Categories
ଆଞ୍ଚଳିକ

ମାଟ୍ରିକ ପରୀକ୍ଷା ଫଳ: ବାଣପୁରରେ ପ୍ରଲିପ୍ତା ଓ ଚିଲିକାରେ ଅମ୍ଲାନ ଟପର

ସୀତାରାମ ଅଗ୍ରୱାଲ

ଚିଲିକା: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ, ଏନଏସି ଏବଂ ଚିଲିକା ବ୍ଲକ ଓ ବାଲୁଗାଁ ଏନଏସିରେ ପାସ ହାର ସନ୍ତୋଷଜନକ ରହିଛି। ବାଣପୁର ବ୍ଲକ ଏବଂ ଏନଏସି ରେ ପାସ ହାର ଶତକଡା ୯୮.୦୪ ପ୍ରତିଶତ ରହିଥିବା ବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏହା ଶତକଡା ୯୮.୫୮ ପ୍ରତିଶତ ରହିଛି।

ତେବେ ବାଣପୁର ବ୍ଲକ ଏବଂ ଏନଏସି ରେ ଏ-୧ ଗ୍ରେଡ଼ରେ ୨୦ ଜଣ, ଏ-୨ ଗ୍ରେଡ଼ରେ ୨୨୮ ଜଣ, ବି-୧ ଗ୍ରେଡ଼ରେ ୪୩୧ ଜଣ ଏବଂ ବି-୨ ଗ୍ରେଡ଼ରେ ୪୬୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏ-୧ ଗ୍ରେଡ଼ରେ ୧୪ ଜଣ, ଏ-୨ ଗ୍ରେଡ଼ରେ ୯୧ ଜଣ, ବି-୧ ଗ୍ରେଡ଼ରେ ୨୭୮ ଜଣ ଏବଂ ବି-୨ ଗ୍ରେଡ଼ରେ ୪୭୮ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବାଣପୁର ବ୍ଲକ ଏବଂ ଏନଏସିରେ ନାଚୁଣୀ ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲ ଅଫ ଇଣ୍ଟେଗ୍ରାଲ ଏଜୁକେସନର ପ୍ରଲିପ୍ତା ସାହୁ ସର୍ବାଧିକ ୫୭୪ ମାର୍କ ରଖି ଟପର ହୋଇଥିବାବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ଆଙ୍କୁଲାଚଟି ସ୍ଥିତ ପଞ୍ଚୁପଲି ସୋମନାଥ ଉଚ୍ଚ ବିଦ୍ୟାଳୟର ଅମ୍ଲାନ ଶତପଥି ସର୍ବାଧିକ ୫୮୩ ମାର୍କ ରଖି ଟପର ହୋଇଛନ୍ତି।