Categories
ଆଜିର ଖବର ରାଜ୍ୟ ଖବର

ସଫେଇ ଅଭିଯାନରେ ସାମିଲ ହେଲେ ଓଡ଼ିଶା ରାଜ୍ୟପାଳ ଏବଂ ଭୁବନେଶ୍ୱର ସାଂସଦ

ଭୁବନେଶ୍ଵର: ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମ ଜୟନ୍ତୀ ୨ ଅକ୍ଟୋବର ୨୦୨୩ରେ ପରିପ୍ରେକ୍ଷୀରେ ସ୍ଵଚ୍ଛତା ହିଁ ସେବା ଉପଲକ୍ଷରେ ୧ ଅକ୍ଟୋବର ୨୦୨୩ ଦିବା ୧୦ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ଏକ ବୃହତ ସଫେଇ ଅଭିଯାନ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ତଥା ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ଭୁବନେଶ୍ୱର ମଣ୍ଡଳ ତରଫରୁ ମିଳିତ ଭାବରେ ଆୟୋଜନ କରାଯାଇଥିଲା। ଏହି ସଫେଇ ଅଭିଯାନରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମହୋଦୟା, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଳାଙ୍ଗେ, ଆଇଏଏସ ଯୋଗଦାନ କରିଥିଲେ।

ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ, ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ, ଭୁବନେଶ୍ୱର ମହାନଗର ନିଗମ ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଅଧିକାରୀ ଏବଂ କର୍ମଚାରୀ ଏହି ସଫେଇ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏତଦ ବ୍ୟତୀତ ଖଣ୍ଡଗିରି ବିହାର ଉନ୍ନୟନ ସମିତି, ଖଣ୍ଡଗିରି ବୟସ୍କ ନାଗରିକ ମଞ୍ଚ, ଯୂଥ ଫର ସେବା, ଜୟଦେବ ପଥଚାରୀ କ୍ଲବ ଆଦି ଅନେକ ସାମାଜିକ ସଂଗଠନ ଏହି ସଫେଇ ଅଭିଯାନରେ ସାମିଲ ହେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ଏନସିସି  ଏବଂ ଭାରତ ସ୍କାଉଟ ଏବଂ ଗାଇଡ ସଦସ୍ୟ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆନ୍ତରିକତା ସହ ଭାଗ ନେଇ ସାମିଲ ହେଇଥିଲେ ଆଉ ଏକ ଘଣ୍ଟା ଶ୍ରମଦାନ କରିଥିଲେ।

ଏକ ତାରିଖ – ଏକ ଘଣ୍ଟା – ଏକା ସଙ୍ଗେ ବିଷୟ ବସ୍ତୁ ଉପରେ ଆଧାରିତ ଏହି ବୃହତ ସଫେଇ କାର୍ଯ୍ୟକ୍ରମରେ ୬୦୦ ରୁ ଅଧିକ ସ୍ଵେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ଏହି ବୃହତ ସଫେଇ ଅଭିଯାନକୁ ସ୍ଥାନୀୟ ବାସିନ୍ଦା ଏବଂ ଉପସ୍ଥିତ ପର୍ଯ୍ୟଟକମାନେ ଭୂୟସୀ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ଓଡ଼ିଶା ଲୋକସେବା ଆୟୋଗର ବାର୍ଷିକ ବିବରଣୀ (୨୦୨୨-୨୩) ପ୍ରଦାନ

ଭୂବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଡ଼. ସତ୍ୟଜିତ ମହାନ୍ତି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ୨୦୨୨-୨୩ ବର୍ଷର ବାର୍ଷିକ ବିବରଣୀ ଉପସ୍ଥାପନ କରିଛନ୍ତି।
ନିଯୁକ୍ତି କ୍ୟାଲେଣ୍ଡରରେ ବିଜ୍ଞପ୍ତି ଅନୁଯାୟୀ ଆୟୋଗ ସମସ୍ତ ନିଯୁକ୍ତି ପ୍ରତିବଦ୍ଧତା ପୂରଣ କରିଥିବା ହେତୁ ୨୦୨୨-୨୩ ବର୍ଷ ଓଡ଼ିଶା ଲୋକସେବା ଆୟୋଗ ପାଇଁ ପଥପ୍ରଦର୍ଶକ ଭାବେ ବିବେଚନା କରାଯିବ। ଏହି ସମୟ ମଧ୍ୟରେ ବର୍ଗ-ଏ ଏବଂ ବର୍ଗ-ବି ସେବାରେ ନିଯୁକ୍ତି ପାଇଁ ୩୭୧୮ ଜଣ ପାର୍ଥୀଙ୍କୁ ସୁପାରିଶ କରାଯାଇଛି, ଯାହା କି କୌଣସି ନିଯୁକ୍ତି ବର୍ଷ ପାଇଁ ସର୍ବକାଳୀନ କୀର୍ତ୍ତିମାନ। ଏହା କେବଳ ଆୟୋଗଙ୍କ ଆତ୍ମବିଶ୍ୱାସ ବଢ଼ାଇନାହିଁ ବରଂ ପ୍ରାର୍ଥୀଙ୍କ ମଧ୍ୟରେ ବିଶ୍ୱାସ ଓ ଭରସା ସଂଚାର କରିପାରିଛି। ୨୦୨୩-୨୪ ବର୍ଷରେ ସରକାରଙ୍କ ବିଭିନ୍ନ ବିଭାଗରେ ୫୦୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି କ୍ୟାଲେଣ୍ଡର ପ୍ରସ୍ତୁତ ହୋଇସାରିଛି ଏବଂ ଆୟୋଗ ସମୟୋଚିତ ପଦକ୍ଷେପ ନେଉଛନ୍ତି।
ରାଜ୍ୟ ସରକାରଙ୍କ ବର୍ଗ-ଏ ଓ ବର୍ଗ-ବି ପଦବୀ ପାଇଁ ସୁପାରିଶ କରାଯାଇଥିବା ୩୭୧୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୧୦ ଜଣ ମହିଳା ଅଛନ୍ତି ଯାହାକି କୃତକାର୍ଯ୍ୟ ପ୍ରାର୍ଥୀଙ୍କର ୪୦ପ୍ରତିଶତ ଅଟେ। ଏହା ନିଯୁକ୍ତି କ୍ୟାଲେଣ୍ଡରରେ ବର୍ଗ-ଏ ଏବଂ ବର୍ଗ-ବି ପଦବୀ ପାଇଁ ସୁପାରିଶ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅନୁସୂଚିତ ଜାତି ବର୍ଗର ୩୮୯ ଜଣ ଏବଂ ଅନୁସୂଚିତ ଜନଜାତି ବର୍ଗର ୪୪୩ ଜଣ ପ୍ରାର୍ଥୀ ଥିଲେ।
୨୦୨୨-୨୩ ନିଯୁକ୍ତି ବର୍ଷର କେତେକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ:- ୧୨୦୫ ସହକାରୀ ସର୍ଜନ (ମେଡିକାଲ ଅଫିସର), ୩୫୬ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ, ସରକାରୀ ମେଡିକାଲ କଲେଜରେ ୨୫୦ ଆସିଷ୍ଟାଣ୍ଟ ପ୍ରଫେସର, ସରକାରୀ ଡ଼ିଗ୍ରୀ କଲେଜ ପାଇଁ ୩୪୭ ଆସିଷ୍ଟାଣ୍ଟ ପ୍ରଫେସର, ବିଏଡ୍ କଲେଜ ପାଇଁ ୩୨୯ ଆସିଷ୍ଟାଣ୍ଟ ପ୍ରଫେସର, ୨୪୪ ସ୍ନାତକୋତ୍ତର ଶିକ୍ଷକ, ଓଡ଼ିଶା ସିଭିଲ ସର୍ଭିସ ପାଇଁ ୩୯୨ ପ୍ରାର୍ଥୀ, ୧୧୫ ସହକାରୀ ମତ୍ସ୍ୟ ଅଧିକାରୀ ଓ ୧୦୨ ସହକାରୀ କୃଷି ଯନ୍ତ୍ରୀ।
୨୦୨୨-୨୩ରେ ୧୭ଟି ସରକାରୀ ବିଭାଗ ପାଇଁ ଆୟୋଗ ମୋଟ ୨୬୫୦ଟି ପଦୋନ୍ନତି ପାଇଁ ସହମତି ପ୍ରକାଶ କରିଥିବା ବେଳେ ୨୮୬ଟି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସହମତି ପ୍ରଦାନ କରିଛନ୍ତି।
ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଏବଂ ଶୀଘ୍ର ଫଳ ପ୍ରକାଶକୁ ସୁନିଶ୍ଚିତ କରିବା ଆୟୋଗର ଏକ ପ୍ରମୁଖ କ୍ଷେତ୍ର ହେବ। ବ୍ୟବସ୍ଥାର ଅଖଣ୍ଡତା ବଜାୟ ରଖିବା ପାଇଁ ଆୟୋଗ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଜାରି ରଖିବେ ଏବଂ ଚୟନ ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ ନିରପେକ୍ଷ ମାନଦଣ୍ଡ ଗ୍ରହଣ କରିବେ। ବର୍ତ୍ତମାନର ଅନଲାଇନ୍ ପୋର୍ଟାଲ, ସମନ୍ୱିତ ନିଯୁକ୍ତି ପରିଚାଳନା ବ୍ୟବସ୍ଥାର ଉନ୍ନତିକରଣ, ଏହାକୁ ଅଧିକ ଉପଭୋକ୍ତା ଅନୁକୂଳ କରିବା, ଅଧିକ କମ୍ପୁଟର ଭିତ୍ତିକ ନିଯୁକ୍ତି ପରୀକ୍ଷା (ସିବିଆରଇ) ପରିଚାଳନା କରିବା, ଉତ୍ତର ପତ୍ର ଏବଂ ସାକ୍ଷାତକାର ମୂଲ୍ୟାୟନ ସମୟରେ ପ୍ରାର୍ଥୀଙ୍କ ପରିଚୟ ଗୁପ୍ତ ରଖିବା ଇତ୍ୟାଦି ଦିଗରେ ସର୍ବଦା ଧ୍ୟାନ କେନ୍ଦ୍ରିତ କରାଯିବ।
ଓଡ଼ିଶା ଲୋକସେବା ଆୟୋଗ ୨୦୨୩-୨୪ରେ ନିଜର ଗୌରବମୟ ଯାତ୍ରାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ।
ରାଜ୍ୟପାଳ ୨୦୨୨-୨୩ ବର୍ଷ ପାଇଁ ଆୟୋଗର ପ୍ରଦର୍ଶନକୁ ପ୍ରଶଂସା କରିବା ସହ ୨୦୨୩-୨୪ ବର୍ଷ ପାଇଁ ନିଯୁକ୍ତି ଲକ୍ଷ୍ୟ ହାସଲ କରିବାକୁ ଆୟୋଗଙ୍କୁ ପରାମର୍ଶ ଦେଇଥିଲେ।
Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ତରାପି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ

ସୀତାରାମ ଅଗ୍ରୱାଲ
ଚିଲିକା: ଆଜି ସଂଧ୍ୟାରେ ଖୋରଧା ଜିଲ୍ଲା ଚିଲିକା ବ୍ଲକ୍ ତରାପି ଗ୍ରାମର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଉକ୍ତ ଶତବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ। ରାଜ୍ୟପାଳଙ୍କୁ ପ୍ରଥମେ ଜିଲ୍ଲା ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ସଭା ମଞ୍ଚକୁ ପାଛୋଟି ନିଆଯାଇଥିଲା।

ଏହି ଅବସରରେ ଆୟୋଜିତ ସଭାରେ ପ୍ରଥମେ ଶତବାର୍ଷିକୀ କମିଟି ଉପସଭାପତି ପ୍ରଫେସର ରବି ନାରାୟଣ ସୁବୁଦ୍ଧି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ସମ୍ମାନିତ ଅତିଥି ଭାବେ କଲିକତା ସ୍ଥିତ ସତ୍ୟଜିତ୍ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଓ ମୁଖ୍ୟ ବକ୍ତା ଭାବେ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

ଏହି ପରିପରକ୍ଷୀରେ ଏକ ଡାକ ଟିକଟ ଉନ୍ମୋଚନ ସହ ବିଦ୍ୟାଳୟ ସ୍ମରଣିକା ଉନ୍ମୋଚନ ହୋଇଥିଲା। ପରି ଶେଷରେ ଛାତ୍ର ଛାତ୍ରୀ ମାନଂକୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସଭା ସମାପନ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ଶହ ଶହ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ରାଜ୍ୟପାଳଙ୍କ ଦ୍ୱାରା ଉଜ୍ଜୟିନୀରେ ସ୍ଥାପିତ ନନ୍ଦିଘୋଷ ରଥ ଚକର ଲୋକାର୍ପଣ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଜ୍ଜୟିନୀର ଶ୍ରୀମୌନତୀର୍ଥ ପୀଠରେ ସ୍ଥାପିତ ନନ୍ଦିଘୋଷ ରଥ ଚକର ଲୋକାର୍ପଣ କରିଛନ୍ତି । ରାଜ୍ୟପାଳଙ୍କ ବ୍ୟକ୍ତିଗତ ଆଗ୍ରହ କ୍ରମେ ଏହା ସ୍ଥାପିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଅନ୍‌ଲାଇନ୍‌ରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷର ମହାତ୍ମ୍ୟ ରହିଛି। ଶ୍ରୀନନ୍ଦିଘୋଷ ରଥ ଚକ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ କୃପା ଅନେକଙ୍କୁ ପ୍ରାପ୍ତ ହେବ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଦର୍ଶନର ବ୍ୟାପକ ପ୍ରଚାର ହୋଇପାରିବ। ଉଜ୍ଜୟିନୀର ମହାକାଳ ଚକ୍ର ଓ ନନ୍ଦିଘୋଷ ରଥଚକ୍ର ହେଉଛି ହରି ଓ ହରଙ୍କ ପବିତ୍ର ଶାଶ୍ୱତ ଲୀଳାର ଅଂଶବିଶେଷ।

ଉଜ୍ଜୟିନୀରେ ଅନୁଷ୍ଠିତ ଉତ୍ସବରେ ଧୀରଗୌର ପ୍ରଭୁଜୀ ମହାରାଜ, ସ୍ୱାମୀ ଆନନ୍ଦ ଜୀବନ ଦାସଜୀ ମହାରାଜ, କୈଳାଶ ବିିଜୟବର୍ଗୀୟ, ମଧ୍ୟପ୍ରଦେଶର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ମୋହନ ଯାଦବ, ସାଂସଦ ଅନୀଲ ଫିରୋଜିୟା ପ୍ରମୁଖଙ୍କ ସମେତ ବହୁ ସାଧୁସନ୍ଥ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଜିତେନ୍ଦ୍ର ପଟ୍ଟନାୟକ-ଶୁଭେନ୍ଦୁ ମହାନ୍ତିଙ୍କ ଲିଖିତ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ଓ ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ ଏବଂ ବିଶିଷ୍ଟ ଶିକ୍ଷାବିତ ଓ ଉପସ୍ଥାପକ ଶୁଭେନ୍ଦୁ ମହାନ୍ତିଙ୍କ ଦ୍ୱାରା ଲିଖିତ ‘ଏକ୍ସଟିକ ଇଡେନ-ଦି ଲଭର୍ସ ଡେଷ୍ଟିନେସନ ଅଫ ଓଡ଼ିଶା’ (‘Exotic EDEN-THE LOVERS’ Destination of Odisha’) ପୁସ୍ତକକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି।  ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟକମାନଙ୍କ ପାଇଁ ଉକ୍ତ ପୁସ୍ତକ ବେଶ ଉପଯୋଗୀ ହେବ ଏବଂ ଓଡ଼ିଶାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆକର୍ଷିତ ହେବେ ବୋଲି ରାଜ୍ୟପାଳ ଏହି ଅବସରରେ ମତବ୍ୟକ୍ତ କରିଛନ୍ତି।

ଗୁରୁବାର ରାଜଭବନରେ ଲୋକାର୍ପିତ ହୋଇଥିବା ୧୪୦ ପୃଷ୍ଠା ସମ୍ବଳିତ ଉକ୍ତ ପର୍ଯ୍ୟଟନ ଆଧାରିତ ଇଂରାଜୀ ଭାଷାରେ ଲିଖିତ ପୁସ୍ତକଟି ସମ୍ପୂର୍ଣ୍ଣ ରଙ୍ଗୀନ। ଏଥିରେ ଓଡ଼ିଶାର ୩୦ ଟି ‘ଗ୍ଲାମର ଟୁରିଷ୍ଟ ସ୍ପଟ’ର ସମ୍ପୂର୍ଣ୍ଣ ବିବରଣୀ ସହ ରଙ୍ଗୀନ ଫଟୋ ଦିଆଯାଇଛି। ଏଇ ଅନାଲୋଚିତ ‘ପ୍ରେମର ପ୍ରତୀକ’ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ମଧ୍ୟରେ- ହନିମୁନ ଆଇଲ୍ୟାଣ୍ଡ, ପୁଟୁଡ଼ି, କୋଇଲି ଘୋଘର, ଫୁର୍ଲିଝରଣ, ରାଜହଂସ, ଦେଓମାଳି, ଦାରିଙ୍ଗବାଡ଼ି, ସରାଫଗଡ଼-ବାଡ଼ୁନଝରିଆ,ତାଳସାରି, ପ୍ରଧାନପାଟ, ଦେବ୍ରୀଗଡ଼, ଚନ୍ଦ୍ରଭାଗା, ଭିତରକନିକା, ହୀରାକୁଦ ଓ ଗୋଲଡେନ ବିଚ ଅନ୍ୟତମ। ଏସବୁ ସ୍ଥାନଗୁଡିକୁ ଦେଶୀୟ ଓ ଆନ୍ତର୍ଜାତିକ ସ୍ତରର ପର୍ଯ୍ୟଟକମାନେ କେମିତି ଯିବେ, କେଉଁଠି ରହିବେ ଓ କଣ ଖାଦ୍ୟ ସେବନ କରିବେ ତାର ସମ୍ପୂର୍ଣ୍ଣ ତଥ୍ୟ ପୁସ୍ତକରେ ସନ୍ନିବିଷ୍ଟ ହୋଇଛି। ବିଶେଷକରି ଓଡ଼ିଶା ସରକାରଙ୍କ ଦ୍ୱାରା ପର୍ଯ୍ୟଟକଙ୍କ ପାଇଁ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଜାରି ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ ନମ୍ବର ଓ ହେଲ୍ପଲାଇନ ଆଦି ବି ଦିଆଯାଇଛି।

ଓଡ଼ିଶାକୁ ଆସୁଥିବା ଯେ’କୌଣସି ପର୍ଯ୍ୟଟକ ଏହି ପୁସ୍ତକ ଜରିଆରେ ନିଜ ପର୍ଯ୍ୟଟନ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ ଅବଗତ ହୋଇପାରିବେ। ଫ୍ଲିପକାର୍ଟ, ଆମଜନ ଭଳି ଅନଲାଇନ ସାଇଟରେ ବି ପୁସ୍ତକଟି ଉପଲବ୍ଧ। ଏଥିସହ ଅନ୍ତର୍ଜାତୀୟ ବିମାନଗୁଡିକରେ ଏହା ଯାତ୍ରୀଙ୍କ ପାଇଁ ଯୋଗାଇଦିଆ ଯିବାର ଯୋଜନା ରହିଛି। ତେଣୁ ମହାମହିମ ରାଜ୍ୟପାଳ ପ୍ରଫେସର ଲାଲ ଉଭୟ ଲେଖକଙ୍କୁ ଆଶୀର୍ବାଦ ଦେବା ସହ ଏଭଳି ସାରସତ୍ୱ ଗବେଷଣା କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ପୂର୍ବରୁ ରାଜ୍ୟପାଳ ପ୍ରଫେସର ଲାଲ ଗବେଷକ ତଥା ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ବିରଳ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ ଉପରେ ପର୍ଯ୍ୟବେସିତ ଓ ଗବେଷଣାତ୍ମକ ପୁସ୍ତକ ‘ଡଙ୍ଗରାନ କୁଆଁ’କୁ ରାଜଭବନରେ ଲୋକାର୍ପିତ କରିଥିଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଁଣ୍ଡ ଜନଜାତିଙ୍କ ଉପରେ ପୁସ୍ତକ ‘ଡ଼ଙ୍ଗର ଉହାଡ଼େ ଜହ୍ନ’କୁ ଉନ୍ମୋଚନ କରିଥିଲେ। ତେବେ ଶିକ୍ଷାବିତ ଶୁଭେନ୍ଦୁ ମହାନ୍ତିଙ୍କ ଦ୍ୱାରା ଅନୁଦିତ ‘ଡଙ୍ଗରାନ କୁଆଁ’ର ଇଂରାଜୀ ସଂସ୍କରଣ ଖୁବଶୀଘ୍ର ଲୋକାର୍ପିତ ହେବ ବୋଲି ଜଣାପଡ଼ିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ଟେକ୍ନୋଲୋଜି ଏବଂ ରସର୍ଚ୍ଚ ବିଶ୍ବବିଦ୍ୟାଳୟକୁ ମିଳିଲା ନୂଆ କୁଳପତି

ଭୁବନେଶ୍ୱର: ଓଡିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ପ୍ରଫେସର ବିଭୂତି ଭୁଷଣ ବିଶ୍ବାଳଙ୍କୁ ଚାରି ବର୍ଷ ପାଇଁ ଓଡ଼ିଶା ଟେକ୍ନୋଲୋଜି ଏବଂ ରସର୍ଚ୍ଚ ବିଶ୍ବବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି। ସେ ଯେଉଁ ଦିନ କାର୍ଯ୍ୟଭାର ଗ୍ରହଣ କରିବେ ସେହି ଦିନଠାରୁ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ।

ପ୍ରଫେସର ବିଶ୍ବାଳ ବର୍ତ୍ତମାନ  ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମେଘାଳୟର ନିର୍ଦ୍ଦେଶକ ଅଛନ୍ତି। ତାଙ୍କର ୩୬ ବର୍ଷରୁ ଅଧିକ ସମୟର ଶିକ୍ଷାଦାନ ଅଭିଜ୍ଞତା ରହିଛି। ସେ ୩ଟି ପୁସ୍ତକ ରଚନା କରିଛନ୍ତି ଏବଂ ୨୪ ପିଏଚଡି ଏବଂ ୪୫ ପିଜି ସ୍କର୍ଲାରଙ୍କୁ ସଫଳତାର ସହ ମାର୍ଗଦର୍ଶନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଗ୍ରନ୍ଥାଗାର ଓ ନୂତନ ଶୈକ୍ଷିକ ବ୍ଲକର ଉଦଘାଟନ କଲେ ରାଜ୍ୟପାଳ

ଦୁଷ୍ମନ୍ତ କୁମାର ପଣ୍ଡା 

କଳାହାଣ୍ଡି: କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର ନୂତନ ଭାବେ ନିର୍ମିତ କଳାହାଣ୍ଡି ଗ୍ରନ୍ଥାଗାର ଓ ନୂଆ ଶୈକ୍ଷିକ ଭବନକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମହାରାଜା ପ୍ରତାପ କେଶରୀ ଦେଓ ଙ୍କ ର ଆବକ୍ଷ ପ୍ରତିକୃତିକୁ ଗ୍ରନ୍ଥାଗାର ପରିସରରେ ଅନାବରଣ କରିଥିଲେ। ବିଶ୍ଵ ବିଦ୍ୟାଳୟର ସମସ୍ତଙ୍କ ପାଇଁ ପ୍ରାଥମିକ ଚିକିତ୍ସା ଜ୍ଞାନ କାର୍ଯକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ।

ସଭାରେ ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସମ୍ମାନିତ ଅତିଥି ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ତଥା ବିଶ୍ଵବିଦ୍ୟାଳୟ ରେଜିଷ୍ଟର ଡ ପିତାମ୍ବର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଜାତୀୟ ସଙ୍ଗୀତ ଗାନ କରାଗଲା ଓ ସମସ୍ତେ ଛିଡ଼ା ହୋଇ ସଙ୍ଗୀତକୁ ସମ୍ମାନ କରିଥିଲେ। କୁଳପତି ଶ୍ରୀ ଶତପଥୀ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଅଣାଯାଇଥିବା ବିଭିନ୍ନ ପଦକ୍ଷେପର ସୂଚନା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ଶିକ୍ଷା ଆହରଣ ସହିତ ମନର ଶୁଦ୍ଧି, ଆତ୍ମାର ଡାକ ଓ ସର୍ବୋପରି ଜଗତ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବା ବଡ଼ କଥା। କଳାହାଣ୍ଡି ଶବ୍ଦର ବିଶ୍ଳେଷଣ କରିବାକୁ ଯାଇ କହିଲେ, କାଳିଆର ହାଣ୍ଡି ହେଉଛି କଳାହାଣ୍ଡି। ଯୋଉ ହାଣ୍ଡିରେ ରୋଷେଇ ହୋଇ କାଳିଆଙ୍କ ପାଖରେ ଭୋଗ ଲାଗେ ଓ ସେ ମହାପ୍ରସାଦ ପାଲଟେ, ସେ ହେଉଛି କଳାହାଣ୍ଡିର ପରିଚୟ। ଏହି ଜଗତ ମଧ୍ୟରେ ଭାରତ ପରି ଦେଶ ନାହିଁ। ଭାରତ ମଧ୍ୟରେ ଓଡ଼ିଶା ପରି ରାଜ୍ୟ ନାହିଁ। କଳାହାଣ୍ଡିର ପ୍ରଗତି ଏବଂ ଏହା ସହିତ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର ଅବଦାନ ପାଇଁ ସେ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ପ୍ରଶଂସା କରି ଛାତ୍ରଛାତ୍ରୀଙ୍କୁ ନିଜର ଭବିଷ୍ୟତକୁ ସୁଦୃଢ଼ କରିବାକୁ ଅକ୍ଲାନ୍ତ ପରିଶ୍ରମ କରିବା ସହ ମାନବିକ ସମ୍ବେଦନଶୀଳତାକୁ ପାଥେୟ କରିବା ପାଇଁ ଆହ୍ବାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗ ଦେଇ କଳାହାଣ୍ଡିର ଶିକ୍ଷା, ଉଚ୍ଚଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଭିତ୍ତିଭୂମି ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

କଳାହାଣ୍ଡି ଏସ ପି ଶ୍ରୀ ଅଭିଳାଷ ଜି ଲାଇବ୍ରେରୀ ଛାତ୍ର ମାନଙ୍କ ଜୀବନରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରେ ଓ ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଗୁରୁତ୍ଵ ଦେଇ ଜଣେ ସଫଳ ମଣିଷ ହେବାକୁ ପରିଶ୍ରମ କରନ୍ତୁ ବୋଲି କହିଥିଲେ।

ସଭାପୂର୍ବରୁ ଏନ୍ ସି ସି କ୍ୟାଡେଟ ମାନେ ସମ୍ମାନ ଗାର୍ଡ ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ। ଅପରାହ୍ନ ୩.୦୦ ଘଣ୍ଟା ସମୟରେ ସ୍ଥାନୀୟ ଟାଉନ୍ ହଲ୍ ଠାରେ “ଚାଲ୍ ଦେଖମା ଆମର କଳାହାଣ୍ଡି” ର କଳାହାଣ୍ଡି କନ୍କ୍ଲେଭ ୨୦୨୨ ଶୀର୍ଷକ ଆଲୋଚନାଚକ୍ରରେ ରାଜ୍ୟପାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

ଅବସରପ୍ରାପ୍ତ ଆଇ ଏ ଏସ୍ ତଥା ପୂର୍ବତନ ଆଇ ଜି ତିହାର ଜେଲ୍, ଜୟଦେବ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅବସରପ୍ରାପ୍ତ ଆଇ ଏ ଏସ୍ ତଥା ପୂର୍ବତନ କଳାହାଣ୍ଡି ଜିଲ୍ଲାପାଳ ଚିନ୍ମୟ ବସୁ ତଥା ପି ଟି ଆଇ ସମ୍ପାଦକ ରାଜେଶ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ଆବାହକ” ଚାଲ୍ ଦେଖମା ଆମର କଳାହାଣ୍ଡି ” ଦ୍ଵାରା ଅନୁଷ୍ଠିତ ଦିନବ୍ୟାପୀ ଆଲୋଚନାଚକ୍ର ରେ କଳାହାଣ୍ଡିର ବିକାଶ ମୁଖ୍ୟତଃ କୃଷି ଓ ଜଳବାୟୁ ପରିବର୍ତ୍ତନ, ଶିକ୍ଷା ଓ ଜୀବିକା, ସଂସ୍କୃତି ଓ ପରମ୍ପରା, ନୂତନ ଆବିଷ୍କାର ଓ ଉଦ୍ୟୋଗିକରଣ, ଯୁବ ଦକ୍ଷତା ଓ କର୍ମ ନିଯୁକ୍ତି ଉପରେ ଦେଶ ର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବକ୍ତାଗଣ ଆମନ୍ତ୍ରିତ ହୋଇ ଆଲୋଚନ ରେ ଭାଗ ନେଇଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ବକ୍ତବ୍ୟ ରେ କଳାହାଣ୍ଡିର କ୍ରମବିକାଶରେ ଲୋକଙ୍କ ସହଭାଗିତା ଓ ପରିଶ୍ରମର ପ୍ରଶଂସା କରିଥିଲେ ଏବଂ ଏହି ଜିଲ୍ଲା ଜଗନ୍ନାଥଙ୍କ ହାଣ୍ଡି ସଦୃଶ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ସହ ପ୍ରେମ ଓ ସହଂତିର ବାର୍ତ୍ତା ଦେଉଛି ବୋଲି କହିଥିଲେ।

ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାରେ ସହରର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ,ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱର ବାଲିଯାତ୍ରା ପଡିଆରେ ଚିତ୍ତାକର୍ଷକ ଏୟାର ଶୋ, ଆସନ୍ତା ୧୮ ତାରିଖରେ ପୁଣି ପୁରୀରେ

ଭୁବନେଶ୍ୱର: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଆଜି ଭୁବନେଶ୍ୱର ଉପକଣ୍ଠ ଜରିପାଟଣା ନିକଟସ୍ଥ ବାଲିଯାତ୍ରା ପଡିଆଠାରେ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ଆକାଶମାର୍ଗରେ ଦୁଃସାହସିକ ତଥା ଚିତ୍ତାକର୍ଷକ ସମରକଳା ପ୍ରଦର୍ଶନ କରିଛନ୍ତି।

ସକାଳ୧୦ ଟା ୧୮ ମିନିଟ୍ ସମୟରେ ପ୍ରଦର୍ଶନୀ ସ୍ଥଳରେ ସୂର୍ଯ୍ୟକିରଣ ଟିମର ୯ଟି ହକ୍ ଏୟାର ଉଡାଜାହାଜ କୁଆଖାଇ ନଦୀ ଉପରେ ବିଭିନ୍ନ ପ୍ରକାର ସାହସିକତା ପ୍ରଦର୍ଶନର ସହ ବିମାନ ଉଡାଣ କରିଥିଲେ, ଯାହାକୁ ନଦୀର ଉଭୟ ପାର୍ଶ୍ୱରେ ଥିବା ଲକ୍ଷାଧିକ ଜନସାଧାରଣ ଉପସ୍ଥିତ ରହି ମନଭରି ଉପଭୋଗ କରିଥିଲେ। ଭାରତୀୟ ବାୟୁସେନାର ପରିଚାଳନାରେ ଓଡିଶା ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗର ସହଯୋଗରେ ଏହି ଏୟାର ଶୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ବହୁସଂଖ୍ୟାରେ ଯୋଗଦେଇଥିଲେ। ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଧରି ‘ମା ତୁଝେ ସଲାମ’ଦେଶାତ୍ମବୋଧ ସଂଗୀତର ଧୂନ ତାଳେ ତାଳେ ସୂର‌୍ୟ୍ୟକିରଣ ଟିମ୍ କୁ ସ୍ୱାଗତ କରିଥିଲେ।

ସ୍କ୍ୱାଡର୍ଣ୍ଣ ଲିଡର ଏ.ସାଲାରିଆ, ସ୍କ୍ୱାଡର୍ଣ୍ଣ ଲିଡର ପି.ଭରଦ୍ୱାଜ, ଉଇଙ୍ଗ କମାଣ୍ଡର ଏ.ଯାଦବ, ଗ୍ରୁପ୍ କ୍ୟାପଟେନ୍ ଜି.ଏସ୍.ଧିଲନ, ଉଇଙ୍ଗ କମାଣ୍ଡର ଆର୍.ବରଡୋଲୋଲ, ଉଇଙ୍ଗ କମାଣ୍ଡର ଏ.ଗାଓକର, ସ୍ୱାଡର୍ଣ୍ଣ ଲିଡର ଡି.ଗର୍ଗ, ସ୍ୱାଡର୍ଣ୍ଣ ଲିଡର ଏମ୍ ଭାଲା, ସ୍ୱାଡର୍ଣ୍ଣ ଲିଡର ଏ.ଗର୍ଗ,ସ୍କ୍ୱାଡର୍ଣ୍ଣ ଲିଡର ଏଚ୍.ସିଂ, ଉଇଙ୍ଗ କମାଣ୍ଡର ଏନ୍. ନେଗୀ, ସ୍କ୍ୱାଡର୍ଣ୍ଣ ଲିଡର ସୁଦରର୍ଶନ, ଉଇଂ କମାଣ୍ଡର ଏ.ପ୍ରସାଦ ,ସ୍କାଡର୍ଣ୍ଣ ଲିଡର ଏଚ୍, ଚନ୍ଦେଲ, ଉଇଙ୍ଗ କମାଣ୍ଡର ଏନ୍. ରାଇନା( ସିନିୟର ଟେକ୍ନିକାଲ ଅଫିସର) , ସ୍କ୍ୱାଡର୍ଣ୍ଣ ଲିଡର ଏସ୍. ଦୟାଲ(ଇଂଜିନିୟରିଂ ଅଫିସର), ଫ୍ଲାଇଟ୍ ଲେଫ୍ଟନାଣ୍ଟ ଆର୍. ଗୁରୁଙ୍ଗ ପ୍ରମୁଖ ଆକାଶ ମାର୍ଗରେ ଏହି ଦୁଃସାହସିକ ଉଡାଣରେ ସାମିଲ ହୋଇଥିଲେ ।

ସୂର୍ଯ୍ୟକିରଣ ଟିମକୁ ଏୟାର ମାର୍ଶାଲ,ଏୟାର ଅଫିସର କମାଣ୍ଡିଂ, ଇଷ୍ଟର୍ଣ୍ଣ ଏୟାର କମାଣ୍ଡଦିଲ୍ଲୀପ କୁମାର ପଟ୍ଟନାୟକ,ଗ୍ରୁପ୍ କ୍ୟାପଟେନ୍ ଆର୍. ଏସ୍, ରାଓ୍ୱତ୍, ଉଇଙ୍ଗ କମାଣ୍ଡର ସୁନ୍ଦର, ଉଇଙ୍ଗ କମାଣ୍ଡର ଦତ୍ତ ଏବଂ ସ୍କ୍ୱାଡର୍ଣ୍ଣ ଲିଡର ଗୋପାଳ ଆୟାର,ଫ୍ଳାଇଟ୍ ଲେଫ୍ଟନାଣ୍ଟ ତେଜପାଲ, ଫ୍ଲାଇଂ ଅଫିସର ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ରହି ଗତକାଲି ଉଡାଣ ଅଭ୍ୟାସ ଏବଂ ଆଜିର ଉଡାଣ କାର୍ଯ୍ୟ ପରିଚାଳନା କରିଥିଲେ।

ଫ୍ଲାଇଟ୍ ଲେଫ୍ଟଟନାଣ୍ଟ ରିଧିମା ଭାରତୀୟ ସୂର‌୍ୟ୍ୟକିରଣ ଟିମ୍ ତରଫରୁ ବିମାନଗୁଡିକ ଆକାଶରେ ଚିତ୍ତାକର୍ଷକ ଶୋ ପ୍ରଦର୍ଶନ କରୁଥିବା ସମୟରେ ଧାରା ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ଜନ ସମାଗମକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ, ଅତିରିକ୍ତ ଡିସିପି ଶ୍ରୀ ସଂଜୀବ ଶତପଥୀଙ୍କ ନେତୃତ୍ୱରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଶୃଙ୍ଖଳା ରକ୍ଷା ପାଇଁ କାର‌୍ୟ୍ୟକ୍ରମ ସ୍ଥଳରେ ବେରିକେଡିଂ ବ୍ୟବସ୍ଥା ସହ ବ୍ୟାପକ ପୁଲିସ୍ ମୁତୟନ ସହ ସମସ୍ତ କାର‌୍ୟ୍ୟକ୍ରମର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିଥିଲେ। ପୂର୍ତ୍ତ ବିଭାଗ ତରଫରୁ ବାଲିଯାତ୍ରା ପଡିଆରେ ବେରିକେଡିଂବ୍ୟବସ୍ଥା, ମଂଚ ପ୍ରସ୍ତୁତି, ଅତିଥି ଓ ପଦାଧିକାରୀମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା।

ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ ନିମନ୍ତେ ଲାଇଭ୍ କମନ୍ ଫିଡ୍ ସିଷ୍ଟମ ଜରିଆରେ କାର‌୍ୟ୍ୟକ୍ରମର ସିଧାପ୍ରସାରଣ ଆୟୋଜନ କରାଯିବା ସହ କରାଯିବା ସହ ଆନୁଷଙ୍ଗିକ ସହଯୋଗ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଏୟାର ମାର୍ଶାଲ,ଏୟାର ଅଫିସର ଶ୍ରୀ ପଟ୍ଟନାୟକ ଏକ ସ୍ଥାନୀୟ ତାରକା ହୋଟେଲରେ ପାଇଲଟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ପରେ ପରେ ପାଇଲଟମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ସାକ୍ଷାତକାର ଦେଇ ଭୁବନେଶ୍ୱରରେ ସେମାନଙ୍କର ବିମାନ ଉଡାଣ ଅତ୍ୟନ୍ତ ସୁନ୍ଦର ଓ ଚିତ୍ତାକର୍ଷକ ରହିଥିବାପ୍ରକାଶ କରିଥିଲେ।

ଆସନ୍ତା କାଲି ପୁରୀ ବେଳାଭୂମିଠାରେ ଏୟାର ଶୋ ନିମନ୍ତେ ଅଭ୍ୟାସ କାର୍ଯ୍ୟକ୍ରମ ଓ ୧୮ ତାରିଖରେ ଏଠାରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଜାରି ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଆଜି ରାଜ ଭବନରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ଅବସରରେ ଡ. ବିଶ୍ୱାସ ମାନ୍ୟବର ରାଜ୍ୟପାଳଙ୍କୁ ଏମ୍ସ ଭୁବନେଶ୍ୱରରେ ହେଉଥିବା ରୋଗୀ ସେବା ସମ୍ବନ୍ଧୀୟ ଅନେକ ବିକାଶମୂଳକ କାର୍ଯ୍ୟ, ଗବେଷଣା ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ଅବଗତ କରାଇଥିଲେ। ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ରୋଗୀ ସେବା ଓ ସମାଜ ପ୍ରତି ଏମ୍ସ ଭୁବନେଶ୍ୱରର ସେବା ମନୋଭାବ ଏବଂ ସକରାତ୍ମକ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ।

ଓଡ଼ିଶାର ରାଜ୍ୟପାଳ ତଥା ଦେଶର ଜଣେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଗଣେଶୀ ଲାଲଙ୍କ ସହିତ ସାକ୍ଷାତକୁ ନେଇ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ ଆନନ୍ଦ ପ୍ରକାଶ କରିବା ସହିତ ଏହା ଏକ ପ୍ରେରଣାଦାୟୀ ବୈଠକ ଥିଲା ବୋଲି ପ୍ରକାଶ କରିଛନ୍ତି।
ଏହି ଅବସରରେ ଏମ୍ସ ଭୁବନେଶ୍ୱର ରେଜିଷ୍ଟ୍ରାର ବି ବି ମିଶ୍ର, ଡିଡିଏ (ଇନ୍-ଚାର୍ଜ) ରଶ୍ମିରଜନ ସେଠୀ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ‘ଶ୍ରୀମଦ୍‍ ଭଗବଦ୍‍ ଗୀତା’ର ନୂତନ ସଂସ୍କରଣ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ବର: ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଦ୍ୱାରା ଇଂରାଜୀରେ ଅନୂଦିତ ‘ଶ୍ରୀମଦ‍ ଭଗବଦ୍‍ ଗୀତା’ର ନୂତନ ସଂସ୍କରଣକୁ ରାଜ୍ୟପାଳ ପ୍ରଫେସର‍ ଗଣେଶୀ ଲାଲ ଲୋକାର୍ପଣ କରିଛନ୍ତି।

ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ ଗୀତାର କାବ୍ୟିକ ଅନୁବାଦ ଏକ କଠିନ ବ୍ୟାପାର ଏବଂ ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀ ଏପରି ଏକ ସଫଳ ପ୍ରୟାସ କରିଥିବାରୁ ଖୁସି ବ୍ୟକ୍ତ କରିବା ସହ ସ୍ୱର୍ଗତ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗୀତା ହେଉଛି  ସଭ୍ୟତାର ସର୍ବଶ୍ରେଷ୍ଠ ଗ୍ରନ୍ଥ। ଏଥିରେ ସକଳ ପ୍ରଶ୍ନର ଉତ୍ତର ଅଛି। ଗୀତାର ବିକଳ୍ପ ନାହିଁ। ଶ୍ରୀମଦଭଗବଦ୍‍‍ଗୀତାର ବାଣୀର ପ୍ରସାରରେ ହିଁ ପୃଥିବୀରେ ଶାନ୍ତି ଆସିପାରିବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଥିଲେ।

ଉନ୍ମୋଚନ ଉତ୍ସବରେ ନ୍ୟାୟମୂର୍ତ୍ତି ବାସୁଦେବ ପାଣିଗ୍ରାହୀ, ନ୍ୟାୟମୂର୍ତ୍ତି ଆର. ଏନ୍‍. ବିଶ୍ୱାଳ, ବିନ୍ଧ୍ୟବାଳା ପାଣିଗ୍ରାହୀ, ବୈବସ୍ୱତ ପାଣିଗ୍ରାହୀ, ରାମନାଥ ପଣ୍ଡା, ଗୀତା ମହାଂତି ,ସ୍ୱାମୀ ଶିବ ଚିଦାନନ୍ଦ ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜଭବନରେ ସ୍ୱାଧୀନତାର ଅମୃତ ମହୋତ୍ସବ ଚଉଦ ଚିତ୍ରଶିଳ୍ପୀ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର: ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ରାଜଭବନରେ ଦୁଇଦିନିଆ ଚିତ୍ରଶିଳ୍ପୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ରାମହରି ଜେନା, ବଳଦେବ ମହାରଥା, ରବିନାରାୟଣ ରଥ, ପ୍ରବୋଧ କୁମାର ସାହୁ, ଚକ୍ରଧର ବେହେରା, ପ୍ରବୀର ଦଳାଇ, ଜନାର୍ଦ୍ଦନ ପରମଗୁରୁ, ମାନସ ରଞ୍ଜନ ଜେନା, ଚନ୍ଦ୍ରଶେଖର ସେଠୀ, ଶଶୀକାନ୍ତ ରାଉତ, ସୁବାସ ପୂଜାହାରୀ, ଅତସୀ ବସୁ, ବିଦୁ୍ୟତଲତା ପାଟ୍ଟଶାଣୀ ଓ ମୋନାଲିସା ବିଶ୍ୱାଳ ଅଂଶଗ୍ରହଣ କରିଥିଲେ।

ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଶିଳ୍ପୀମାନଙ୍କ ସର୍ଜନା ପ୍ରକ୍ରିୟା ଓ ଅବବୋଧ ସଂପର୍କରେ ପ୍ରଚାରି ବୁଝିଥିଲେ। ଶିଳ୍ପୀମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଲେ ଯେ ଓଡ଼ିଶା ମାଟିର ମହକରେ ବିପୁଳ ଆନନ୍ଦ ଓ ପୁଲକ ରହିଛି ଯାହା କଳା ମାଧ୍ୟମରେ ସାରା ବିଶ୍ୱକୁ ପ୍ରସାରିତ ହେବା ଦରକାର।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ବେଦବନ୍ଧୁ ମିଶ୍ର, ଚିତ୍ତରଞ୍ଜନ ମହାନ୍ତି, ଗୌତମ ଚୌଧୁରୀ ପ୍ରମୁଖ ରାଜଭବନର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଦ୍ୱାରା ସୋଆ ପ୍ରଫେସରଙ୍କ ଲିଖିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରଫେସର ଶିଶିରକାନ୍ତ ବେହେରାଙ୍କ ଦ୍ୱାରା ଲିଖିତ ତିନୋଟି ପୁସ୍ତକକୁ ବୁଧବାର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନ ଠାରେ ଉନ୍ମୋଚିତ କରିଛନ୍ତି।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଏଗ୍ରିକଲ୍‌ଚରାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ମୁଖ୍ୟ ପ୍ରଫେସର ବେହେରାଙ୍କ ଦ୍ୱାରା ଲିଖିତ ତିନୋଟି ପୁସ୍ତକ “ଗ୍ରୀନ ହାଉସ୍‌ ଟେକ୍‌ନୋଲୋଜି”, “ଫାର୍ମ ମେସିନାରୀ ଆଣ୍ଡ ଇକ୍ୟୁପମେଂଟସ୍ “ ଏବଂ “ରିନ୍ୟୁଏବଲ ଏନର୍ଜି ଫର୍‌ ଡେଭ୍‌ଲପ୍‌ମେଂଟ” ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଛି।

ଉନ୍ମୋଚନ ସମୟରେ ରାଜ୍ୟପାଳ ପ୍ରଫେସର ଲାଲ ପ୍ରଫେସର ବେହେରାଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ପୁସ୍ତକ ସମ୍ବନ୍ଧରେ ଆଲୋଚନା କରି ଅନେକ ମହତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ।

ଏହି ତିନୋଟି ପୁସ୍ତକ ଦିଲ୍ଲୀର ପ୍ରକାଶନୀ ସଂସ୍ଥା ଆକି ନିକ୍ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ହୋଇଛି। ଏହି ତିନୋଟି ପୁସ୍ତକ ମୁଖ୍ୟତଃ କୃଷକ, କୃଷି ଶିଳ୍ପ ଉଦ୍ୟୋଗୀ, କୃଷି ବିଜ୍ଞାନ ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ପ୍ରଫେସର ବେହେରା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜଭବନରେ ସଫଳ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶା ହେଉଛି ପ୍ରତିଭାଙ୍କ ଖଣି। ପ୍ରତିଭାର ପ୍ରକାଶ ଓ ବିକାଶ ପାଇଁ ଓଡ଼ିଶା ଏକ ଉର୍ବର ଭୂମି। ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ ପାଇଁ ଓଡ଼ିଶାର ବିପୁଳ ସାମର୍ଥ୍ୟ ରହିଛି। ଏହାର ସଫଳ ଉପଯୋଗ ପୃଥିବୀ ପାଇଁ ମଙ୍ଗଳକର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।

ଆଜି ରାଜଭବନରେ ଆୟୋଜିତ କିଛି ସଫଳ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱକୁ ସଫଳତାର ସହ ନିର୍ବାହ କରିବା ହିଁ ଈଶ୍ୱର ଆରାଧନା। ନିଜର କର୍ମ ମାଧ୍ୟମରେ ଅନ୍ୟର କିଛି ଉପକାର କରିପାରିଲେ ଓ ଅନ୍ୟର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଅଛି ଜୀବନର ସାର୍ଥକତା।

ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅବିନାଶ ମିଶ୍ର ଓ ଚିନ୍ମୟ ଦାସ, ନୂଆ ବାସ୍ନା ଧାନର ଉଦ୍ଭାବକ କାଦମ୍ବିନୀ ବେହେରା, ଚିତ୍ରଶିଳ୍ପୀ ଶେ୍ୱତପଦ୍ମା ମିଶ୍ର, ଗୋସେବକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡା, ‘ଆସ ପଢ଼େଇବା’ର ଆବାହକ ପ୍ରତ୍ୟୟ ପ୍ରଶାନ୍ତ, ଓଡ଼ିଶାରେ ଗୋଷ୍ଠୀ ରେଡ଼ିଓର ପ୍ରସାରକ ଏନ୍‌.ଏ. ଶାହା ଆନସାରୀ, ସଂସ୍କୃତି ପ୍ରଚାରକ ଶ୍ୟାମ ପ୍ରକାଶ ସେନାପତି, ଖବରକାଗଜ ସଂଗ୍ରାହକ ଶଶାଙ୍କ ଶେଖର ଦାଶ, ‘ପଥେ ପାଠଶାଳା’ର ପ୍ରତିଷ୍ଠାତା ବଳରାମ ସାହୁ ନିଜ ଜୀବନଯାତ୍ରା, ଅନୁଭବ ଓ ଉପଲବ୍ଧି ସଂପର୍କରେ କହିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଦ୍ୱାରା ବିବୁଧରଂଜନଙ୍କ ତିନୋଟି ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ହାତରେ ବିଶିଷ୍ଟ ଲେଖକ ଡକ୍ଟର ବିବୁଧରଂଜନଙ୍କ ଲିଖିତ ତିନିଗୋଟି ପୁସ୍ତକ ‘ମର୍ଡର ମିଷ୍ଟ୍ରି ଅଫ୍ ଶ୍ରୀଚୈତନ୍ୟ’ (ଇଂରାଜୀ), ‘ହଁ ମୃତ୍ୟୁ ପରେ ବି ଜୀବନ’ ଓ ‘ଭକ୍ତ ଡ଼ୋରୀରେ ଶ୍ରୀଜଗନ୍ନାଥ’ ପୁସ୍ତକ ଲୋକାପର୍ତି ହୋଇଯାଇଛି ।

ଏହି ଅବସରରେ କବି ରକ୍ଷକ ନାୟକ ଓ ପ୍ରକାଶକ ବିଜୟ କୁମାର ମହାପାତ୍ର (ବି କେ ପବ୍ଲିକେସନ୍ସ ପ୍ରା. ଲି.) ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

‘ୱାର୍କ, ୱାର୍କମାନସିପ୍‌ ଆଣ୍ଡ ଉଇନିଙ୍ଗ୍‌’ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର: ସତ୍ୟଜିତ ସେନାପତିଙ୍କ ଦ୍ୱାରା ଲିଖିତ ‘ୱାର୍କ, ୱାର୍କମାନସିପ୍‌ ଆଣ୍ଡ ଉଇନିଙ୍ଗ୍‌’ ପୁସ୍ତକକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ଉନ୍ମୋଚନ କରିଛନ୍ତି । ଏହି ଉନ୍ମୋଚନ ଉତ୍ସବରେ ଲେଖକଙ୍କ ସହ ବିଶିଷ୍ଟ ଲେଖକ ତଥା ପୂର୍ବତନ ପ୍ରଶାସକ ରବି ନାରାୟଣ ସେନାପତି ଓ କବି ରକ୍ଷକ ନାୟକ ଉପସ୍ଥିତ ଥିଲେ ।

କର୍ପୋରେଟ୍‌ ଜଗତରେ ଉଚ୍ଚତର ସୋପାନରେ ପହଞ୍ଚିବା ପାଇଁ ଏହି ପୁସ୍ତକଟି ଏକ ମାର୍ଗଦର୍ଶିକା ଏବଂ ଏହା ବିପୁଳ ପାଠକୀୟତା ହାସଲ କରିବ ବୋଲି ପ୍ରକାଶ କରି ରାଜ୍ୟପାଳ ଲେଖକ ଶ୍ରୀ ସେନାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ୨ଟି ପୁସ୍ତକକୁ ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ସ୍ୱନାମଧନ୍ୟ ଲେଖକ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଲିଖିତ ୨ଟି ପୁସ୍ତକର ଶୁଭ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକ ଦୁଇଟି ହେଉଛି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସାହିତ୍ୟିକ ତଥା ଜ୍ଞାନପୀଠ ବିଜେତା ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ ଆତ୍ମଜୀବନୀର ଇଂରାଜୀ ଅନୁବାଦ ‘ମାଇଁ ଫାର୍ଷ୍ଟ ଥାର୍ଟି ଫାଇଫ୍ ଇଅର୍ସ ‘ ( My First Thirty Five Years ) ଏବଂ ଲେଖକଙ୍କ ରଚିତ ଓଡିଆ ପୁସ୍ତକ ‘ଗାଁରେ ସେହି ସବୁ ଦି’ ।

ପ୍ରଥମ ପୁସ୍ତକଟି ନୂଆଦିଲ୍ଲୀର ‘ଅଥର୍ସ ପ୍ରେସ୍’ ଦ୍ୱାରା ଏବଂ ଦ୍ୱିତୀୟଟି କଟକର ‘ବିଜୟ ବାର୍ତ୍ତା’ ପ୍ରକାଶନ ସଂସ୍ଥା ତରଫରୁ ପ୍ରକାଶିତ ହୋଇଛି । ପୁସ୍ତକ ଦୁଇଟିର ଉନ୍ମୋଚନ କାର୍ଯ୍ୟକ୍ରମରେ ଲେଖକଙ୍କ ଧର୍ମପତ୍ନୀ ଶ୍ରୀମତୀ ଧରିତ୍ରୀ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଲେଖକ ଶ୍ରୀ ମହାପାତ୍ର, ଜଗତସିଂହପୁର ଜିଲ୍ଲାପାଳ ଥିବାବେଳେ ତାଙ୍କ ଲିଖିତ ଅନ୍ୟ ଏକ ପୁସ୍ତକ ‘ସୁନ୍ଦରଗଡ ଡାଏରୀ’ ମଧ୍ୟ ଗତବର୍ଷ ରାଜ୍ୟପାଳଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଶ୍ରୀ ମହାପାତ୍ରଙ୍କ ଲିଖିତ ୫ଟି କ୍ଷୁଦ୍ର ଗଳ୍ପ ସଂକଳନ, ଗୋଟିଏ ଉପନ୍ୟାସ, ୨ଟି ଜନଜାତି କବିତା ସଂକଳନ, ୨ଟି ଅନୁବାଦ ଓ ୨ଟି ଅନ୍ୟାନ୍ୟ ରଚନା ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି । ଉପରୋକ୍ତ ପୁସ୍ତକ ଦୁଇଟିର ପ୍ରକାଶନ ଅବସରରେ ଲେଖକ ଶ୍ରୀ ମହାପାତ୍ରଙ୍କୁ ବୁଦ୍ଧିଜୀବୀ ତଥା ସାହିତ୍ୟିକମାନଙ୍କ ମହଲରୁ ଶୁଭେଚ୍ଛା ଜ୍ଞାପନ ପୂର୍ବକ ତାଙ୍କର ଲେଖକୀୟ ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଛି ।

Categories
ଆଞ୍ଚଳିକ

ପ୍ରାଚୀନ ଚିକିତ୍ସା ପରମ୍ପରାରୁ ପ୍ରେରଣା ଓ ଜ୍ଞାନର ପ୍ରୟୋଗ ଦରକାର; ରାଜ୍ୟପାଳ

ଭୁବନେଶ୍ୱର: ଅନ୍ନମୟ କୋଷ, ପ୍ରାଣମୟ କୋଷ, ମନମୟ କୋଷ, ପ୍ରଜ୍ଞାମୟ କୋଷ ଓ ଆନନ୍ଦମୟ କୋଷରେ ଶରୀରର ସ୍ଥିତି । ଏହାକୁ ଧ୍ୟାନରେ ରଖି ଡାକ୍ତରମାନେ ଶରୀରର ଚିକିତ୍ସା କରିବା ଦରକାର । ଶରୀର, ମନ ଓ ଆତ୍ମାକୁ ଏକୀଭୂତ କରି ଚିକିତ୍ସା ପଦ୍ଧତିର ପ୍ରୟୋଗ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ।

ଆଜି ରାଜଭବନରେ ଆସୋସିଏସନ ଅଫ୍‌ ଦି ଫିଜିସିଆନ୍ସ ଅଫ୍‌ ଇଣ୍ଡିଆ, ଓଡ଼ିଶା ଚାପ୍‌ଟର ୪୧ତମ ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଆମର ପ୍ରାଚୀନ ଚିକିତ୍ସା ପରମ୍ପରା ଓ ପଦ୍ଧତିରୁ ପ୍ରେରଣା ଓ ଜ୍ଞାନ ଗ୍ରହଣ କରିବା ଦରକାର । ଏହା ସହିତ ଆଧ୍ୟାତ୍ମିକ ଭାବର ପ୍ରୟୋଗ ମଧ୍ୟ ଏକାନ୍ତ ଜରୁରୀ । ପ୍ରକୃତି ସହିତ ମଣିଷ ଯେତିକି ଆତ୍ମୀୟ ହୋଇପାରିବ, ସେତେ ରୋଗଠୁ ଦୂରେଇ ରହିବ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି ।

ସାଂସଦ ଅଚ୍ୟୁତ ସାମନ୍ତ ଡାକ୍ତରମାନଙ୍କ ଉପରେ ଥିବା ଲୋକମାନଙ୍କର ବିଶ୍ୱାସକୁ ବଜାୟ ରଖିବା ସହିତ ଦରିଦ୍ରମାନଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ ।
ଆୟୋଜନ କମିଟିର ଅଧ୍ୟକ୍ଷ ଡ. ସୁଧାଂଶୁ ଶେଖର ପଣ୍ଡା, ସଂଗଠନ ସଂପାଦକ ଡ. ଲଲାଟେନ୍ଦୁ ମହାନ୍ତି, ଅବୈତନିକ ସଂପାଦକ ଡ. ସନ୍ତୋଷ କୁମାର ସ୍ୱାଇଁ, ଓଡ଼ିଶା ଚାପ୍‌ଟରର ଅଧ୍ୟକ୍ଷ ଡ. ଭରତ ପାଣିଗ୍ରାହୀ, ସମ୍ମାନିତ ଅତିଥି ଡ. ଏ. ମୁରୁଗନଥନ୍‌ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରାଜ୍ୟପାଳ ସ୍ମରଣିକା ଉନ୍ମୋଚନ କରିବା ସହ ପ୍ରଫେସର ଆର୍‌. ପଣ୍ଡା ଓ ଡ. ବି. ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

୩ୟ ଓଡ଼ିଶା ଶିକ୍ଷା ସମ୍ମାନ: ୧୦ ଶିକ୍ଷାନୁଷ୍ଠାନକୁ ସମ୍ମାନିତ କଲେ ରାଜ୍ୟପାଳ

ଭୁବନେଶ୍ବର: ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ଶିକ୍ଷା ସମ୍ମାନ ୨୦୨୧ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ଏକ୍ସେଲେନ୍ସି ପରିସରରେ ଆଜି ସଂଧ୍ୟାରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏ ଅବସରରେ ରାଜ୍ୟର ଜଣାଶୁଣା ୧୦ଟି ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା।

ଉତ୍ସବକୁ ସମ୍ବୋଧିତ କରି ରାଜ୍ୟପାଳ କହିଲେ ଯେ କୌଣସି ବିଶ୍ବବିଦ୍ୟାଳୟ ଭିତରେ ଗବେଷଣାଗାର ନଥାଏ। ଶିକ୍ଷାର ଅସଲ ଗବେଷଣାଗାର ହେଉଛି ପ୍ରକୃତି। ସମୁଦ୍ର କୂଳରେ, ପକ୍ଷୀ ଉଡ଼ୁଥିବା ଆକାଶରେ, ନଦୀର କୁଳୁକୁଳୁ ଜଳଧାରାରରେ ଜ୍ଞାନର ଗନ୍ତାଘର ରହିଛି। ପ୍ରକୃତି ହିଁ ସବୁଠୁ ବଡ଼ ଶିକ୍ଷାନୁଷ୍ଠାନ ବୋଲି ସେ କହିଥିଲେ। ଶନ୍ତ ରହିବା ଜଣେ ଶିକ୍ଷାର୍ଥିର ସବୁଠୁ ବଡ଼ ଲକ୍ଷଣ। ଆମକୁ ଶବ୍ଦ ଓ କୋଳାହଳ ବାବଦରେ ତ ସମସ୍ତେ ଶିଖାନ୍ତି। ଶବ୍ଦର ଜ୍ଞାନ ବାବଦରେ ଆମକୁ ସମସ୍ତେ ଶିକ୍ଷାଦିଅନ୍ତି। କିନ୍ତୁ ଶବ୍ଦର ଅଜ୍ଞାନତା ବାବଦରେ କେହି କହିନଥାନ୍ତି। ନିରବତାରୁ ଶିକ୍ଷା କରିବା ହିଁ ଜଣେ ଜ୍ଞାନୀର ସବୁଠୁ ବଡ଼ ଭୂଷଣ ବୋଲି ସେ କହିଥିଲେ। ଉତ୍ସବରେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହି ରାଜ୍ୟପାଳ ସମ୍ମାନିତ ସମସ୍ତ ଅନୁଷ୍ଠାନ ଓ ସେମାନଙ୍କର ଉଦ୍ୟୋକ୍ତାଙ୍କୁ ଅଭିବାଦନ ଜଣାଇଥିଲେ।

ଏ ଅବସରରେ ରାଜ୍ୟର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଭାବେ ଭୁବନେଶ୍ବରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ, ରାଜ୍ୟର ଶ୍ରେଷ୍ଠ ଇଂଜିନିୟରିଂ ମହାବିଦ୍ୟାଳୟ ଭାବେ ବ୍ରହ୍ମପୁରର ନାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକନଲୋଜି (ନିଷ୍ଟ), ରାଜ୍ୟର ଶ୍ରେଷ୍ଠ ବିକଶିତ ବିଦ୍ୟାଳୟ ଭାବେ ଭୁବନେଶ୍ବରର ଦି ଡିଏନ୍‌ ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲ, ରାଜ୍ୟର ଶ୍ରେଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ କଟକର କେଏମ୍‌ବିବି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ରାଜ୍ୟର ଶ୍ରେଷ୍ଠ ଆଇଏଏସ୍‌ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବେ ଭୁବନେଶ୍ବରର ଆପ୍ଟି ପ୍ଲସ୍‌ ଏକାଡେମୀ ଅଫ୍‌ ସିଭିଲ ସର୍ଭିସେସ୍‌, ରାଜ୍ୟର ଶ୍ରେଷ୍ଠ ପଲିଟେକନିକ୍‌ କଲେଜ ଭାବେ ବାରିପଦାର ଡିଭାଇନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟରିଂ ଆଣ୍ଡ ଟେକନଲୋଜି, ଓଡ଼ିଶାରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପ୍ରଫେସନାଲ୍‌ ଶିକ୍ଷା ଦେବାରେ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଭାବେ ରାୟପୁରର ଆଇଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟ, ରାଜ୍ୟର ଶ୍ରେଷ୍ଠ ଆବାସିକ ବିଦ୍ୟାଳୟ ଭାବେ ଭୁବନେଶ୍ବର ଟାଇମ୍ସ ସ୍କଲାର୍ସ ଗୁରୁକୂଳ, ରାଜ୍ୟର ଶ୍ରେଷ୍ଠ ମେଡିକାଲ ପ୍ରଶିକ୍ଷଣ ଅନୁଷ୍ଠାନ ଭାବେ ଭୁବନେଶ୍ବର କ୍ୟାରିଅର୍‌ ହାଇଟ୍ସ, ରାଜ୍ୟର ଶ୍ରେଷ୍ଠ ମ୍ୟାନେଜମେଣ୍ଟ କଲେଜ ଭାବେ ଭୁବନେଶ୍ବରର ୟୁନାଇଟେଡ୍‌ ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ (ୟୁଏସ୍‌‌ବିଏମ୍)ଙ୍କୁ ସମ୍ମାନିତ କରାଯାଇଥିଲା।

ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ସୁକାନ୍ତ କୁମାର ନନ୍ଦ ଶିକ୍ଷାନୁଷ୍ଠାନମାନଙ୍କୁ ସମ୍ମାନିତ କରିଥିଲେ। ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ସ୍ବାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଆଦ୍ୟାଶ୍ରୀ। ଅନୁଷ୍ଠାନ ପକ୍ଷରୁ ଗିରୀଶ ରଂଜନ ସାହୁ, ସତ୍ୟବ୍ରତ ବଳିଆରସିଂହ, ବୀରେନ୍‌ କୁମାର ସାହୁ, ଗୀତାଞ୍ଜଳି ମିଶ୍ର ଓ ଇପ୍ସିତା ଆଚାର୍ଯ୍ୟ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ଭେଟିଲେ ଭାରତୀୟ ସୂଚନା ସେବା ଅଧିକାରୀ

ଭୁବନେଶ୍ବର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ରେ କ୍ଷେତ୍ରୀୟ ପ୍ରଶିକ୍ଷଣ ଗ୍ରହଣ କରୁଥିବା ନବାଗତ ଭାରତୀୟ ସୂଚନା ସେବା (ଆଇଆଇଏସ) ଅଧିକାରୀମାନେ ଆଜି ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି।

ଆଇଆଇଏସ ଶିକ୍ଷାନବୀସମାନଙ୍କୁ ଓଡ଼ିଶାରେ ସ୍ୱାଗତ କରି ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶା ସବୁକ୍ଷେତ୍ରରେ ଏକ ସମୃଦ୍ଧ ଏବଂ ସମ୍ପନ୍ନ ରାଜ୍ୟ। ଏହି ରାଜ୍ୟ ଧର୍ମ, ସଂସ୍କୃତି, ପ୍ରାକୃତିକ ସମ୍ପଦ ଏବଂ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ। ବିଗତ ତିନି ବର୍ଷ ମଧ୍ୟରେ ନିଜର ଅଭିଜ୍ଞତା ବିଷୟରେ ସେ କହିଥିଲେ ଯେ, ଓଡ଼ିଶାବାସୀ ଆତ୍ମସନ୍ତୋଷପୂର୍ଣ୍ଣ ଜୀବନଯାପନ କରିଥାନ୍ତି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ସେମାନଙ୍କର ପ୍ରଗାଢ଼ ଆସ୍ଥା ଓ ବିଶ୍ବାସ ରହିଛି। ତେଣୁ ଯୁବ ଅଧିକାରୀମାନେ ଏଠାକୁ ଆସି, କାମ କରିବା ଏବଂ ଶିଖିବାର ଶ୍ରେଷ୍ଠ ସୁଯୋଗ ପାଇପାରିବେ ବୋଲି ରାଜ୍ୟପାଳ କହିଥିଲେ।

ଶୃଙ୍ଖଳିତ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ଶିକ୍ଷାନବୀସମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ଏହି ଅବସରରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ, ଉପନିର୍ଦ୍ଦେଶକ ଡ. ଗିରିଶ ଚନ୍ଦ୍ର ଦାଶ, ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ ଚୌଧୁରୀ, ଭାରତୀୟ ସୂଚନା ସେବାର ଚାରି ଜଣ ଶିକ୍ଷାନବୀସ ଅଧିକାରୀ ନିକିତା ଯୋଶୀ, ଶୀନମ ଜୈନ, ମନଦୀପ କୁମାର, ସନ୍ତୋଷ ଭେଙ୍କଟରମଣଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।