Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ୮ଟି ଦେଶର ପ୍ରତିନିଧି: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ନେଲେ ଉପଲବ୍ଧି

ଭୁବନେଶ୍ୱର: ଓଡ଼ିଶାରେ ୧୯୯୯ ମହାବାତ୍ୟା ସାରା ରାଜ୍ୟକୁ ବିପର୍ଯ୍ୟସ୍ତ କରିଦେଇଥିବା ବେଳେ ଏହାର ପରବର୍ତୀ ସମୟରେ ଦୀର୍ଘ ୨୨ ବର୍ଷ ଧରି ରାଜ୍ୟ କିଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଆସୁଛି ସେ ସମ୍ପର୍କରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ ରିସର୍ଚ୍ଚ (ଆଇସିସିଆର୍‌) ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ସହଭାଗିତାରେ ଓଡ଼ିଶା ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ଯୋଗାଇ ଦିଆଯାଇଛି।

ସୋମବାର ଏହି ପ୍ରତିନିଧିମାନେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟ ସଚିବାଳୟରେ ସାକ୍ଷାତ କରିଥିବା ବେଳେ ଓଡ଼ିଶାରେ ଫାଇଲିନ୍‌, ତିତିଲି ଓ ଫନି ଭଳି ବାତ୍ୟା ବିପର୍ଯ୍ୟୟ ସମୟରେ ଓଡ଼ିଶା ସରକାର କିଭଳି ଏହାର ମୁକାବିଲା କରିବା ସହ ଧନ ଜୀବନହାନୀ ହେବାରୁ ରକ୍ଷା କରିଛନ୍ତି ସେ ବିଷୟରେ ମୁଖ୍ୟ ଶାସନ ସଚିବ ସେମାନଙ୍କ ସମ୍ମୁଖରେ ତଥ୍ୟ ରଖିଥିଲେ।

ସେହିପରି ସୋମବାର ସକାଳେ ଏହି ପ୍ରତିନିଧିମାନେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ସ୍ଥିତ ଓଡ଼ିଶା ଫାୟାର ଆଣ୍ଡ ଡିଜାଷ୍ଟର ରେସପନ୍ସ ଏକାଡେମି ମଧ୍ୟ ବୁଲି ଦେଖିଥିଲେ। ହଠାତ୍ ନିଆଁ ଲାଗିଲେ କିଭଳି ଏଭଳି ପରିସ୍ଥିତିରୁ ଧନ ଜୀବନ ରକ୍ଷା କରିହେବ ଓ ଅଗ୍ନି ନିରାପତା ବ୍ୟବସ୍ଥା ସମ୍ପର୍କରେ ଓଡ୍ରାଫର ଅଧିକାରୀମାନେ ଏହି ପ୍ରତିନିଧିମାନଙ୍କୁ ମକ୍ ଡ୍ରିଲ୍ ମାଧ୍ୟମରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସନ୍‌( ଆଇସିସିଆର୍‌) ଓ ‘ଜେନ୍‌- ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧିମାନେ ଭାରତ ଗସ୍ତରେ ଆସିଛନ୍ତି। ସେମାନେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି।

ପର୍ତୁଗାଲ୍‌, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋଏସିଆ, ଗାୟେନା, ବ୍ରାଜିଲ୍‌, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଏହି ଟିମ୍‌ରେ ସାମିଲ ଅଛନ୍ତି। ସୋମବାର ସନ୍ଧ୍ୟାରେ ସେମାନେ ଓଡ଼ିଶାରୁ ଫେରିଯାଇଛନ୍ତି।

Categories
ବିଶେଷ ଖବର

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ: ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହି ନୀତିକୁ ଅନୁସରଣ କରି ଓଡିଶା ଭଳି ଗୋଟିଏ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଆମେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରି ଏ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛୁ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ପ୍ରତ୍ୟେକ ବର୍ଷର ଜୁନ୍‌ରୁ ଅକ୍ଟୋବର ମାସ ସମୟ ଅତି ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସେ। ତେଣୁ ଏହି ସମୟ ଭିତରେ ବାତ୍ୟା ଓ ବନ୍ୟା ଏକ ସମୟରେ ଆସିବାର ମଧ୍ୟ ସମ୍ଭାବନା ରହିଛି। ଏ ବାବଦରେ ଆମର ପ୍ରସ୍ତୁତିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ସମସ୍ତ ପ୍ରଶାସନିକ କଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆଗୁଆ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ପାନୀୟ ଜଳ ବ୍ୟବସ୍ଥା ସ୍ବାସ୍ଥ୍ୟ ଓ ପ୍ରାଣୀସେବା ବ୍ୟବସ୍ଥା ଆଦି ସମସ୍ତ ବ୍ୟବସ୍ଥା ଗୁଡିକୁ ପ୍ରସ୍ତୁତ କରି ରଖିବା ଜରୁରୀ।

ଏହାସହିତ ସମସ୍ତ ଓଡ୍ରାଫ ଓ ଅଗ୍ନିସେବା ବାହିନୀ ପ୍ରସ୍ତୁତ ହୋଇ ରହିବା ଜରୁରୀ ବୋଲି ସେ କହିଥିଲେ। ବିପର୍ଯ୍ୟୟ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟପଦାର୍ଥକୁ ମହଜୁଦ ରଖିବା, ଜିଲ୍ଲାସ୍ତରୀୟ ଜରୁରୀକାଳୀନ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ କାର୍ଯ୍ୟକାରୀ କରିବା, ପଶୁ ଖାଦ୍ୟ ମହଜୁଦ ରଖିବା ଓ ବିପର୍ଯ୍ୟୟ ସମୟରେ ପ୍ରାଣୀସେବା କ୍ୟାମ୍ପ ଖୋଲିବା ପାଇଁ ସେ ପରାମର୍ଶ ଦେଇଥିଲେ। ଗର୍ଭବତୀ ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ, ବିଧବା ଓ ବୟସ୍କ ଲୋକମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୈଠକରେ ରାଜ୍ୟସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯେଉଁସବୁ ପଦକ୍ଷେପ ନେଇଛନ୍ତି, ତା ଉପରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟରେ ୮୭୯ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଇ ଆହୁରି ୫୫ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷ କରି ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟ ପ୍ରତିରୋଧି ଗୃହ ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ।

ଏହି ବୈଠକରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ବକ୍ତବ୍ୟ ରଖି ନିଜ ନିଜ ଅଞ୍ଚଳରେ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ସୁଚିନ୍ତିତ ମତାମତ ଦେଇଥିଲେ।

ଉନ୍ନୟନ କମିଶନର-ତଥା-ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ଅଧିକାରୀ ମାନେ ଉପସ୍ଥିତ ଥିଲେ।