Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଲୁଗାଁ ବାଇପାସସ୍ଥିତ ଏକ ଟାୟାର ପମ୍ପଚର ଦୋକାନକୁ ପ୍ରଶଂସା କଲେ ବଲିଉଡ଼ ଅଭିନେତା ସୋନୁ ସୁଦ୍

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବଲିଉଡ ଅଭିନେତା ତଥା ଭାରତର ବିଶିଷ୍ଟ ସମାଜସେବୀ ସୋନୁ ସୁଦ ଗତକାଲି ନିଜ ଫେସବୁକ ଆକାଉଣ୍ଟରେ ଏକ ଫୋଟୋ ସେଆର କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ସୋନୁ ସୁଦ ଯେଉଁ ଫଟୋଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ତାହା ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ବେଲପଡା ଜାତୀୟ ରାଜପଥରେ ଥିବା ଏକ ଟାୟାର ପମ୍ପଚର ଦୋକାନର ଫଟୋ। ବିଶ୍ୱାସ ନ ହେଲେ ବି ସତ। ଆପଣ ଭାବୁଥିବେ ସୋନୁ ସୁଦ ଯିଏ ଏତେ ବଡ଼ ଜାତୀୟ ବ୍ୟକ୍ତିତ୍ୱ ସେ ପୁଣି ଏହି ଫୋଟୋ ସେୟାର କରିବେ?

ତେବେ ଘଟଣା ବିଷୟରେ ଅନୁଧ୍ୟାନ କରିବାରୁ ଜଣା ପଡିଲା ଯେ, ଇନଷ୍ଟଗ୍ରାମରେ ତେଲୁଗୁ ଷ୍ଟଫ ନାମକ ଏକ ଆକାଉଣ୍ଟରେ ଉକ୍ତ ଟାୟାର ପମ୍ପଚର ଦୋକାନର ଫୋଟୋ ପୋଷ୍ଟ କରାଯାଇଥିଲା ଏବଂ ଅଭିନେତା ସୋନୁ ସୁଦଙ୍କୁ ଟ୍ୟାଗ କରାଯାଇଥିଲା। ଉକ୍ତ ଫୋଟୋର ବିଶେଷତ୍ୱ ହେଉଛି ଟାୟାର ପମ୍ପଚର ଦୋକାନର ସାଇନ ବୋର୍ଡରେ ଲେଖାଯାଇଛି ସୋନୁ ସୁଦ ଟାୟାର ୱାର୍କ ଶପ ଏବଂ ସୋନୁ ସୁଦଙ୍କ ଏକ ଫୋଟୋ ଅଛି।

ସେଥିନିମନ୍ତେ ସୋନୁ ସୁଦ ଉକ୍ତ ଫୋଟୋକୁ ଗତକାଲି ନିଜ ଫେସବୁକ ଆକଉଣ୍ଟରେ ସେଆର କରି ମଜାରେ ଲେଖିଛନ୍ତି ‘ଏହା କେତେବେଳେ ହେଲା’? ତେବେ ଏ ବିଷୟ ନେଇ ଉକ୍ତ ଦୋକାନୀ ତଥା ବେଲପଡା ଗ୍ରାମନିବାସୀ ପ୍ରସନ୍ନ ସେନାପତିଙ୍କୁ ପଚାରିବାରୁ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ତାଙ୍କ ଦୋକାନ କରିବା ସାର୍ଥକ ହେଇଗଲା ବୋଲି କହିଛନ୍ତି।

ପ୍ରସନ୍ନ କହିଛନ୍ତି ଯେ, ତାଙ୍କ ପୁଅ ସନ୍ତୋଷ ବେଙ୍ଗାଲୁରୁରେ ଜଣେ ପୋକଲୀନ ଅପରେଟର ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ଲକଡ଼ାଉନ ସମୟରେ ସୋନୁ ସୁଦ ଶ୍ରମିକ ମାନଙ୍କୁ କରିଥିବା ସହଯୋଗ ତାଙ୍କ ହୃଦୟକୁ ଛୁଇଁଥିଲା। ତେଣୁ ସୋନୁ ସୁଦଙ୍କ ଠାରୁ ଅନୁପ୍ରାଣିତ ହୋଇ ତାଙ୍କୁ ନିଜର ଆଦର୍ଶ ମାନି ଦୁଇ ମାସ ପୂର୍ବେ ସେ ଯେତେବେଳେ ନିଜ ଗ୍ରାମକୁ ଆସିଥିଲେ ନିଜ ବାପାଙ୍କ ନିମିତ୍ତ ସୋନୁ ସୁଦଙ୍କ ନାମରେ ଉକ୍ତ ଟାୟାର ପମ୍ପଚର ଦୋକାନଟି ଖୋଲିଥିଲେ।