Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରୋଗୀ ସୁସ୍ଥ ହେବାରେ ନର୍ସମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ: ପଦ୍ମଶ୍ରୀ ପ୍ରଫେସର ଅଶୋକ ମହାପାତ୍ର

ଭୁବନେଶ୍ୱର: ଡାକ୍ତରମାନେ ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ସେମାନଙ୍କର ସେବା ଓ ଯତ୍ନ ସେବିକାମାନେ ହିଁ କରିଥାନ୍ତି। ସେମାନେ ରୋଗୀଙ୍କ ପାଖରେ ଦିନରାତି ରହି ସେମାନଙ୍କୁ ସୁସ୍ଥ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ତେଣୁ ଜଣେ ରୋଗୀ ସୁସ୍ଥ ହେବାରେ ନର୍ସମାନଙ୍କର ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ଆନ୍ତର୍ଜାତିକ ସେବିକା ସପ୍ତାହ-୨୦୨୫ ପାଳନ ଅବସରରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ତଥା ପୂର୍ବତନ କୁଳପତି ଏବଂ ନିକଟରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଫେସର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ ହସ୍ପିଟାଲର ଉତମ ରୋଗୀ ସେବାରେ ନର୍ସ ମାନଙ୍କ ଭୂମିକାର ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନର୍ସମାନଙ୍କୁ ସଶକ୍ତ କରିବା, ସଚେତନ କରିବା, ସମସ୍ୟାର ସମାଧାନ କରିବା ଏବଂ ସେମାନଙ୍କୁ ଚାପମୁକ୍ତ କରିବା ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାସ ଏବଂ ସାମାଜିକ କର୍ମୀ ଆରତୀ ଦେବୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ର ଗଠନରେ ନର୍ସମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ନିଜ ପରିବାରକୁ ପଛରେ ପକାଇ ରୋଗୀଙ୍କ ସେବା କ୍ଷେତ୍ରରେ ନର୍ସମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ଏବଂ ଅତୁଳନୀୟ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ମୀନତି ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶୋଭାମଞ୍ଜରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ପଦ୍ମ ପୁରସ୍କାର ବିଜେତା ପ୍ରଫେସର ଅଶୋକ ମହାପାତ୍ରଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ୨୦୨୫ର ପଦ୍ମଶ୍ରୀ ବିଜେତା ପ୍ରଫେସର ଅଶୋକ କୁମାର ମହାପାତ୍ର ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି।

ଗତ ୨୮ ତାରିଖ ଦିନ ନୂଆଦିଲ୍ଲୀସ୍ଥ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତି ଦୌପଦୀ ମୁର୍ମୁ ପ୍ରଫେସର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

ଭେଷଜ ବିଜ୍ଞାନ କ୍ଷେତ୍ରରେ ନିଜର ଅବଦାନ ନିମନ୍ତେ ପ୍ରଫେସର ମହାପାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଦେଶର ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ମହାପାତ୍ର ସୋଆର ପୂର୍ବତନ କୁଳପତି ଭାବେ ଦାୟିତ୍ୱ ତୁଲାଇ ସାରିଥିବା ବେଳେ ବର୍ତମାନ ବିଶ୍ୱବିଦ୍ୟାଳୟର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦବୀରେ ଅଧିଷ୍ଠିତ ଅଛନ୍ତି।

ନୂଆଦିଲ୍ଲୀ ସ୍ଥିତ ଏମ୍ସର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର ମହାପାତ୍ର ଭୁବନେଶ୍ୱର ଏମ୍ସର ମଧ୍ୟ ପ୍ରଥମ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ବିଶ୍ୱର ଶ୍ରେଷ୍ଠ ୫ ଜଣ ନ୍ୟୁରୋସର୍ଜନଙ୍କ ମଧ୍ୟରେ ତାଙ୍କୁ ମାନ୍ୟତା ଦିଆଯାଇଛି।

ନୂଆଦିଲ୍ଲୀରୁ ଫେରିବା ପରେ ପ୍ରଫେସର ମହାପାତ୍ର ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟି ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିଭିନ୍ନ ଆଲୋଚନା କରିଥିଲେ। ପ୍ରଫେସର ନାୟକ ତାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମସ୍ତିଷ୍କ ଆଘାତ ଜନିତ ସମସ୍ୟା ବିଶ୍ୱରେ ମୃତ୍ୟୁର ଦ୍ୱିତୀୟ ବୃହତ୍ କାରଣ: ପ୍ରଫେସର ଅଶୋକ ମହାପାତ୍ର

ଭୁବନେଶ୍ୱର: ସାରା ବିଶ୍ୱରେ ହୃଦ୍‌ଘାତ ମଣିଷର ମୃତ୍ୟୁର ପ୍ରଥମ ବୃହତ କାରଣ ହୋଇଥିବା ବେଳେ ମସ୍ତିଷ୍କରେ ଆଘାତ ଅଥବା ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ହେଉଥିବା ମୃତ୍ୟୁ ଦ୍ୱିତୀୟ ବୃହତ କାରଣ ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ମଙ୍ଗଳବାର ଆୟୋଜିତ ବିଶ୍ୱ ଷ୍ଟ୍ରୋକ୍ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ ମସ୍ତିଷ୍କରେ ଆଘାତ ଘଟିଲେ ମଣିଷ ପକ୍ଷାଘାତ, ଦୃଷ୍ଟିହୀନ କିମ୍ବା ବାକ୍‌ଶକ୍ତିହୀନ ହେବା ସହ କୋମାକୁ ମଧ୍ୟ ଚାଲିଯାଇଥାଏ। ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ମେଦବହୁଳତା ବ୍ରେନ୍ ଷ୍ଟ୍ରୋକ୍‌ର ପ୍ରମୁଖ କାରଣ। ତେଣୁ ମଣିଷ ଏହି ରୋଗରୁ ନିଜକୁ ଦୂରେଇ ରଖିବା ପାଇଁ ଜୀବନ ଶୈଳୀରେ ପରିବର୍ତନ କରିବା ଜରୁରୀ ବୋଲି ସେ କହିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଷ୍ଟ୍ରୋକ୍‌ରୁ ରୋଗୀ ବହୁ ମାତ୍ରାରେ ସୁସ୍ଥ ହୋଇପାରିବେ। ରୋଗୀଙ୍କ ସୁରକ୍ଷା ନିମନ୍ତେ ହସ୍ପିଟାଲର ଡାକ୍ତରଙ୍କ ସମେତ ସମସ୍ତ କର୍ମଚାରୀମାନଙ୍କୁ ନିରାପତା ଜନିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ବିଭାଗର ନୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ ସାହୁ ହସ୍ପିଟାଲକୁ ଆସୁଥିବା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏକ ଷ୍ଟ୍ରୋକ୍ କ୍ଲିନିକ୍ ଆରମ୍ଭ କରିବାର ପ୍ରସ୍ତାବ ଦେଇଥିବା ବେଳେ କାର୍ଯ୍ୟକ୍ରମର ଆୟୋଜକ ପ୍ରଫେସର ଲୁଲୁପ କୁମାର ସାହୁ ଏକ ଷ୍ଟ୍ରୋକ୍ ଟିମ୍ ତଥା ଷ୍ଟ୍ରୋକ୍ କୋର୍ଡିନେଟରଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ରୋଗୀ ହସ୍ପିଟାଲ୍‌କୁ ଆସିଲେ ଯେଭଳି ତାର ଚିକିତ୍ସାରେ ବିଳମ୍ବ ନ ହୁଏ ସେ ଦିଗରେ ଏହି ଷ୍ଟ୍ରୋକ୍ ଟିମ୍ ବେଶ ସହାୟକ ହେବ ବୋଲି ପ୍ରଫେସର ସାହୁ କହିଥିଲେ।

କାର୍ଯ୍ୟକ୍ରମକୁ ନ୍ୟୁରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଶ୍ରୀମନ୍ତ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ଅନିଲ ସାହୁ ‘କୋଡ୍ ଷ୍ଟ୍ରୋକ୍‌’ ସମ୍ପର୍କିତ ଏକ ବିବରଣୀ ଉପସ୍ଥାପନା କରିଥିଲେ।

ମଙ୍ଗଳବାର ସକାଳେ ବିଶ୍ୱ ଷ୍ଟ୍ରୋକ୍ ଦିବସ ଅବସରରେ ଏକ ୱାକାଥନ୍‌ର ମଧ୍ୟ ଆୟୋଜନ କରାଯାଇଥିଲା।