Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ପ୍ରାର୍ଥୀପତ୍ର ନାମାଙ୍କନ ପରେ ମୁଣ୍ଡ ବିନ୍ଧା, ଦଳୀୟ ପ୍ରାର୍ଥୀଙ୍କୁ ଧୂଳି ଚଖାଇବେ କି ସ୍ୱାଧୀନ ପ୍ରାର୍ଥୀ!

ସୀତାରାମ ଅଗ୍ରୱାଲ

ଚିଲିକା: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ଧିରେ ଧିରେ ଉଷ୍ମ ହେବାରେ ଲାଗିଛି। ଇତି ମଧ୍ୟରେ ଚିଲିକା ନିର୍ବାଚନ ମଣ୍ଡଳୀରେ ଚିଲିକା ବ୍ଲକ ଓ ବାଣପୁର ବ୍ଲକରୁ ୬ ଟି ଜିଲ୍ଲା ପରିଷଦ ଜୋନ ଏବଂ ୩୪ଟି ପଂଚାୟତରେ ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିସାରିଲେଣି। ଆସନ୍ତା ୨୫ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପାଇବ। ମାତ୍ର ସବୁ ପଂଚାୟତରେ ଦଳୀୟ ଅସନ୍ତୁଷ୍ଟମାନେ ଫସର ଫଟାଇବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଶାସକ ଦଳରେ କ୍ରମାଗତ ଭାବେ ଗୋଷ୍ଠୀ କନ୍ଦଳ ତୀବ୍ର ରହିଥିବା ସ୍ଥଳେ ବିରୋଧୀ ଦଳ ମଧ୍ୟ କିଛି କମ ନୁହେଁ। ଶାସକ ଦଳରେ ଫାଟ ଥାଇ ମଧ୍ୟ ବିରୋଧୀ ଏହାର ଫାଇଦା ନେବା ପରିବର୍ତ୍ତେ ନିଜ ଦଳର ଉଚିତ ପ୍ରାର୍ଥୀ ଚୟନ ନେଇ ଦ୍ଵନ୍ଦରେ ପଡିଛି।ଯେଉଁ ପଂଚାୟତ ଗୁଡିକରେ ସରଂକ୍ଷିତ ପଦବୀ ରହିଛି ସେସବୁ ପଂଚାୟତରେ ଦଳ ତରଫରୁ ପ୍ରାର୍ଥୀ ଚୟନ ସୁରୁଖୁରୁରେ କରାଯାଇଛି। କିନ୍ତୁ ଯେଉଁ ପଂଚାୟତ ଗୁଡିକ ଅଣସରଂକ୍ଷିତ ରହିଛି ସେସବୁ ପଂଚାୟତରେ ପ୍ରାର୍ଥୀ ଚୟନ ନେଇ ଦଳୀୟ କନ୍ଦଳ ସ୍ପଷ୍ଟ ବାରି ହୋଇପଡୁଛି।

ଶାସକ ହେଉ ଅବା ବିରୋଧୀ ମନ ଇଚ୍ଛା ଦଳୀୟ ସମର୍ଥନ ପ୍ରାର୍ଥୀ ତାଲିକା ଘୋଷଣା ପରେ ଅନେକ ଆଶାୟୀ ନିରୁତ୍ସାହିତ ହୋଇଛନ୍ତି। ଯାହାଫଳରେ ଅନେକ ଅସନ୍ତୁଷ୍ଟ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସୂଚନା ମୁତାବକ ଚିଲିକା ବ୍ଲକର ୧୭ ଗୋଟି ପଂଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ୭୬ ଜଣ, ସମିତି ସଭ୍ୟ ପାର୍ଥି ଭାବେ ୫୨ ଜଣ, ୱାର୍ଡ ସଭ୍ୟ ପାର୍ଥି ଭାବେ ୪୨୮ ଜଣ ଏବଂ ବାଣପୁର ବ୍ଲକର ୧୭ ଗୋଟି ପଂଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ୮୧ ଜଣ, ସମିତି ସଭ୍ୟ ପ୍ରାର୍ଥୀ ଭାବେ ୬୯ ଜଣ, ୱାର୍ଡ ସଭ୍ୟ ପ୍ରାର୍ଥୀ ଭାବେ ୪୬୧ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯାହାଫଳରେ ପ୍ରତ୍ୟେକ ପଂଚାୟତରେ ଅସନ୍ତୁଷ୍ଟମାନେ ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିବାସହ ନିର୍ବାଚନୀ ଫଳାଫଳକୁ ପ୍ରଭାବିତ କରିବେ ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି।