Categories
ଆଜିର ଖବର ରାଜ୍ୟ ଖବର

୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଗୌରବମୟ ଅତୀତ ଓ ବର୍ତ୍ତମାନକୁ ଏକତି୍ରତ କରି ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟ, ପ୍ରତିଷ୍ଠା, କ୍ରମବିକାଶ ଓ ସମୃଦ୍ଧିର ବାର୍ତ୍ତାବହନ କରିଛି। ମନ୍ଦିରମାଳିନୀ ଭୁବନେଶ୍ୱର ଆଜି ଭାରତର ଏକ ଅତ୍ୟାଧୁନିକ ସହରରେ ପରିଣତ ହୋଇଛି। ଦୀର୍ଘ ୭୫ ବର୍ଷର ଇତିହାସକୁ ଏହି ପ୍ରଦର୍ଶନୀରେ ଯେଉଁଭଳି ସାବଲୀଳ ଢଙ୍ଗରେ ସ୍ଥାନିତ କରାଯାଇଛି ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି।

ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଅମାତ ଉଦ୍‌ଘାଟନ କରିବା ସହ ଏହାକୁ ବୁଲି ଦେଖିଥିଲେ।

ଉଦ୍‌ଘାଟନ ସମୟରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଉତ୍କଳ ପ୍ରସଙ୍ଗର ସଂପାଦିକା କସ୍ତୁରୀ ମହାପାତ୍ର, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର କର୍ମକର୍ତ୍ତାଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି ଫଟୋଚିତ୍ରଗୁଡ଼ିକ ସମ୍ବନ୍ଧରେ ଅତିଥିମାନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ଏହି ସ୍ୱତନ୍ତ୍ର ଓ ସୁନ୍ଦର ପ୍ରଦର୍ଶନୀଟି ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ ଘଟିକାରୁ ରାତି ୯ ଘଟିକା ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ସଂପର୍କିତ ଅନେକ ଦୁର୍ଲ୍ଲଭ ଫଟୋଚିତ୍ରକୁ ନେଇ ଆରମ୍ଭ ହେଲା ପ୍ରଦର୍ଶନୀ

ପୁରୀ: ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପୁରୀସ୍ଥିତ ଭୋଳାନାଥ ବିଦ୍ୟାପୀଠଠାରେ ଆୟୋଜିତ ଜାତୀୟ ପଲ୍ଲୀଶ୍ରୀ ମେଳାରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି।

ଏଥିରେ ବ୍ରିଟିଶ ଚିତ୍ରଶିଳ୍ପୀ ଜେମ୍ସ ଫର୍ଗୁସନ୍‌ଙ୍କ ଦ୍ୱାରା ଅଙ୍କିତ ଚିତ୍ର ଏବଂ ବ୍ରିଟିଶ ଲାଇବ୍ରେରୀରେ ଉପଲବ୍ଧ ୧୮୧୮ ମସିହାରେ ଅଙ୍କିତ ଚିତ୍ର ସମେତ ସେ ସମୟର ରଥଯାତ୍ରାର ଦୁର୍ଲ୍ଲଭ ଫଟୋଚିତ୍ର, ସମୟର ପ୍ରବାହମାନ୍‌ ସ୍ରୋତରେ ଶ୍ରୀମନ୍ଦିର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ବିଂଶ ଶତାବ୍ଦୀ ଓ ୨୦୧୬ର ନବକଳେବର, ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ବେଶ, ବିଭିନ୍ନ ଯାନିଯାତ୍ରା ଓ ପର୍ବପର୍ବାଣି, ମହାପ୍ରସାଦ ଓ ଛପନଭୋଗ, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ଲୀଳାକୁ ନେଇ ପ୍ରକାଶିତ ଡାକଟିକଟ ଓ ଲଫାପା, କୋଭିଡ୍‌ ସମୟର ରଥଯାତ୍ରା ଆଦି ବହୁ ଦୁର୍ଲ୍ଲଭ ଫଟୋ, ତଥ୍ୟାବଳୀ ଓ ସୂଚନା ସହ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ସମୂହର ଫଟୋଚିତ୍ର ସ୍ଥାନିତ ହୋଇଛି।

ପ୍ରଦର୍ଶନୀ ମଣ୍ଡପର ବାହାର କାନ୍ଥରେ ସ୍ଥାପିତ ଏଲ୍‌ଇଡି ଭିଡ଼ିଓ ୱାଲ୍‌ରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ଫିଲ୍ମ ପ୍ରଦର୍ଶନ କରାଯାଉଛି । ଶ୍ରୀମନ୍ଦିର, ରଥଯାତ୍ରା, ବିଭିନ୍ନ ବେଶ ଓ ଯାନିଯାତ୍ରା ଆଦି ସଂପର୍କିତ ଦୁର୍ଲ୍ଲଭ ଫଟୋଚିତ୍ର ଏବଂ ରାଜ୍ୟ ସରକାରଙ୍କ ଜନହିତକର ଓ ଉନ୍ନୟନମୂଳକ ଯୋଜନାର କାହାଣୀ କହୁଥିବା ଫଟୋଚିତ୍ରଗୁଡ଼ିକ ଦୈନିକ ହାରାହାରି ୧୨ରୁ ୧୫ ହଜାର ଦର୍ଶକଙ୍କୁ ଆକର୍ଷିତ କରିବା ସହିତ ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରା ସମେତ ୫-‘ଟି’, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମିକ କଲ୍ୟାଣ, କୃଷକ କଲ୍ୟାଣ, କ୍ରୀଡ଼ା, ଦକ୍ଷତା ବିକାଶ ଆଦି ରାଜ୍ୟର ବିବିଧ ପ୍ରଗତି ସଂପର୍କରେ ବହୁବିଧ ଜ୍ଞାନ ଆହରଣର ଅପୂର୍ବ ସୁଯୋଗ ପ୍ରଦାନ କରୁଛି।

କୋଭିଡ୍‌ କଟକଣା ପାଇଁ ଦୁଇବର୍ଷ ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହେଉଥିବା ଚଳିତ ବର୍ଷର ଏହି ରଥଯାତ୍ରା ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଫଟୋଚିତ୍ର ଓ ତଥ୍ୟ ସମ୍ବଳିତ ପ୍ରଦର୍ଶନୀକୁ ସର୍ବସଧାରଣରେ ଭୂୟସୀ ପ୍ରଶଂସା କରାଯାଉଛି । ମୋଟାମୋଟି ଭାବେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଏହି ପ୍ରଦର୍ଶନୀ ମଣ୍ଡପଟି ପଲ୍ଲୀଶ୍ରୀ ମେଳାରେ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ପ୍ରକାଶ ଯୋଗ୍ୟ ଯେ ଗତ ଜୁନ୍‌ ୩୦ ତାରିଖରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଫଟୋଚିତ୍ର ପ୍ରଦର୍ଶନୀ ମଣ୍ଡପ ଚଳିତ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ବିବିଧ ତଥ୍ୟ ଓ ସୂଚନା ପ୍ରଦାନ କରିବ ।