Categories
ଆଞ୍ଚଳିକ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଯୋଗ ଦେଲେ ନୂଆ ଅଧ୍ୟକ୍ଷ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ର ନୂତନ ଅଧ୍ୟକ୍ଷ ଭାବେ ଆଜି ଦାଇତ୍ୱ ଗ୍ରହଣ କରିଛନ୍ତି ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ବିନାୟକ ହୋତା । ଶ୍ରୀ ହୋତା ଆଜି ମଧ୍ୟାହ୍ନରେ ଅସ୍ଥାୟୀ ଅଧ୍ୟକ୍ଷ ଡ଼ା. ଏସପିଏନଏସ ବର୍ମାଙ୍କ ନିକଟରୁ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ବିଜୟା ବନ୍ଦନା ରାଉତରାୟଙ୍କ ଉପସ୍ଥିତିରେ ନୂତନ ଦାଇତ୍ୱ ଭାର ଗ୍ରହଣ କରିଥିଲେ ।

ଏହାପରେ ନୂତନ ଅଧ୍ୟକ୍ଷ ମହାବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋଦାବରୀଶ ମିଶ୍ର, ଗଣେଶ ଏବଂ ସରସ୍ବତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଉକ୍ତ ସଭାଟି ମହାବିଦ୍ୟାଳୟ ନୂତନ ପାଠ୍ୟ ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ତେବେ ଗୋଦାବରୀଶ ମହାବିଦ୍ୟାଳୟ ଓଡିଶାର ଏକ ସୁନାମଧନ୍ୟ ମହାବିଦ୍ୟାଳୟ ହୋଇଥିବା ବେଳେ ବର୍ତ୍ତମାନ ଏହା ବିଭିନ୍ନ ସମସ୍ୟାମାନ ଦେଇ ଗତି କରୁଛି । ମହାବିଦ୍ୟାଳୟ କୁ ‘ନାକ’ ଗସ୍ତ, ସରକାରୀ ମାନ୍ୟତା ,ସ୍ୱୟଂଶାସିତ ମାନ୍ୟତା ,ଯୁକ୍ତ ୩ ବାଣିଜ୍ୟ ବିଭାଗ ଖୋଲିବା, ଯୁକ୍ତ ୩ ଶିକ୍ଷା ବିଭାଗ ଖୋଲିବା ଆଦି ଏକାଧିକ ଚ୍ୟାଲେଞ୍ଜ ଦୀର୍ଘବର୍ଷରୁ ଥିବା ବେଳେ ମହାବିଦ୍ୟାଳୟ ପ୍ରଶାସନର ଆନ୍ତରିକତା ଓ ଇଛାଶକ୍ତି ଅଭାବରୁ ଏଯାବତ ତାହା ପୂରଣ ହୋଇପାରୁନାହିଁ ।

ଅପରପକ୍ଷେ ଆସନ୍ତାବର୍ଷ ଗୋଦାବରୀଶ ମହାବିଦ୍ୟାଳୟର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ପାଳନ ମଧ୍ୟ ହେବ । ତେବେ ନୂତନ ଅଧ୍ୟକ୍ଷ ସ୍ଥାନୀୟ ବାସିନ୍ଦା ଏବଂ ଉକ୍ତ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ହୋଇଥିବାରୁ ମହାବିଦ୍ୟାଳୟର ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ନିଶ୍ଚିତ ସହାଭାଗିତାର ସହ କାର୍ଯ୍ୟ କରିବେ ବୋଲି ଅଞ୍ଚଳବାସି ଆଶା ପ୍ରକଟ କରିଛନ୍ତି ।