Categories
ଆଜିର ଖବର ରାଜ୍ୟ ଖବର

ଚୂଡାନ୍ତ ପର୍ଯ୍ୟାୟରେ ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି: ଆସିବେ ପ୍ରାୟ ୭ ହଜାର ପ୍ରବାସୀ

ଭୁବନେଶ୍ୱର: ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ ଜନତା ମଇଦାନଠାରେ  ମହାସମାରୋହରେ ଏହା ପାଳନ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏହାର ସମ୍ପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଭାରତୀୟ ସଂସ୍କୃତି ସାରା ବିଶ୍ୱରେ ନିଜର ସମୃଦ୍ଧ ଐତିହ୍ୟ ଓ ପରମ୍ପରା ପାଇଁ ପ୍ରସିଦ୍ଧ। ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର।

ଏହି ସମାରୋହରେ ଦେଶ ବିଦେଶରୁ ପ୍ରାୟ ୭ହଜାର ଅତିଥି ଯୋଗଦେବେ। ଅଦ୍ୟାବଧି ୨୭୪୮ ଜଣ ଅତିଥି ଅଂଶ ଗ୍ରହଣ ନିମନ୍ତେ ପଞ୍ଜିକରଣ କରି ସାରିଲେଣି।

ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁ ( Ms Christine Carla Kangaloo) ଯୋଗଦେବେ। ଏହି ଅବସରରେ ସେ ଚନ୍ଦକା ସ୍ଥିତ ଗୋଡିବାରି ସରକାରୀ ବିଦ୍ୟାଳୟର  ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ।

ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କର, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରଭୁତି ଏହି ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ର ଉଦଘାଟନ କରିବେ।

ଏହାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ହାଇ ସିକ୍ୟୁରିଟି ଫୋର୍ସ, ୨୫୦ ଟ୍ରାଫିକ ନିୟନ୍ତ୍ରଣକାରୀ ଏବଂ ୧୪୦ ଲିଆଜିନିଙ୍ଗ ଅଫିସରଙ୍କୁ ନିୟୋଜିତ କରାଯାଇଛି । ସେହିପରି ବିଦେଶରୁ ଆସୁଥିବା ଅତିଥି ମାନଙ୍କୁ ଏକ ସୁନ୍ଦର ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ ପାଇଁ ଟ୍ୱିନସିଟି ଭୁବନେଶ୍ୱର ଓ କଟକକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଓ ନିର୍ମଳ କରାଯାଇଛି । ସହରର ରାସ୍ତା ଘାଟ, ଅଫିସ୍ ବିଲଡିଙ୍ଗ, ବିଡିଏ ପାର୍କ ଓ ବରପୁତ୍ରଙ୍କ ପ୍ରତିମୂର୍ତ୍ତୀ ଗୁଡିକୁ ପରିଷ୍କାର ପରିଛନ୍ନ କରାଯାଇ ସୁସଜ୍ଜିତ ଆଲୋକ ମାଳାରେ ସଜାଇ ଦିଆଯାଉଛି। ପ୍ରବାସୀ ଭାରତୀୟ ଦିବସ ମହାସମାରୋହରେ ଆୟୋଜନ ବେଳେ ସହରର ବିଭିନ୍ନ ସ୍ଥାନରେ ପଥ ଉତ୍ସବ, ଏକାମ୍ର ଉତ୍ସବ, ଆଦିବାସୀ ମେଳା ପ୍ରଭୁତି ଦ୍ୱାରା ରାଜଧାନୀକୁ ଉତ୍ସବ ମୁଖର କରାଯିବ।
ଭୁବନେଶ୍ୱର ସହିତ ଏହାର ଆଖପାଖ ଅଞ୍ଚଳର ପରିମଳ ବ୍ୟବସ୍ଥା ଓ ସୌନ୍ଦର୍ଯ୍ୟକରଣ ଉପରେ ସ୍ୱତନ୍ତ୍ର ଧ୍ୟାନଦେବା ପାଇଁ ମୁଖ୍ୟମନ୍ତ୍ରୀ ବି.ଏମ୍.ସି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସହରର ସ୍ୱଚ୍ଛତା, ଶୃଙ୍ଖଳା ଓ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନିୟମାବଳୀର ଅନୁପାଳନ କରି ସମାରୋହର ସଫଳ ରୂପାୟନରେ ଭାଗିଦାରୀ ହେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସମାରୋହରେ ଓଡିଶାର ସମୃଦ୍ଧ କଳା ଓ ଐତିହ୍ୟର ପ୍ରଦର୍ଶନ ରାଜାରାଣୀ ସଙ୍ଗୀତ ଉତ୍ସବ, ଓଡିଶୀ ନୃତ୍ୟ, ମୁକ୍ତେଶ୍ୱର ଡ୍ୟାନ୍ସ ଫେଷ୍ଟିଭାଲ, ଦେଶଜ ନୃତ୍ୟ ଇତ୍ୟାଦି ମାଧ୍ୟମରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯିବ। ଏହାର ଦୂରଦର୍ଶନରେ ସିଧା ପ୍ରସାରଣ ମଧ୍ୟ କରାଯିବ। ଭୁବନେଶ୍ୱର, କଟକ, ପୁରୀ, କୋଣାର୍କ ଆଦି ବିଭିନ୍ନ ସହରର ପ୍ରାୟ ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ଅତିଥି ମାନଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ଓଡିଶାର ଏକ ପ୍ୟାଭିଲିୟନ ଜନତା ମଇଦାନରେ ରହିବ, ଯେଉଁଥିରେ ଶ୍ରୀ ଜଗନ୍ନାଥ ସଂସ୍କୃତି, କଳିଙ୍ଗ ଯୁଦ୍ଧ, ସମ୍ରାଟ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରଣ, ଐତିହ୍ୟ ବାଲିଯାତ୍ରା ଓ ଅନ୍ୟାନ୍ୟ କୀର୍ତ୍ତିରାଜୀ ଗୁଡିକର ପ୍ରଦର୍ଶନ କରାଯିବ। ଏହା ସହ ଏକ ଡିଜିଟାଲ୍ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି। ଅତିଥି ମାନଙ୍କ ଭ୍ରମଣ ତଥା ଯାତାୟାତ ନିମନ୍ତେ ୧୦ଟି ଉନ୍ନତ ମାନର ବସ ଏବଂ ୫ଟି ଡବଲ୍ ଡେକର ବସର ବ୍ୟବସ୍ଥା କରାଯାଇଛି। ୨୦୦ରୁ ଅଧିକ ପ୍ରବାସୀ ସାମ୍ବାଦିକ, ୭ଟି ଦେଶରୁ ୟଟ୍ୟୁବର ଓ ବ୍ଲଗର ଏଥିରେ ଅଂଶ ଗ୍ରହଣ କରୁଛନ୍ତି।

ଏହି ଉତ୍ସବର ପ୍ରଚାର ଓ ପ୍ରସାରଣ ନିମନ୍ତେ ସୋସିଆଲ ମିଡିଆ, ଟିଭି ଓ ବିଜ୍ଞାପନ ଇତ୍ୟାଦି ମାଧ୍ୟମରେ ଜନସାଧାରଣଙ୍କୁ ତିନିଗୋଟି ଭାଷା ଯଥା-ଓଡିଆ, ହିନ୍ଦୀ, ଇଂରାଜୀରେ ଅବଗତ କରାଯାଉଛି।

ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା, ଆଇନ, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ୍ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରବାସୀ ଭାରତୀୟ ଦିବସ ଆୟୋଜନ ନେଇ ଆରମ୍ଭ ହେଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ନିଷ୍ପତି

ଭୁବନେଶ୍ବର: ଆଗାମୀ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ  ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଚାଦଶ ପ୍ରବାସୀ ଭାରତୀୟ ଦିବସ ଆୟୋଜନର ପ୍ରସ୍ତୁତି ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି।

ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମକୁ  ଭଲ ଭାବରେ ଏବଂ ଆକର୍ଷଣୀୟ ଭାବରେ  ଅନୁଷ୍ଠିତ ହେବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ବୈଠକ ଓ ତଦନୁସାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ  ଅନୁଷ୍ଠିତ  ଏହି ବୈଠକରେ ବିଭିନ୍ନ ଉପ-କମିଟିରେ ସଦସ୍ୟ ଥିବା ସଂପୃକ୍ତ ବିଭାଗୀୟ  ସଚିବମାନେ ସେମାନଙ୍କର କାର୍ଯ୍ୟ ଅଗ୍ରଗତି ସଂପର୍କରେ ବୈଠକରେ ସୂଚନା ଦେବା ପୂର୍ବକ ପ୍ରସ୍ତୁତି ସଂପର୍କରେ  ସବିଶେଷ ଆଲୋଚନା କରାଯାଇଥିଲା ।

ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ଗତ ଡିସେମ୍ବର ୯ ତାରିଖରେ ଜନତା ମଇଦାନ ଠାରେ ଭୂମି ପୂଜନ କରାଯାଇଛି । କାର୍ଯ୍ୟକ୍ରମ ସ୍ଥଳରେ ଭି.ଭି.ଆଇ.ପି, ଅତିଥି,ପ୍ରବାସୀ ଭାରତୀୟ, ସ୍ଥାନୀୟ ଦର୍ଶକମାନଙ୍କ ବସିବା ବ୍ୟବସ୍ଥା, ଯାନବାହାନ ପାର୍କିଂ ସ୍ଥଳ, ପ୍ରବାସୀ ଭାରତୀୟଙ୍କ ଖାଦ୍ୟ ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି, ନକ୍ସା ଉପସ୍ଥାପନ ଓ ଅନୁମୋଦନ ମୁତାବକ କାର୍ଯ୍ୟ ଅଗ୍ରଗତି ଚାଲିଥିବା ସଂପର୍କରେ ଶିଳ୍ପ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା ।

ପ୍ରବାସୀ ଭାରତୀୟ ଦିବସରେ ବିଭିନ୍ନ ଦିବସରେ  ସାଂସ୍କୃତିକ କାର୍ଯ୍ୟକ୍ରମରେ କେଉଁମାନେ ଅଂଶ ଗ୍ରହଣ କରିବେ, ତାହା ଓଡ଼ିଆ ଭାଷା ଓ ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଚୂଡ଼ାନ୍ତ କରାଯାଇଛି । ଜାନୁଆରୀ ୭ରୁ ୧୧ ପର୍ଯ୍ୟନ୍ତ ରାଜାରାଣୀ ମ୍ୟୁଜିକ୍ ଫେଷ୍ଟିଭାଲ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ , ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଏବଂ ଏକାମ୍ର କାନନ ଠାରେ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ୮ ଜାନୁଆରୀରେ ସାଂସ୍କୃତିକ ଫ୍ୟୁଜନ ନୃତ୍ୟ ପରିବେଷଣ, ୫ ରୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ଆଦିବାସୀ ମେଳା, ୬ରୁ ୧୨  ଜାନୁଆରୀ ପର୍ଯ୍ୟନ୍ତ ଚିଲିକା ପକ୍ଷୀ ଉତ୍ସବ, ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଖାଦ୍ୟ ମେଳା, ପଥ ଉତ୍ସବ ଏବଂ ରାତ୍ରୀକାଳୀନ ବଜାର(ନାଇଟ୍ ଫ୍ଲି ମାର୍କେଟ୍) ଅନୁଷ୍ଠିତ ହେବା ନିମନ୍ତେ କାର୍ଯ୍ୟକ୍ରମ ସ୍ତିରୀକୃତ ହୋଇଛି।  ଏହି ଅବସରରେ ପ୍ରାଚୀନରୁ ଆଧୁନିକ ପର୍ଯ୍ୟନ୍ତ ଓଡ଼ିଶାର ଗୌରବ( ଗ୍ଲୋରିଅସ୍ ଓଡ଼ିଶା ପ୍ରମ୍ ଆନସିଏଣ୍ଟ ଟୁ ମଡର୍ଣ୍ଣ)  ଉପରେ ଆଧାରିତ ଓଡ଼ିଶା ଥିମ୍ ପାଲିଲିଅନ ଆୟୋଜିତ ହେବ। ଏହାର ରୂପରେଖ କିପରି ରହିବ, ସେଥିପାଇଁ  ପ୍ରସ୍ତୁତି  ଜାରି ରହିଛି।

ପ୍ରଥମ ଦିନ ଜାନୁଆରୀ ୮ ତାରିଖରେ  ଯୁବ ପ୍ରବାସୀ ଭାରତୀୟ ଦିବସ, ଜାନୁଆରୀ ୯ରେ  ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଏବଂ ଶେଷ ଦିନ ଜାନୁଆରୀ ୧୦ ତାରିଖରେ ଉଦଯାପନୀ ଦିବସ ସହିତ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମର ପ୍ରସାର ପ୍ରଚାର ପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ  ମିଡିଆ ପ୍ଲାନ ପ୍ରସ୍ତୁତି ପୂର୍ବକ ଆବଶ୍ୟକ  ପ୍ରସ୍ତାବ ଦିଆଯାଇଛି  ।

ସହରରେ ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଚିହ୍ନଟ ହୋଇଥିବା ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା, ନିରାପତ୍ତା ତଥା ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି ଜାରି ରହିଛି । ଅତିଥି, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନଙ୍କ ଏହି ସମ୍ମିଳନୀରେ ଯୋଗଦାନ କରିବାକୁ ଥିବା ପରିପ୍ରେକ୍ଷୀରେ ବିଭିନ୍ନ ହୋଟେଲରେ ରହଣି ପାଇଁ ପ୍ରକୋଷ୍ଠ ବୁକିଂ କରାଯାଇଛି  ଏବଂ ଯୋଗଦେବାକୁ ଥିବା  ପ୍ରବାସୀ ଭାରତୀୟମାନଙ୍କ ତରଫରୁ ପଞ୍ଜୀକରଣ ଜାରି ରହିଛି । ସମ୍ମିଳନୀରେ ଯେପରି ଅଧିକରୁ ଅଧିକ ପ୍ରବାସୀ ଭାରତୀୟ ଯୋଗଦେବେ, ସେ ସଂପର୍କରେ ବ୍ୟବସ୍ଥା ଗ୍ରହଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଦେଶରେ ପ୍ରବାସୀ ଓଡିଆ ଅନୁଷ୍ଠାନମାନଙ୍କୁ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଅଂଶ ଗ୍ରହଣ ପାଇଁ ଅବଗତ କରାଯାଇଛି ।

ପ୍ରବାସୀ ଭାରତୀୟମାନେ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ ପାଇଁ ଯିବାକୁ ଥିବାରୁ ବିଶେଷ କରି ଭୁବନେଶ୍ୱର, କଟକ ଓ ପୁରୀ ଆଦିରେ ଥିବା ୨୮ଟି ଦର୍ଶନୀୟ ସ୍ଥାନର ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ପ୍ରସ୍ତୁତି ଜାରି ରହିଛି । ଏଥି ସହିତ ପ୍ରବାସୀ ଭାରତୀୟମାନେ ରାଜ୍ୟର ଅନ୍ୟ କେତେକ ଦର୍ଶନୀୟ ସ୍ଥାନକୁ ଯିବାର ସମ୍ଭାବନା ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସେ ସମସ୍ତ ସ୍ଥାନର ସୌନ୍ଦର୍ଯ୍ୟକରଣ, ପରିଚ୍ଛନ୍ନତା ଆଦିକୁ ମଧ୍ୟ ଦୃଷ୍ଟି ଦିଆଯିବା ସଂପର୍କରେ ଆଲୋଚନା କରାଯାଇଥିଲା।

ପ୍ରବାସୀମାନଙ୍କ ଯାତାୟତ ପରିପ୍ରେକ୍ଷୀରେ ଭୁବନେଶ୍ୱର ବିମାନବନ୍ଦରରେ ଏଥିପାଇଁ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ  ଉପସ୍ଥାପନ କରାଯାଇଥିଲା । ଆୟୋଜନ ହେବାକୁ ଥିବା ପ୍ରଦର୍ଶନୀରେ ଓଡ଼ିଶା ପାଇଁ ଚିହ୍ନଟ କରାଯାଇଥିବା ୪୦ଟି ପ୍ରଦର୍ଶନୀ ଷ୍ଟଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଉଦ୍ଦିଷ୍ଟ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ ପାଇଁ  ପ୍ରସ୍ତୁତି ଜାରି ରହିଥିବା ସଂପର୍କରେ ଆଲୋଚନା କରାଯାଇଥିଲା । ପୂର୍ତ୍ତ ବିଭାଗ ତରଫରୁ  ରାଜ୍ୟ ସଂଗ୍ରହାଳୟ, ରବିନ୍ଦ୍ର ମଣ୍ଡପ, ଭଞ୍ଜ କଳା ମଣ୍ଡପ, ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର, ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି  ଏବଂ ଭୁବନେଶ୍ୱର,ପୁରୀ, କୋଣାର୍କ, ଚିଲିକାକୁ ସଂଲଗ୍ନ କରୁଥିବା ବିଭିନ୍ନ ରାସ୍ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଛି ।

ଅନୁଷ୍ଠିତ ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ  ଅନୁ ଗର୍ଗ, ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି ଖୁରାନିଆଙ୍କ ସମେତ ବିଭିନ୍ନ କମିଟିରେ ଥିବା ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବ, ବିଏମସି କମିଶନର ,  ଡିସିପି , ଭୁବନେଶ୍ୱର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଭାରତୀୟ ଦିବସକୁ ନେଇ ବ୍ୟାପକ ପ୍ରଚାରପ୍ରସାର ଲାଗି ସମନ୍ୱୟ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟରତ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବିଭିନ୍ନ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଆଜି ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିସରରେ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷ କରି ଆସନ୍ତା ମାସ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ସଞ୍ଚାର ରଣନୀତି ଏବଂ ପ୍ରଚାରପ୍ରସାର କାର୍ଯ୍ୟକ୍ରମ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ବୈଠକରେ ସହମତି ହୋଇଛି ।

ଏହି ବୈଠକରେ ଅଧ୍ୟକ୍ଷତା କରି ପିଆଇବି ଓ ସିବିସି ଏଡିଜି ଅଖିଳ କୁମାର ମିଶ୍ର କହିଛନ୍ତି, ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାରପ୍ରସାର ରଣନୀତି ପ୍ରସ୍ତୁତି ଲାଗି ଆଇଏମପିସିସିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସମିତିର ବୈଠକ ନିୟମିତ ଆୟୋଜନ କରାଯିବା ଦ୍ୱାରା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ପ୍ରଚାରପ୍ରସାର ଲାଗି ସମନ୍ୱୟ ରକ୍ଷା କରିବା ଅଧିକ ସୁଗମ ହୋଇପାରିବ। ଏହି ସମିତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସୂଚନା ସେବା ଓ ଲୋକସମ୍ପର୍କ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିଥାଏ। ଆଇଏମପିସିସି ବୈଠକ ପରସ୍ପରର ବିଚାର ବ୍ୟକ୍ତ କରିବା ଲାଗି ମଞ୍ଚ ଯୋଗାଇ ଥାଏ ବୋଲି ଶ୍ରୀ ମିଶ୍ର କହିଥିଲେ। ଆସନ୍ତା ୮-୧୦ ଜାନୁଆରୀ ୨୦୨୫ରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସକୁ ନେଇ ଆଲୋଚନା କରିବା ଲାଗି ଆଜିର ବୈଠକ ଡକାଯାଇଥିବା ସେ କହିଥିଲେ। ଏହି ସମାରୋହ ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏଡିଜି ଶ୍ରୀ ମିଶ୍ର କହିଥିଲେ, ଓଡ଼ିଶା ସରକାରଙ୍କ ସହଯୋଗରେ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଦେଶମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାରୀ ଗଣମାଧ୍ୟମ ସଂସ୍ଥାଗୁଡ଼ିକ କାର୍ଯ୍ୟକ୍ରମକୁ ନେଇ ବ୍ୟାପକ ପ୍ରଚାରପ୍ରସାର ପ୍ରତି ଯତ୍ନବାନ ହେବା ଲାଗି ସେ ପରାମର୍ଶ ଦେଇଛନ୍ତି। ଶ୍ରୀ ମିଶ୍ର କହିଥିଲେ, ପ୍ରବାସୀ ଭାରତୀୟ ଦିବସକୁ ନେଇ ସେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରବାସୀ ଭାରତୀୟ ଦିବସ ସମାରୋହ ଆମ ସମସ୍ତଙ୍କ ପାଇଁ ଏକ ଭାବନାତ୍ମକ କାର୍ଯ୍ୟକ୍ରମ। ଏହାକୁ ସଫଳ କରିବା ସମସ୍ତଙ୍କର ଦାୟିତ୍ୱ। ଏ ସମ୍ପର୍କରେ ଅଧିକରୁ ଅଧିକ ପ୍ରଚାରପ୍ରସାର କରିବା ଲାଗି ଗଣମାଧ୍ୟମ ପରିଚାଳନା କିଭଳି ସଫଳ ହୋଇପାରିବ ସେଥିପାଇଁ ଆପୋସ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦେବପ୍ରସାଦ ଦାଶ କହିଥିଲେ, ଭୁବନେଶ୍ୱର ଜନତା ମୈଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହର ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜନ ଲାଗି ଜୋରସୋରରେ ପ୍ରସ୍ତୁତି ଚାଲିଛି। ଓଡ଼ିଶା ସରକାର ଏବଂ ବିଦେଶ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ରକ୍ଷା କରି ସମାରୋହକୁ ସଫଳ କରିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିରେ ୭ହଜାରରୁ ଅଧିକ ପ୍ରବାସୀ ଭାରତୀୟ ଯୋଗଦେବେ । ସେମାନଙ୍କ ରହିବା, ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ବୁଲିବା, ଏବଂ ସୁରକ୍ଷା ପାଇଁ ବ୍ୟାପକ ଆନୁସଙ୍ଗିକ ବନ୍ଦୋବସ୍ତ କରାଯାଇଛି । ଭୁବନେଶ୍ୱର, କଟକ, ପୁରୀ ସହରରେ ଥିବା ଅତିଥି ଭବନ ଓ ଘରୋଇ ହୋଟେଲରେ ଅତିଥିଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ସହଯୋଗୀ ବିଭାଗ ରୂପେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ସମାରୋହ ପାଇଁ ଆବଶ୍ୟକ ପ୍ରସ୍ତୁତି ମଧ୍ୟ କରିଛି । ପ୍ରବାସୀ ଭାରତୀୟ ଦିବସ ସହ ସମାନ୍ତରାଳ ଭାବେ ରାଜଧାନୀରେ ଆଦିବାସୀ ମେଳା, ମୁକ୍ତେଶ୍ୱର ନୃତ୍ୟୋତ୍ସବ ଓ ରାଜାରାଣୀ ସଙ୍ଗୀତ ଉତ୍ସବ ଆୟୋଜନ କରାଯିବ ଯାହା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବ । ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସମନ୍ୱୟ ରକ୍ଷା ଉପରେ ମଧ୍ୟ ଶ୍ରୀ ଦାଶ ଗୁରୁତ୍ୱାରୋପ କରିଛନ୍ତି ।

ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ କେ ପ୍ରଧାନ ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ରଣନୀତିକ ପ୍ରଚାରପ୍ରସାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ୟାପକ ସଚେତନତା ଏବଂ ସଂପୃକ୍ତି ପାଇଁ ସୂଚନାର ପ୍ରଭାବଶାଳୀ ପ୍ରସାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଥିଲେ ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ନିର୍ଦ୍ଦେଶକ ଡକ୍ଟର ଗିରିଶ ଦାଶ ବୈଠକରେ ଉଦଯାପନୀ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପିଆଇବିର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଆଞ୍ଚଳିକ ସମାଚାର ବିଭାଗ ମୁଖ୍ୟ ଡକ୍ଟର ଅଭିଷେକ ମିଶ୍ରା, ଆକାଶବାଣୀର ଉପନିର୍ଦ୍ଦେଶକ ପ୍ରକାଶ ଦାଶ, ପାସପୋର୍ଟ କାର୍ଯ୍ୟାଳୟ ଅଧିକାରୀ ପ୍ରେମ୍‌ ସିଂ, ଏମପିଇଡିଏର ଅତିରିକ୍ତ ନିର୍ଦ୍ଦେଶକ ଅନୀଷା ଟି.ଏ, ବିଏସଏନଏଲର ଅତିରକ୍ତ ନିର୍ଦ୍ଦେଶକ (ଲୋକ ସମ୍ପର୍କ) ଭାଗ୍ୟ ରଞ୍ଜନ ଜେନା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଭୁବନେଶ୍ୱର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜୟନ୍ତ କୁମାର ପାତ୍ର, ଭୁବନେଶ୍ୱର ଏଏସଆଇ ଅଧିକାରୀ ପଙ୍କଜ କୁମାର ଦାସ, ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରାଧ୍ୟାପକ ଓ ମୁଖ୍ୟ ଡକ୍ଟର ଲକ୍ଷ୍ମୀଧର ବେହେରା, ଆଶିଷ କୁମାର, ଦେବେନ୍ଦ୍ର ନାଥ ଷଡ଼ଙ୍ଗୀ, କେଭିଆଇସି ରାଜ୍ୟ ନିର୍ଦ୍ଦେଶକ ସୁବାସ ଛେତ୍ରୀ, କଟକ ଏମଏସଏମଇର ଡିଓର ଜଗଦୀଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅଧିବେଶନରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଥିଲା, ଯେଉଁଥିରେ ସମ୍ମାନଜନକ ପ୍ରବାସୀ ଭାରତୀୟ ଦିବସ ୨୦୨୫କୁ ବ୍ୟାପକ ସ୍ତରରେ ପ୍ରସାରିତ କରିବା ପାଇଁ ବୁଝାମଣା ଓ ରଣନୀତି ଆଦାନପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଭାରତୀୟ ଦିବସ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତୁତି ସମୀକ୍ଷା: ପୁରୀ ଉପରେ ସ୍ୱତନ୍ତ୍ର ଧ୍ୟାନ

ପୁରୀ: ଆଗାମୀ ଜାନୁଆରୀ ୮ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଆୟୋଜନ ହେବାକୁ ଯାଉଅଛି ପ୍ରବାସୀ ଭାରତୀୟ ଦିବସ। ଭୁବନେଶ୍ୱରରେ ଆୟୋଜିତ ହେଉଥିବା ସତ୍ତ୍ୱେ ସଂଖ୍ୟାଧିକ ପ୍ରବାସୀ ଭାରତୀୟଙ୍କ ପାଇଁ ପୁରୀ ଆକର୍ଷଣର କେନ୍ଦ୍ର ହେବାକୁ ଯାଉଅଛି। ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ସେମାନଙ୍କ ସ୍ବାଗତ ସହ ଏକ ସୁଖଦ ଅନୁଭୂତି ପ୍ରଦାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଅଛି। ଏନେଇ ଆଜି ପୂର୍ବାହ୍ନରେ ପୁରୀ ସର୍କିଟ ହାଉସ ଠାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି।

ଆସୁଥିବା ସମସ୍ତ ପ୍ରବାସୀ ଭାରତୀୟ ଅତିଥି ମାନଙ୍କୁ ଓଡ଼ିଆ ପରମ୍ପରା ଅନୁସାରେ ସ୍ବାଗତ ସହ ସେମାନଙ୍କୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ପରିଭ୍ରମଣର ବ୍ୟବସ୍ଥା କରାଯାଇ ଥିବା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ କୋଣାର୍କ ସୂର୍ଯ୍ୟ ମନ୍ଦିର, ରାମଚଣ୍ଡୀ, ଚନ୍ଦ୍ରଭାଗା, ରଘୁରାଜପୁର ଓ ସାତପଡ଼ା ପ୍ରଭୃତି ଅଞ୍ଚଳ ପରିଦର୍ଶନ ନେଇ ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି। ସେମାନଙ୍କ ଭ୍ରମଣ ସମୟରେ ଶୃଙ୍ଖଳା ରକ୍ଷା, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ସ୍ବଛତା ଇତ୍ୟାଦି ବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆବଶ୍ୟକୀୟ ରାସ୍ତା ମରାମତି ସହ ରଙ୍ଗ ଦେଇ ସୌନ୍ଦର୍ଯ୍ୟ ବୃଦ୍ଧି କରିବା, ସହର, ସମୁଦ୍ର କୂଳ ଇତ୍ୟାଦିକୁ ସୌନ୍ଦର୍ଯ୍ୟ କରଣ କରିବା ନେଇ କାର୍ଯ୍ୟ ପାଇଁ ନିର୍ଦେଶ ଦେଇଛନ୍ତି।

ପ୍ରବାସୀ ଭାରତୀୟଙ୍କ ସହଯୋଗ ପାଇଁ ଓଟିଡିସି ପକ୍ଷରୁ ସହାୟତା କେନ୍ଦ୍ର ସହ ନିୟନ୍ତ୍ରଣ କକ୍ଷ ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବା ସହ ପୁରୀ ବେଳାଭୂମିରେ ସ୍ୱତନ୍ତ୍ର ବିଚ ଫେଷ୍ଟିଭାଲ ଆୟୋଜନ କରାଯାଉଛି। ଏଥି ସହ ପଲ୍ଲିଶ୍ରୀ ମେଳା,ଫୁଡ ଫେଷ୍ଟିଭାଲକୁ ମଧ୍ୟ ସାମିଲ କରାଯାଇଥିବା ବେଳେ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ କରାଯିବା ନେଇ ବୈଠକରେ ସମୀକ୍ଷା କରାଯାଇଥିଲା। ବୈଠକରେ ଅନ୍ୟ ମାନଙ୍କ ମଧ୍ୟ ଜିଲ୍ଲାର ସମସ୍ତ ବିଧାୟକଙ୍କ ସମେତ ଜିଲ୍ଲାପାଳ,ଏସ୍ପି ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜାନୁଆରୀ ୮ ରୁ ଓଡିଶାରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ଵର: ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ଆସୁଥିବା ପ୍ରବାସୀ ଭାରତୀୟ ମାନେ ପୁରୀରେ ରହିବାର ଅଛି। ତେବେ ଆତିଥେୟତା ନେଇ ପୁରୀ ପ୍ରଶାସନ ତରଫରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥିବା ବେଳେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗକୁ ନେଇ ଏକ ବୈଠକ ହୋଇଥିଲା।

ପୁରୀରେ ଅତିଥି ମାନେ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ରଘୁରାଜପୁର, ସାତପଡା ଇକୋରିଟ୍ରିଟ ଆଦି ଅଂଚଳ ବୁଲିବା ପାଇଁ ପ୍ରସ୍ତୁତି ରହିଅଛି। ସେହିପରି ପୁରୀରେ ମଧ୍ୟ ପଲ୍ଲୀଶ୍ରୀ ମେଳା ଭଳି ଇଭେଣ୍ଟ ଆୟୋଜନ କରିବା ନେଇ ଯୋଜନା ରହିଅଛି। ପ୍ରତିନିଧିଙ୍କ ପାଇଁ ୫୧ ଟି ଭିନ୍ନ ଭିନ୍ନ ହୋଟେଲରେ ସ୍ଲଟ ବୁକିଁ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୫୦୦ ରୁ ଉର୍ଦ୍ଧ୍ଵ ସ୍ଲଟ ଖୋଲା ରଖାଯାଇଥିବା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସଫଳ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ପ୍ରସ୍ତୁତି ସମୀକ୍ଷା କରିଥିଲେ। ସମୀକ୍ଷାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେଉଛି। ବିଶ୍ବ ଦରବାରରେ ଓଡିଶାକୁ ପ୍ରତିଷ୍ଠିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମ ଉପରେ ଅତ୍ୟନ୍ତ ଗୁରୁତ୍ବ ଆରୋପ କରୁଛନ୍ତି। ତେଣୁ ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ତ୍ରୁଟିଶୂନ୍ୟ ଭାବେ ଆୟୋଜିତ କରି ସମଗ୍ର ବିଶ୍ବ ଦରବାରରେ ଓଡିଶାର ଭାବମୂର୍ତ୍ତୀକୁ ଉଜ୍ଜଳ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ବିଶେଷକରି ସହରର ସ୍ବଚ୍ଛତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଭୁବନେଶ୍ବରର ସ୍ବଚ୍ଛତା ଅନ୍ତର୍ଜାତୀୟ ସ୍ତରର ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏଥିପାଇଁ ଭୁବନେଶ୍ବରରେ ସ୍ବତନ୍ତ୍ର ସ୍ବଚ୍ଛତା ଅଭିଯାନ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହା ସହିତ ଏହି ଉତ୍ସବ ସହିତ ସ୍ଥାନୀୟ ଲୋକଙ୍କୁ ସଂଶ୍ଲିଷ୍ଟ କରିବା ପାଇଁ ମଧ୍ୟ ସେ କହିଥିଲେ।

ସମୀକ୍ଷାରୁ ଜଣାଯାଇଛି ଯେ ପ୍ରଥମ ଦିନ ଜାନୁଆରୀ ୮ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଦ୍ବିତୀୟ ଦିନ ଜାନୁଆରୀ ୯ ତାରିଖରେ ପ୍ରଧାନମନ୍ତ୍ରୀ ଓ ଶେଷ ଦିନ ଜାନୁଆରୀ ୧୦ ତାରିଖରେ ରାଷ୍ଟ୍ରପତି ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

କାର୍ଯ୍ୟକ୍ରମରେ ‘Unraveling India’s Best Kept Secret’ ଏବଂ ‘Odisha – the Land of Opportunities’ ଆଦି ବିଷୟ ଉପରେ Plenary Session ଅନୁଷ୍ଠିତ ହେବ। ଏହା ସହିତ ଓଡିଶାର ଐତିହାସିକ ଗୌରବ, କଳା, ଭାସ୍କର୍ଯ୍ୟ, ସଂଗୀତ, ନୃତ୍ୟ, ଆଦିବାସୀ ସଂସ୍କୃତି, ଭାଷା, ସାହିତ୍ୟ, ପର୍ଯ୍ୟଟନ ସ୍ଥାନ ଆଦି ବିଭିନ୍ନ ବିଷୟ ଉପରେ ଡିଜିଟାଲ ଓ ଅନ୍ୟାନ୍ୟ ମାଧ୍ୟମରେ ଉପସ୍ଥାପନ କରାଯିବ। ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଓଡିଶାର ଭିଜନକୁ ମଧ୍ୟ ପ୍ରଦର୍ଶନ କରାଯିବ।

ଏହି ସମୟରେ ଭୁବନେଶ୍ବରରେ ପ୍ରାୟ ୧୦ଟି ମହୋତ୍ସବ ଆୟୋଜିତ ହେବ। ଏହିସବୁ ଉତ୍ସବ ଗୁଡିକ ହେଉଛି – ରାଜାରାଣୀ ମ୍ୟୁଜିକ ଫେଷ୍ଟିଭାଲ ( ଜାନୁଆରୀ ୭-୧୧), ମୁକ୍ତେଶ୍ବର ଡ୍ୟାନ୍‌ସ ଫେଷ୍ଟିଭାଲ (ଜାନୁଆରୀ ୭-୧୧), ଇଣ୍ଟରନ୍ୟାସନାଲ ଓଡିଶୀ ଡ୍ୟାନ୍‌ସ ଫେଷ୍ଟିଭାଲ (ଜାନୁଆରୀ ୭-୧୧), ଆଦିବାସୀ ନୃତ୍ୟ ଓ ଲୋକକଳା ଫେଷ୍ଟିଭାଲ (ଜାନୁଆରୀ ୭-୧୧), ଆଦିବାସୀ ମେଳା (ଜାନୁଆରୀ ୫-୧୫), ଚିଲିକା ବାର୍ଡ ଫେଷ୍ଟିଭାଲ (ଜାନୁଆରୀ ୬-୧୨), ଫ୍ଲାୱାର ସୋ (ଜାନୁଆରୀ ୭-୧୧), ଫୁଡ୍‌ ଫେଷ୍ଟ (ଜାନୁଆରୀ ୮-୧୦) ଓ ନାଇଟ୍‌ ଫ୍ଲି ମାର୍କେଟ (ଜାନୁଆରୀ ୮-୧୦)।

ଏହି କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ବରର ସମସ୍ତ ରାସ୍ତାଘାଟର ନବୀକରଣ, ଆଲୋକୀକରଣ, ଆକର୍ଷଣୀୟ ସାଜସଜ୍ଜା ସହିତ ଅତିଥି ମାନଙ୍କ ପାଇଁ ହୋଟେଲ ବୁକିଂ ଆଦି ଜାରି ରହିଛି । ପର୍ଯ୍ୟଟନ ସ୍ଥାନ ଗୁଡିକର ସୌନ୍ଦର୍ଯ୍ୟକରଣ କରାଯାଉଛି। ଭୁବନେଶ୍ବର, ପୁରୀ, କୋଣାର୍କ, ଯାଜପୁର ଆଦି ବିଭିନ୍ନ ସହରରେ ୨୮ଟି ପର୍ଯ୍ୟଟନ ସ୍ଥଳୀକୁ ଅତିଥି ମାନଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରାୟ ୭୫୦୦ ଡେଲିଗେଟ୍‌ ଯୋଗ ଦେବାର ସମ୍ଭାବନା ରହିଛି। ଅତିଥି ମାନଙ୍କ ପାଇଁ ୩୭୦୦ରୁ ଅଧିକ ରୁମ୍‌ ବୁକିଂ କରାଯାଇଥିବା ବେଳେ, କେତେକ ସ୍ଥାନରେ ହୋମ୍‌ ଷ୍ଟେ ର ବ୍ୟବସ୍ଥା ମଧ୍ୟ କରାଯାଇଛି।

କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଗଠିତ ହେଇଥିବା ବିଭିନ୍ନ କମିଟି ନିୟମିତ ବୈଠକ କରି ପ୍ରସ୍ତୁତିକୁ ତ୍ବରାନ୍ବିତ କରୁଛନ୍ତି।

ଏହି ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା, ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଷ୍ଚାଦଶ ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଭୁବନେଶ୍ଵର: ଆଗାମୀ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଅଷ୍ଚାଦଶ ପ୍ରବାସୀ ଭାରତୀୟ ଦିବସ। ଏହି ଦିବସକୁ ଶୃଙ୍ଖଳିତ ତଥା ସୁଚାରୁରୂପେ ଆୟୋଜନ ପ୍ରସ୍ତୁତି ସଂପର୍କରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୋଲିସ ବିଭାଗର ପ୍ରସ୍ତୁତି ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା।

ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ଅତିଥି, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନଙ୍କ  ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଯୋଗ ଦେବେ। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରିବାକୁ ଡିଜିପି ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଭିଭିଆଇପିଙ୍କ ନିମନ୍ତେ ସୁରକ୍ଷା ବ୍ୟବସ୍ଥା, ଜନତା ମଇଦାନ ଠାରେ କାର୍ଯ୍ୟକ୍ରମ ସ୍ଥଳରେ ଭି.ଭି.ଆଇ.ପି, ଅତିଥି,ପ୍ରବାସୀ ଭାରତୀୟ, ସ୍ଥାନୀୟ ଦର୍ଶକମାନଙ୍କ ବସିବା ବ୍ୟବସ୍ଥା, ଯାନବାହାନ ପାର୍କିଂ ସ୍ଥଳ, ଉତ୍ସବ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ  ବିସ୍ତୃତ ଭାବେ ସମୀକ୍ଷା କରିଥିଲେ।

ଏହି ପରିପ୍ରେକ୍ଷୀରେ ବିଭିନ୍ନ ହୋଟେଲରେ ଅତିଥିଙ୍କ ସୁରକ୍ଷିତ ରହଣି ପାଇଁ ସମସ୍ତ ପଦକ୍ଷେପ ନେବାକୁ ଡିଜିପି ନିର୍ଦେଶ ଦେଇଛନ୍ତି। ଏହା ସହ ପ୍ରବାସୀ ଭାରତୀୟ ମାନେ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ ପାଇଁ ଯିବାକୁ ଥିବାରୁ ଭୁବନେଶ୍ୱର, କଟକ ଓ ପୁରୀ ଆଦିରେ ସୁରକ୍ଷା ବ୍ୟବସ୍ଥା ବଢାଇବା ସଂକ୍ରାନ୍ତରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।

ଏହା ସହ ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଥିବା ହୋଟେଲ ଗୁଡିକର କଡାକଡ଼ି ଯାଞ୍ଚ କରିବାକୁ ମଧ୍ୟ ଡିଜିପି ନିର୍ଦେଶ ଦେଇଛନ୍ତି। ନିୟମିତ ବ୍ୟବଧାନରେ ହୋଟେଲ ଗୁଡିକର ଯାଞ୍ଚ, ଅତିଥିଙ୍କ ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ସମସ୍ତ ତଥ୍ୟ ପୋଲିସ ନିକଟରେ ରହିବା ଆବଶ୍ୟକ ଏବଂ ଏହାର ସଠିକ ତଦାରଖ କରିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

ଏହା ସହ ସହରଗୁଡିକରେ ସିସିଟିଭି ବ୍ୟବସ୍ଥାର ସୁପରିଚାଳନା, ଟ୍ରାଫିକ ବନ୍ଦୋବସ୍ତକୁ ଶୃଙ୍ଖଳିତ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ଉକ୍ତ ବୈଠକରେ (ଗୁଇନ୍ଦା) ନିର୍ଦ୍ଦେଶକ, ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ), ଏସ. କେ. ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୋଲିସ କମିଶନର (କଟକ-ଭୁବନେଶ୍ବର), ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଅତିରିକ୍ତ ପୋଲିସ କମିଶନର (କଟକ-ଭୁବନେଶ୍ବର), ଡ଼. ଉମାଶଙ୍କର ଦାଶ, ଡି. ଆଇ. ଜି (କେନ୍ଦ୍ରାଞ୍ଚଳ) ଚରଣ ସିଂ ମିନା,   ଡିସିପି (ଭୁବନେଶ୍ବର), ପିନାକ ମିଶ୍ର, ଏସ.ପି, (ରାଜ୍ୟ ମୁଖ୍ୟାଳୟ), ବାତୁଳା  ଗଙ୍ଗାଧର, ଡିସିପି (କଟକ), ଜଗମୋହନ ମିନା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ

ନୂଆଦିଲ୍ଲୀ/ଭୁବନେଶ୍ଵର: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ମିଳିତ ଭାବେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ୱେବସାଇଟ୍ (pbdindia.gov.in)କୁ ଉନ୍ମୋଚନ କରିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପ୍ରବାସୀ ଭାରତୀୟ ଦିବସ (ପିବିଡି) ସମ୍ମିଳନୀ ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ। ବିଦେଶରେ ରହୁଥିବା ଭାରତୀୟ ପ୍ରବାସୀଙ୍କ ସହ ଯୋଗାଯୋଗ ଏବଂ ସମ୍ପର୍କ ସ୍ଥାପନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ। ଓଡ଼ିଶା ସରକାରଙ୍କ ସହଯୋଗରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆସନ୍ତା ୨୦୨୫ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ।

୨୦୨୫ ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ବିଷୟବସ୍ତୁ ହେଉଛି ‘‘ଏକ ବିକଶିତ ଭାରତରେ ପ୍ରବାସୀଙ୍କ ଅବଦାନ’’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ମିଳିତ ସହଯୋଗରେ ପ୍ରବାସୀ ଭାରତୀୟ ଦିବସର ଏକ ଯୁବ ସଂସ୍କରଣ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିବା ସହ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବେ।

ୱେବସାଇଟର ଉନ୍ମୋଚନ ସହ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ୱେବସାଇଟ ଓଡ଼ିଶାରେ ରହିବା ପାଇଁ ରିଜର୍ଭେସନ ସୁବିଧା ପ୍ରଦାନ କରିବ ଏବଂ ପ୍ରବାସୀ ଭାରତୀୟ ଦିବସ ୨୦୨୫ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବ।

ୱେବସାଇଟକୁ ଉନ୍ମୋଚନ କରିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ଭାରତ ସରକାର ୩୫ ନିୟୁତରୁ ଅଧିକ ପ୍ରଭାବଶାଳୀ ଭାରତୀୟ ପ୍ରବାସୀଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। ବିଦେଶ ଗସ୍ତ ସମୟରେ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ନିୟମିତ ବାର୍ତ୍ତାଳାପ କରିଛନ୍ତି। ଭାରତର ବିକାଶ ଧାରା ପ୍ରତି ପ୍ରବାସୀଙ୍କ ଅତୁଟ ସମର୍ଥନ ଭାରତ ଏବଂ ଏହାର ବିଶ୍ୱ ସମୁଦାୟ ମଧ୍ୟରେ ଥିବା ଦୃଢ଼ ସମ୍ପର୍କର ପ୍ରମାଣ। ଭାରତୀୟ ପ୍ରବାସୀ ମାନେ ଏକ ବିକଶିତ ଭାରତ ଅଭିମୁଖେ ଭାରତର ଅଗ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଓଡ଼ିଶା ଗସ୍ତରେ ଆସୁଥିବା ପ୍ରବାସୀ ଭାରତୀୟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ପ୍ରବାସୀମାନେ ଓଡ଼ିଶାର ସମୃଦ୍ଧ ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ, ଯୋଗ ଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସହ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ୨୦୨୫ ମସିହା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଓଡ଼ିଶାରେ ଅନୁଷ୍ଠିତ ହେବ ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଏହି ସମାରୋହ ଆୟୋଜନ ପାଇଁ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

ଏହି ସମାରୋହର ପ୍ରସ୍ତୁତି ସଂପର୍କରେ ଗତ ଗୁରୁବାର ଅପରାହ୍ଣରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସମୀକ୍ଷା କରିଛନ୍ତି।ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ପ୍ରବାସୀ ଭାରତୀୟ ଦିବସ ପାଳନ ଆୟୋଜନ,ଭାରତ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ। ଭାରତର ବିକାଶରେ ପ୍ରବାସୀ ଭାରତୀୟମାନଙ୍କର ଅବଦାନକୁ ସ୍ୱୀକୃତି ଦେବା ଏହାର ଉଦ୍ଦେଶ୍ୟ। ୧୯୧୫ ମସିହା ଜାନୁଆରୀ ୯ ତାରିଖରେ  ଜାତିର ଜନକ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିବା ସ୍ମୃତିରେ ପ୍ରବାସୀ ଭାରତୀୟ ଦିବସ ପ୍ରତି ବର୍ଷ ପାଳନ କରାଯାଇଥାଏ।

୨୦୦୩ରୁ ଏହା ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସିଥିବା ବେଳେ ୨୦୧୫ ପରଠାରୁ ଏହା ପ୍ରତି ୨ ବର୍ଷରେ ଥରେ ଅନୁଷ୍ଠିତ ହେଉଛି ଏବଂ ଅଦ୍ୟାବଧି ୧୭ ଥର ଏହା ବିଭିନ୍ନ ସ୍ଥାନରେ  ଅନୁଷ୍ଠିତ ହୋଇସାରିଛି। ୨୦୨୩ ରେ ଏହା ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଅନୁଷ୍ଠିତ ହୋଇଥିବା ବେଳେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି।

ଭାରତ ପ୍ରତି ପ୍ରବାସୀ ଭାରତୀୟଙ୍କ ଚିନ୍ତାଧାରା, ସେମାନଙ୍କର ଭାବନାକୁ ଦେଶବାସୀଙ୍କ ନିକଟରେ ପ୍ରକାଶ କରିବା ସହିତ ସକରାତ୍ମକ କଥାବାର୍ତ୍ତା ପାଇଁ ଏକ ମଞ୍ଚ ଯୋଗାଇବା, ନିଜ ନିଜ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଥିବା ପ୍ରବାସୀ ଭାରତୀୟମାନଙ୍କୁ ସମ୍ମାନିତ କରିବା, ସେମାନଙ୍କଠାରୁ ଦେଶବାସୀଙ୍କ ଆଶା ବିଷୟରେ ଜଣାଇବା, ଭାରତର ଯୁବପିଢୀକୁ ପ୍ରବାସୀ ଭାରତୀୟମାନଙ୍କ ସହିତ ସଂଯୋଗ କରିବା ଆଦି ପ୍ରସଙ୍ଗରେ ଏହି ସମ୍ମିଳନୀ ଗୁରୁତ୍ୱ ବହନ କରେ।

ଏହି ବୃହତ୍ କାର୍ଯ୍ୟକ୍ରମ ଆୟୋଜନ ହେବା ନେଇ ଆବଶ୍ୟକ ସମନ୍ଵୟ ଏବଂ ପ୍ରାରମ୍ଭିକ ପ୍ରସ୍ତୁତି ନିମନ୍ତେ ଆଲୋଚନା ପାଇଁ ଭାରତ ସରକାରଙ୍କ  ବିଦେଶ ମନ୍ତ୍ରାଳୟର ୫ ଜଣିଆ ଅଧିକାରୀ ପ୍ରତିନିଧି ଦଳ ଗତ ସେପ୍ଟେମ୍ବର ୨୫ ରୁ ୨୭ ତାରିଖ ଓଡ଼ିଶା ଆସି ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ସଂପୃକ୍ତ ବିଭାଗର ସଚିବମାନଙ୍କ ସହ ଆଲୋଚନା କରିବା ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କ୍ଷେତ୍ର ପରିଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମ ଉଭୟ ଭାରତ ସରକାର ଓ ଓଡ଼ିଶା ରାଜ୍ୟ ସରକାରଙ୍କ ସହଯୋଗରେ ଅନୁଷ୍ଠିତ ହେବ। ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଏକ ବୃହତ୍ ସମ୍ମିଳନୀ ହେବ, ଯେଉଁଥ‌ିରେ ପାଖାପାଖ୍ ୫୦୦୦ ଅଂଶଗ୍ରହଣକାରୀ ଭାଗନେବେ। କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ରାଷ୍ଟ୍ରପତି,  ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ, ସମେତ ଦେଶ ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟ ଯୋଗଦାନର କରିବାର କାର୍ଯ୍ୟକ୍ରମ ରହିଛି।

ଏହି ସମ୍ମିଳନୀର ପ୍ରଥମ ଦିବସରେ ‘ଯୁବ ପ୍ରବାସୀ ଭାରତୀୟ ଦିବସ’, ୨ୟ ଦିବସରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ  ସମାରୋହ ଓ ୩ୟ ଦିନରେ  ଉଦ୍ ଯାପନୀ ସମାରୋହ ଅନୁଷ୍ଠିତ ହେବ। ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ଯୋଗଦେଇ ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସ୍ ର  ଡିଜିଟାଲ ଫ୍ଲାଗଅପ କରିବା କାର୍ଯ୍ୟକ୍ରମ ରହିଛି।

ସମସ୍ତ ଦିବସରେ ପୂର୍ଣ୍ଣ ଅଧିବେଶନ(ପ୍ଲିନାରି ସେସନ) ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ ଏବଂ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରବାସୀ  ଭାରତୀୟ, ଅତିଥି ଓ ଅନ୍ୟ ଅଧିକାରୀମାନଙ୍କୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ, ଐତିହ୍ୟ ସ୍ଥଳ, ଦର୍ଶନୀୟ ସ୍ଥାନ ଓ ସଂଗ୍ରହାଳୟ ଆଦି ପରିଦର୍ଶନ ପାଇଁ ପ୍ରସ୍ତାବ ଦିଆଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ବୈଠକରେ ପ୍ରକାଶ କରିଥିଲେ।

ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟର ପରାମର୍ଶ ଅନୁସାରେ ଏହି ସମାରୋହକୁ ସୁଚାରୁ ରୂପେ ଅନୁଷ୍ଠିତ କରିବା ପାଇଁ ଏକ ପରିଚାଳନା କମିଟି (ଷ୍ଟିଅରିଂ କମିଟି)ଏବଂ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଛି। ପରିଚାଳନା କମିଟିରେ ଭାରତ ସରକାରଙ୍କ ବାଣିଜ୍ୟିକ, ପାସପୋଟ ଏବଂ ଭିସା ଡିଭିଜନ ତଥା ଆନ୍ତର୍ଜାତିକ ବ୍ୟାପାର ସଚିବ ଅଧ୍ୟକ୍ଷ ଥାଇ ସଂପୃକ୍ତ ବିଭିନ୍ନ ମନ୍ତ୍ରାଳୟର ୭ ଜଣ ସଚିବଙ୍କ  ସମେତ ଓଡ଼ିଶାରୁ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଦସ୍ୟ ରହିଛନ୍ତି।

କାର୍ଯ୍ୟନିର୍ବାହୀ କମିଟିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ ବିଭାଗ), ଓଡ଼ିଶା ଅଧ୍ୟକ୍ଷ ଥିବା ବେଳେ ଓଡ଼ିଶାରୁ ସଂପୃକ୍ତ  ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବିଭିନ୍ନ କାର୍ଯ୍ୟ ପାଇଁ  ଏବଂ ଉପ କମିଟିମାନ ଗଠନ କରାଯାଇଛି। ସମସ୍ତ କମିଟିରେ ଓଡିଶା ସମେତ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିଛନ୍ତି।

ବିଭିନ୍ନ ଉପ କମିଟି ମଧ୍ୟରେ ପ୍ରବାସୀ ଭାରତୀୟ ଏବଂ ଅତିଥିମାନଙ୍କ ରହଣି, କାର୍ଯ୍ୟକ୍ରମ  ସ୍ଥଳର ପ୍ରସ୍ତୁତି ଓ ପରିଚାଳନା, ସହର ପରିଚ୍ଛନ୍ନତା ଓ ସୌନ୍ଦର୍ଯ୍ୟକରଣ,ପରିବହନ,ସାଂସ୍କୃତିକ କାର୍ଯ୍ୟକ୍ରମ, ଟ୍ରାଫିକ୍‌ ନିୟନ୍ତ୍ରଣ ଓ ନିରାପତ୍ତା, ଜରୁରୀକାଳୀନ ସହାୟତା କମିଟି, ଗଣମାଧ୍ୟମ ଓ ଲୋକସଂପର୍କ, ପ୍ରଦର୍ଶନୀ, ବିଭିନ୍ନ ଦେଶର ଷ୍ଟଲ, ଅର୍ଭ୍ୟର୍ଥନା, ଅର୍ଥ,ଇ-ଗଭର୍ଣ୍ଣାନ୍‌ ଓ ଆଇଟି,     ଖାଦ୍ୟ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଅତିଥିମାନଙ୍କ ଯାତାୟତ ପାଇଁ ସମନ୍ୱୟ ନିମନ୍ତେ ସଂପର୍କ ଅଧିକାରୀ କମିଟି ଆଦି ଉପ କମିଟିମାନ ଗଠନ କରାଯାଇଛି।

ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଥିବା ହେବା ଆମ ପାଇଁ ଗୌରବ ଓ ସମ୍ମାନର ବିଷୟ ହେବ। ସଂପୃକ୍ତ ସମସ୍ତ ବିଭାଗର ସମ୍ମିଳିତ ଉଦ୍ୟମରେ ଯେପରି ଏହି ଦିବସ ସଫଳତାର ସହ ଆୟୋଜନ ହେବ, ସେଥିପାଇଁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ସେ ବିଶ୍ୱବ୍ୟାପୀ ପ୍ରବାସୀ ଭାରତୀୟଙ୍କ ଅବଦାନ ଏବଂ ଉପଲବ୍ଧିକୁ ମଧ୍ୟ ସ୍ୱୀକାର କରିଛନ୍ତି।

ଏକ ଟ୍ବିଟର ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରବାସୀ ଭାରତୀୟ ଦିବସ ଅବସରରେ ଶୁଭେଚ୍ଛା। ବିଶ୍ୱବ୍ୟାପୀ ପ୍ରବାସୀ ଭାରତୀୟଙ୍କ ଅବଦାନ ଏବଂ ଉପଲବ୍ଧିକୁ ପାଳନ କରିବା ପାଇଁ ଏହା ଏକ ଦିନ। ଆମର ସମୃଦ୍ଧ ଐତିହ୍ୟକୁ ସଂରକ୍ଷିତ ରଖିବା ଏବଂ ବିଶ୍ୱ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସେମାନଙ୍କର ସମର୍ପଣ ପ୍ରଶଂସନୀୟ। ସେମାନେ ସମଗ୍ର ବିଶ୍ୱରେ ଭାରତର ଭାବନାକୁ ପ୍ରତିଫଳିତ କରନ୍ତି, ଏକତା ଏବଂ ବିବିଧତାର ଭାବନାକୁ ପ୍ରୋତ୍ସାହିତ କରନ୍ତି।