ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ଡଃ ସଜ୍ଜନ ଯାଦବଙ୍କ ଦ୍ୱାରା ଲିଖିତ ‘ଲକ୍ଷ୍ୟ ୟୁପିଏସସି : ଯୁବା ଆଇଏଏସ୍ ଅଧିକାରୀଙ୍କ ପ୍ରେରଣାଦାୟୀ କାହାଣୀ’ ପୁସ୍ତକକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି।
ଶ୍ରୀ ପ୍ରଧାନ ଲେଖକ ଡଃ ଯାଦବଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଁ ଅଭ୍ୟର୍ଥୀମାନଙ୍କର ଅଥକ ପରିଶ୍ରମ, ପୁରୁଷାର୍ଥ ଓ ସଂକଳ୍ପଶକ୍ତିକୁ ଦର୍ଶାଉଥିବା ଏହି ପୁସ୍ତକ, ପ୍ରଶାସନିକ ସେବା କରିବାକୁ ଚାହୁଁଥିବା ଅଗଣିତ ଯୁବବର୍ଗଙ୍କ ପାଇଁ ଏକ ପ୍ରେରଣା ସ୍ରୋତ ହେବ। ଏହି ପୁସ୍ତକ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଇଥିବା ବ୍ୟକ୍ତିଙ୍କ ପାଇଁ ନିଶ୍ଚିତ ଭାବେ ଏକ ଉପଯୋଗୀ ଓ ପ୍ରେରଣାଦାୟୀ ପଦକ୍ଷେପ।
ସେ କହିଛନ୍ତି ଯେ ଗଣତନ୍ତ୍ରରେ ଅଧିକାରଗୁଡିକର ଯେତିକି ଦାୟିତ୍ୱ ଅଛି, କର୍ତ୍ତବ୍ୟର ମଧ୍ୟ ସେତିକି ମହତ୍ତ୍ୱ ଅଛି। ବଦଳୁଥିବା ସମୟ ସହିତ, ଆମର କର୍ତ୍ତବ୍ୟ ଏବଂ ଆକାଂକ୍ଷାଗୁଡ଼ିକର ସ୍ୱରୂପ ମଧ୍ୟ ବଦଳୁଛି। ସର୍ଦ୍ଦାର ପଟେଲ ସିଭିଲ ସେବାକୁ ଭାରତର “ଷ୍ଟିଲ୍ ଫ୍ରେମ୍” ବୋଲି ଅଭିହିତ କରିଥିଲେ। ଆଜି, ପ୍ରଯୁକ୍ତିବିଦ୍ୟାର ବିକାଶ ସହିତ ଯେତେବେଳେ ଷ୍ଟିଲକୁ ଅଧିକ ଶକ୍ତିଶାଳୀ କରାଯାଉଛି, ଆମକୁ ସମୟ ଅନୁସାରେ ନିଜକୁ ବିକଶିତ କରିବା ଦରକାର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିର୍ଦ୍ଧାରିତ ବିକଶିତ ଭାରତ- ୨୦୪୭ର ସଂକଳ୍ପକୁ ପୂରା କରିବା ପାଇଁ ଆମକୁ ସମୟୋପଯୋଗୀ ଢାଞ୍ଚା ତିଆରି କରିବା ଦରକାର। ସମସ୍ତଙ୍କୁ ନିଜର ଦାୟିତ୍ୱକୁ ସମ୍ପୂର୍ଣ୍ଣ ନିଷ୍ଠାରେ ନିର୍ବାହ କରିବାକୁ ପଡ଼ିବ। ଯେତେବେଳେ ପ୍ରତ୍ୟେକ ନାଗରିକ ନିଜର ଦାୟିତ୍ୱ ପାଳନ କରିବେ, ସେତେବେଳେ ୧୪୦ କୋଟି ଦେଶବାସୀଙ୍କର ଅଧିକାର ସୁରକ୍ଷିତ ଓ ସଶକ୍ତ ରହିବ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି।