Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କ ଦ୍ବାରା କୃଷି ଓଡ଼ିଶା ୨୦୨୩ ଉଦ୍‌ଯାପିତ

ଭୁବନେଶ୍ୱର: ସଭ୍ୟତାର ଉନ୍ମେଷ, ବିକାଶ ଓ ଉତ୍ତରଣରେ କୃଷିର ସର୍ବଗରିଷ୍ଠ ଭୂମିକା ରହିଛି । କୃଷି ହିଁ ଭିତ୍ତି। ଆମ ଧର୍ମ, ସଂସ୍କୃତି, ଐତିହ୍ୟ, ଇତିହାସ, ପରମ୍ପରା, ଜୀବନଶୈଳୀ, ଜୀବନବୋଧ, ଦୃଷି ଓ ଦର୍ଶନର ଆଦି ବିନ୍ଦୁ ହେଉଛି କୃଷି। ସଭ୍ୟତାର ଉତ୍ତମ ସଂରଚନା ଉପରେ ଏହା ପ୍ରତିଷ୍ଠିତ। ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରି ତିନୋଟି ମୌଳିକ ଉପାଦାନ ଆମକୁ ସଭ୍ୟ, ମାର୍ଜିତ ଓ ଉତ୍ତରିତ କରିଛି। ଏସବୁର ଉତ୍ସ ଓ ଆଧାର ହେଉଛି କୃଷି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।

ଆଜି ‘କୃଷି ଓଡ଼ିଶା ୨୦୨୩’ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଲାଲ କହିଛନ୍ତି ଯେ କୃଷି କର୍ମ ହେଉଛି ଏକ ଆଧ୍ୟାତ୍ମିକ କ୍ରିୟା। ଶସ୍ୟ କେତେ ଜୀବନଧାରଣର କାରଣ ହୋଇଥିବାରୁ କୃଷି କର୍ମ ଏକ ମହତ୍ତ୍ୱପୂର୍ଣ୍ଣ ସାଧନା। ଏଥିରେ ଯେଉଁ ରହସ୍ୟମୟ ରସ ଅଛି ତାହାକୁ ଆସ୍ୱାଦନ କରିବାକୁ ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି।

ରାଜ୍ୟପାଳ ପ୍ରଫେସର ଲାଲ ପୁଣି କହିଛନ୍ତି ଯେ ଜଳ, ଅଗ୍ନି, ବାୟୁ, ପୃଥିବୀ ଓ ଆକାଶ ପରି ପଞ୍ଚ ମହାଭୂତରୁ ସବୁକିଛି ସୃଷ୍ଟି ହୋଇଛି । ଏହି ତତ୍ତ୍ୱକୁ କେବଳ କୃଷକ ବୁଝିପାରେ ଏବଂ ଏହାକୁ କାର୍ଯ୍ୟରେ ଲଗାଏ। ତା’ ହାତ ତିଆରି ଖାଦ୍ୟ କାହା ପେଟକୁ ଯିବ ସେ ବିଚାର କରେନି। ଏପରି ସାର୍ବଜନୀନତା ଓ ଲୋକକଲ୍ୟାଣର ମହାଭାବ ନେଇ କୃଷକ ତା’ର କାର୍ଯ୍ୟ କରେ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ଆହ୍ୱାନ ରୁପେ ଉଭା ହୋଇଛି ଏବଂ ଏହା ଦ୍ୱାରା କୃଷି ଓ କୃଷକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛି ବୋଲି ଉଲ୍ଲେଖ କରି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ଯେ ଏହାର ମୁକାବିଲା ପାଇଁ ସାରା ମାନବସମାଜ ସଂଗଠିତ ହେବା ଆବଶ୍ୟକ। ନୂତନ ଜ୍ଞାନକୌଶଳ, ଚିନ୍ତା, ଚେତନାର ପ୍ରୟୋଗରେ ଏହାକୁ ରୋକାଯାଇପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ କହିଛନ୍ତି ଯେ କୃଷି କ୍ଷେତ୍ରରେ ରାଜ୍ୟ ଆଜି ଏକ ନୂତନ ସୋପାନରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ବିଭିନ୍ନ କୃଷି କାର୍ଯ୍ୟରେ ନିୟୋଜିତ କରାଯାଇ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। କୃଷି ଗବେଷଣାଲବ୍ଧ ଜ୍ଞାନକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ କୃଷି ଓଡ଼ିଶା ଏକ ସଫଳ ପ୍ରୟାସ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି।

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ସବରେ ପୌରୋହିତ୍ୟ କରି କହିଛନ୍ତି ଯେ କୋଭିଡ୍‌-୧୯ ସମୟରେ କୃଷକମାନେ ଯେପରି ନିଜ ସୁରକ୍ଷାକୁ ବାଜି ଲଗାଇ କୃଷିକାର୍ଯ୍ୟ କରି ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଥିଲେ ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ। ରାଜ୍ୟ ସରକାରଙ୍କ ପକ୍ଷରୁ ସମୟୋଚିତ ପଦକ୍ଷେପ ଯୋଗୁ ବିଗତ ୨୦ ବର୍ଷରେ ରାଜ୍ୟ ଚାଉଳ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇପାରିଛି ଏବଂ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଆଖିଦୃଶିଆ ସଫଳତା ହାସଲ କରିଛି ବୋଲି ସେ ପ୍ରକାଶ କରିଛନ୍ତି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ ରାମଚନ୍ଦ୍ର ପଣ୍ଡା କୃଷିଜାତ ଦ୍ରବ୍ୟର ରପ୍ତାନୀ, ବିକି୍ରବଟାର ବଜାର ସୁବିଧା ଓ କୃଷି କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭାଗୀଦାରିତା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ ଫସଲର ବିବିଧିକରଣ, କୃଷି ଯାନ୍ତ୍ରିକୀକରଣ ଏବଂ କୃଷି ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ପ୍ରାଥମିକତା ପ୍ରଦାନ କରାଯାଉଛି ।

ମତ୍ସ୍ୟ ଓ ପ୍ରାଣୀସଂପଦର ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଯେ ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦର ଦ୍ରୁତ ବିକାଶ ଦିଗରେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଫିକିର ଜାତୀୟ କୃଷି କମିଟିର ଅଧ୍ୟକ୍ଷ ଟି.ଆର୍‌, କେଶବନ୍‌ କହିଛନ୍ତି ଯେ ସଂପ୍ରତି ଓଡ଼ିଶା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଛି। ଓଡ଼ିଶା ମିଲେଟ୍‌ ମିଶନର ସଫଳତା ସେଥି ମଧ୍ୟରେ ଅନ୍ୟତମ ବୋଲି ସେ ପ୍ରକାଶ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ କୃଷକମାନଙ୍କ ପାଇଁ ଭାରତର ପ୍ରଥମ କୃତି୍ରମ ବୁଦ୍ଧିମତା ଚାଳିତ କୃଷିଭିତ୍ତିକ ସ୍ମାର୍ଟ ଚାଟବଟ୍‌ “ଆମ କୃଷ୍‌ଏଆଇ’’କୁ ଲୋକାର୍ପିତ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଗ୍ରଣୀ ଓ ସଫଳ ଚାଷୀଙ୍କୁ ରାଜ୍ୟପାଳ ପ୍ରଫେସର ଲାଲ ସମ୍ବର୍ଦ୍ଧିତ କରିଥିଲେ।

ଉତ୍ସବ ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ପ୍ରାଣୀପାଳନର ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଶେଷ ହେଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା, କେତେ ଟଙ୍କାର ହେଲା ବ୍ୟବସାୟ ?

ଭୁବନେଶ୍ବର: ଓଡ଼ିଆମାନଙ୍କର ଜୀବନ, ଦର୍ଶନ, ଚିନ୍ତା, ଚେତନା, ଭାବ, ଭାବନା-ସବୁଠି ଅନନ୍ୟ କଳାତ୍ମକ ପରିପ୍ରକାଶ ରହିଛି। ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ବିଶେଷ ପରିଚୟ ଓ ପ୍ରତିଷ୍ଠା ସହ ଦେଶବିଦେଶରେ ଆଦର ରହିଛି। ଏହା ମାଧ୍ୟମରେ ଓଡ଼ିଶାର ସୂକ୍ଷ୍ମ କଳାରୂପ ପ୍ରସାରିତ ହୋଇଛି। ଯେଉଁ ହାତର ସ୍ପର୍ଶରେ ପଦାର୍ଥ, କଳାର ପୃଥିବୀ ପାଲଟିଯାଉଛି, ସେ ହାତକୁ ସଶକ୍ତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି।

ଆଜି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ଯେ ଭାରତର ହସ୍ତଶିଳ୍ପର ବିଶାଳ ଗରିମା ରହିଛି। ଏହାର ଉପଯୋଗ କରିବା ହେଉଛି ଆଜିର ଆହ୍ୱାନ ଓ ଆବଶ୍ୟକତା।

ମେସିନ୍‌ କ୍ରାଫଫ ସହ ଲଢ଼ିବାକୁ ଆମ ହସ୍ତଶିଳ୍ପ ସମର୍ଥ। ଏଥିପାଇଁ କେବଳ ଅନୁକୂଳ ପରିବେଶ ଦରକାର। ଶିଳ୍ପୀମାନେ ସଶକ୍ତ ହେବା ସହ ଆମ ଅର୍ଥନୀତି ମଧ୍ୟ ସୁଦୃଢ଼ ହେବ। କାରଣ ଏହି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସାମର୍ଥ୍ୟ ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ କାର୍ଯ୍ୟକ୍ରମ ଓ ଯୋଜନା କରୁଛନ୍ତି । ଏହାର ଉପଯୋଗ କରିବାକୁ ପ୍ରଫେସର ଲାଲ କାରିଗରମାନଙ୍କୁ ଅନୁରୋଧ କରିଛନ୍ତି।

ରାଜ୍ୟପାଳ ପ୍ରଫେସର ଲାଲ ପୁଣି କହିଛନ୍ତି ଯେ କଳାର ସାମଗ୍ରୀ ମୂକ ନୁହନ୍ତି। ନିର୍ଜୀବ ନୁହନ୍ତି । ସେମାନେ ଯେଉଁ ଭାଷା କହୁଛନ୍ତି, ଯେଉଁ ଭାବ ପ୍ରକଟ କରୁଛନ୍ତି, ତାକୁ ବୁଝିବା ଦରକାର। ପ୍ରକୃତରେ କଳାର ନିର୍ମାଣ ହୁଏ ନାହିଁ। ଏହା ଆପେ ଆପେ ପ୍ରସ୍ପୁଟିତ ହୁଏ ବୋଲି ପ୍ରଫେସର ଲାଲ ପ୍ରକାଶ କରିଛନ୍ତି।

ଏହି ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ହସ୍ତତନ୍ତ ଓ ବୟନ ନିର୍ଦ୍ଦେଶକ ଶୋଭନ କ୍ରୀଷ୍ଣା ସାହୁ, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଉପସ୍ଥିତ ଥିଲେ।

ଆଜି ସନ୍ଧ୍ୟାରେ ମେଳାକୁ ସୁଚାରୁ ରୂପେ ସଂପାଦନ କରିଥିବା ବିଭିନ୍ନ କମିଟିର ମୁଖ୍ୟ ଡ. ଅରବିନ୍ଦ କୁମାର ପାଢ଼ୀ, ଶୋଭନ କ୍ରୀଷ୍ଣା ସାହୁ, ଶ୍ୟାମଭକ୍ତ ମିଶ୍ର, ବିକ୍ରମାଦିତ୍ୟ ବାରିକ, ବୀଣାପାଣି ନାୟକ, ସୂର୍ଯ୍ୟନାରାୟଣ ପଟ୍ଟନାୟକ, ଶିଶିର କୁମାର ରଥ, ଦେବଜିତ ନନ୍ଦୀ, ବିନନ୍ଦ ପ୍ରଧାନ ପ୍ରମୁଖ ରାଜ୍ୟପାଳ ପ୍ରଫେସର ଲାଲଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ।

ଗତକାଲି ସୁଦ୍ଧା ମେଳାରେ ୧୮ କୋଟି ଟଙ୍କାର ବ୍ୟବସାୟ ହୋଇଥିବାବେଳେ ପ୍ରାୟ ୨୦ ଲକ୍ଷ ଦର୍ଶକ ମେଳା ପରିଦର୍ଶନ କରିଥିଲେ। ଫେବୃଆରୀ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାରେ ପ୍ରାୟ ୫୬୦ଟି ଷ୍ଟଲରେ ବିଭିନ୍ନ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ ତଥା ବିକ୍ରୟ ହୋଇଥିଲା। ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମକୁ ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ।