ନୂଆଦିଲ୍ଲୀ: ପାଇରେସୀ (ଚଳଚ୍ଚିତ୍ରର ବେଆଇନ ନକଲ ପ୍ରସ୍ତୁତି) କାରଣରୁ ଚଳଚ୍ଚିତ୍ର ଉଦ୍ୟୋଗ ପ୍ରତିବର୍ଷ ୨୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଥିବା ବେଳେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦେଶରେ ଫିଲ୍ମ ପାଇରେସୀକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେଇଛି। ଚଳିତ ବର୍ଷର ମୌସୁମୀ ଅଧିବେଶନରେ ସଂସଦ ସିନେମାଟୋଗ୍ରାଫୀ (ସଂଶୋଧନ) ଆଇନ, ୧୯୫୨ ପାରିତ କରିବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଇରେସୀ ବିରୋଧରେ ଅଭିଯୋଗ ଗ୍ରହଣ କରିବା ଏବଂ ଡିଜିଟାଲ ପ୍ଲାଟଫର୍ମରେ ପାଇରେଟେଡ୍ କଣ୍ଟେଣ୍ଟ (ବେଆଇନ ଭାବେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର କିମ୍ବା କାର୍ଯ୍ୟକ୍ରମର କପି) ହଟାଇବାକୁ ମଧ୍ୟସ୍ଥିମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନୋଡାଲ ଅଧିକାରୀମାନଙ୍କର ଏକ ସଂସ୍ଥାଗତ ବ୍ୟବସ୍ଥା ସ୍ଥାପନ କରିଛି।
କପିରାଇଟ୍ ଆକ୍ଟ ଏବଂ ଆଇପିସି ଅଧୀନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବ୍ୟତୀତ ପାଇରେଟେଡ୍ ଚଳଚ୍ଚିତ୍ର ବିଷୟବସ୍ତୁ ଉପରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ସଂସ୍ଥାଗତ ବ୍ୟବସ୍ଥା ନଥିଲା। ଇଣ୍ଟରନେଟର ପ୍ରସାର ଏବଂ ପ୍ରାୟ ସମସ୍ତେ ମାଗଣାରେ ଚଳଚ୍ଚିତ୍ର ସଂକ୍ରାନ୍ତ ବିଷୟବସ୍ତୁ ଦେଖିବାକୁ ଆଗ୍ରହୀ ଥିବାରୁ ପାଇରେସୀରେ ବୃଦ୍ଧି ଦେଖିବାକୁ ମିଳିଛି। ଉପରୋକ୍ତ ପଦକ୍ଷେପ ଦ୍ୱାରା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପାଇରେସୀ କ୍ଷେତ୍ରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ଏବଂ ଚଳଚ୍ଚିତ୍ର ଉଦ୍ୟୋଗକୁ ଆଶ୍ୱସ୍ତି ମିଳିବ।
ଏହି ବିଲ୍ ବିଷୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ପାଇରେସୀ ଯୋଗୁଁ ପ୍ରତିବର୍ଷ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଶିଳ୍ପକୁ ୨୦ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥାଏ। ଫିଲ୍ମ ତିଆରି କରିବାରେ ଲାଗିଥିବା ବର୍ଷ ବର୍ଷର ପରିଶ୍ରମ ପାଇରେସୀ ଦ୍ୱାରା ନଷ୍ଟ ହୋଇଯାଏ। ଏହି ବିପଦ ବିରୋଧରେ କାର୍ଯ୍ୟ କରିବା ପାଇଁ ସରକାର ଏକ ଆଇନ ଅନୁମୋଦନ କରିଥିଲେ, ଯାହାକୁ ଶିଳ୍ପ ଜଗତରେ ବ୍ୟାପକ ସ୍ୱାଗତ କରାଯାଇଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ମୁମ୍ବାଇସ୍ଥିତ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ମୁଖ୍ୟାଳୟର କାର୍ଯ୍ୟାଳୟ ଏବଂ ପ୍ରମୁଖ ଚଳଚ୍ଚିତ୍ର ପ୍ରୋତ୍ସାହନ କେନ୍ଦ୍ରରେ ଏହାର ଆଞ୍ଚଳିକ କାର୍ଯ୍ୟାଳୟରେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି। ଫିଲ୍ମ ପାଇରେସୀକୁ ରୋକିବା ଉଦ୍ଦେଶ୍ୟରେ ଏହି ଆଇନ ପ୍ରଣୟନ କରାଯାଇଛି, ଯାହାକି ଚଳଚ୍ଚିତ୍ର ଉଦ୍ୟୋଗର ଦୀର୍ଘଦିନର ଦାବି ଥିଲା ଏବଂ ନୋଡାଲ ଅଫିସର ନିଯୁକ୍ତି ସେହି ଦିଗରେ ଏକ ବଡ଼ ପଦକ୍ଷେପ।
ଉଲ୍ଲେଖଯୋଗ୍ୟ, ୧୯୮୪ରେ ଶେଷ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯିବା ପରେ ଡିଜିଟାଲ୍ ପାଇରେସୀ ସମେତ ଫିଲ୍ମ ପାଇରେସୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରିବା ପାଇଁ ୪୦ ବର୍ଷ ପରେ ଏହି ଆଇନରେ ସଂଶୋଧନ କରାଯାଇଛି। ଏହି ସଂଶୋଧନରେ ସର୍ବନିମ୍ନ ୩ ମାସ ଜେଲ ଦଣ୍ଡ ଏବଂ ୩ ଲକ୍ଷ ଟଙ୍କା ଜରିମାନା ରଖାଯାଇଛି ଯାହାକୁ ଅଡିଟ୍ ହୋଇଥିବା ମୋଟ ନିର୍ମାଣ ଖର୍ଚ୍ଚର ୫% ପର୍ଯ୍ୟନ୍ତ ଜରିମାନା ଏବଂ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡକୁ ମଧ୍ୟ ବୃଦ୍ଧି କରାଯାଇପାରିବ।
କେଉଁମାନେ କରିପାରିବେ ଆବେଦନ?: ମୂଳ କପିରାଇଟ୍ ଧାରକ କିମ୍ବା ଏହି ଉଦ୍ଦେଶ୍ୟରେ ସେମାନଙ୍କ ଦ୍ୱାରା କ୍ଷମତାପ୍ରାପ୍ତ କୌଣସି ବ୍ୟକ୍ତି ପାଇରେଟେଡ୍ ବିଷୟବସ୍ତୁ ହଟାଇବା ପାଇଁ ନୋଡାଲ ଅଫିସରଙ୍କ ନିକଟରେ ଆବେଦନ କରିପାରିବେ। ଯଦି କପିରାଇଟ୍ ନଥିବା କିମ୍ବା କପିରାଇଟ୍ ଧାରକଙ୍କ ଦ୍ୱାରା ଅନୁମୋଦିତ ନଥିବା କୌଣସି ବ୍ୟକ୍ତି ଅଭିଯୋଗ ଆଣିଥାନ୍ତି, ନୋଡାଲ ଅଫିସର ନିର୍ଦ୍ଦେଶ ଜାରି କରିବା ପୂର୍ବରୁ ଅଭିଯୋଗର ସତ୍ୟତା ନିର୍ଣ୍ଣୟ କରିବା ପାଇଁ ମାମଲାରୁ ମାମଲା ଭିତ୍ତିରେ ଶୁଣାଣି କରିପାରିବେ।
ଆଇନ ଅନୁଯାୟୀ ନୋଡାଲ ଅଫିସରଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ଡିଜିଟାଲ ପ୍ଲାଟଫର୍ମ ୪୮ ଘଣ୍ଟା ମଧ୍ୟରେ ପାଇରେଟେଡ୍ କଣ୍ଟେଣ୍ଟ ହୋଷ୍ଟ କରୁଥିବା ଏଭଳି ଇଣ୍ଟରନେଟ୍ ଲିଙ୍କକୁ ହଟାଇବାକୁ ବାଧ୍ୟ ହେବ।
୨୦୨୩ ମୌସୁମୀ ଅଧିବେଶନରେ ସଂସଦରେ ଅନୁମୋଦନ ଲାଭ କରିଥିବା ସିନେମାଟୋଗ୍ରାଫୀ (ସଂଶୋଧନ) ଆଇନ, ୨୦୨୩ (୨୦୨୩ର ୧୨) ଇଣ୍ଟରନେଟରେ ଅନଧିକୃତ କପି ପ୍ରସାରଣ କରି ଚଳଚ୍ଚିତ୍ର ଓ ଚଳଚ୍ଚିତ୍ର ପାଇରେସୀର ଅନଧିକୃତ ରେକର୍ଡିଂ ଏବଂ ପ୍ରଦର୍ଶନ ପ୍ରସଙ୍ଗ ସମେତ ଚଳଚ୍ଚିତ୍ର ସାର୍ଟିଫିକେସନ୍ ସହିତ ଜଡ଼ିତ ପ୍ରସଙ୍ଗଗୁଡ଼ିକର ସମାଧାନ କରିଥିଲା। ଏଥିସହିତ ପାଇରେସୀ ପାଇଁ କଠୋର ଜରିମାନା ଲାଗୁ କରିଥିଲା। ଏହି ସଂଶୋଧନଗୁଡ଼ିକ ଚଳଚ୍ଚିତ୍ର ପାଇରେସୀ ପ୍ରସଙ୍ଗକୁ ସମାଧାନ କରୁଥିବା ପ୍ରଚଳିତ ଆଇନ ଯଥା କପିରାଇଟ୍ ଆଇନ, ୧୯୫୭ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ (ଆଇଟି) ୨୦୦୦ ସହିତ ସମାନ।
ସିନେମାଟୋଗ୍ରାଫୀ ଆଇନ, ୧୯୫୨ର ନୂତନ ଭାବେ ଅନ୍ତର୍ଭୁକ୍ତ ଧାରା ୬ଏବିରେ ବ୍ୟବସ୍ଥା ରହିଛି ଯେ, କୌଣସି ବ୍ୟକ୍ତି ଏହି ଆଇନ ଅଧୀନରେ ଲାଇସେନ୍ସ ପ୍ରାପ୍ତ ହୋଇନଥିବା ପ୍ରଦର୍ଶନୀ ସ୍ଥାନରେ ଲାଭ ପାଇଁ ଜନସାଧାରଣଙ୍କୁ ପ୍ରଦର୍ଶିତ କରିବା ପାଇଁ କୌଣସି ଚଳଚ୍ଚିତ୍ରର ଉଲ୍ଲଂଘନକାରୀ କପି ବ୍ୟବହାର କରିପାରିବେ ନାହିଁ କିମ୍ବା ପ୍ରୋତ୍ସାହିତ କରିପାରିବେ ନାହିଁ; କିମ୍ବା ଏପରି ଉପାୟରେ ଯାହା କପିରାଇଟ୍ ଆଇନ, ୧୯୫୭ କିମ୍ବା ଅନ୍ୟ କୌଣସି ଆଇନର ବ୍ୟବସ୍ଥା ଅନୁଯାୟୀ କପିରାଇଟ୍ ଉଲ୍ଲଂଘନ କରିବା ସମାନ। ଏହାବ୍ୟତୀତ ସିନେମାଟୋଗ୍ରାଫୀ ଆଇନର ନୂତନ ଧାରା ୭(୧ବି)(୨)ରେ ଉଲ୍ଲେଖ କରାଯାଇଛି ଯେ ଉପରୋକ୍ତ ଧାରା ୬ଏବିକୁ ଉଲ୍ଲଂଘନ କରି ମଧ୍ୟସ୍ଥ ପ୍ଲାଟଫର୍ମରେ ପ୍ରଦର୍ଶିତ/ହୋଷ୍ଟ କରାଯାଇଥିବା ଏଭଳି ଉଲ୍ଲଂଘନକାରୀ କପିକୁ ହଟାଇବା/ଅଚଳ କରିବା ପାଇଁ ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।