Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୫ ରୁ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ

ରଣପୁର: ଆସନ୍ତା ୫ ତାରିଖ ଠାରୁ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ। ବ୍ଲକରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ସଂଘ ପକ୍ଷରୁ ଗୁରୁବାର ଦିନ ସମସ୍ତ ବର୍ଗର ଶିକ୍ଷକ ସଙ୍ଘକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଭିନ୍ନ ସଙ୍ଘର ସଭାପତି ଓ ସମ୍ପାଦକ ଯୋଗ ଦେଇଥିଲେ।

ଏହି ଆନ୍ଦୋଳନରେ ସବୁ ବର୍ଗର ଶିକ୍ଷକ ସାମିଲ ହେବେ ବୋଲି ଖବର ମିଳିଛି। ଏହି ଆନ୍ଦୋଳନ AUPTF ସଙ୍ଘ ନେତୃତ୍ୱରେ କରାଯିବ ବୋଲି ଜଣା ପଡିଛି। ବୈଠକରେ ପ୍ରାଥମିକ ଶିକ୍ଷକ ସଙ୍ଘର ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ରାଜ୍ୟ ସଂଯୋଜକ ଭାବେ ନିର୍ବାଚିତ ହେଲେ ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି

ରଣପୁର: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଓ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଭୁବନେଶ୍ୱର ସ୍ଥିତ କସ୍ତୁରବା ଗାନ୍ଧୀ ନାରୀ ମହଲ ସଭାଗୃହରେ ସଂଗଠନର ସଭାପତି ହୃଦାନନ୍ଦ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ମେ ୭, ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିକ୍ଷକମାନଙ୍କ ସାଧୁତା ବିଦ୍ୟାଳୟ ତଥା ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ବିକାଶ ଘଟିବା ସଙ୍ଗେସଙ୍ଗେ ରାଜ୍ୟରେ ଶିକ୍ଷାର ବିକାଶ ଘଟିବ ବୋଲି ଉପସ୍ଥିତ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ରଖିଥିଲେ।

ଉକ୍ତ ସଭାରେ ସଂଗଠନର ସଭାପତି ଶ୍ରୀଯୁକ୍ତ ଦ୍ୱିବେଦୀ ଅନୁଷ୍ଠାନର ୧୦ ବର୍ଷର ଅନୁଭୂତି ସମ୍ବନ୍ଧରେ ଉଦବୋଧିତ କରିଥିଲେ।

ସଭାର ଦ୍ୱିତୀୟ ଅଧିବେଶନରେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ପରିଚାଳନା ପାଇଁ ପୂର୍ବ ନିଷ୍ପତ୍ତି କ୍ରମେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ କରାଯାଇ ଶ୍ରୀଯୁକ୍ତ ଦ୍ୱିବେଦୀ ମହାସଚିବ, ସଭାପତି, ସଂଯୋଜକ, କୋଷାଧ୍ୟକ୍ଷ, ୧୦ ଜଣ ଉପ ସଭାପତି, ଆଞ୍ଚଳିକ ସମ୍ପାଦକଙ୍କୁ ବିଭିନ୍ନ ଦାୟିତ୍ବ ହସ୍ତାନ୍ତର କରିଥିଲେ।

ସୂଚନା ଥାଉକି, ଏହି ସାଙ୍ଗଠନିକ ନିର୍ବାଚନରେ ନୟାଗଡ଼ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତଥା ରଣପୁର ଅଞ୍ଚଳର ଜଣଶୁଣା ଶିକ୍ଷକ ନେତା ଆଦର୍ଶ ଶିକ୍ଷକ ଜ୍ୟୋତିରଂଜନ ଦାଶ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି।

ସେଥିପାଇଁ ନିଜ ଜିଲ୍ଲା ଓ ଜିଲ୍ଲା ବାହାରୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଥିବାର ଦେଖିବାକୁ ମିଳିଛି। କର୍ତ୍ତବ୍ୟ ପରାୟଣ,ତ୍ୟାଗ,ନିଷ୍ଠା ଓ ସଚ୍ଚୋଟ ପଣିଆକୁ ଗୁରୁତ୍ୱ ଦେଉଥିବା ନିରଳସ ସାଧକ ଶ୍ରୀଯୁକ୍ତ ଦାଶ ରଣପୁର ଶିକ୍ଷାବ୍ଳକର ରାମଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧୁନା କାର୍ଯ୍ୟରତ। ତାଙ୍କର ସାଙ୍ଗଠନିକ ଦକ୍ଷତା, ନିଷ୍ଠା, ଶିକ୍ଷକ ସମାଜ ନିମନ୍ତେ କାର୍ଯ୍ୟ କରିବା ତରିକା ପାଇଁ ସମଗ୍ର ଶିକ୍ଷା ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଥିପାଇଁ ସେ ଶିକ୍ଷକ ମହଲରେ ସମସ୍ତଙ୍କ ନିକଟତର ହୋଇ ପାରିଛନ୍ତି।

ଏହା ପୂର୍ବରୁ ଶ୍ରୀଯୁକ୍ତ ଦାଶ ରଣପୁର ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ। ବର୍ତ୍ତମାନ ପ୍ରାୟ ୧୦ ବର୍ଷ ଧରି ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଚାଲିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ପ୍ରାଥମିକ ଶିକ୍ଷକମାନଙ୍କ ଏକ ବୈଠକ ବୃନ୍ଦାବାହାଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶିକ୍ଷକ ଅତୁଳ ମେହେରଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ କରି ଅନେକ ସମସ୍ୟା ଉପରେ ଆଲୋଚନା କରିଥିଲେ। ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ବାତିଲ କରିବା, ୬ ବର୍ଷ ଠିକା କାର୍ଯ୍ୟକାଳକୁ ୬ଟି ଜାତୀୟ ଇଂକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା, କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା, ତିନି ଦଫା ଦାବିରେ ଗତ ୨୭ ନଭେମ୍ବର ୨୦୨୨ରୁ ତିନି ଧରି ବିଧାନ ସଭା ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା।

ମୁଖ୍ୟ ଶାସନ ସଚିବ ଶିକ୍ଷକ ମହାସଂଘ ନେତୃତ୍ୱଙ୍କ ସହ ଆଲୋଚନା କରି ଡିସେମ୍ବର ୧୬ ରୁ ୨୦ ଭିତରେ ପ୍ରାଥମିକ ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ୨୧/୧୨/୨୦୨୨ରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା ଓ ୨୯/୧୨/୨୨ରେ ଶିକ୍ଷକ ମହାସଂଘ ସମସ୍ତ ଦାବିକୁ ମୁଖ୍ୟ ଶାସନ ସଚିବଙ୍କ ଆଗରେ ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥାପନ କରିଥିଲା।

ଏହାପରେ ବିଭାଗୀୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବି ପତ୍ର ସହ ମହାସଂଘର ନେତୃତ୍ୱ ଦେଖା କରୁଥିଲେ ମଧ୍ୟ ଆମର ନ୍ୟାୟଗତ ଦାବିକୁ ପୁରଣ କରିବାରେ ଟାଲଟୁଲ ନୀତି ଅବଲମ୍ବନ କରୁଥିବା ଆଜିକାର ସଭାରେ ଆଲୋଚନା ହୋଉଥିଲା। ରାଜ୍ୟରେ ଗୁଣାତ୍ମକ ଶିକ୍ଷା ନିମନ୍ତେ ୧ ଲକ୍ଷ ୨୦ ହଜାର ଶିକ୍ଷକଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଧାନ ଅଧିବେଶନ ପୂର୍ବରୁ ପ୍ରାଥମିକ ଶିକ୍ଷକ ମାନଙ୍କ ଦାବିକୁ ପୁରାଣ କରାଯାଉ ନଚେତ ଶିକ୍ଷକମାନେ ବାଧ୍ୟ ହୋଇ ବିଧାନ ଅଧିବେଶନ ସମୟରେ ଆନ୍ଦୋଳନକୁ ଓହ୍ଲାଇବାକୁ ଶିକ୍ଷକମାନେ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଓ ଚିଲିକାରେ ତିନି ଦଫା ଦାବି ନେଇ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆଜି ଓଡ଼ିଶାର ସମସ୍ତ ବ୍ଲକରେ ୩ ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଥିବା ବେଳେ ଅନୁରୂପ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସଭାପତି ବିଭୁତି ଭୂଷଣ ସ୍ବାଇଁଙ୍କ ନେତୃତ୍ୱରେ ତିନି ଦଫା ଦାବି ନେଇ ବାଣପୁର ସହରରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବିରାଟ ରାଲି ମା’ ଭଗବତୀ ମନ୍ଦିରରୁ ବାହାରି ସହର ପରିକ୍ରମା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ସଂଘର ସଭାପତି ବିଭୁତି ଭୂଷଣ ସ୍ୱାଇଁ, ସମ୍ପାଦକ ପ୍ରଦୀପ୍ତ କିଶୋର ମହାପାତ୍ର, ସଭ୍ୟ କୈଳାଶ ଚନ୍ଦ୍ର ହୋତା, ବିମଳ ନାୟକ, ନରେଶ ପଣ୍ଡା, ସମୀର ସେଠୀ ଏବଂ ପ୍ରାୟ ତିନିଶହରୁ ଅଧିକ ପ୍ରାଥମିକ ଶିକ୍ଷକ ୬ବର୍ଷର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ କରି ୬ବର୍ଷର ବର୍ଦ୍ଧିତ ଦରମା ପ୍ରଦାନ କରିବା, କେନ୍ଦ୍ରୀୟ ଅନୁଦାନରେ ସମସ୍ତ ଶିକ୍ଷକଙ୍କୁ ସାମିଲ କରିବା ଓ ନୂତନ ପେନସନ ଉଚ୍ଛେଦ କରି ପୁରାତନ ପେନସନ ଯୋଜନା ଲାଗୁ କରିବା ଭଳି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତରେ ବିଆରସିସି ସନ୍ଧ୍ୟାରାଣୀ ହରିଚନ୍ଦନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ଉକ୍ତ ଦାବିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ପଦକ୍ଷେପ ନ ନିଅନ୍ତି ତେବେ ଆସନ୍ତା ୨୭ତାରିଖରେ ଶିକ୍ଷକ ମାନଙ୍କର ଏକ ବିରାଟ ଆନ୍ଦୋଳନ ସାରା ଓଡିଶା ଦେଖିବ ବୋଲି ସଭାପତି ବିଭୁତି ଭୂଷଣ ସ୍ୱାଇଁ ତାଙ୍କ ପ୍ରତିକ୍ରିୟାରେ କହିବା ସହ ଶିକ୍ଷକ ମାନେ ସରକାରଙ୍କର ପ୍ରକୃତ ବିଦ୍ରୋହୀ ଭାବେ ଛିଡା ହେବେ ବୋଲି ଚେତାବନୀ ଦେଇଥିଲେ।

ଅନୁରୂପ ଭାବେ ଚିଲିକା ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ସିଙ୍ଗିପୁର ଶନି ମନ୍ଦିର ନିକଟରୁ ଏକ ବିରାଟ ରାଲି କରି ଗଙ୍ଗାଧରପୁର ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉଭୟ ସ୍ଥାନରେ ରାଲି ସମୟରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

Categories
ଆଞ୍ଚଳିକ

ନାକ୍ଟିଦେଉଳ ଵ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଵିଦାୟ କାଳୀନ ସମ୍ଵର୍ଦ୍ଧନା ସମାରୋହ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ଆନୁକୁଲ୍ୟରେ ଓ ନାକ୍ଟିଦେଉଳ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର ସହଯୋଗରେ ପଵିତ୍ର ମୋହନ ଉଚ୍ଚ ଵିଦ୍ୟାଳୟରେ ସାମୁହିକ ଵିଦାୟ କାଳୀନ ସମ୍ଵର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାବେଶରେ ଅବସରପ୍ରାପ୍ତ ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ତ୍ରୀନାଥ ଧଳ ସମେତ ୩୨ ଜଣ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନଙ୍କୁ ଵିଦାୟକାଳୀନ ସମ୍ଵର୍ଦ୍ଧନା ଦିଆଯାଇଥିଲା।

ଅଚ୍ୟୁତାନନ୍ଦ ପ୍ରଧାନଙ୍କ ସଭାପତିତ୍ଵ ଓ ଭୁବନେଶ୍ୱର ଶତପଥିଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବ୍ଲକ୍ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ର, ମୁଖ୍ୟବକ୍ତା ଭାଵରେ ହୀରାଲାଲ ଧଳ ଓ ସମ୍ମାନୀତ ଅତିଥି ଭାବରେ ସଂଘର ସଭାପତି ଗୁରୁଚରଣ ଵିଶ୍ଵାଳ, ପୂର୍ଵତନ କେଡ଼ର୍ ସଂଘର ସଭାପତି ପ୍ରଦୀପ ବିଶ୍ଵାଳ, ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ଚନ୍ଦ୍ରମଣି ଵେହେରା ଓ ସଙ୍ଗଠନ ସମ୍ପାଦକ ଗୌତମ୍ ପ୍ରଧାନ ପ୍ରମୁଖ ଯୋଗ ଦେଇ ଅଵସରପ୍ରାପ୍ତ ଅଧିକାରୀ ଓ ଶିକ୍ଷକ ମାନଙ୍କ ର ଭୂମିକା ତଥା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।

ରଶ୍ମିତା ମହାନ୍ତି ଵିଦାୟ ଗୀତିକା ଗାନ କରିଥିବା ବେଳେ ଗୀତାରାଣୀ ସାହୁ ସ୍ଵରଚିତ କବିତା ଆଵୃତ୍ତି କରି ଥିଲେ। ସଂଘର ଉପସଭାପତି ପ୍ରମୋଦ କୁମାର ପ୍ରଧାନ ଧନ୍ୟଵାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏକାଥରେ ୪୦ ହଜାର ଶିକ୍ଷକଙ୍କୁ ପଦୋନ୍ନତି କଲେ ରାଜ୍ୟ ସରକାର

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ ୪୦ ହଜାର ୫୨ ଜଣ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ଲେବୁଲ-୫ରେ ୧୭ ହଜାର ୨୨୯ ଜଣ ଶିକ୍ଷକ ପଦୋନ୍ନତି ପାଇଥିବାବେଳେ ଲେବୁଲ୍‌-୪ରେ ୨୨ ହଜାର ୧୬୮ ଏବଂ ଲେବୁଲ୍‌-୩ରେ ୬୫୫ ଜଣ ଶିକ୍ଷକଶିକ୍ଷୟିତ୍ରୀ ପଦୋନ୍ନତି ପାଇଛନ୍ତି । ଏହାକୁ ନେଇ ଶିକ୍ଷକ ମହଲରେ ଆନନ୍ଦ ପ୍ରକାଶ ପାଇଛି ଏବଂ ଶିକ୍ଷକଶିକ୍ଷୟିତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

କିଶୋର ପଟ୍ଟନାୟକ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଶିକ୍ଷକ ମାନଙ୍କ ପଦୋନ୍ନତି ତାଲିକା ତ୍ରୁଟିପୂର୍ଣ୍ଣ ଥିବା ଦର୍ଶାଇ ଆଜି ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ନୂତନ ଓ ସଂଶୋଧନ ପଦୋନ୍ନତି ତାଲିକା ପ୍ରସ୍ତୁତ କରିବାକୁ ଦାବି କରି ଆଜି ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷକ ମାନଙ୍କୁ ସ୍ତର ‘ପଞ୍ଚମ ଏ’ ରୁ ‘ପଞ୍ଚମ ବି’ ଏବଂ ସ୍ତର ଚତୁର୍ଥ ରୁ ତୃତୀୟ କର୍ମଚାରୀ ପାଇଁ ପଦୋନ୍ନତି କରିବାକୁ ନିର୍ଦ୍ଦେଶ ଆସିଛି। ଏଥି ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାର ଶିକ୍ଷା ବିଭାଗକୁ ବିଜ୍ଞପ୍ତି ଜାରି କରିଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ସମସ୍ତ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟକୁ ଆଧାର କରି ପଦୋନ୍ନତି ଦିଆଯିବା ବ୍ୟବସ୍ଥା କରିଛି। କିନ୍ତୁ, ନବରଙ୍ଗପୁର ଜିଲ୍ଲାରେ ବରିଷ୍ଠ ଶିକ୍ଷକଙ୍କ ପଦୋନ୍ନତି ନଥିପତ୍ର ପ୍ରସ୍ତୁତି କରିବାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ଯେଉଁଠି ନବରଙ୍ଗପୁର ଶିକ୍ଷା ବିଭାଗ ଦ୍ୱାରା ତାଲିକା ପ୍ରସ୍ତୁତି କରିବାରେ ତ୍ରୁଟିପୂର୍ଣ୍ଣ କରିବା ସହ ସରକାରଙ୍କ ନିର୍ଦ୍ଦେଶନାମାକୁ ଉଲଂଘନ କରାଯାଇଥିବା ଅଭିଯୋଗ କରିଛି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ।

ଏଥିସହ ରାଜ୍ୟ ଶିକ୍ଷା ବିଭାଗ ନିର୍ଦେଶକଙ୍କ ସ୍ପଷ୍ଟୀକରଣ ପତ୍ର ସଂଖ୍ୟା ୧୩୫୭, ତାରିଖ -୦୫.୦୫.୨୦ ପ୍ରକାରେ ପଦୋନ୍ନତି ତାଲିକା ପ୍ରସ୍ତୁତି କରିବାକୁ ଦାବି କରି ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ। ଅନ୍ୟ ପଟେ ଜିଲ୍ଲା ଶିକ୍ଷା ଅଧିକାରୀ ନବରଙ୍ଗପୁର ଜିଲ୍ଲାର ସମସ୍ତ ଶିକ୍ଷକ ମାନଙ୍କ ନଥିପତ୍ର ତ୍ରୁଟି ରହି ଥିବାରୁ ପୁନର୍ବାର ସମୀକ୍ଷା କରାଯାଉଛି ବୋଲି ସୂଚନା ଦେଇଛନ୍ତି।