Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପିପିଲିରେ ସ୍ୱଚ୍ଛତା ହିଁ ସେବା ସମ୍ପର୍କିତ ଦୁଇଦିନିଆ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର: ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ସ୍ୱଚ୍ଛ ଭାରତ ଅଭିଯାନ’କୁ ଇତିମଧ୍ୟରେ ୧୦ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ଚଳିତବର୍ଷ ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ସମଗ୍ର ଦେଶରେ ପାଳନ ହେଉଛି ‘ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ’ ।

ଏହିକ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ(ସିବିସି) ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ‘ସ୍ୱଚ୍ଛତା ହିଁ ସେବା’ ସମ୍ପର୍କିତ ଦୁଇଦିନିଆ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ପୁରୀ ଜିଲ୍ଲା ପିପିଲି ବ୍ଲକ୍ ସମପୁର ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି।

ସମ୍ମାନିତ ଅତିଥି ଭାବରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆୟୋଜିତ ଏକ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା । ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱଚ୍ଛତା ଶପଥ ପାଠ ମଧ୍ୟ କରାଯାଇଥିଲା।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ଡା. ପାତ୍ର କହିଥିଲେ, ବିଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ସ୍ୱଚ୍ଛ ଭାରତ ଅଭିଯାନ’ ଦେଶରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ଅଭିଯାନ ଅଧୀନରେ ଦେଶରେ ୧୨ କୋଟି ଶୌଚାଳୟ ନିର୍ମାଣ କରାଯାଇଛି।

ପୁରୀ ଭଳି ପ୍ରସିଦ୍ଧ ପର୍ଯ୍ୟଟନ ଏବଂ ଧାର୍ମିକ ଗୁରୁତ୍ୱ ବହନ କରୁଥିବା କ୍ଷେତ୍ରରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ସାଂସଦ ଡା. ପାତ୍ର ଗୁରୁତ୍ୱାରୋପ କରିଛନ୍ତି। ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ଆଗାମୀ ଦିନରେ ପିପିଲି ବ୍ଲକ୍ ସମେତ ସ୍ଥାନୀୟ ଅଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ।

ଏଥିପାଇଁ ସେ ଉପସ୍ଥିତ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ଭୁବନେଶ୍ୱର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମପୁର ସରପଞ୍ଚ ଝରଣା ବରାଳ, ବିଶିଷ୍ଟ ସାମାଜିକ କର୍ମୀ ଜ୍ୟୋତିକାନ୍ତ ମହାପାତ୍ର ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।

ସିବିସି ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ କ୍ଷେତ୍ର ପ୍ରଦର୍ଶନୀ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜନ୍ମଦିନରୁ ଆରମ୍ଭ ହେଲା ସେବାପକ୍ଷ: ମୋଦିଙ୍କ ଜୀବନୀକୁ ନେଇ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ରକ୍ତଦାନ ଶିବର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କ ଆଜି ୭୪ ତମ ଜନ୍ମଦିନ। ଏହି ଦିନକୁ ବିଜେପି ତରଫରୁ ଦେଶବ୍ୟାପୀ “ସେବା ଦିବସ” ଭାବେ ପାଳନ କରାଯାଉଛି ଏବଂ “ସେବା ପକ୍ଷ” ପାଳନ ଅବସରରେ ଆଜିଠାରୁ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଆଗାମୀ ୧୫ ଦିନ ଧରି ପାର୍ଟୀ ତରଫରୁ ବିଭିନ୍ନ ସେବା କାର୍ଯ୍ୟ ଜାରୀ ରହିବ।

ମୋଦି ଗ୍ୟାରେଂଟିକୁ ଓଡିଶା ସମେତ ସମଗ୍ର ଦେଶବାସୀ ଦେଖିଛନ୍ତି। ଓଡିଶାରେ ବର୍ତମାନ ବିଜେପିର ଡବଲ ଇଂଜିନ ସରକାର। ଓଡିଶାକୁ ସୁନାର ଓଡିଶା ଗଢି ତୋଳିବା ପାଇଁ ସମସ୍ତ ପ୍ରକାରର ସହଯୋଗ ଓ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଆଜି ପ୍ରତିଶୃତି ଦେଇଛନ୍ତି। ବିକଶିତ ଭାରତ ଗଠନରେ ଓଡିଶା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବ।

ସେବା ପକ୍ଷ ପାଳନ ଉପଲକ୍ଷେ ଆଜି ପ୍ରଥମ ଦିନରେ “ସେବା ଦିବସ” ଅବସରରେ ରାଜ୍ୟ କାର୍ଯ୍ୟାଳୟଠାରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜୀବନୀକୁ ନେଇ ଏକ ଫଟୋଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି ଯୁବମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ସ୍ୱେଚ୍ଛାକୃତ ଭାବେ ଅନେକ କାର୍ଯ୍ୟକର୍ତା ରକ୍ତଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତାଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସେବା ପକ୍ଷ ରାଜ୍ୟ ସଂଯୋଜକ ତଥା ପୂର୍ବତନ ରାଜ୍ୟ ସଭାପତି ବିମ୍ବାଧର କୁଅଁର, ସହ ସଂଯୋଜକ ସ୍ମୃତି ପଟ୍ଟନାୟକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ମେଡିକାଲ ସେଲ ରାଜ୍ୟ ସଂଯୋଜକ ଡ.କୈଳାଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟର କୋଣ ଅନୁକୋଣରେ ବିଜେପି କାର୍ଯ୍ୟକର୍ତାମାନେ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା, ଅଭିନନ୍ଦନ ଜଣାଇ ବିଭିନ୍ନ ମନ୍ଦିର ଓ ଦେବାଳୟରେ ପ୍ରଦୀପ ପ୍ରଜ୍ୱଳନ କରି ତାଙ୍କର ନିରାମୟ ଓ ଦୀର୍ଘଜୀବନ କାମନା କରିଛନ୍ତି।

ସେବାପକ୍ଷ ପାଳନ ଅବସରରେ ଆସନ୍ତା କାଲି ୧୮ରୁ ୨୦ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ତରଫରୁ ସମସ୍ତ ବିଧାନସଭା କ୍ଷେତ୍ରରେ ରକ୍ତଦାନ ଶିବିର ଆୟୋଜନ କରାଯିବ। ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ କୃଷକ ମୋର୍ଚ୍ଚା ତରଫରୁ ସମସ୍ତ ଶକ୍ତିକେନ୍ଦ୍ର ସ୍ତରରେ ପର୍ଯ୍ୟାବରଣ ଉପରେ ଗୁରୁତ୍ୱ ଦିଆଯାଇ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ। ଏହି ଅବସରରେ ଦଳ ଏବଂ ବିଭିନ୍ନ ମୋର୍ଚ୍ଚା ଓ ପ୍ରକୋଷ୍ଠ ତରଫରୁ ମଣ୍ଡଳସ୍ତରରେ ସମସ୍ତ ମନ୍ଦିର, ଧାର୍ମିକ ସ୍ଥଳ, ଜଳାଶୟ, ପୁଷ୍କରିଣୀ ଏବଂ ପାର୍କ ଆଦି ସ୍ଥାନରେ ସଫେଇ କରାଯିବ।

ସେପ୍ଟେମ୍ବର ୨୩ରେ ବିଧାନସଭା ସ୍ତରରେ ୬୦ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ। ସେପ୍ଟେମ୍ବର ୨୪ରେ ବିଧାନସଭାସ୍ତରରେ କଳା, ଚିତ୍ରାଙ୍କନ, ରଙ୍ଗୋଲି, ପ୍ରବନ୍ଧ, ସାହିତ୍ୟ-କଳା, ଗ୍ରାଫିକ୍ ଡିଜାଇନ୍ ଆଦି ପ୍ରତିଯୋଗିତା ଆୟୋଜନ କରାଯିବ। ସେପ୍ଟେମ୍ବର ୨୫ରେ ବିଜେପିର ବିଚାର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଜୟନ୍ତୀକୁ ବୁଥ୍‌ସ୍ତରରେ ପାଳନ କରାଯିବ। ସାଂଗଠନିକ ମହାପର୍ବ ସଦସ୍ୟତା ଅଭିଯାନ ଅବସରରେ ଦୀନଦୟାଲ ଜୟନ୍ତୀ ଦିବସରେ ଅତିକମ୍‌ରେ ୧୦୦ ସଦସ୍ୟ କରାଯିବା ପାଇଁ ପ୍ରୟାସ କରାଯିବ।

ଅକ୍ଟୋବର ୨ରେ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମଣ୍ଡଳସ୍ତରରେ ମହାତ୍ମାଗାନ୍ଧୀ ଓ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତି ନିକଟରେ ସ୍ୱଚ୍ଛତା ଅଭିଯାନ କରାଯାଇ ପୁଷ୍ପାଞ୍ଜଳି ଅର୍ପଣ କରାଯିବ । ଏହି ଦିନରେ ପ୍ରତ୍ୟେକ ପରିବାରକୁ ଖଦି ତିଆରି ବସ୍ତ୍ର କିଣିବା ପାଇଁ ସଚେତନ ସୃଷ୍ଟି କରାଯିବା ସହ ଗ୍ରାମଦ୍ୟୋଗକୁ ପ୍ରୋତ୍ସାହନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଥଯାତ୍ରା ଉପଲକ୍ଷେ ପୁରୀ ଭୋଳାନାଥ ବିଦ୍ୟାପୀଠରେ ପ୍ରଦର୍ଶିତ ହେଉଛି ସ୍ବତନ୍ତ୍ର ଫଟୋଚିତ୍ର

ପୁରୀ: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀ ଶରଧାବାଲି ସ୍ଥିତ ଭୋଳାନାଥ ବିଦ୍ୟାପୀଠରେ ଚାଲିଥିବା ପଲ୍ଲୀଶ୍ରୀ ମେଳା ପରିସରରେ ଆୟୋଜିତ ହୋଇଛି ସ୍ବତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ଓଡ଼ିଆ ସଂସ୍କୃତି ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ରୀତିନୀତି ସମ୍ବନ୍ଧିତ ବହୁ ଦୁର୍ଲଭ ଫଟୋଚିତ୍ର ସ୍ଥାନିତ ହୋଇଛି।

ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଏହା ଖୋଲା ରହିବ।

Categories
ଆଜିର ଖବର ରାଜ୍ୟ ଖବର

୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଗୌରବମୟ ଅତୀତ ଓ ବର୍ତ୍ତମାନକୁ ଏକତି୍ରତ କରି ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟ, ପ୍ରତିଷ୍ଠା, କ୍ରମବିକାଶ ଓ ସମୃଦ୍ଧିର ବାର୍ତ୍ତାବହନ କରିଛି। ମନ୍ଦିରମାଳିନୀ ଭୁବନେଶ୍ୱର ଆଜି ଭାରତର ଏକ ଅତ୍ୟାଧୁନିକ ସହରରେ ପରିଣତ ହୋଇଛି। ଦୀର୍ଘ ୭୫ ବର୍ଷର ଇତିହାସକୁ ଏହି ପ୍ରଦର୍ଶନୀରେ ଯେଉଁଭଳି ସାବଲୀଳ ଢଙ୍ଗରେ ସ୍ଥାନିତ କରାଯାଇଛି ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି।

ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଅମାତ ଉଦ୍‌ଘାଟନ କରିବା ସହ ଏହାକୁ ବୁଲି ଦେଖିଥିଲେ।

ଉଦ୍‌ଘାଟନ ସମୟରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଉତ୍କଳ ପ୍ରସଙ୍ଗର ସଂପାଦିକା କସ୍ତୁରୀ ମହାପାତ୍ର, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର କର୍ମକର୍ତ୍ତାଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି ଫଟୋଚିତ୍ରଗୁଡ଼ିକ ସମ୍ବନ୍ଧରେ ଅତିଥିମାନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ଏହି ସ୍ୱତନ୍ତ୍ର ଓ ସୁନ୍ଦର ପ୍ରଦର୍ଶନୀଟି ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ ଘଟିକାରୁ ରାତି ୯ ଘଟିକା ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ସଂପର୍କିତ ଅନେକ ଦୁର୍ଲ୍ଲଭ ଫଟୋଚିତ୍ରକୁ ନେଇ ଆରମ୍ଭ ହେଲା ପ୍ରଦର୍ଶନୀ

ପୁରୀ: ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପୁରୀସ୍ଥିତ ଭୋଳାନାଥ ବିଦ୍ୟାପୀଠଠାରେ ଆୟୋଜିତ ଜାତୀୟ ପଲ୍ଲୀଶ୍ରୀ ମେଳାରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି।

ଏଥିରେ ବ୍ରିଟିଶ ଚିତ୍ରଶିଳ୍ପୀ ଜେମ୍ସ ଫର୍ଗୁସନ୍‌ଙ୍କ ଦ୍ୱାରା ଅଙ୍କିତ ଚିତ୍ର ଏବଂ ବ୍ରିଟିଶ ଲାଇବ୍ରେରୀରେ ଉପଲବ୍ଧ ୧୮୧୮ ମସିହାରେ ଅଙ୍କିତ ଚିତ୍ର ସମେତ ସେ ସମୟର ରଥଯାତ୍ରାର ଦୁର୍ଲ୍ଲଭ ଫଟୋଚିତ୍ର, ସମୟର ପ୍ରବାହମାନ୍‌ ସ୍ରୋତରେ ଶ୍ରୀମନ୍ଦିର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ବିଂଶ ଶତାବ୍ଦୀ ଓ ୨୦୧୬ର ନବକଳେବର, ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ବେଶ, ବିଭିନ୍ନ ଯାନିଯାତ୍ରା ଓ ପର୍ବପର୍ବାଣି, ମହାପ୍ରସାଦ ଓ ଛପନଭୋଗ, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ଲୀଳାକୁ ନେଇ ପ୍ରକାଶିତ ଡାକଟିକଟ ଓ ଲଫାପା, କୋଭିଡ୍‌ ସମୟର ରଥଯାତ୍ରା ଆଦି ବହୁ ଦୁର୍ଲ୍ଲଭ ଫଟୋ, ତଥ୍ୟାବଳୀ ଓ ସୂଚନା ସହ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ସମୂହର ଫଟୋଚିତ୍ର ସ୍ଥାନିତ ହୋଇଛି।

ପ୍ରଦର୍ଶନୀ ମଣ୍ଡପର ବାହାର କାନ୍ଥରେ ସ୍ଥାପିତ ଏଲ୍‌ଇଡି ଭିଡ଼ିଓ ୱାଲ୍‌ରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ଫିଲ୍ମ ପ୍ରଦର୍ଶନ କରାଯାଉଛି । ଶ୍ରୀମନ୍ଦିର, ରଥଯାତ୍ରା, ବିଭିନ୍ନ ବେଶ ଓ ଯାନିଯାତ୍ରା ଆଦି ସଂପର୍କିତ ଦୁର୍ଲ୍ଲଭ ଫଟୋଚିତ୍ର ଏବଂ ରାଜ୍ୟ ସରକାରଙ୍କ ଜନହିତକର ଓ ଉନ୍ନୟନମୂଳକ ଯୋଜନାର କାହାଣୀ କହୁଥିବା ଫଟୋଚିତ୍ରଗୁଡ଼ିକ ଦୈନିକ ହାରାହାରି ୧୨ରୁ ୧୫ ହଜାର ଦର୍ଶକଙ୍କୁ ଆକର୍ଷିତ କରିବା ସହିତ ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରା ସମେତ ୫-‘ଟି’, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମିକ କଲ୍ୟାଣ, କୃଷକ କଲ୍ୟାଣ, କ୍ରୀଡ଼ା, ଦକ୍ଷତା ବିକାଶ ଆଦି ରାଜ୍ୟର ବିବିଧ ପ୍ରଗତି ସଂପର୍କରେ ବହୁବିଧ ଜ୍ଞାନ ଆହରଣର ଅପୂର୍ବ ସୁଯୋଗ ପ୍ରଦାନ କରୁଛି।

କୋଭିଡ୍‌ କଟକଣା ପାଇଁ ଦୁଇବର୍ଷ ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହେଉଥିବା ଚଳିତ ବର୍ଷର ଏହି ରଥଯାତ୍ରା ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଫଟୋଚିତ୍ର ଓ ତଥ୍ୟ ସମ୍ବଳିତ ପ୍ରଦର୍ଶନୀକୁ ସର୍ବସଧାରଣରେ ଭୂୟସୀ ପ୍ରଶଂସା କରାଯାଉଛି । ମୋଟାମୋଟି ଭାବେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଏହି ପ୍ରଦର୍ଶନୀ ମଣ୍ଡପଟି ପଲ୍ଲୀଶ୍ରୀ ମେଳାରେ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ପ୍ରକାଶ ଯୋଗ୍ୟ ଯେ ଗତ ଜୁନ୍‌ ୩୦ ତାରିଖରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଫଟୋଚିତ୍ର ପ୍ରଦର୍ଶନୀ ମଣ୍ଡପ ଚଳିତ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ବିବିଧ ତଥ୍ୟ ଓ ସୂଚନା ପ୍ରଦାନ କରିବ ।