Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଫାଇନାନସ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାସ କଲା ଜଙ୍କିଆ ପୋଲିସ୍

ଜଙ୍କିଆ: ଜାତୀୟ ରାଜପଥରେ ଫାଇନାନସ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ ଘଟଣାର ଜଙ୍କିଆ ପୋଲିସ୍ ପର୍ଦ୍ଦାଫାସ କରିଛି। ଲୁଟ୍ ଅଭିଯୋଗ ଆଣିଥିବା ଫାଇନାନସ କଂପାନୀର କର୍ମଚାରୀ ରଣଜିତ୍ ବେହେରାଙ୍କୁ ଜଙ୍କିଆ ପୋଲିସ୍ ଗିରଫ କରିଛି।

ସୂଚନା ଅନୁଯାୟୀ, ଭାରତ ଫାଇନାନସର କର୍ମଚାରୀ ରଣଜିତ ବେହେରା ଜଙ୍କିଆ ଥାନା ନିକଟସ୍ଥ ମଳିପଡା ଲହଙ୍ଗା ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀରୁ ଟଙ୍କା ଆଦାୟ କରି ବାଇକ୍ ରେ ଫେରୁଥିବା ବେଳେ ଦୁଇଜଣ ଯୁବକ ଏକ ଆପାଚି ମୋଟର ସାଇକେଲରେ ଆସି ଗାଡିକୁ ଅଟକାଇ ଥିଲେ। ରଣଜିତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡି ଡିକି ଖୋଲି ଡିକିରେ ଥିବା ୫୪ ହଜାର ୫୩ ଟଙ୍କା ନେଇ ଆଖିପିଛୁଳାକେ ପଳାଇଥିବାର ଜଂକିଆ ଥାନାରେ ରଣଜିତ୍ ଅଭିଯୋଗ କରିଥିଲେ।

ଫାଇନାନସ ସଂସ୍ଥାର ପରିଚାଳକଙ୍କ ସନ୍ଦେହ ହେବାରୁ ନିଜେ ରଣଜିତକୁ ପଚରା ଉଚରା କରିଥିଲେ। ଏହା ପରେ ଫାଇନାନସ କଂପାନୀର ପରିଚାଳକ ଜଙ୍କିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ୍ ଖୋଳତାଡ କରିଥିଲା। ପରେ ରଣଜିତ ନିଜେ ଏହି ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ସ୍ଵୀକାର କରିଥିଲେ। ଜଙ୍କିଆ ପୋଲିସ ଟଙ୍କା ଜବତ କରିବା ସହ ଅଭିଯୁକ୍ତ ରଣଜିତ୍ କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।