Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମରେ କାମ କରୁନି ପ୍ଲାଜମା ଥେରାପୀ ! ନୂତନ ୧୭୯ ସଂକ୍ରମିତ ଚିହ୍ନଟ: ୫ ମୃତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ପୂର୍ବବତ୍ତ ଉଚ୍ଚ ରହିଛି। କାହିଁକି ଏହି ମୃତ୍ୟୁଦର କମୁନାହିଁ ତାହା ନେଇ କୌଣସି ସଠିକ୍ ଉତ୍ତର ମଧ୍ୟ ମିଳୁନାହିଁ। ସେପଟେ ଯେତିକି ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି ପ୍ରାୟ ସମସ୍ତେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ରହିଛନ୍ତି। ତେବେ କ’ଣ ମେଡ଼ିକାଲ୍‌ରେ କରୋନା ସହ ଏହି ରୋଗଗୁଡ଼ିକର ଚିକିତ୍ସାରେ ଅବହେଳା କରାଯାଉଛି କି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

ତେବେ କରୋନା ପାଇଁ ପ୍ଲାଜମା ରାମବାଣ ହୋଇଥିବା ପ୍ରଶାସନ କହୁଥିବାବେଳେ ଗତ ଜୁଲାଇ ୨୧ ତାରିଖରୁ ପ୍ଲାଜମା ପ୍ରଦାନ ଆରମ୍ଭ ହୋଇଥିଲା। ସେହିଦିନ ପର୍ଯ୍ୟନ୍ତ ଗଂଜାମରେ ମୃତ୍ୟୁସଂଖ୍ୟା ୫୯ ଥିବାବେଳେ ଆଜି ପର୍ଯ୍ୟନ୍ତ ସମୁଦାୟ ୧୭୯ ଜଣଙ୍କ ମୃତ୍ୟୁ ଘଟିଲାଣି। ତେବେ ପ୍ଲାଜମା ଥେରାପୀ କୌଣସି କାମ କରୁଛି କି ନାହିଁ ବୋଲି ବି ଲୋକେ ପ୍ରଶ୍ନ ଉଠାଇଲେଣି।

ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି ଯେ ଆଜି ପର୍ଯ୍ୟନ୍ତ ଗଂଜାମରେ ୨୮୭ ଜଣ ପ୍ଲାଜମା ଦେବା ପାଇଁ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୬୭ ୟୁନିଟ୍ ପ୍ଲାଜମା ସଂଗ୍ରହ ହୋଇଛି। ୬୭ ଜଣଙ୍କୁ ପ୍ଲାଜମା ପ୍ରଦାନ କରାଯାଇଥିବାବେଳେ ବର୍ତ୍ତମାନ ୧୬ ଜଣ ସୁସ୍ଥ ହୋଇଥିବା ନେଇ ପ୍ରଶାସନ ସ୍ପଷ୍ଟ କରିଛି। ଆଜି ମଧ୍ୟ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ମଧ୍ୟରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଯେକି ମଧୁମେହ ରୋଗୀ, ୬୮ ବର୍ଷୀୟ ବୃଦ୍ଧା ଯେକି ମଧୁମେହ ରୋଗୀ, ୬୦ ବର୍ଷୀୟ ବୃଦ୍ଧ ଯେକି ମଧୁମେହ ରୋଗୀ, ୬୩ ବର୍ଷୀୟ ବୃଦ୍ଧ ଯେକି ମଧୁମେହ ରୋଗୀ ଏବଂ ଅନ୍ୟଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛିି।

ଆଜି ନୂତନ ସଂକ୍ରମିତ ମଧ୍ୟରେ ୧୮ ଜଣ କରୋନା ଯୋଦ୍ଧା ଥିବାବେଳେ ୧୬୧ ଜଣ ବିଭିନ୍ନ ବ୍ଲକ୍‌ର ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ରହିଛନ୍ତି। ବ୍ରହ୍ମପୁର ମହାନଗର ନିଗମରେ ନୂତନ ଭାବେ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସଂକ୍ରମିତ ସଂଖ୍ୟା ୩ ହଜାର ଛୁଇଁଛି। ୨୬୨୬ (୮୭.୫%) ସୁସ୍ଥ, ୩୨୨ (୧୦.୭୩ ଆକ୍ଟିଭ୍‌), ୫୩ (୧.୭୭%) ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୬୦୧୨ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବାବେଳେ ଆଜି ୧୪୧୭ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି। ସେଥିମଧ୍ୟରୁ ୨୮୭ ଜଣ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବା ପାଇଁ ଚିହ୍ନଟ ହୋଇଛନ୍ତି। ଆଜି ମଧ୍ୟ ୨୩୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ପର୍ଯ୍ୟନ୍ତ ୧୬୫୨୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪୬୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୬୬୦ ଜଣ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ୧୭୯ ଜଣଙ୍କ ମୃତ୍ୟୁ ଘଟିଛି।