ଯେ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥିରେ ନଦୀ ପରିଚାଳନା, କୂଳକ୍ଷୟ ରୋକିବା, ନଷ୍ଟ ହୋଇଯାଇଥିବା ବନ୍ୟା ନିରୋଧକ ବ୍ୟବସ୍ଥାର ପୁନରୁଦ୍ଧାର, ସମୁଦ୍ରକୂଳ କ୍ଷୟକୁ ରୋକିବା ଓ ବନ୍ୟା ନିୟନ୍ତ୍ରଣ ପାଇଁ ୮୦୦୦କୋଟି ଟଙ୍କାର କେନ୍ଦ୍ରୀୟ ବ୍ୟୟ ବରାଦ ରହିଛି। ଏକାଦଶ ଓ  ଦ୍ୱାଦଶ ଯୋଜନାରେ ଓଡିଶାର ଏଭଳି ୬୮ଟି ପ୍ରକଳ୍ପକୁ କେନ୍ଦ୍ରୀୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ତଦନୁସାରେ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଓଡିଶାକୁ କେନ୍ଦ୍ର ସରକାର ୧୧୯.୪୧ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ୬୬ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହାଫଳରେ ୧୯୩୭୪୯ ହେକ୍ଟର ଜମି ଓ ୧୧, ୫୪, ୩୦୦ ଲୋକଙ୍କୁ ବନ୍ୟା ଦାଉରୁ ସୁରକ୍ଷିତ କରାଯାଇଛି।

ମନ୍ତ୍ରୀ ଶ୍ରୀ ଟୁଡୁ ଆହୁରି କହିଛନ୍ତି ଯେ ବିଶ୍ୱ ବ୍ୟାଙ୍କ ସହାୟତାରେ ପରିଚାଳିତ ଡ୍ୟାମ ମରାମତି ଓ ବିକାଶ ପ୍ରକଳ୍ପ (ଡ୍ରିପ)ରେ ଓଡିଶା ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମ ୨୦୧୨ରୁ ୨୦୨୧ ମଧ୍ୟରେ କାର୍ଯ୍ୟକାରୀ ହୋଇଥିଲା। ଏହି ପ୍ରଥମ ପଯ୍ୟାୟ କାର୍ଯ୍ୟରେ ଓଡିଶାର ୨୬ଟି ଡ୍ୟାମର ମରାମତି ଓ ବିକାଶ କରାଯାଇଛି। ଏଥିପାଇଁ ୩୩୬କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ଡ୍ରିପ-୨ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଓଡିଶାର ୩୬ ଡ୍ୟାମ ଅନ୍ତର୍ଭୁକ୍ତ ହୋଇଛି ଏବଂ ଏ ବାବଦରେ ମୋଟ ୮୦୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି କାର୍ଯ୍ୟକ୍ରମ ୨୦୨୧ ଅକ୍ଟୋବର ୧୨ରୁ ଆରମ୍ଭ ହୋଇଛି।

ଓଡିଶାର ଭୂତଳ ଜଳ ଓ ତାହାର ପରିଚାଳନା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ ଓଡିଶାର ୨୫ ଜିଲ୍ଲାର ୨୪୫ବ୍ଲକରେ ୧,୨୦, ୫୯୯ ବର୍ଗ କିମି. ଅଞ୍ଚଳ ଜାତୀୟ ଆକ୍ୱାଫର ମ୍ୟାଫିଙ୍ଗ ଆଣ୍ଡ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୭୭ଶତାଂଶ ଅଞ୍ଚଳର ମାନଚିତ୍ରକରଣ କରାଯାଇସାରିଲାଣି। ଏସବୁ ଅଞ୍ଚଳରେ ଭୂତଳ ଜଳଉତ୍ସର ସ୍ତର ବୃଦ୍ଧି କରିବାକୁ ଉଦ୍ୟମ କରାଯାଉଛି। ସେହିଭଳି ଭଦ୍ରକ, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରେ ପାନୀୟ ଜଳରେ ଲୁଣାପାଣି ମିଶୁଥିବାରୁ ତାହାକୁ ରୋକିବାକୁ ପଦକ୍ଷେପ ଆରମ୍ଭ କରାଯାଇଛି  ଏବଂ ଯୋଡ, ନାଳ ଓ ଉପନାଳଗୁଡିକର ବିକାଶ କାର୍ଯ୍ୟ ଚାଲିଛି।

ଏହାଛଡା ଜାତୀୟ ହାଇଡ୍ରୋଲୋଜି ପ୍ରକଳ୍ପ ପାଇଁ ବିଶ୍ୱ ବ୍ୟାଙ୍କ ୫୦ ଶତାଂଶ ଋଣ ଯୋଗାଇ ଦେଉଛି। ଜଳସେଚନ ଓ ଜଳ ପରିଚାଳନା ସଂକ୍ରାନ୍ତ ବିଶ୍ୱସନୀୟ ଡାଟା ସଂଗ୍ରହ, ତାହାର ସୁରକ୍ଷା, ପରିଚାଳନା ଓ ବ୍ୟବହାର ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ନିର୍ମାଣ ଏହି ପ୍ରକଳ୍ପର ଲକ୍ଷ୍ୟ। ଓଡିଶା ସରକାରଙ୍କ ଜଳସେଚନ ବିଭାଗ ଏହାକୁ କାର୍ଯ୍ୟକାରୀ କରୁଛି। ଏଥିପାଇଁ ୯୧.୧୫କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। କେନ୍ଦ୍ର ସରକାର ଏ ବାବଦରେ ଓଡିଶାକୁ ଏପର୍ଯ୍ୟନ୍ତ ୧୫.୨୫କୋଟି ଟଙ୍କା ଅନୁଦାନ ଆକାରରେ ଯୋଗାଇ ଦେଇଛନ୍ତି ବୋଲି ଟୁଡୁ କହିଛନ୍ତି।

ତାଙ୍କ ଉତ୍ତରରେ ଜଳସଚେନ ରାଷ୍ଟ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଜଳସମ୍ପଦ ପ୍ରକଳ୍ପଗୁଡିକୁ ରାଜ୍ୟ ସରକାର ନିଜର ସମ୍ବଳ ଅନୁସାରେ ଯୋଜନା କରି ପାଣ୍ଠି ଯୋଗାଇଥାଆନ୍ତି ଓ ତାହାର ରକ୍ଷଣାବେକ୍ଷଣ କରିଥାନ୍ତି। ଏଥିରେ କେନ୍ଦ୍ର ସରକାରଙ୍କର ଭୂମିକା ସୀମିତ। କେନ୍ଦ୍ର କେବଳ ଏଥିରେ ରାଜ୍ୟମାନଙ୍କୁ ବୈଷୟିକ ସହାୟତା, କେତେକ କ୍ଷେତ୍ରରେ ଆଂଶିକ ଆର୍ଥିକ ସାହାଯ୍ୟ ଯୋଗାଇ ସୁବିଧାଯୋଗାଣକାରୀ ଭୂମିକା  ନିର୍ବାହ କରିଥାଏ। ଜଳ ନିରାପତ୍ତା ପାଇଁ କେନ୍ଦ୍ରୀୟ ଯୋଜନା ବାହାରେ ରାଜ୍ୟମାନଙ୍କୁ ମଧ୍ୟ କେନ୍ଦ୍ର ସରକାର ସୀମିତ ସହାୟତା ସ୍ଥଳ ବିଶେଷରେ ଯୋଗାଉଛନ୍ତି ବୋଲି ଶ୍ରୀ ଟୁଡୁ କହିଛନ୍ତି। (ପି.ଆଇ.ବି.)

Categories
ଜାତୀୟ ଖବର ବିଶେଷ ଖବର

2021-26 ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର କାର୍ଯ୍ୟକାରିତାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ଆଜି 93,068 କୋଟି ଟଙ୍କା ବ୍ୟୟଅଟକଳ ସହିତ 2021-26 ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ)ର କାର୍ଯ୍ୟକାରିତାକୁ ଅନୁମୋଦନ କରାଯାଇଛି।

ରାଜ୍ୟମାନଙ୍କୁ 37,454 କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଏବଂ 2016-21 ବର୍ଷ ପାଇଁ ଭାରତ ସରକାରଙ୍କ ଦ୍ବାରା ଉପଲବ୍ଧ କରାଯାଇଥିବା 20,434.56 କୋଟି ଟଙ୍କାର ଋଣ ସେବାକୁ ମଧ୍ୟ ସିସିଇଏ ମଞ୍ଜୁରି ମିଳିଛି।

2021-26 ଅବଧିରେ ତ୍ବରାନ୍ବିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ଏଆଇବିପି), ହର ଖେତ କୋ ପାନି (ଏଚକେକେପି) ଏବଂ ଜଳଛାୟା ବିକାଶ ଉପାଦାନର କାର୍ଯ୍ୟକାରିତା ଜାରି ରଖିବାକୁ ମଧ୍ୟ ଅନୁମୋଦନ କରାଯାଇଛି।

ତ୍ବରାନ୍ବିତ ଜଳସେଚନ ଲାଭ କାର୍ଯ୍ୟକ୍ରମ – ଭାରତ ସରକାରଙ୍କର ଏକ ପ୍ରମୁଖ ଯୋଜନା ଯାହାର ଉଦ୍ଦେଶ୍ୟ ହେଉଛି ଜଳସେଚନ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା। 2021-26 ଅବଧିରେ ଏଆଇବିପି ଅଧୀନରେ 13.88 ଲକ୍ଷ ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ସମ୍ଭାବନା ସୃଷ୍ଟି କରାଯିବ। 60ଟି ବର୍ତ୍ତମାନର ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବା ପ୍ରତି ଧ୍ୟାନ ଦିଆଯିବା ବ୍ୟତୀତ 30.23 ଲକ୍ଷ ହେକ୍ଟର କମାଣ୍ଡ ଏରିଆ ବିକାଶ, ଅତିରିକ୍ତ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇପାରିବ। ଜନଜାତି ଏବଂ ମରୁଡ଼ି ପ୍ରବଣ କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକୁ ଯୋଜନାରେ ସାମିଲ କରାଯିବାର ସର୍ତ୍ତାବଳୀକୁ କୋହଳ କରାଯାଇଛି।

ଦୁଇଟି ଜାତୀୟ ପ୍ରକଳ୍ପ- ହିମାଚଳ ପ୍ରଦେଶର ରେଣୁକାଜି ନଦୀବନ୍ଧ ଏବଂ ଉତ୍ତରାଖଣ୍ଡର ଲଖୱାର ବହୁମୁଖି ପ୍ରକଳ୍ପ ପାଇଁ 90% କେନ୍ଦ୍ରୀୟ ପାଣ୍ଠି ବ୍ୟବସ୍ଥା କରାଯାଇଛି। ଏହି ଦୁଇଟି ପ୍ରକଳ୍ପ ଯମୁନା ବେସିନରେ ଭଣ୍ଡାରଣ ଆରମ୍ଭ କରିବ ଯାହା ଯମୁନା ନଦୀର ଉପର ମୁଣ୍ଡରେ ରହିଥିବା 6ଟି ରାଜ୍ୟକୁ ଲାଭାନ୍ବିତ କରିବ। ଦିଲ୍ଲୀ ସମେତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହରିୟାଣା ଓ ରାଜସ୍ଥାନକୁ ଜଳଯୋଗାଣ ସୁବିଧା କରିବା ସହିତ ଯମୁନା ନଦୀର ପୁନରୁଦ୍ଧାର ଦିଗରେ ଏକ ବୃହତ ପଦକ୍ଷେପ ହେବ।

ହର କ୍ଷେତ କୋ ପାନି (ଏଚକେକେପି)ର ଲକ୍ଷ୍ୟ ହେଉଛି ଚାଷ ଜମିକୁ ଜଳସେଚନ ସୁବିଧା ବଢ଼ାଇବା ଏବଂ ଅଧିକ ଚାଷ ଜମିକୁ ସୁନିଶ୍ଚିତ ଜଳସେଚନ ପରିଧି ମଧ୍ୟକୁ ଆଣିବା। ଏଚକେକେପି ଅଧୀନରେ, ଭୂପୃଷ୍ଠ କ୍ଷୁଦ୍ର ଜଳସେଚନ ଏବଂ ପିଏମକେଏସୱାଇର ଜଳାଶୟ ଉପାଦାନର ମରାମତି-ପୁନରୁଦ୍ଧାର-ପୁନଃକାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା 4.5 ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବ।

ଜଳାଶୟ ପୁନରୁଦ୍ଧାରର ଗୁରୁତ୍ବକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପାଣ୍ଠି ଯୋଗାଣରେ ପରିବର୍ତ୍ତନ ଆଣିବାର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି। ଏଥିରେ ପ୍ରକଳ୍ପଗୁଡ଼ିକୁ ସାମିଲ କରିବାର ସର୍ତ୍ତାବଳୀରେ ଗୁରୁତ୍ବପୂର୍ଣ୍ଣ ସମ୍ପ୍ରସାରଣ କରାଯାଇଛି ଏବଂ ସାଧାରଣ କ୍ଷେତ୍ରରେ କେନ୍ଦ୍ରୀୟ ସହାୟତାକୁ 25%ରୁ 60% କରି ଦିଆଯାଇଛି। ଆହୁରି, ଏଚକେକେପିର ଭୂତଳ ଜଳ ଉପାଦାନକୁ 2021-22 ଆର୍ଥିକ ବର୍ଷ ପାଇଁ ଅନୁମୋଦନ କରାଯାଇଛି, ଏହା ମାଧ୍ୟମରେ 1.52 ଲକ୍ଷ ହେକ୍ଟର ଜମିକୁ ଜଳସେଚନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି।

ଜଳଛାୟା ବିକାଶ ଉପାଦାନରେ ମୃତ୍ତିକା ଓ ଜଳ ସଂରକ୍ଷଣ ପାଇଁ ବର୍ଷା ଜଳସେଚିତ କ୍ଷେତ୍ରର ବିକାଶ, ଭୂତଳ ଜଳ ସୃଷ୍ଟି, ମାଟି ବୋହିଯିବାର ନିରାକରଣ ତଥା ଜଳ ସଂରକ୍ଷଣ ତଥା ପରିଚାଳନା ସମ୍ବନ୍ଧୀୟ ବିସ୍ତାର ଗତିବିଧିକୁ ପ୍ରୋତ୍ସାହିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଜମି ସମ୍ବଳର ବିକାଶ ପାଇଁ ମଞ୍ଜୁରିପ୍ରାପ୍ତ ଜଳଛାୟା ବିକାଶ ଉପାଦାନରେ 2021-26 ବର୍ଷ ପାଇଁ ସଂରକ୍ଷିତ ଜଳସେଚନ ଅଧୀନରେ, ଅତିରିକ୍ତ 2.5 ଲକ୍ଷ ହେକ୍ଟର ଜମି ସାମିଲ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। 49.5 ଲକ୍ଷ ହେକ୍ଟର ବର୍ଷା ଜଳସେଚିତ/ଅନୁର୍ବର ଜମିକୁ କଭର କରୁଥିବା ମଞ୍ଜୁରିପ୍ରାପ୍ତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଲାଗି ପରିକଳ୍ପନା କରାଯାଇଛି। ସ୍ମ୍ରିଙ୍ଗଶେଡ ବିକାଶ ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଏହି କାର୍ଯ୍ୟକ୍ରମରେ କରାଯାଇଛି।