Categories
ଆଞ୍ଚଳିକ

ସରିଲା ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ରାମମୟ ହେଲା ବାଣପୁର-ବାଲୁଗାଁ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଅଯୋଧ୍ୟା ଶ୍ରୀ ରାମ ମନ୍ଦିରରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି।  ତେବେ ଏହି ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ କୋଟି କୋଟି ଦେଶବାସୀ ଚାତକ ପରି ଚାହିଁ ରହିଥିବା ବେଳେ ପରିଶେଷରେ ଟିଭି ଓ ମୋବାଇଲ ମାଧ୍ୟମରେ ଦେଖିବାକୁ ସକ୍ଷମ ହୋଇଛନ୍ତି।

ଏହି ଉପଲକ୍ଷେ ସାରା ଦେଶରେ ଦୀପାବଳି ପରି ଉତ୍ସବ ପାଳନ କରାଯାଇଛି। ବାଣପୁର ଓ ବାଲୁଗାଁ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି ଅପୂର୍ବ ଦୃଶ୍ୟ। ଉଭୟ ସହର ଏବଂ ଗ୍ରାମାଞ୍ଚଳରେ ରାମ ଭକ୍ତମାନେ ବହୁ ଆଡମ୍ବର ସହକାରେ ପାଳନ କରିଥିଲେ ଉକ୍ତ ଉତ୍ସବ।

ବାଣପୁରର ରଘୁନାଥ ଦେବ, ରଙ୍କନାଥ ଦେବ, ଦାଶରଥିପୁର, ଭେଟେଶ୍ୱର, ମଙ୍ଗରାଜପୁର, ଗମେଇ, ଗୋଡ଼ିଝର, ସାନ ହନ୍ତୁଆଡ଼, ରାଣୀପଡ଼ା ଆଦି ପ୍ରମୁଖ ଅଞ୍ଚଳରେ ଆଡମ୍ବର ସହକାରେ ପାଳନ ହୋଇଛି ଶ୍ରୀ ରାମ ପ୍ରାଣ ପ୍ରତିଷ୍ଠା ଉତ୍ସବ। ବାଣପୁର ବଜାରରେ ଏକାଧିକ ଧାର୍ମିକ ଓ ସାମାଜିକ ସଂଗଠନ ପକ୍ଷରୁ ଶ୍ରୀ ରାମଙ୍କ ବିଗ୍ରହ ଓ ହନୁମାନଙ୍କ ପତାକା ସହ ନଗର ପରିକ୍ରମା କରାଯାଇଥିଲା। ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଏବଂ ରଘୁନାଥ ଦେବ କମିଟି ପକ୍ଷରୁ ଉଭୟ ରଙ୍କନାଥ ଏବଂ ରଘୁନାଥ ଦେବଙ୍କ ପିଠରେ ଦିନ ତମାମ ପୂଜାର୍ଚ୍ଚନା, ସୁନ୍ଦରାକାଣ୍ଡ ପଠନ, ହନୁମାନ ଚାଳିଶା ପଠନ, ହୋମ ଆଦି ଜାରି ରହିଥିଲା।

ଅନୁରୂପ ଭାବେ ବାଲୁଗାଁ ସହରଠୁ ନେଇ ଚିଲିକା ବ୍ଲକର ସବୁ ଗ୍ରାମାଞ୍ଚଳ ମଧ୍ୟ ଆଜି ଉତ୍ସବମୁଖର ହୋଇଉଠିଛି। ସବୁଠି ଗୈରିକ ପତାକା ଲାଗିଥିବାର ଦେଖିବାକୁ ମିଳିଥିଲା।  ରାମଭକ୍ତ ମାନେ ଉଭୟ ବାଣପୁର ଓ ବାଲୁଗାଁରେ ଆତସବାଜି ଫୁଟାଇବା ସହ, ମିଷ୍ଟାନ ବଣ୍ଟନ କରିଥିଲେ ଏବଂ ସଂନ୍ଧ୍ୟାରେ ଉଭୟ ଅଂଚଳବାସି ନିଜ ନିଜ ଘରେ ଦୀପ ଲଗାଇ ଶ୍ରୀ ରାମଙ୍କୁ ବନ୍ଦନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବେଗୁନିଆପଡା ବ୍ଲକ ର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ପବିତ୍ର ଅଯୋଧ୍ୟା ଧାମ ଠାରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡାରେ ଆଜି ଗ୍ରାମବାସୀ ଏବଂ ଭକ୍ତ ମାନେ ୧୦୮ ହନୁମାନ ରୂପ ହୋଇ ମହାପ୍ରଭୁ ଶ୍ରୀ ରଘୁନାଥ ଏବଂ ହନୁମାନଙ୍କ ପ୍ରତିମୂର୍ତ୍ତିଙ୍କୁ ନେଇ ହନୁମାନବାଟିକା ଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ସମସ୍ତଙ୍କ ମୁଖରେ ଜୟ ଶ୍ରୀରାମ ଧ୍ବନୀରେ ବେଗୁନିଆପଡା କମ୍ପି ଉଠୁଥିଲା।

ଏଥିସହିତ ବେଗୁନିଆପଡ଼ା ବ୍ଳକ ର ନୂଆଁଗଡ଼ ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ, ଅଙ୍ଗାରଗାଁ, ତାଳସର ଗ୍ରାମରେ ନାମ ସଙ୍କୀର୍ତ୍ତନ ଶୋଭାଯାତ୍ରା, ନୂଆଗାଁ ରେ ମହନ୍ତ ଦାମୋଦର ଦାଶ ମହାରାଜ ଙ୍କ ନେତୃତ୍ଵରେ ହନୁମାନ ଚାଳିଶା ପାଠ, ସାଙ୍କୁଡ଼ା ରେ ପ୍ରସାଦସେବନ ର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି ଏହି ଅବସରରେ ବେଗୁନିଆପଡା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଆଜି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।