Categories
ଖେଳ ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଲେ ଅଲିମ୍ପିକ ବିଜୟୀ ଭାରତୀୟ ହକି ଦଳ

ଭୁବନେଶ୍ୱର: ଅଲିମ୍ପିକ ରେ ବ୍ରୋଂଜ଼ ପଦକ ବିଜୟୀ ଭାରତୀୟ ହକି ଦଳ, ହକି ଇଣ୍ଡିଆ ସଭାପତି ଶ୍ରୀ ଦିଲୀପ ତୀର୍କୀଙ୍କ ନେତୃତ୍ୱରେ ଆଜି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଶ୍ରୀ ପଟ୍ଟନାୟକ ଖେଳାଳୀ ମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବ କୁ ଆହୁରି ଉଚ୍ଚା କୁ ନେବା ପାଇଁ କାମ ଜାରି ରଖିବା ପାଇଁ ଖେଳାଳୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଆଗାମୀ ଅଲମ୍ପିକରେ ଓଡିଶା ତଥା ଭାରତ ହକି ରେ ସୁନା ପଦକ ଆଶା ରଖିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଖେଳାଳୀମାନଙ୍କୁ ଉପାୟନ ଓ ରୁପା ତାରାକସିର କୋଣାର୍କ ଚକ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଖେଳାଳୀ ମାନେ ସେମାନଙ୍କ ସ୍ଵାକ୍ଷର ସମ୍ବଳିତ ଜର୍ସି ଶ୍ରୀ ପଟ୍ଟନାୟକ ଙ୍କୁ ପ୍ରଦାନ କରିଥିଲେ.
ସମ୍ବର୍ଦ୍ଧନା ର ଉତ୍ତର ଦେଇ ଖେଳାଳୀ ମାନେ କହିଥିଲେ ଯେ ଭାରତୀୟ ହକି ଦଳ ସବୁବେଳେ ଓଡିଶା ତଥା ଓଡିଶା ବାସୀଙ୍କ ନିକଟରେ ନିକଟରେ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞ ରହିବ।

ଯେତେବେଳେ ହକି ପାଇଁ କେହି ପ୍ରୟୋଜକ ଆଗେଇ ଆସି ନ ଥିଲେ ସେତେବେଳେ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇ ଥିଲେ ଏବଂଓଡିଶା ଭାରତୀୟ ହକି ଦଳ ର ପ୍ରାୟୋଜିକ ଦାୟିତ୍ୱ ନେଇଥିଲା। ଯାହାର ଫଳଶୃତି ସ୍ୱରୂପ ଆଜି ଅଲମ୍ପିକ ରେ ଭାରତୀୟ ହକି ଲଗାତାର ଦୁଇ ଥର ପଦକ ଜିତିବାରେ ସଫଳ ହୋଇ ପାରିଛି। ଓଡିଶା ବାସୀଙ୍କ ସମର୍ଥନ ଯୋଗୁଁ ଭାରତୀୟ ହକି ତାର ହୃତ ଗୌରବ ଫେରି ପାଇଛି ବୋଲି ଖେଳାଳୀ ମାନେ ପ୍ରକାଶ କରିବା ସହ ଶ୍ରୀ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅଲମ୍ପିକ୍ସ ସଫଳତା ନେଇ ଭାରତୀୟ ହକି ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଘୋଷଣା କଲେ ପୁରସ୍କାର ରାଶି

ଭୁବନେଶ୍ୱର: ଭୁବନେଶ୍ବର ଆଜି ଥିଲା ଉତ୍ସବ ମୁଖରିତ। ବିଶ୍ବ ବିଜୟୀ ଭାରତୀୟ ହକି ଦଳର ହିରୋ ମାନଙ୍କୁ ଆଜି ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା। ପ୍ୟାରିସ ଅଲମ୍ପିକ୍‌ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଆଜି ସମସ୍ତ ଖେଳାଳୀ ଓ ସହାୟକ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନଙ୍କୁ ଉଚ୍ଛସିତ ସ୍ବାଗତ କରାଯାଇଥିଲା ଏବଂ ଲୋକସେବା ଭବନର କନ୍‌ଭେନସନ ହଲ୍‌ ଠାରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ। ଓଡିଆ ଖେଳାଳୀ ଅମିତ୍‌ ରୋହିଦାସଙ୍କୁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଟିମ୍‌ର ଗୋଲକିପର ଶ୍ରୀ ପି.ଆର. ଶ୍ରୀଜେସ୍‌ଙ୍କୁ ସ୍ବତନ୍ତ୍ର ଭାବେ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ୪ ଜଣ ସପୋର୍ଟିଂ ଷ୍ଟାଫ୍‌ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ “ଭାରତୀୟ ହକି ଦଳର ଏହି କାଂସ୍ୟ ପଦକ, ଏକ ଦୃଢନିଷ୍ଠ ସ୍ୱର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଆହ୍ୱାନ ପ୍ରଦାନ କରିଛି। ଭାରତୀୟ ହକିର ପୁନର୍ଜନ୍ମରେ ଓଡିଶାର ମହତ୍ବପୂର୍ଣ୍ଣ ଭୂମିକା ପାଇଁ ମୁଁ ଗର୍ବିତ। ଓଡିଶା ସବୁ ସମୟରେ ଭାରତୀୟ ହକି ଦଳ ସହିତ ଜଣେ ସୁଖଦୁଃଖର ସାଥି ଭଳି ରହିଆସିଛି।”

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲସ୍‌ ଏଞ୍ଜେଲେସ୍‌ ଅଲମ୍ପିକ୍‌ସ ସହିତ ଜାତୀୟ ହକି ଦଳର ଆଗାମୀ ସମସ୍ତ ଅଭିଯାନରେ ଦଳ ପ୍ରତି ଓଡିଶା ଏବଂ ଓଡିଶାବାସୀଙ୍କର ଦୃଢ ସମର୍ଥନ ଜାରି ରହିବ। ସେ କହିଥିଲେ ଯେ ଆମ ସରକାର ସଂପୂର୍ଣ୍ଣ ଭାବରେ ଆମର ଖେଳାଳୀ ମାନଙ୍କ ସହିତ ଅଛନ୍ତି। ଆଗାମୀ ଦିନରେ ସେମାନେ ଯେପରି ଆହୁରି ବଡ ସଫଳତା ହାସଲ କରିବେ, ସେଥିପାଇଁ ସେମାନଙ୍କୁ ସବୁପ୍ରକାର ସୁବିଧା ଓ ପ୍ରୋତ୍ସାହନ ଦିଆଯିବ। ହକିର ବିକାଶ ପାଇଁ ଆମେ ଆହୁରି ନୂଆ ନୂଆ ପଦକ୍ଷେପ ନେବୁ। ଆମର ଖେଳାଳୀ ମାନେ ଯେପରି ବିଶ୍ବସ୍ତରରେ ଶୀର୍ଷରେ ରହିବେ, ତାହା ଆମେ ସୁନିଶ୍ଚିତ କରିବୁ।

ସେ କହିଥିଲେ ଯେ 1928 ମସିହାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ହକି ଟିମ୍ ଅଲମ୍ପିକ୍ସ ପ୍ରତିଯୋଗିତାର ବିଭିନ୍ନ ସଂସ୍କରଣରେ ଅଂଶଗ୍ରହଣ କରି 8ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ 4ଟି କାଂସ୍ୟ ପଦକ ସହିତ ସର୍ବମୋଟ 13ଟି ଅଲମ୍ପିକ୍ସ ପଦକ ହାସଲ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୮୦ ମସ୍କୋ ଅଲମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଆମ ସମସ୍ତଙ୍କ ମନରେ ଦୁଇଟି ପ୍ରଶ୍ନ ଆସିଥିଲା । ପ୍ରଥମ ହେଉଛି – ଆମର ପରବର୍ତ୍ତୀ ପଦକ ଆମେ କେବେ ପାଇବୁ। କେହି ଭାବି ନ ଥିଲେ ଯେ ଏଥିପାଇଁ ୪୧ ବର୍ଷ ଲାଗିଯିବ। ଏମିତି ସମୟ ଆସିଥିଲା ଯେ ଗୋଟିଏ ସମୟରେ ଏହା ଅସମ୍ଭବ ଲାଗୁଥିଲା । କିନ୍ତୁ ଟୋକିଓ ଅଲମ୍ପିକ୍‌ସରେ ପଦକ ଜିତି ଭାରତୀୟ ଦଳ ଅସମ୍ଭବକୁ ସମ୍ଭବ କରିଥିଲା। ତାପରେ ପୁଣି ପ୍ରଶ୍ନ ଥିଲା ଯେ ଆମେ କଣ ପୂର୍ବ ଭଳି ଲଗାତାର ପଦକ ଜିତି ଆମର ହୃତଗୌରବକୁ ଫେରି ପାଇବୁ? ପ୍ୟାରିସ ଅଲମ୍ପିକ୍‌ସ ଏହାର ଉତ୍ତର ଥିଲା । ୧୯୭୨ ପରେ ପ୍ରଥମ ଥର ପାଇଁ ଆମ ଦଳ ଲଗାତାର ପଦକ ଜିତି ଆମର ଗୌରବକୁ ପୁଣି ଥରେ ଫେରାଇ ଆଣିଲା ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଖେଳ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ମାଧ୍ୟମ । ଏହା ଆମକୁ ଏକତା, ଅନୁଶାସନ ଓ ସଂଘର୍ଷର ଶିକ୍ଷା ଦେଇଥାଏ । ହକି ଭଳି ଖେଳ ଆମକୁ ଏହି ପ୍ରେରଣା ଦିଏ ଯେ ଆମେ ଜୀବନର ସବୁକିଛି ଆହ୍ବାନର ମୁକାବିଲା କରି ନିଜର ପରିଚୟ ସୃଷ୍ଟି କରିପାରିବୁ। ଭାରତୀୟ ଟିମ୍‌ର ସଫଳତାର ଅନୁପ୍ରେରଣା ହେଉଛି ଯେ ଆମେ ଯଦି ଏକଜୁଟ ହୋଇ ନିଜର ଲକ୍ଷ୍ୟ ହାସଲରେ ଲାଗିପଡିବୁ, ତେବେ ଯେକୌଣସି କଠିନ ପରିସ୍ଥିତିର ମୁକାବିଲା କରିପାରିବୁ ।

ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଆମର କ୍ରୀଡ଼ାବିତ୍ ମାନେ ହେଉଛନ୍ତି ଆମ ପ୍ରେରଣାର ଉତ୍ସ। ସୁଦୃଢ ସମାଜ ନିର୍ମାଣର ଆଧାର। ଖେଳାଳୀ ମାନେ ହେଉଛନ୍ତି, ଆମ ରାଜ୍ୟ ଓ ଦେଶର ଭବିଷ୍ୟତ। ଆପଣମାନେ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ, ଆମ ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବେ ଏହାହିଁ ମୋର ଆଶା ଓ ବିଶ୍ୱାସ।
ଓଡ଼ିଶାର କ୍ରୀଡ଼ାକ୍ଷେତ୍ରରେ, ଉପାନ୍ତ ଅଞ୍ଚଳରୁ ଆସୁଥିବା କ୍ରୀଡ଼ାବିତ୍ ମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ନିଜର ଗାଁ ମାଟିରୁ ହିଁ ଆମର କ୍ରୀଡ଼ାବିତ୍ ମାନେ କ୍ରୀଡ଼ା ଜଗତରେ ନିଜର ଦୃଢ଼ନିଷ୍ଠ ସ୍ୱର୍ଣ୍ଣିମ ଭବିଷ୍ୟତର ଯାତ୍ରା ଆରମ୍ଭ କରିଥାନ୍ତି। ତେଣୁ ତୃଣମୂଳ ସ୍ତରରୁ ଆସୁଥିବା ଏହି କ୍ରୀଡା ପ୍ରତିଭା ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।

କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ଯାହା ବିଶ୍ବ ପାଇଁ କାଂସ୍ୟ, ତାହା ଆମ ପାଇଁ ସ୍ବର୍ଣ୍ଣ। ଟୋକିଓରୁ ପ୍ୟାରିସ ପର୍ଯ୍ୟନ୍ତ ଆମ ଖେଳାଳୀ ମାନେ ଆମକୁ ଯେଉଁଭଳି ଗର୍ବ ଅନୁଭବ କରିବାକୁ ଦେଇଛନ୍ତି, ସେଥିପାଇଁ ଆମେ ସମସ୍ତେ ସେମାନଙ୍କ ପ୍ରତି କୃତଜ୍ଞ।

ଭାରତୀୟ ହକି ଟିମ୍‌ର ଗୋଲକିପର ଶ୍ରୀ ପି.ଆର୍‌. ଶ୍ରୀଜେସ୍‌ କହିଥିଲେ ଯେ ଓଡିଶା ହେଉଛି ମୋର ଦ୍ବିତୀୟ ଘର। ଓଡିଶା ହକି ପାଇଁ ଯେଉଁ ପ୍ରୋତ୍ସାହନ ଦେଇଛି, ତାହା ଆଜି ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି। ଭୁବନେଶ୍ବର ଓ ରାଉରକେଲାରେ ଆମକୁ ଯେଉଁ ସ୍ନେହଶ୍ରଦ୍ଧା ମିଳୁଛି, ତାହା ଆଉ କେଉଁଠି ମିଳେ ନାହିଁ ବୋଲି ସେ କହିଥିଲେ ।

ଏହି ସମ୍ବର୍ଦ୍ଧନା ସଭାରେ ଭାରତୀୟ ଦଳର ଉପସ୍ଥିତ ଥିବା ଖେଳାଳୀମାନେ ହେଲେ – କ୍ୟାପଟେନ୍‌ ହରମନ୍‌ପ୍ରୀତ୍ ସିଂହ, ମନପ୍ରୀତ ସିଂହ, ବିବେକ ସାଗର, ହାର୍ଦ୍ଦିକ ସିଂହ, ସୁଖଜିତ ସିଂହ, ସମଶେର ସିଂହ, ମନଦୀପ ସିଂହ, ଜର୍‌ମନପ୍ରୀତ ସିଂହ, ଗୁରୁଜାନ୍ତ ସିଂହ, ରାଜକୁମାର ପାଲ୍‌, ଲଳିତ କୁମାର ଉପାଧ୍ୟାୟ, ସୁମିତ, ସଂଞ୍ଜୟ, ଅଭିଷେକ, ଅମିତ ରୋହିଦାସ ଏବଂ ପି.ଆର୍‌ ଶ୍ରୀଜେସ୍ । ସେମାନଙ୍କ ସହିତ ୪ ଜଣ ସପୋର୍ଟିଂ ଷ୍ଟାଫ ମଧ୍ୟ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭାରତୀୟ ହକି ଦଳକୁ ବାଲୁକା କଳାର ଏକ ପୋଟ୍ରେଟ୍‌ ଉପହାର ଦେଇଥିଲେ। ହକି ଇଣ୍ଡିଆ ତରଫରୁ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କରଜ୍ୟୋତି ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ହକି ଇଣ୍ଡିଆ ସଭାପତି ଶ୍ରୀ ଦିଲୀପ ତିର୍କୀ ଏବଂ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ କ୍ରୀଡାବିତ୍‌ମାନେ ଉପସ୍ଥିତ ଥିଲେ ।

Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହକି ତାରକା ଅମିତ ରୋହିଦାସଙ୍କୁ ନବୀନ ନିବାସରେ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଭାରତୀୟ ହକି ଦଳ ର ଓଡ଼ିଆ ଖେଳାଳୀ ଶ୍ରୀ ଅମିତ ରୋହିଦାସ ଙ୍କୁ ଆଜି ବିରୋଧୀ ଦଳନେତା ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି।ଅମିତଙ୍କୁ ରୁପା ତାରାକାସି କାମର ରଥା ରୁଢ଼ ଜଗନ୍ନାଥ, ବଲଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଏବଂ ଉତ୍ତରୀୟ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ।

ଅମିତଙ୍କୁ ଓଡିଶାର ଗର୍ବ ଭାବରେ ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିବା ସହ ଯୁବ ପିଢ଼ିକୁ ତାଙ୍କର ସଫଳତା ପ୍ରେରଣା ଦେଇଚାଲିବ ବୋଲି କହିଥିଲେ। ଓଡିଶା ଭାରତୀୟ ହକି ଦଳକୁ ପ୍ରାୟୋଜିତ କରିବା ପରେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ଦଳ ଦୁଇ ଦୁଇଟି ବ୍ରୋଂଜ଼ ପଦକ ପାଇ ଦେଶର ଗୌରବ ବୃଦ୍ଧି କରିଥିବାରୁ ଶ୍ରୀ ପଟ୍ଟନାୟକ ଅମିତଙ୍କୁ ଓ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇ ଥିଲେ।

ଆଗାମୀ ଲସଏଞ୍ଜେଲସ ଅଲିମ୍ପିକ୍ସରେ ଭାରତୀୟ ଦଳ ଆହୁରି ଭଲ ପ୍ରଦର୍ଶନ କରି ସୁନା ପଦକ ଜିତିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ ଆଶା ବ୍ୟକ୍ତ କରିଥିଲେ। ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଜଣାଇବା ନବୀନ ପଟ୍ଟନାୟକଙ୍କୁ ପ୍ୟାରିସ ଅଲିମ୍ପିକର ମାସ୍କଟ ପ୍ରଦାନ କରିବା ସହ ଭାରତୀୟ ହକି ଦଳର ଏହି ସଫଳତାରେ ନବୀନ ପଟ୍ଟନାୟକ ଙ୍କ ପ୍ରୋତ୍ସାହନ ପାଇଁ ଦଳ ପକ୍ଷରୁ ଅମିତ ତାଙ୍କୁ କୃତଜ୍ଞତା ଜଣାଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ୟାରିସ ଅଲମ୍ପିକ୍ସ ରେ ଭାରତ ହକି ବିଜୟ, କଳିଙ୍ଗ ଷ୍ଟାଡିୟମରେ ଉତ୍ସବ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଗତକାଲି ପ୍ୟାରିସ ଅଲମ୍ପିକ୍ସରେ ଭାରତ ପୁରୁଷ ଦଳର ବ୍ରୋଞ୍ ପଦକ ହାସଲ ପରେ ମୁଖ୍ୟମନ୍ତ୍ରୀ ଆଜି କଳିଙ୍ଗ ଷ୍ଟାଡିୟମରେ ହକି କ୍ରୀଡାବିତ୍ ମାନଙ୍କ ସହିତ ଭାରତର ବିଜୟ ଉତ୍ସବ ପାଳିଛନ୍ତି। କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଉଚ୍ଚ ପଦାଧିକାରୀ ମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ।

ବାଜା ଓ ବାଣ ସହିତ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଳ ଦେଇ ଶହ ଶହ ପିଲା ଜୟ ଜଗନ୍ନାଥ ଧ୍ବନିରେ ଷ୍ଟାଡିୟମକୁ ପ୍ରକମ୍ପିତ କରିଥିଲେ। ମୁଖ୍ୟମନ୍ତ୍ରୀ କେକ କାଟି ପିଲା ମାନଙ୍କୁ ଖୋଇ ଦେଇ ଉତ୍ସବ ମନାଇ ଥିଲେ।

ସୂଚନା ଯୋଗ୍ୟ ଯେ ଗତକାଲି ଭାରତୀୟ ଦଳର ବ୍ରୋଞ୍ଜ ବିଜୟ ପରେ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ ଖେଳାଳୀ ମାନଙ୍କ ସହିତ କଥା ହୋଇ ଅଭିନନ୍ଦନ ଜଣାଇ ଥିଲେ। ପ୍ରତ୍ୟେକ ଖେଳାଳୀ ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ସହାୟକ କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଓଡ଼ିଆ ଖେଳାଳୀ ଅମିତ ରୋହୀଦାସଙ୍କ ପାଇଁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଲେ।

ଆଜି ଏହି ବିଜୟ ଉତ୍ସବ ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ” ଆଜିର ଏ କାଂସ୍ୟ ପଦକ, ଦୃଢ଼ନିଷ୍ଠ-ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଏକ ଆହ୍ୱାନ।”

ସେ ପୁଣି କହିଥିଲେ ଯେ ଗତକାଲି ଆମ ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ରଚିଲା ଇତିହାସ। ଅଲମ୍ପିକ୍ସ ରେ ଭାରତ ର ଚମତ୍କାର ପ୍ରଦର୍ଶନ ରେ ବିଶ୍ୱବାସୀ ହେଲେ ଅଭିଭୂତ। ସମଗ୍ର ଓଡ଼ିଶା ତରଫ ରୁ ମୁଁ ଭାରତୀୟ ହକି ଦଳ ର ପ୍ରତ୍ୟେକ ଖେଳାଳିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି।

ସେମାନେ ରାଜ୍ୟ ତଥା ଦେଶ କୁ ଗର୍ବିତ କରିଛନ୍ତି ଏବଂ ଲକ୍ଷ ଲକ୍ଷ ଯୁବ କ୍ରୀଡ଼ାବିତ ମାନଙ୍କୁ ପ୍ରେରଣା ଦେଇଛନ୍ତି । ଓଡ଼ିଆ ହକି ତାରକା ଅମିତ ରୋହିଦାସ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଭାରତୀୟ ହକି ରେ ଯାହାଙ୍କ ଅବଦାନ ସମସ୍ତଙ୍କ ପାଇଁ ଏକ ଆଦର୍ଶ ଏବଂ ପ୍ରେରଣା ର ଉତ୍ସ ।

ବିଶ୍ୱମଞ୍ଚ ରେ ଭାରତୀୟ ହକି ଦଳ ର ସଫଳତା ଏବଂ କ୍ରମାଗତ ବିଜୟ ସେମାନଙ୍କ ଦୃଢ଼ ନିଷ୍ଠା ଏବଂ ଅକ୍ଲାନ୍ତ ପରିଶ୍ରମ ର ପ୍ରମାଣ ପ୍ରଦାନ କରିଛି। ଆମ ଭାରତୀୟ ହକି ଦଳ କୁ ସମସ୍ତ ପ୍ରକାର ର ସାହାଯ୍ୟ ସହଯୋଗ ଯୋଗାଇ ଦେବାରେ ଓଡ଼ିଶା ସରକାର ତତ୍ପର ଏବଂ ପ୍ରତିଶ୍ରୁତିବଦ୍ଧ।

ଆମେ ଆମର ଖେଳାଳିମାନଙ୍କ ପାଇଁ ସବୁବେଳେ ଛିଡ଼ା ହେବା ସହ ସେମାନଙ୍କୁ ତୃଣମୂଳସ୍ତରରୁ ବିଶ୍ଵମଞ୍ଚକୁ ଯିବାରେ ସାହାଯ୍ୟ କରିବୁ। ଆମ ସରକାର ଆଗକୁ ଆସି ଏହା ସୁନିଶ୍ଚିତ କରାଇବେ ଯେ ଆମ ରାଜ୍ୟର ଖେଳାଳି ମାନେ ରାଜ୍ୟ ତଥା ଦେଶ ପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତର ରେ ସୁନାମ ଆଣିବେ।

ମୁଁ ଆପଣମାନଙ୍କ ମଧ୍ୟରେ ଦେଖିପାରୁଛି ଜଣେ ଜଣେ ଅମିତ ରୋହିଦାସ, ଦୀପ୍ ଗ୍ରେସ୍ ଏକ୍କା, ଲଜାରୁସ୍ ବାର୍ଲା, ଦିଲ୍ଲୀପ ତିର୍କୀ। ସେଦିନ ଆଉ ଦୂର ନାହିଁ ଯେବେ ଏଇଠି ବସିଥିବା ପିଲାମାନଙ୍କ ମଧ୍ୟରୁ ଜଣେ ଭାରତୀୟ ହକି ଦଳ ର ଅଧିନାୟକ ବା ଅଧିନାୟିକା ହୋଇ ବାହାରିବେ; ବିଶ୍ଵମଞ୍ଚ ରେ ଭାରତ ପାଇଁ ପଦକ ଜିତିବେ ଏବଂ ଚମତ୍କାର ପ୍ରଦର୍ଶନ ବଳରେ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବେ।

“ଯେତେ ବାଧାବିଘ୍ନ ଆସୁ ଆମେ ଯଦି ଅଟଳ ରହିବା ତାହେଲେ ବିଜୟ ଆମର ହିଁ ହେବ – ଭାରତୀୟ ହକି ଦଳ ଏହାର ଏକ ଜ୍ୱଳନ୍ତ ଉଦାହରଣ।” ଆଗାମୀ ଭବିଷ୍ୟତ ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । “

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ଗୌରବ ଆଣିଛନ୍ତି। ସ୍ପେନକୁ ଭାରତ ୨-୧ ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ଏହି ଖବର ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଟିମକୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ସହିତ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି।

ଫୋନରେ ନବୀନ କହିଛନ୍ତି ଯେ, ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ। ଆପଣମାନେ ଭାରତ ପାଇଁ ବିଶେଷ କରି ଓଡିଶା ପାଇଁ ଗର୍ବ ଆଣିଛନ୍ତି। ଏହାର ଉତ୍ତରରେ ଓଡିଆ ହକି ଖେଳାଳୀ ଅମିତ ରୋହଦାସ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଯେ, ଆପଣ ହକିକୁ ପ୍ରାୟୋଜିତ କରିଥିବାରୁ ଆପଣଙ୍କୁ ମଧ୍ୟ ଧନ୍ୟବାଦ।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅଲମ୍ପିକ୍ସ ହକିରେ ଭାରତକୁ ମିଳିଲା ବ୍ରୋଞ୍ଜ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କଲେ ଆର୍ଥିକ ପୁରସ୍କାର

ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକସ୍‌ରେ ସ୍ପେନ ବିରୁଦ୍ଧରେ ଚମକପ୍ରଦ ବିଜୟ ହାସଲ କରି ବ୍ରୋଞ୍ଜ ପଦକ ପାଇଥିବାରୁ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ, ପ୍ରଶିକ୍ଷକ କ୍ରେଗ ଫଲଟନ, ସମସ୍ତ ଖେଳାଳି ଓ ସହାୟକ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ସହିତ ଫୋନରେ କଥା ମଧ୍ୟ ହୋଇଛନ୍ତି। ଏହି ବ୍ରୋଞ୍ଜ ପଦକ ବର୍ଷବର୍ଷ ଧରି ହକି ପ୍ରତି ଆମର ଉତ୍ସର୍ଗୀକୃତ ମନୋଭାବର ପ୍ରତିଫଳନ ଅଟେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ଯେ, ପ୍ରତ୍ୟେକ ଓଡ଼ିଶାବାସୀ ଏହି ସଫଳତାରେ ଗର୍ବିତ। ହକି ଖେଳାଳିମାନେ ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସେମାନଙ୍କୁ ଶୀଘ୍ର ଓଡିଶା ଆସିବାକୁ ସେ ନିମନ୍ତ୍ରଣ କରିଛନ୍ତି। ବିଶେଷ କରି ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ସେହିପରି ଓଡିଆ ଖେଳାଳି ଅମିତ୍ ରୋହିଦାସଙ୍କୁ ଚାରି କୋଟି ଟଙ୍କାର ସ୍ଵତନ୍ତ୍ର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ଓଡ଼ିଶାର ଅସଂଖ୍ଯ କ୍ରୀଡାବିତଙ୍କୁ ଏହି ସଫଳତା ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

Paris Olympics: ମନୁ ଭାକର ଏବଂ ସ୍ୱପ୍ନିଲ କୁସାଲେଙ୍କ ସହ ବହୁ ଆଥଲେଟଙ୍କୁ ସ୍ୱାଗତ କଲେ ନୀତା ଅମ୍ବାନୀ

Paris Olympics: ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ତାରକା ମହିଳା ସୁଟର ମନୁ ଭାକର ଏବଂ ସ୍ୱପ୍ନିଲ କୁସାଲେଙ୍କ ସମେତ ଅନେକ ଭାରତୀୟ ଆଥଲେଟ୍ ଇଣ୍ଡିଆ ହାଉସରେ ପହଞ୍ଚି ଭାରତୀୟତାର ଉତ୍ସବ ମନାଇଛନ୍ତି। ନୀତା ଅମ୍ବାନୀ ଖେଳାଳିମାନଙ୍କୁ ସ୍ୱାଗତ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ।

ଇଣ୍ଡିଆ ହାଉସରେ ପହଞ୍ଚିଥିବା ଅନ୍ୟ ଖେଳାଳିଙ୍କ ମଧ୍ୟରେ ରହିଥିଲେ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ, ବିଶ୍ୱ ଚାମ୍ପିୟନ ବକ୍ସର ଲଭଲିନା ବୋର୍ଗୋହେନ, ସ୍କିଟ୍ ସୁଟର ମହେଶ୍ୱରୀ ଚୌହାନ, ଅନନ୍ତଜିତ୍ ସିଂ ନରୁକା, ସୁଟର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ଅଞ୍ଜୁମ ମୋଦଗିଲ, ସିଫ୍ଟ କୌର ସମରା, ଇଶା ସିଂ, ରାଇଜା ଧିଲନ୍, ଅନିଶ ଭାନୱାଲା ବିଜୟ ଧନୱାଲା ଏବଂ ବିଜୟବୀର ସିଦ୍ଧୁ, ବକ୍ସର ନିଶାନ୍ତ ଦେବ ତଥା ଆଥଲେଟିକ୍ସ ଦଳର ଅକ୍ଷଦିପ ସିଂ, ପରମଜିତ ସିଂ ବିଷ୍ଟ, ବିକାଶ ସିଂ, ତଜିନ୍ଦର ପାଲ ସିଂ ତୁର, ଅଙ୍କିତା ଧ୍ୟାନୀ, ଜୈସବିନ ଏଲଡ୍ରିନ ଏବଂ ପାରୁଲ ଚୌଧୁରୀ।

ମନୁଙ୍କୁ ଏକ ପ୍ରେରଣା ସ୍ରୋତ ଭାବରେ ବର୍ଣ୍ଣନା କରି ନୀତା ଅମ୍ବାନୀ କହିଛନ୍ତି, “ଗତ ସପ୍ତାହରେ ପ୍ୟାରିସରେ ହରିୟାଣାର ଏକ ଗାଁର ୨୨ ବର୍ଷର ଝିଅ ଇତିହାସ ସୃଷ୍ଟି କରି ବିଶ୍ୱକୁ ନିଜର ସ୍ୱପ୍ନ, ଉତ୍ସାହ ଏବଂ କଠିନ ପରିଶ୍ରମର ଶକ୍ତି ଦେଖାଇଥିଲେ! ସେ ଗୋଟିଏ ଅଲିମ୍ପିକରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଥିଲେ। ଆପଣଙ୍କର ସଫଳତାରୁ ସମସ୍ତ ଭାରତୀୟ ପ୍ରେରିତ ହୋଇଛନ୍ତି ଏବଂ ଭାରତର ପ୍ରତିଟି ଝିଅ ସଶକ୍ତ ହୋଇଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି, “ପଦକ ଏବଂ ରେକର୍ଡ ଠାରୁ ଉପରେ କ୍ରୀଡା ହେଉଛି ମାନବୀୟ ଆଭିମୁଖ୍ୟ, ଚରିତ୍ର, କଠିନ ପରିଶ୍ରମ, ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାର କ୍ଷମତା ଏବଂ କେବେ ହାର ନମାନିବାର ଆମର କ୍ଷମତାର ଉତ୍ସବ! ଆମର ପ୍ରତ୍ୟେକ ଆଥଲେଟ୍ ପ୍ୟାରିସରେ ଏହି ସମାନ ଭାବ ​​ପ୍ରଦର୍ଶନ କରିଛନ୍ତି। ଆଜି ଆମେ ଆପଣ ସମସ୍ତଙ୍କ ଅର୍ଥାତ ଟିମ୍ ଇଣ୍ଡିଆର ଚାମ୍ପିଅନମାନଙ୍କ ଉତ୍ସବ ପାଳନ କରୁଛନ୍ତି !”

ସ୍ୱାଗତ କାର୍ଯ୍ୟକ୍ରମ ବ୍ୟତୀତ ଆଥଲେଟ୍ ମାନେ ଇଣ୍ଡିଆ ହାଉସରେ ଭାରତୀୟ ଖାଦ୍ୟର ମଜା ନେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉନମୋଚିତ ହେଲା ୩୩ତମ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ସ୍ମାରକୀ ଡାକ ଟିକଟ

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ଓ ସଂଚାର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଆଜି ନୂଆଦିଲ୍ଲୀରେ ୩୩ତମ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଅବସରରେ ସ୍ମାରକୀ ଡାକଟିକଟ ଉନ୍ମୋଚନ କରିଛନ୍ତି।

ନିକଟରେ ବ୍ରୋଞ୍ଜ ପଦକ ବିଜେତା ଶ୍ରୀ ସରବଜୋତ ସିଂ, ପୂର୍ବତନ କ୍ରିକେଟର ଶ୍ରୀ ଆକାଶ ଚୋପ୍ରା ଏବଂ ଷ୍ଟିପଲଚେଜ୍ ଆଥଲେଟ୍ ଶ୍ରୀମତୀ ସୁଧା ସିଂହଙ୍କ ସମେତ ବିଭିନ୍ନ କ୍ରୀଡ଼ା ପ୍ରତିଭା ଏବଂ ସ୍କୁଲ ପିଲାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମାରୋହକୁ ସମ୍ବୋଧିତ କରି ଡ.ମନସୁଖ ମାଣ୍ଡଭିୟ କହିଛନ୍ତି, କ୍ରୀଡ଼ା କେବଳ ପ୍ରତିଯୋଗିତା ନୁହେଁ, ଏହା ଏକ ଜୀବନଶୈଳୀ। ଡାକ ଟିକଟ ଉନ୍ମୋଚନ କ୍ରୀଡ଼ା ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି, ଯାହା ଆଥଲେଟମାନଙ୍କ ପାଇଁ ଜାତୀୟ ଗୌରବ ଏବଂ ପ୍ରୋତ୍ସାହନର ପ୍ରତୀକ ଭାବରେ କାର୍ଯ୍ୟ କରୁଛି । ଡ.ମାଣ୍ଡଭିୟ ଆହୁରି ମଧ୍ୟ କହିଥିଲେ ଯେ କ୍ରୀଡ଼ା ଏକ ସୁସ୍ଥ ରାଷ୍ଟ୍ରକୁ ପ୍ରୋତ୍ସାହିତ କରେ, ଯାହା ଧନ ଏବଂ ସମୃଦ୍ଧି ପାଇଁ ଜରୁରୀ ଏବଂ ଏହା ଲୋକମାନଙ୍କୁ ଏକାଠି କରେ, ଉଭୟ ବ୍ୟକ୍ତିଗତ ଫିଟନେସ୍ ଏବଂ ଜାତୀୟ ବିକାଶରେ ସହାୟକ ହୋଇଥାଏ।

ଡକ୍ଟର ମାଣ୍ଡଭିୟ ଗୁରୁତ୍ୱାରୋପ କରିଥିଲେ ଯେ କ୍ରୀଡ଼ାବିତମାନଙ୍କୁ ସଫଳ ହେବା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ଏବଂ ସୁବିଧା ସୁଯୋଗ ସୁନିଶ୍ଚିତ କରିବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି । ଯେକୌଣସି ସମ୍ବଳ ଅଭାବକୁ ଦୂର କରିବା ପାଇଁ ସରକାର କଠିନ ପରିଶ୍ରମ କରିଛନ୍ତି, କ୍ରୀଡ଼ାବିତମାନଙ୍କୁ ବିନା କୌଣସି ପ୍ରତିବନ୍ଧକରେ ଉତ୍କର୍ଷ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇଥିବା ସେ କହିଛନ୍ତି ।

ତୃଣମୂଳ ସ୍ତରରୁ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ପ୍ରଶଂସା କରି, ଖେଲୋ ଇଣ୍ଡିଆ ଏବଂ ଟପ୍ସ କାର‌୍ୟ୍ୟକ୍ରମର କିର୍ତ୍ତି କାର‌୍ୟ୍ୟକ୍ରମ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହା ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଉତ୍କର୍ଷ ହାସଲ କରିବା ପାଇଁ ଆବଶ୍ୟକ ସୁବିଧା ପ୍ରଦାନ କରେ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ୟାରିସରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ୧୧୭ ଜଣ ଆଥଲେଟଙ୍କ ମଧ୍ୟରୁ ୨୮ ଜଣ ଖେଲୋ ଇଣ୍ଡିଆ ଯୋଜନାର ଅବଦାନ ବୋଲି ସେ କହିଛନ୍ତି।

ତାଙ୍କ ଅଭିଭାଷଣ ସମାପ୍ତ କରି ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ ଏହି ଡାକ ଟିକଟ ଜାରି କରି ଆମେ ଆମ କ୍ରୀଡ଼ାବିତ୍ ଓ ଦେଶକୁ ସମ୍ମାନିତ କରିଛୁ। ଆସନ୍ତୁ ଆମେ ସମସ୍ତେ #Cheer4Bharat କରିବା ଏବଂ ଆମ ଆଥଲେଟମାନଙ୍କୁ ଉତ୍ସାହିତ କରିବା।”
ସମାବେଶକୁ ସମ୍ବୋଧିତ କରି ଶ୍ରୀ ସିନ୍ଧିଆ କହିଲେ, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୩୩ତମ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଏକ ଡାକ ଟିକଟ ଉନ୍ମୋଚନ ଭାରତର ଐତିହାସିକ କ୍ରୀଡ଼ା ପରମ୍ପରା ପ୍ରତି ଏକ ଶ୍ରଦ୍ଧାଞ୍ଜଳି।ଏହି ଟିକଟ ଜରିଆରେ ଆମେ ଆମ ଖେଳାଳିଙ୍କ କଠିନ ପରିଶ୍ରମକୁ ସ୍ୱୀକାର କରୁଛୁ।

ସେ ଆହୁରି କହିଛନ୍ତି ଯେ “ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଆଜି କ୍ରୀଡ଼ା ଏବଂ କ୍ରୀଡ଼ା ଭିତ୍ତିଭୂମି ଶେଷ ମାଇଲରେ ପହଞ୍ଚିଛି।ଏପରିକି ଆମ ଡାକ ବିଭାଗର କର୍ମଚାରୀମାନେ କ୍ରୀଡ଼ା କ୍ଷେତ୍ରରେ ଅବିଶ୍ୱସନୀୟ ସଫଳତା ଦେଖାଉଛନ୍ତି।ମୁଁ ନିଶ୍ଚିତ ଯେ ଏହି ଟିକଟ ମାଧ୍ୟମରେ ଆମେ ଆମର ସମୃଦ୍ଧ ଇତିହାସକୁ ଯୋଡ଼ିବୁ ଏବଂ ଯୁବ ଖେଳାଳିମାନଙ୍କୁ କ୍ରୀଡ଼ା ଦକ୍ଷତା ବିକାଶ ଏବଂ ବିଶ୍ୱସ୍ତରରେ ଭାରତକୁ ଗର୍ବିତ କରିବା ପାଇଁ ପ୍ରେରଣା ଦେବୁ । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଦଳକୁ ମୁଁ ଶୁଭେଚ୍ଛା ଜଣାଉଛି।”