Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମିଳିଲା କୁଆଖାଇ ନଦୀ ଶଯ୍ୟାରେ ହଜିଯାଇଥିବା ପ୍ରାଚୀନ ସଭ୍ୟତାର ଚିହ୍ନ

ଭୁବନେଶ୍ବର: କୁଆଖାଇ ନଦୀ ଶଯ୍ୟାରୁ ମିଳିଛି ସମୟ ସ୍ରୋତରେ ହଜି ଯାଇଥିବା ଏକ ପ୍ରାଚୀନ ସଭ୍ୟତାର ଚିହ୍ନ। ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ ଓ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନଙ୍କ ଦ୍ୱାରା କଟକ ସହର ଓ ଏହାର ଆଖପାଖ ଅଂଚଳରେ ଥିବା ଐତିହାସିକ କୀର୍ତ୍ତିରାଜିର ସନ୍ଧାନ ସମୟରେ ଅନେକ ପ୍ରତ୍ନତାତ୍ତ୍ୱିକ ଅବଶେଷ ଚିହ୍ନଟ ହୋଇଛି। କଟକ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଉତ୍ତମାପୁର ଗ୍ରାମ ବାଲିମଙ୍ଗଳା ଦେବୀପୀଠର ଅନତି ଦୂରରେ ଏକ ଜନବସତି ଗଢି ଉଠିଥିଲା, ଯାହାର ଛାପ ଆଜି ଦେଖିବାକୁ ମିଳୁଛି।

ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ପ୍ରତିଷ୍ଠାତା ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି ଯେ, ଏହି ସ୍ଥାନଟି ଉଭୟ ବାରବାଟୀ ଦୁର୍ଗ ଓ ଚୁଡ଼ଙ୍ଗଗଡର ନିକଟତର ହୋଇଥିବାରୁ ଏହାର ଅନେକ ଐତିହାସିକ ଗୁରୁତ୍ୱ ରହିଛି। ଏକଦା କୁଆଖାଇ ନଦୀରେ ନୌବାଣିଜ୍ୟ କାରବାର ହେଉଥିଲା, ଏଠାରେ ପୁଜା ପାଉଥିବା ଦେବୀ ବାଲିମଙ୍ଗଳା ନୌବାଣିଜ୍ୟ ସହ ସମ୍ପୃକ୍ତ ଦେବୀ ବୋଲି ଲୋକକଥା ରହିଛି। ଏହି ଦେବୀଙ୍କ ନାମ ଅନୁସାରେ ହିଁ ନିକଟସ୍ଥ ଗ୍ରାମର ନାମ ବାଲିକୁଦା ହୋଇଛି।

ନଦୀ ମଧ୍ୟରୁ ଏକ ଛୋଟ ଢିପ ପରି ସ୍ଥାନରୁ ଅନେକ ଭଗ୍ନ ନାଲି, କଳା ଓ ଧୂସର ରଙ୍ଗର ମାଟିପାତ୍ର, ଚିତ୍ରିତ ଖପରା ଖଣ୍ଡ, ପୁରୁଣା ମାଟି କୂଅର ଧାନ ଅଗାଡି ଯୁକ୍ତ ମାଟି ନନ୍ଦ ତଥା ଭଙ୍ଗା ହାଡଖଣ୍ଡ ସବୁ ବହୁ ମାତ୍ରରେ ଦେଖିବାକୁ ମିଳିଛି। ଏଥିରୁ ଜଣାଯାଏ ଯେ ଏଠାରେ ଥିବା ଜନବସତିଟି କୁଆଖାଇ ନଦୀର ଗତିପଥରେ ପରିବର୍ତ୍ତନ ଅଥବା ବନ୍ୟାର ପ୍ରଭାବରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସଦସ୍ୟ ରଶ୍ମିରଞ୍ଜନ ପ୍ରଧାନଙ୍କ ମତରେ କୁଆଖାଇ ଶଯ୍ୟାରେ ମିଳିଥିବା ପ୍ରାଚୀନ ସଭ୍ୟତାର ଅବଶେଷ ବର୍ତ୍ତମାନ ସମୟରେ ଅନେକ ଗୁରୁତ୍ୱ ବହନ କରୁଛି। କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ଐତିହାସିକ ବାରବାଟୀ ଦୁର୍ଗରେ ଚାଲିଥିବା ଖନନରୁ ଅନେକ ପ୍ରାଚୀନ ସାମଗ୍ରୀ ମିଳୁଥିବା ବେଳେ ମାତ୍ର ଅଳ୍ପ ଦୂରରେ ଅବସ୍ଥିତ ଉତ୍ତମାପୁରରେ ପ୍ରାଚୀନ ସଭ୍ୟତାର ସନ୍ଧାନ ପୁରାତନ କଟକ ସହର ସହ ସମ୍ପୃକ୍ତ ଅନେକ ନୂତନ ଇତିହାସକୁ ସାମ୍ନାକୁ ଆଣିପାରେ। ଆମେ ଏହି ସମ୍ପର୍କରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ତଥା ସଂସ୍କୃତି ବିଭାଗକୁ ଚିଠି ଲେଖି ଅବଗତ କରାଇବୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରେ ଇଣ୍ଟାକ ରାଜ୍ୟ ଶାଖାର ସହ ଆବାହକ ଅନିଲ ଧୀର ଓ ଇଣ୍ଟାକର ବରିଷ୍ଠ ସଦସ୍ୟ ବିଶ୍ୱଜିତ ମହାନ୍ତି ମଧ୍ୟ ସାମିଲ ଥିଲେ। ଏହି ସ୍ଥାନରୁ ମିଳିଥିବା ଭଗ୍ନ ଚିତ୍ରିତ ମାଟିପାତ୍ର ସବୁର ସାମଞ୍ଜସ୍ୟ ଖଳକଟାପାଟଣା, ମାଣିକପାଟଣା ଓ ଶିଶୁପାଳଗଡ ଆଦି ସ୍ଥାନରୁ ଖନନରୁ ପ୍ରାପ୍ତ ମାଟିପାତ୍ର ସବୁ ସହ ରହିଛି, ଏସବୁର ସଠିକ ଗଠନ ସମୟ ନିର୍ଦ୍ଧାରଣ ତଥା ସମ୍ପୃକ୍ତ ଇତିହାସକୁ ଲୋକଲୋଚନକୁ ଆଣିବାକୁ ହେଲେ ନଦୀଶଯ୍ୟାରେ ଏକ ପ୍ରତ୍ନତାତ୍ତ୍ୱିକ ଖନନର ଆବଶ୍ୟକତା ରହିଛି।

ମହାନଦୀ ଓ ତ୍ରିକୋଣଭୂମି ଅଞ୍ଚଳରେ ଅନେକ ପ୍ରତ୍ନତାତ୍ତ୍ୱିକ ଅବଶେଷ ଲୁଚି ରହିଛି। ଇଣ୍ଟାକ ଦ୍ୱାରା ମହାନଦୀ ଅବବାହିକର ଐତିହ୍ୟ ସର୍ବେକ୍ଷଣ ସମୟରେ ପ୍ରାୟ ୬୩ଟି ମନ୍ଦିର ଏବେ ମଧ୍ୟ ପାଣି ଭିତରେ ବୁଡି ରହିଥିବାର ରିପୋର୍ଟ ପ୍ରକାଶ ପାଇଥିଲା। ନଦୀଶଯ୍ୟାରେ ଅବାଧ ବାଲିଖନନ ଯୋଗୁଁ ଅନେକ ପୁରାତନ କୀର୍ତ୍ତିରାଜି ନଷ୍ଟ ହେଇଯାଉଛି।

କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ (ASI)ର ଅନୁମତି ନଥିଲେ ରାଜ୍ୟରେ କୌଣସି ନଦୀରୁ ବାଲିଉଠାଣ ପାଇଁ ଲିଜ ନିଷେଧ କରିବାକୁ ଶ୍ରୀ ମହାନ୍ତି ଗୁରୁତ୍ୱଆରୋପ କରିଛନ୍ତି। ଉତ୍ତମାପୁରରୁ ମିଳିଥିବା ପ୍ରାଚୀନ ସଭ୍ୟତାର ଅବଶେଷ ସମ୍ପର୍କରେ ସମ୍ପୃକ୍ତ ବିଭାଗ ସହ ଶୀଘ୍ର ଯୋଗାଯୋଗ କରିବୁ ବୋଲି ଇଣ୍ଟାକ ତରଫରୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ବରଗଡ଼ର ୨ ହଜାର ବର୍ଷ ପ୍ରାଚୀନ ସଭ୍ୟତାର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ/ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ସନ୍ଧାନ ହୋଇଥିବା ଦୁଇ ହଜାର ବର୍ଷ ତଳ ପ୍ରାଚୀନ ସଭ୍ୟତାର ପୁନରୁଦ୍ଧାର ଏବଂ ସଂରକ୍ଷଣ ଦାୟିତ୍ୱକୁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ(ଏଏସଆଇ)କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବରଗଡ଼ର ଜୈନେକ ଅଶ୍ୱିନୀ କୁମାର ସାରଙ୍ଗୀଙ୍କ ପତ୍ର ଆଧାରରେ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ଯେ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଏହି ପୁରାତନ ସଭ୍ୟତାର ଆବିଷ୍କାର କରିଛନ୍ତି। ଗତ ମାସ ୩୧ ତାରିଖରେ ଏକ ବିଶେଷଜ୍ଞ ଦଳର ନେତୃତ୍ୱରେ ୬୦ ଜଣ ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲାର ଏବଂ ଇତିହାସ ବିଭାଗର ପ୍ରାଧ୍ୟାପକ ଉକ୍ତ ସ୍ଥାନରେ ଖନନ କାର୍ଯ୍ୟ ଆରମ୍ଭ କରିଥିଲେ। ୧୭ ହେକ୍ଟର ପରିମିତ ଜାଗାରେ ବ୍ୟାପ୍ତ ସେହି ସ୍ଥାନରେ ଅନେକ ମୂଲ୍ୟବାନ ମନୁଷ୍ୟକୃତ ସାମଗ୍ରୀ ଏବଂ ପୁରାତନ ସଭ୍ୟତାର ଅଶଂବିଶେଷ ମିଳିଛି। ଖନନ ସ୍ଥଳରୁ ମିଳିଥିବା ସାମଗ୍ରୀ ପ୍ରାୟ ୨ ହଜାର ବର୍ଷ ପୂର୍ବର ବୋଲି ଜଣାପଡ଼ିଛି। ମିଳିଥିବା ପ୍ରାଚୀନ ଅଶଂବିଶେଷରୁ ଜଣାପଡ଼ୁଛି ଉକ୍ତ ସ୍ଥାନଟି ପୂର୍ବ କାଳରେ ଏକ ପ୍ରତିଷ୍ଠିତ ବାଣିଜ୍ୟ କେନ୍ଦ୍ର ଥିଲା ଏବଂ ଆଗକୁ ଖନନ ଜାରୀ ରହିଲେ ଅନେକ ରହସ୍ୟର ଉନ୍ମୋଚନ ହୋଇପାରିବ।

ଏଭଳି ଏକ ବୃହତ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିବା ବିରଳ ଏବଂ ଅତ୍ୟନ୍ତ ସମ୍ବେଦନଶୀଳ। ଐତିହାସିକ ଗୁରୁତ୍ୱ ଏବଂ ସମ୍ଭାବ୍ୟ ରହସ୍ୟ ଉନ୍ମୋଚନ ହେବା ଦୃଷ୍ଟିରୁ ଏଏସଆଇକୁ ଏହି ପ୍ରତ୍ନତ୍ୱାତିକ ସ୍ଥଳକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି। ଐତିହାସିକ ଦୃଷ୍ଟିକୋଣରୁ ମୂଲ୍ୟବାନ ପ୍ରାଚୀନ ସଭ୍ୟତାର ଅନୁସନ୍ଧାନ ପାଇଁ ଏଏସଆଇ ଦାୟିତ୍ୱ ନେଲେ ଖନନ କାର୍ଯ୍ୟ, ପରୀକ୍ଷାନୀରିକ୍ଷା, ସମୀକ୍ଷା ଉନ୍ନତଧରଣ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।