Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କାତାର ଅମୀର ମହାମହିମ ଅମିର ତମିମ ବିନ ହମଦ ଅଲ ଥାନିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କାତାର ଅମୀର ମହାମହିମ ଅମିର ତମିମ ବିନ ହମଦ ଅଲ ଥାନିଙ୍କ ସହ ଆଲୋଚନା କରିଛନ୍ତି ଓ ସହୃଦୟ ଦୀପାବଳି ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି । କାତାରରେ ଫିଫା ବିଶ୍ୱକପର ସଫଳ ଆୟୋଜନ ପାଇଁ ଶ୍ରୀ ମୋଦୀ ଏହି ଅବସରରେ ଶୁଭକାମନା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମହାମହିମ କାତାର ଅମୀର TamimBinHamad ଙ୍କ ସହ ବାର୍ତ୍ତାଳାପ ସନ୍ତୋଷଜନକ ଥିଲା । ସହୃଦୟ ଦୀପାବଳି ଶୁଭେଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଲି ଓ କାତାରରେ FIFAWorldCup ର ସଫଳ ଆୟୋଜନ ପାଇଁ ଶୁଭକାମନା ଜଣାଇଲି। ୨୦୨୩ରେ ଭାରତ- କାତାର କୂଟନୈତିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତି ମିଳିତ ଭାବେ ପାଳନ କରିବାକୁ ଉଭୟେ ସହମତ ହେଲୁ ।”

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁଲାଇ ପହିଲାରେ ‘ଡିଜିଟାଲ ଇଣ୍ଡିଆ’ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 1 ତାରିଖ ପୂର୍ବାହ୍ନ 11ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଡିଜିଟାଲ ଇଣ୍ଡିଆ’ର ହିତାଧିକାରୀଙ୍କ ସହିତ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ଜୁଲାଇ 1 ତାରିଖ, 2015ରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଥିଲେ। ଏହାକୁ ଏବେ ଛଅ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

‘ଡିଜିଟାଲ ଇଣ୍ଡିଆ’ ନୂତନ ଭାରତର ଅନ୍ୟତମ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଛି। ଏହା ସହଜ ସେବା ଉପଲବ୍ଧତା, ସରକାରଙ୍କୁ ନାଗରିକମାନଙ୍କ ନିକଟତର କରିବା, ନାଗରିକମାନଙ୍କ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରିବା ସହିତ ଜନସାଧାରଣଙ୍କୁ ସଶକ୍ତ କରିଛି।

ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଜାଳବାୟୁ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ଜଳବାୟୁ ପ୍ରସଙ୍ଗରେ ନେତୃବର୍ଗଙ୍କ ଶିଖର ସମ୍ମିଳନୀ ଆସନ୍ତା ଏପ୍ରିଲ ୨୨ ଏବଂ ୨୩ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଜଳବାୟୁ ଉପରେ ଆୟୋଜିତ ନେତୃବର୍ଗଙ୍କ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ, ଯାହାକି  ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ୨୨ ଏପ୍ରିଲ ୨୦୨୧ ଅପରାହ୍ଣ ୫.୩୦ରୁ ୭.୩୦ ମଧ୍ୟରେ “୨୦୩୦କୁ ଆମର ମିଳିତ ଦ୍ରୁତ ଦୌଡ଼” ବିଷୟରେ ନେତୃବୃନ୍ଦଙ୍କ ଅଧିବେଶନ ୧ରେ ତାଙ୍କର ବକ୍ତବ୍ୟ ରଖିବେ।

ଏହି ସମ୍ମିଳନୀରେ ଅନ୍ୟ ୪୦ ଜଣ ବିଶ୍ବ ନେତୃବୃନ୍ଦ ମଧ୍ୟ ଅଂଶଗ୍ରହଣ କରିବେ। ବୃହତ ଅର୍ଥବ୍ୟବସ୍ଥା ମଞ୍ଚର ସଦସ୍ୟ ରାଷ୍ଟ୍ର (ଯେଉଁଥିରେ ଭାରତ ଏକ ସଦସ୍ୟ), ଜଳବାୟୁ ପରିବର୍ତ୍ତନ ବିପଦ ରହିଥିବା ରାଷ୍ଟ୍ର ଓ ଅନ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଭାବେ ଏହି ନେତାମାନେ ଯୋଗଦେବେ। ଏହି ନେତାମାନେ ଜଳବାୟୁ ପରିବର୍ତ୍ତନ, ଜଳବାୟୁ କାର‌୍ୟ୍ୟାନୁଷ୍ଠାନ ବୃଦ୍ଧି, ଜଳବାୟୁ ପ୍ରଶମନ ଓ ଅନୁକୂଳନ ପାଇଁ ପାଣ୍ଠି ସଂଗ୍ରହ, ପ୍ରକୃତି ଆଧାରିତ ସମାଧାନ, ଜଳବାୟୁ ସୁରକ୍ଷା ସମେତ ସ୍ବଚ୍ଛ ଶକ୍ତି ପାଇଁ ପ୍ରଯୁକ୍ତିଭିତ୍ତିକ ନବୋନ୍ମେଷ ଆଦି ପ୍ରସଙ୍ଗରେ ମତ ବିନିମୟ କରିବେ।

ଜାତୀୟ ପରିସ୍ଥିତି ଏବଂ ସ୍ଥାୟୀ ବିକାଶ ପ୍ରାଥମିକତାକୁ ସମ୍ମାନ ଦେବା ସହିତ ସମାବେଶୀ ଓ ସହନଶୀଳ ଆର୍ଥିକ ବିକାଶ ସହିତ ଜଳବାୟୁ କାର‌୍ୟ୍ୟକୁ କିପରି ଭାବେ ଆଗକୁ ନିଆଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ନେତାମାନେ ବିଚାରବିମର୍ଶ କରିବେ।୨୦୨୧ ନଭେମ୍ବରରେ ସିଓପି ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜଳବାୟୁ ପ୍ରସଙ୍ଗ ଉପରେ କେନ୍ଦ୍ରିତ ବିଶ୍ବସ୍ତରୀୟ ବୈଠକ ଶୃଙ୍ଖଳାର ଏକ ଅଂଶବିଶେଷ ସ୍ବରୂପ ଏହି ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି। ସମସ୍ତ ଅଧିବେଶନର ସିଧା ପ୍ରସାରଣ ହେବ ଏବଂ ଗଣମାଧ୍ୟମ ଓ ଜନସାଧାରଣଙ୍କ ପାଇଁ ଖୋଲା ରହିବ।

Categories
ଜାତୀୟ ଖବର ବିଶେଷ ଖବର

ମାର୍ଚ୍ଚ 9 ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 9, 2021 ମଧ୍ୟାହ୍ନ 12ରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତ ଓ ବାଂଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ତ୍ରିପୁରାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କରିବା ସହିତ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବେ।

ଏହି ‘ମୈତ୍ରୀ ସେତୁ’ ଭାରତୀୟ ରାଜ୍ୟ ତ୍ରିପୁରା ଏବଂ ବାଂଲାଦେଶର ସୀମା ଦେଇ ପ୍ରବାହିତ ହୋଇଥିବା ଫେନି ନଦୀ ଉପରେ ନିର୍ମିତ ହୋଇଛି। ଭାରତ ଓ ବାଂଲାଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଧାରରେ ଏହି ‘ମୈତ୍ରୀ ସେତୁ’ର ନାମକରଣ କରାଯାଇଛି। 133 କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟରେ ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଦ୍ୱାରା ହାତକୁ ନିଆଯାଇଥିଲା।

1.9 କିମି ଲମ୍ବ ସେତୁ ଭାରତର ସବ୍ରୁମ ସହିତ ବାଂଲାଦେଶର ରାମଗଡ଼କୁ ଯୋଡ଼ୁଛି। ଏହା ଭାରତ ଓ ବାଂଲାଦେଶ ମଧ୍ୟରେ ବାଣିଜ୍ୟ ଓ ଜନସମ୍ପର୍କ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିବ। ଏହାର ଉଦଘାଟନ ସହିତ, ତ୍ରିପୁରା ଉତ୍ତର ପୂର୍ବାଞ୍ଚଳର ନୂତନ ପ୍ରବେଶଦ୍ୱାର ହୋଇପାରିବ। ଏହା ବାଂଲାଦେଶର ଚିଟ୍ଟାଗଙ୍ଗ ବନ୍ଦର ସହିତ ସିଧାସଳଖ ଯୋଡ଼ି ହେବ ଯାହାକି ସବ୍ରୁମ ଠାରୁ ମାତ୍ର 80 କିଲୋମିଟର।

ସବ୍ରୁମ ଠାରେ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସମନ୍ବିତ ଚେକ ପୋଷ୍ଟ ପାଇଁ ଶିଳାନ୍ୟାସ କରିବେ। ଏହା ଦୁଇ ଦେଶ ମଧ୍ୟରେ ସାମଗ୍ରୀ ଓ ଯାତ୍ରୀ ପରିବହନକୁ ସହଜ କରିବ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ନୂଆ ବଜାର ସୁଯୋଗ ସୃଷ୍ଟି କରିବ ଏବଂ ବାଂଲାଦେଶ ଓ ଭାରତ ମଧ୍ୟରେ ବାଧାମୁକ୍ତ ଯାତ୍ରୀ ପରିବହନ ସୁନିଶ୍ଚିତ ହୋଇପାରିବ। ଏହି ପ୍ରକଳ୍ପ 232 କୋଟି ଟଙ୍କା ବ୍ୟୟରେ ଭାରତୀୟ ଭୂମି ବନ୍ଦର ପ୍ରାଧିକରଣ ଦ୍ୱାରା ନିର୍ମାଣ କରାଯାଇଛି।

କୈଳାସହାର ଠାରେ ଥିବା ଉନାକୋଟି ଜିଲ୍ଲା ମୁଖ୍ୟାଳୟ ସହିତ ଖୋୱାଇ ଜିଲ୍ଲା ମୁଖ୍ୟାଳୟକୁ ଯୋଡ଼ିବାକୁ ଥିବା 208 ନମ୍ବର ଜାତୀୟ ରାଜପଥ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଶିଳାନ୍ୟାସ କରିବେ। ଏହା 44 ନମ୍ବର ଜାତୀୟ ରାଜପଥ ପାଇଁ ଏକ ବିକଳ୍ପ ମାର୍ଗ ଯୋଗାଇବ। 1078 କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟ ସହିତ 80 କିମି ଲମ୍ବ ଏନ୍ଏଚ୍ 208 ପ୍ରକଳ୍ପକୁ ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିଃ ନିର୍ମାଣ କରିବ।

ଏହାଛଡ଼ା ପ୍ରଧାନମନ୍ତ୍ରୀ ମଧ୍ୟ 63.75 କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ରାଜ୍ୟ ରାଜପଥ ଏବଂ ଅନ୍ୟ ଜିଲ୍ଲା ସଡ଼କଗୁଡ଼ିକୁ ଉଦଘାଟନ କରିବେ। ଏଗୁଡ଼ିକ ତ୍ରିପୁରାର ଲୋକମାନଙ୍କୁ ସବୁଦିନିଆ ସଡ଼କ ଯୋଗାଯୋଗ ସୁବିଧା ଦେବ।

ପ୍ରଧାନମନ୍ତ୍ରୀ ମଧ୍ୟ 813 କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ନିର୍ମାଣ ଶେଷ ହୋଇସାରିଥିବା 40978 ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ବାସଗୃହର ଉଦଘାଟନ କରିବେ।ସେ ମଧ୍ୟ ଅଗରତାଲା ସ୍ମାର୍ଟ ସିଟି ମିଶନ ଅଧୀନରେ ନିର୍ମିତ ସମନ୍ବିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରର ଉଦଘାଟନ କରିବେ।

ଆହୁରି, ପ୍ରଧାନମନ୍ତ୍ରୀ ମଧ୍ୟ ଓଲ୍ଡ ମୋଟର ଷ୍ଟାଣ୍ଡ ଠାରେ ବହୁତଳ କାର ପାର୍କିଂ ଓ ବାଣିଜ୍ୟିକ କମ୍ପ୍ଲେକ୍ସର ବିକାଶ ପାଇଁ ଶିଳାନ୍ୟାସ କରିବେ। ପାଖାପାଖି 200 କୋଟି ଟଙ୍କା ବ୍ୟୟରେ ଏହା ବିକଶିତ କରାଯିବ।  ଲିଚୁବାଗାନ ଠାରୁ ବିମାନବନ୍ଦର ଯାଇଥିବା ବର୍ତ୍ତମାନର ଦୁଇ ଲେନ ସଡ଼କକୁ ଚାରି ଲେନକୁ ସମ୍ପ୍ରସାରିତ କରିବା ପ୍ରକଳ୍ପ ପାଇଁ ମଧ୍ୟ ସେ ଶିଳାନ୍ୟାସ କରିବେ।ଏହି ପ୍ରକଳ୍ପ କାର୍ଯ୍ୟ 96 କୋଟି ଟଙ୍କା ବ୍ୟୟରେ ତ୍ରିପୁରା ସ୍ମାର୍ଟ ସିଟି ମିଶନ ପକ୍ଷରୁ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର

ପବିତ୍ର ଗଙ୍ଗା ନଦୀକୁ ନିର୍ମଳ ପାଇଁ ଉତ୍ତରାଖଣ୍ଡରେ ୬ଟି ବୃହତ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ନମାମୀ ଗଙ୍ଗେ ମିଶନ ଅନ୍ତର୍ଗତ ଉତ୍ତରାଖଣ୍ଡରେ ୬ଟି ବୃହତ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୋଦୀ ହରିଦ୍ୱାରଠାରେ ଗଙ୍ଗା ନଦୀ ତଟରେ ପ୍ରଥମ ଥର ପାଇଁ ‘ଗଙ୍ଗା ଅବଲୋକନ’ ସଂଗ୍ରହାଳୟର ଉଦଘାଟନ କରିଥିଲେ। ସେ ଏକ ପୁସ୍ତକ ରୋଇଙ୍ଗ ଡାଉନ ଗଙ୍ଗେସ ଏବଂ ଜଳ ଜୀବନ ମିଶନର ନୂଆ ଲୋଗୋକୁ ମଧ୍ୟ ଜାରି କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଜଳ ଜୀବନ ମିଶନ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଏବଂ ଜଳ ସମିତି ଲାଗି ଉପଯୋଗୀ ‘ମାର୍ଗଦର୍ଶିକା’ ମଧ୍ୟ ଜାରି କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳ ଜୀବନ ମିଶନର ଉଦ୍ଦେଶ୍ୟ ଦେଶର ପ୍ରତ୍ୟେକ ଘରେ ନଳ ଜରିଆରେ ଜଳ ଉପଲବ୍ଧ କରାଇବା। ମୋଦୀ କହିଥିଲେ ଯେ ନୂଆ ଲୋଗୋ ପାଣିର ଗୁରୁତ୍ୱକୁ ବୁଝି ଗୋଟିଏ ଗୋଟିଏ ବୁନ୍ଦା ଜଳ ସଂରକ୍ଷଣ ଲାଗି ଅନୁପ୍ରାଣିତ କରିବ। ମୋଦୀ କହିଥିଲେ ଯେ ସରକାର ଗଙ୍ଗା ନିର୍ମଳ ପାଇଁ ୪ଟି ରଣନୀତିକୁ ନେଇ ଆଗକୁ ବଢ଼ୁଛନ୍ତି।

ପ୍ରଥମତଃ- ଅଧିକ ସଂଖ୍ୟାରେ ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟ (ଏସଟିପି) ନେଟୱର୍କ ବିଛାଇବା ଯାହାକି ବର୍ଜ୍ୟ ଜଳକୁ ଗଙ୍ଗା ନଦୀ ଭିତରକୁ ଯିବ ନାହିଁ।

ଦ୍ୱିତୀୟତଃ, ଆସନ୍ତା ୧୦-୧୫ ବର୍ଷକୁ ଆଖି ଆଗରେ ରଖି ଏସଟିପିଗୁଡ଼ିକୁ ନିର୍ମାଣ କରାଯିବ।

ତୃତୀୟତଃ ଗଙ୍ଗା ନଦୀ ତଟରେ ଥିବା ୫୦୦୦ ଗ୍ରାମ ଏବଂ ୧୦୦ ବଡ଼ ସହର/ନଗରକୁ ଖୋଲା ଶୌଚମୁକ୍ତ କରିବା।

ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ନମାମି ଗଙ୍ଗେ ମିଶନ ଅନ୍ତର୍ଗତ ୩୦,୦୦୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ପୂରଣ ହୋଇସାରିଛି କିମ୍ବା ପ୍ରଗତି ପଥରେ ରହିଛି। ସେ କହିଥିଲେ ଯେ ଏସବୁ ପ୍ରକଳ୍ପରେ ଉତ୍ତରାଖଣ୍ଡରେ ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟ ମଧ୍ୟ ସାମିଲ ରହିଛି। ବିଗତ ୬ ବର୍ଷରେ ଉତ୍ତରାଖଣ୍ଡରେ ବର୍ଜ୍ୟ ଜଳ ପରିଚାଳନା ପ୍ଲାଣ୍ଟର କ୍ଷମତା ୪ ଗୁଣା ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ଗଙ୍ଗା ନଦୀରେ ମିଶିଥିବା ୧୩୦ଟି ନାଳକୁ ବନ୍ଦ କରିବା ଲାଗି ହୋଇଥିବା ପ୍ରୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ବିଶେଷ କରି ଚନ୍ଦ୍ରଶେଖର ନଗର ନଳା ବିଷୟରେ ଉଲ୍ଲେଖ କରିଥିଲେ ଯାହାକି ଋଷିକେଶରେ ମୁନୀ କୀ ରେତୀକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ନୌକା ବିହାର କରୁଥିବା ଲୋକମାନଙ୍କ ପାଇଁ ଦୃଷ୍ଟିକଟୁ ହେଉଥିଲା। ସେ ଏହି ନାଳକୁ ବନ୍ଦ କରିବା ଏବଂ ମୁନୀ କୀ ରେତୀରେ ୪ ମହଲାବିଶିଷ୍ଟ ବର୍ଜ୍ୟ ଜଳ ନିଷ୍କାସନ ଟ୍ରିଟମେଣ୍ଟ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।

ମୋଦୀ କହିଥିଲେ ଯେ ଏହି ସମସ୍ୟାକୁ ଧ୍ୟାନରେ ରଖି ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରାଯାଇଛି ଯାହାଫଳରେ ପାଣି ସହ ଜଡ଼ିତ ସମସ୍ୟାର ମୁକାବିଲା କରାଯାଇପାରିବ। ସେ କହିଥିଲେ ଯେ ଏହି ମନ୍ତ୍ରଣାଳୟ ବର୍ତ୍ତମାନ ଦେଶର ପ୍ରତ୍ୟେକ ଘରକୁ ନଳ ଯୋଗେ ଜଳ ଉପଲବ୍ଧ କରାଇବାର ମିଶନରେ ଯୋଡ଼ି ହୋଇ ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ଅକ୍ଟୋବର ୨ ତାରିଖକୁ ୧୦୦ ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉଛି ଯାହାର ଅନ୍ତର୍ଗତ ଏହି ୧୦୦ ଦିନ ମଧ୍ୟରେ ଦେଶର ପ୍ରତ୍ୟେକ ବିଦ୍ୟାଳୟ ଓ ଅଙ୍ଗନବାଡ଼ିକୁ ପାନୀୟ ଜଳ ସଂଯୋଗ ସୁନିଶ୍ଚିତ କରାଯିବ।