Categories
ଆଜିର ଖବର ରାଜ୍ୟ ଖବର

ଫସଲବୀମା ସପ୍ତାହ ଅବସରରେ ଜନସଚେତନତା ବୃଦ୍ଧି ପାଇଁ ବାହାରିଲା ପ୍ରଚାର ଗାଡି

ଭୁବନେଶ୍ବର, ଫସଲବୀମା ସପ୍ତାହ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ପ୍ରଚାର ଓ ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି ନିମନ୍ତେ ଫସଲବୀମା ଯୋଜନା ପ୍ରଚାର ଗାଡ଼ିକୁ ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ୧୦ଟି ଆକାଂକ୍ଷୀ ଜିଲ୍ଲାର ୧୦ଟି ପଛୁଆ ବ୍ଲକ୍‌ରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ପାଇଁ ୨ଟି ପ୍ରଚାର ଗାଡ଼ିର ବ୍ୟବସ୍ଥା କରାଯାଇଛି । ପ୍ରଥମ ଗାଡ଼ିଟି ଭୁବନେଶ୍ୱରରୁ ବାହାରି ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ବ୍ଲକ୍‌ଗୁଡ଼ିକ ପରିକ୍ରମା କରିବ।

ଦ୍ୱିତୀୟ ଗାଡ଼ିଟି ଢେଙ୍କାନାଳରୁ ଯାତ୍ରା ଆରମ୍ଭ କରି ଢେଙ୍କାନାଳ ସମେତ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାର ବ୍ଲକ୍‌ରେ ପ୍ରଚାର କାର୍ଯ୍ୟ କରିବ । ଫସଲ ବୀମା ଯୋଜନା ସମ୍ବନ୍ଧରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ନିମନ୍ତେ ଚଳିତ ବର୍ଷ ଜୁଲାଇ ମାସ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ଫସଲବୀମା ସପ୍ତାହ’ ପାଳନ କରାଯାଉଛି ।